ଅଶ୍ୱନଦୀରୁ ଯମୁନା,
ଯମୁନାରୁ ଗଙ୍ଗା
ଭାସି ଭାସି ଗଲାବେଳେ ମୁଁ
ଖୁବ୍ ହସିଲ ତମେ ଆଉ
ପାର ହେଲି ମୁଁ ଏକା ଏକା
ଅନେକ ଅନ୍ଧାର ।
ତମ ନନ୍ଦିଘୋଷକୁ ସାତହାତେ
ପଛକୁ ଠେଲି ଦେବା
ତମ ପାଇଁ ଏକ ସ୍ମିତହାସ୍ୟ ଆଉ
ମୋର ଏକ ଅହଂକାର ।
ମୋର ପ୍ରତ୍ୟେକ ମୁହୂର୍ତ୍ତ
ତମର ଏକ ହସ
ଏମିତିକି ମୋର ମୃତ୍ୟୁ ବି ।
ତମ ହସରେ ମୁଁ ବିମୁଗ୍ଧ ନୁହେଁ ସତ
ତଥାପି ଏ ସମସ୍ତ ସାମ୍ରାଜ୍ୟ
ଅସ୍ତହେବା ପରେ ବି
ତମ ହସ ବଞ୍ଚି ରହୁ
ତମ ହସ କାଳଜୟୀ ହେଉ ।