ଅନୁବାଦ ସାହିତ୍ୟ

ଛୋଟ ସହରର ସମୁଦ୍ର

Ritika Pattnaik translated Anees Salim’s Small Town Sea into Odia as Chota Saharara Samudra.

ମୁଁ ଅନ୍ତିମ ଇଚ୍ଛା ବିଷୟରେ କୌତୁହଳୀ ହୋଇପଡ଼ିଲି; ନିଜର ବି ତଥା ଅନ୍ୟମାନଙ୍କ ବି । ଏପର୍ଯ୍ୟନ୍ତ ମୋର କୌଣସି ଶେଷଇଚ୍ଛା ନଥିଲା ।

ପୂର୍ବରୁ

ଭାପ୍ପାଙ୍କ ମୃତ୍ୟୁ ଏକ ବର୍ଷଣବିଧୁର ରାତିରେ ହୋଇଥିଲା । ମୁଁ କିନ୍ତୁ ଏକ ଖରାଟିଆ ପାଗରେ ଜନ୍ମ ନେଇଥିଲି । ଅବଶ୍ୟ ଏହି ଘଟଣା କାହାଣୀରେ ସେମିତି ମହତ୍ୱ ବହନ କରେ ନାହିଁ । ଗୁରୁତ୍ୱପୂର୍ଣ୍ଣ କେବଳ ଏତିକି : ମୋ ଜନ୍ମ ହେବାର କିଛି ଘଣ୍ଟା ପରେ ଭାପ୍ପା ମୋ ଉପରକୁ ନଇଁପଡ଼ି, ଷ୍ଟିଲ ଝୁଳଣାକୁ ଆସ୍ତେ ଆସ୍ତେ ହଲେଇ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କଲେ । ଏହାକୁ ବରଂ ଭବିଷ୍ୟତବାଣୀ କୁହାଯାଇପାରିବ । ମୋତେ ତନ୍ମୟ ଭାବେ ଚାହିଁରହି ଉମ୍ମାଙ୍କୁ କହିଲେ, ଯେ ତାଙ୍କ ପୁଅ ଏକ ମହାନ କାହାଣୀକାର ଭାବେ ପ୍ରସିଦ୍ଧି ଅର୍ଜନ କରିବ । ହାସପାତାଳର ସେହି କ୍ଷୁଦ୍ର କୋଠରୀରେ ଆମେ ମାତ୍ର ତିନିଜଣ ଥିଲୁ । ଉମ୍ମା ଅବଚେତନ ଅବସ୍ଥାରେ ଥିଲେ, ନିଶ୍ଚେତକର ପ୍ରଭାବ ଧିରେ ଧିରେ ଅପସରି ଯାଉଥିଲା । ତେଣୁ ସେ ଭାପ୍ପାଙ୍କ କଥାର ତାତ୍ପର୍ଯ୍ୟ ବୁଝିବେ କ’ଣ ତାଙ୍କର କୌଣସି ବାକ୍ୟକୁ ବି ଠିକ୍‌ରେ ଶୁଣି ପାରିନଥିଲେ । ତେଣୁ ମୁଁ ହିଁ ଏକମାତ୍ର ସତ୍ତା ଥିଲି ଯେ ଭାପ୍ପାଙ୍କ ଭବିଷ୍ୟତବାଣୀକୁ ସ୍ପଷ୍ଟ ଭାବେ ଶୁଣିଥିଲା ଆଉ ସେଥିପାଇଁ ଅତ୍ୟନ୍ତ ଗର୍ବିତ ହୋଇଥିଲା ।

