ବିଚିତ୍ର ତୁମ୍ଭର ସୃଷ୍ଟି ଧନ୍ୟ ହେ ଈଶ୍ୱର,
ସର୍ବ ଜୀବଙ୍କ ମଧ୍ୟରେ ଶ୍ରେଷ୍ଠ ଅଟେ ନର ।
ବୃକ୍ଷ ପାଇଁ ମୃତ୍ତିକା ହେ, ପୁଣି ଶୁଭ୍ର ନୀର,
ସର୍ବ ଧରା ବାସୀ ଅର୍ଥେ ସେ ନୀଳ ଅମ୍ୱର ।
ହିଂସ୍ର ପାଇଁ କ୍ଷୁଦ୍ର ପଶୁ, ପକ୍ଷୀ ପାଇଁ ଦାନା,
କ୍ଷୁଦ୍ର ପଶୁ ପାଇଁ ତୃଣ, ସୃଷ୍ଟି ତୁମ ସିନା ।
ବିହଙ୍ଗଙ୍କ ବିଚରଣ ଶୂନ୍ୟ ସେ ଅମ୍ୱରେ
ନର ବିହରନ୍ତି ପ୍ରଭୁ ତିନି ପଥ ପରେ ।
ଜଳ, ସ୍ଥଳ, ଆକାଶ ଯେ ନର କରି ଜୟ,
ନିର୍ଭୟେ ବିଚରେ ପ୍ରଭୁ ମନ ନିସଂଶୟ ।
ପଶୁଙ୍କ ବିହାର ଅର୍ଥେ ସେ ବନ ପର୍ବତ,
ବିହରନ୍ତି ପ୍ରଭୁ ସେଥେ ହୋଇ ମନତୃପ୍ତ ।
କେଉଁ ଅର୍ଥେ ସୃଷ୍ଟି ମୋର କୁହ ଭାବଗ୍ରାହୀ,
ନା’ ପୁରୁଷ ନା’ ମୁଁ ନାରୀ କିନ୍ନର ଅଟଇ ।
ଜହ୍ନି ଓଷାରୁ ସାବିତ୍ରୀ କେତେ ଯେ ପରବ,
ନାରୀଏ ପାଳନ୍ତି ଦେଇ ହୁଳହୁଳି ରବ ।
ସମ୍ମାନ ଲଭେ ପୁରୁଷ ଜନ ସମାଜରେ,
ଅରଜେ ସୁନାମ ସେ ଯେ ନାନା ସୁକର୍ମରେ ।
କେହି ବିଜ୍ଞ ଜନ ବୋଧେ ସେ ଯୁଗରେ ଥିଲେ,
ଅର୍ଦ୍ଧନାରୀଶ୍ୱର ଚିତ୍ର ମୋ’ ଅର୍ଥେ ରଚିଲେ ।
ଅର୍ଦ୍ଧନାରୀଶ୍ୱର ଯେବେ ଚିତ୍ରପଟ୍ଟେ ଦେଖେ,
ପ୍ରଫୁଲ୍ଲ ମନରେ ପ୍ରଭୁ ଚିତ୍ରକୁ ପରଖେ ।
ନିର୍ଦ୍ଧାରିତ ଉତ୍ସବରେ ସ୍ମରନ୍ତି ଜଗତ,
ସନ୍ତାନର ଜନ୍ମୋତ୍ସବେ କରନ୍ତି ସ୍ୱାଗତ ।
ନବ ଦଂପତି ଯେ ମୋ’ଠୁଁ ଘେନଇ ଆଶିଷ,
ଏହା ଦେଖି ମନ ମୋର ଅତି ଯେ ସନ୍ତୋଷ ।
ସସମ୍ମାନେ ବଞ୍ଚିବାକୁ ବଳିଥାଏ ମନ,
ବଞ୍ଚିବି ମୁଁ ସମାଜରେ ରଖି ମୋ’ ସମ୍ମାନ ।
ଆଶା ଅଛି ଅଫୁରନ୍ତ ଲଙ୍ଘିବି ସାଗର,
ସାର୍ଥକ ହେଉ ଜୀବନ, ଏ ଜନମେ ମୋର ।
ଜନ ସେବା, ଦେଶ ସେବା, ଶିକ୍ଷକତା ପୁଣି,
ଅସାଧ୍ୟକୁ ସାଧ୍ୟ କରି ପାରିବି ମୁଁ ଜିଣି ।
ଅନେକ କ୍ଷେତ୍ରରେ ଅଛି ଆମରି ସୁନାମ,
ସୁଲଭ ହୁଏ ମୋ’ ଦେଇ କେତେ ଯେ ଦୁସ୍କର୍ମ ।
ସର୍ବ ଜୀବ ମଧ୍ୟେ ଶ୍ରେଷ୍ଠ, ଯେଉଁ ଜୀବ ସାର,
ମନୁଷ୍ୟ ମୋ’ ଜନ୍ମଦାତା ସେଇ ଜାତି ମୋର ।
