ତୁମେ ଉତ୍କଳ ମାଟିର ସନ୍ତାନ ବୋଲାଅ
ପୁଣି ଓଡ଼ିଆକୁ କର ହେୟରେ
ମାଆଟା ଆମର କାନ୍ଦି ଗଡିଲାଣି
ତୁମେ ରହିଅଛ ଘର କୋଣରେ ।
ତୁମେ ଭାଷାକୁ ଭୁଲିକି ଆଗେଇ ଚାଲିଲ
ମୁଁ ଭାଷା ପ୍ରେମେ ଅଛି ପଛରେ
ମୁଁ ଯେ ସଂସ୍କୃତିକୁ ମୋର ପାସୋରି ଦେଇନି
ତୁମ ତୁଚ୍ଛ ମିଛ ବଡ ପଣରେ ।
ତୁମେ ଇଂରାଜୀ କହିକି ଜ୍ଞାନୀ ବୋଲାଇଲ
ମୁଁ ଓଡ଼ିଆ କହିକି ଅଜ୍ଞାନୀରେ
ତୁମେ କୋର୍ଟ ପିନ୍ଧିକି ବାବୁ ସାଜିଗଲ
ମୁଁ ଧୋତି ଗାମୁଛାରେ ମହାନରେ ।
ତୁମେ ପାଶ୍ଚାତ୍ୟ ସଂସ୍କୃତି ପଛେ ଧାଇଁ ଥିଲ
ମୁଁ ତ ଗାଉଁଲି ସଭ୍ୟତା ପଛରେ
ତୁମେ ଶୋଷଣ କରିକି ଅଗ୍ରଗତି କର
ମୁଁ ତ ପ୍ରାଣ ଦିଏ ମାତୃ ସେବାରେ ।
ମୁଁ ତ ଭଲ ପାଇଥାଏ ମୋ ଗାଁ ଭୂଇଁକୁ
ତୁମେ ଭଲ ପାଇଥାଅ କାହାକୁ
ବୋଧେ ବିଦେଶ ମୋହରେ ତୁମେ ପଡ଼ିଗଲ
ଭୁଲିଗଲଣି ମାଆର ସ୍ନେହକୁ ।
ତୁମେ କଳା ସଂସ୍କୃତିକୁ କର ହତାଦର
ତୁମେ କହିଥାଅ ତାକୁ ପ୍ରାଚୀନ
ପଛେ ହେଉ ସେ ପ୍ରାଚୀନ ମୋର ପରିଚୟ
ତୁମ ଅଧୀନତା ଠାରୁ ମହାନ ।
ଆମ ଓଡ଼ିଆ ଜାତିର ଅସ୍ମିତା ଗୌରବ
ତୁମେ ମନରୁ ଦେଲଣି ହଜାଇ
ଆମ ମାତୃଭାଷା ବହ୍ନି ପୁଣି ଜଳି ଉଠୁ
ତୁମ ନିଦକୁ ନେବ ସେ ଚୋରାଇ ।
ବାସ୍ ତୁମ ମୋ ଭିତରେ ଫରକ ଏତିକି
ଆମେ ଗୋଟିଏ ମାଆର ସନ୍ତାନ
ତୁମେ ମାଆର ପଣତ ପାସୋରି ଦେଲଣି
ମୁଁ ତୁଟାଇ ନପାରେ ବନ୍ଧନ ।