ଶୂନ୍ୟରେ ମୁଁ ତୁମ ପାଦ ଚିହ୍ନ ଖୋଜେ
ତୁମେ ସ୍ୱପ୍ନରୁ ଚାଲିଗଲା ପରେ,
ମୋ ଉତ୍ତପ୍ତ ଲୁହର ଉଷ୍ମତା ମାପୁଥାଏ
ତୁମ ପାଇଁ କେଇ ବୁନ୍ଦା
ମୋ ଆଖିରୁ ଝରିଗଲା ପରେ ।
ଥରେ କେବେ ବାସ୍ତବରେ ଆସି ଦେଖି ଯାଅ
ମୋ ଆଖ ପାଖରେ ବିଛେଇ ହୋଇ ପଡ଼ିଥିବା
ଲାଲ୍ ଛିଣ୍ଡା କାଗଜର ଖଣ୍ଡ ସବୁକ,
ସେଥିରେ ତୁମ ସ୍ମୃତିରେ
ମୁଁ ତୁମ ସହସ୍ର ନାମ ଲେଖିଛି ମୋ ରକ୍ତରେ ।
ତୁମକୁ ପୂଜିବାର ସମସ୍ତ ପ୍ରସ୍ତୁତି ସାରି
ଦୀପ, ଧୂପ, ଫୁଲ ଚନ୍ଦନର ଅର୍ଘ୍ୟ ଧରି
ପ୍ରତୀକ୍ଷାର ଶେଷ ସୀମା ଟପିଗଲା ପରେ,
ନିତି ନିତି ତୁମ ପ୍ରତିମୂର୍ତ୍ତି ଗଢ଼େ
ମୋ ଦେହର ରକ୍ତ ମାଂସରେ ।
ଏବେ କିନ୍ତୁ ସବୁ ପାଉଁଶ ହେଲା ପରେ
ତୁମ ସ୍ମୃତିକୁ ମୁଁ ସାଇତି ରଖେ
ମୋ ହୃଦୟର ଲୁହା ସିନ୍ଦୁକରେ ।
