କିଛି ଅସାଡପଣକୁ ସମୁଦ୍ରରେ ବିସର୍ଜି ଆସିଲି..
ହେଲେ ସମୁଦ୍ର କାଳେ ସବୁ ଫେରାଇଦିଏ ।
କିଛି ଅଯଥା କୋଳାହଳରୁ
ମୁହଁ ଫେରାଇ ଅନୁଭବ କଲି..
କୋଳହଳର ତୀକ୍ଷ୍ଣ ଛୁରିକା
ଲମ୍ବିଯାଇଥିଲା ମୋ ଗଳାଯାଏଁ..!
ଏଇ ଯେ ରକ୍ତ ଝରୁଛି ଗଳାରୁ..!
କଣ୍ଟକିତ ରାସ୍ତାରୁ ପାଦ ହଟାଇ
ଯେତେବାର ହାତେ ମାପି ଚାଖଣ୍ଡେ ଚାଲିଲି
କ୍ଷତ ଓ ଯନ୍ତ୍ରଣାରେ ଭରିଗଲି ।
ଯାହା ଦେଲି ଫେରି ପାଇଲିନି..
ଯାହା ପାଇଲି ତା ମୋ କର୍ମଫଳ ନଥିଲା !
ଫିଙ୍ଗିଦେଲି ସରଳତାର ଆଭରଣ..
ନିରବତାର ନିଷ୍ପାପ ପୃଥିବୀରୁ
ମୁକୁଳି ଯେବେଠୁ ପରଖିଲି ଦୁନିଆକୁ..
ସେବେଠୁ ଜାଣିଲି
ଶୁଭେଚ୍ଛୁଙ୍କ ଭିଡରେ ଏଠି ଅଜସ୍ର ଶତ୍ରୁ..!
ହସୁଥିବା ଲୋକଙ୍କ ମେଳରେ
କେତେସବୁ ରକ୍ତପିପାସୁ !
ସତେ କି ଚାହିଁବସିଛନ୍ତି
ପାଦତଳେ ମଥିବାକୁ ଅସ୍ତିତ୍ୱ
କହିବାକୁ ମନ୍ଦିରରେ ଦେବତାମାନେ ବି
ଏବେ ବନ୍ଦୀ ଆମ ଈଶାରାରେ !
ସେବେଠୁ ନୀରବତା ହିଁ ସାଥୀ, ସାଧନା ହିଁ କର୍ମ… !
ସେଇ ସେ ମାଛର ଆଖି..
ଲକ୍ଷ୍ୟର ଚରମ ସୋପାନ !
ପ୍ରାପ୍ତିର ପାହାଚ ଚଢିବାକୁ
ଭାବନାକୁ ବିସର୍ଜି ଆସିବାକୁ ହେବ !
