କିଛି ନୁହେଁ ମୁଁ
ଶୂନ୍ୟସ୍ଥାନଟିଏ
ଆସିଛି କେଉଁଠୁ କେବେ
ଯିବି କେଉଁଠାକୁ
ଜାଣେ ନାହିଁ
ଚାରିପାଖେ ଗହଳିକୁ ଦେଖି
ଡରୁଥାଏ ଚାହୁଁଥାଏ
ଶୂନ୍ୟସ୍ଥାନ ଟିକକୁ ବି ଜାଗା କ’ଣ ନାହିଁ ?
ପକ୍ଷୀ ପରି ଉଡ଼ିବା
ତାକତ ନାହିଁ
ମୀନ ପରି ବୁଡ଼ିବା କୌଶଳ
ବଡ଼ ବଡ଼ ଲୋକ ପରି
କ୍ଷମତା ପଦବୀ ନାହିଁ
ସିଂହାସନ ଅଧିରୂଢ଼ ପରି
ଅଳସ ବିଳାସ ।
ଏତେ ଟିକେ ମନ ନେଇ
ବଞ୍ଚି ଆସୁଥିବା ବେଳେ
ଅପାରଗ କେହି କହେ
କିଏ ବା ଟିଟିକାରେ ହସରେ ଉଡ଼ାଏ
ସଙ୍କୁଚିତ ମନ ନେଇ
ବହୁଥର ଫୁଟିଚି ବାସିଚି
ପବନରେ ଦୋଳି ଖେଳି
ନିଜ ପାଇଁ କରିନାହିଁ କିଛି
ଶୂନ୍ୟସ୍ଥାନଟିଏ ପାଲଟିଛି ।
କାହିଁକି ତଥାପି ଏତେ
କଲମେ ବଲମ ତ
ଗାଳି ପରି ଗୁଳି ବର୍ଷା
ସୂଚୀପତ୍ର ସୂଚନା ଭିତରେ
ହଜିଯାଏ ନିଜର ସତ୍ତା ।।
ମୁଁ ଉଦୟ ରବି ନୁହଁ
କୁହ ଯଦି
ଅସ୍ତଗାମୀ ହେଲି କେତେବେଳେ ?
ବିଜୟ ଅରୁଣ କପାଳେ ମୋର
କିଏ ବୋଳିଦିଏ ଧୀରେ
ସ୍ୱାଗତ ସିନ୍ଦୂର ଏତେ ଚାତୁରୀରେ ।
ଦେହ ଅଛି, ଦାହିକା ରହିବ
ହସ୍ତପାଦ ନାହିଁ କୁହ
ଚାଲିରେ କଦମ୍ୱ ଫୁଟେ କେମିତି କହୁଚ ?
ଆଖିରେ ମୋ ନୀଳମେଘ
ମୁଁ ପୁଣି ନୀଳନଦୀ ଲୁହ
ଜୀବନର ଚଲାପଥେ
ଭାରି ଏକା ଏକା
ଏକା ମୋର ସାରାସ୍ୱପ୍ନ
ଦେହ ଓ ବିଦେହ
ନଇଁ ନାହିଁ କାହା ଆଗେ
ମାଗି ନାହିଁ କାହା ପାଶେ କେବେ
ବଞ୍ଚିବାର ସାହାନାଇ ବାଜୁଚି ବାଜିବ
ବିପୁଳ ସାମର୍ଥ୍ୟ ସାଥେ, ତପସ୍ୟାର ତପୋବନ ପରି
ଶୂନ୍ୟସ୍ଥାନ ତା’ ଜାଗାରେ ଥିବ ।