ଯେବେ ବି ମୁଁ ଉମ୍ମାଙ୍କୁ ଏହି ଭବିଷ୍ୟତବାଣୀ ବିଷୟରେ କୁହେ, ସେ ସର୍ବଦା ଏକ ଅବିଶ୍ୱାସଭରା ବିରକ୍ତିସୂଚକ ଭାଷାରେ ମୋର ଦାବିକୁ ଖଣ୍ଡନ କରୁଥିଲେ । ପ୍ରତ୍ୟେକଥର ଏକ ପ୍ରକାରର ଯୁକ୍ତି କରି କହୁଥିଲେ । ସେ କହୁଥିଲେ, ସେମିତି କୌଣସି ଅଲୌକିକ ଶକ୍ତି ସଂପନ୍ନ ହୋଇନଥିଲେ ନିଜ ଜନ୍ମ ସମୟର କୌଣସି କଥା କାହାର ମନେ ରୁହେନି । କିନ୍ତୁ ଅସଲ କଥା ତ ସେଇୟା: ମୋର ନିଶ୍ଚୟ କିଛି ଅସାଧାରଣ ଶକ୍ତି ଥିଲା, ଯଦିଓ ଅଲୌକିକ ନୁହେଁ । କେବଳ ଭାପ୍ପା ହିଁ ଏହି ବିବାଦର ସମୂଳ ସମାଧାନ କରିବାରେ ସମର୍ଥ ଥିଲେ; କିନ୍ତୁ କେବେ ହସ୍ତକ୍ଷେପ କରୁନଥିଲେ, କେବଳ ହସୁଥିଲେ, ସେ ବି ଅଧା-ହସ । ମୋ ସମର୍ଥନ ପାଇଁ ଆଗେଇ ନଆସୁଥିବାରୁ ମୁଁ ତାଙ୍କୁ ଘୃଣା କରୁଥିଲି । ମୁଁ ସନ୍ଦେହ କରିବା ବି ଆରମ୍ଭ କରିଥିଲି ଯେ ସେ ଭବିଷ୍ୟତବାଣୀ କହିବାକୁ ଆଉ ଆଗ୍ରହୀ ନୁହଁନ୍ତି କାରଣ ଭାପ୍ପା ମୋର ଭବିଷ୍ୟତରେ ଲେଖକ ହେବା ସମ୍ଭାବନାରେ ଆଉ ନିଶ୍ଚିତ ନୁହଁନ୍ତି ।

ମିଃ ଅନୱିନ, ଆପଣ ବୁଝିପାରୁଥିବେ ଏକ ଭବିଷ୍ୟତବାଣୀର ବୋଝ ବୋହି ବୋହି ମୁଁ ବଡ଼ ହେଉଥିଲି । ତେଣୁ ଏ ଚିଠି, କାହାଣୀ କହିବାର ଏହି ପ୍ରୟାସ । କାହାଣୀ ଆରମ୍ଭ କରିବି ବର୍ତ୍ତମାନ ମୁଁ ରହୁଥିବା ଏକ ଛୋଟିଆ ସହରରୁ । ଏହି ସହର ହିଁ ଉପନ୍ୟାସର ଶୀର୍ଷକ ଲାଗି ପ୍ରେରଣା ଯୋଗାଇଛି ଏବଂ କାହାଣୀର ପାରିପାଶ୍ୱିର୍କ ସନ୍ନିବେଶ ବି ଏହି ସହରର ପରିବେଶ ଭଳି ।

ଭାପ୍ପାଙ୍କ ଶେଷଇଚ୍ଛା ପୂରଣ କରିବାକୁ ଆମେ ବଡ଼, ଅତ୍ୟଧିକ ଜନଗହଳିପୂର୍ଣ୍ଣ ସହରରୁ ଏହି ଛୋଟିଆ ଉଦାସିଆ ସହରକୁ ଆସିଥିଲୁ । ଭାପ୍ପାଙ୍କ ବାସ୍ତବରେ ଦୁଇଟି ଇଚ୍ଛା ଥିଲା । ପ୍ରଥମରେ, ଏକଦା ଘୃଣା କରୁଥିବା ଓ ସେଠାରୁ ଖସିଯିବାକୁ ଚେଷ୍ଟିତ ଥିବା ନିଜ ମୂଳ ସହରକୁ ପୁନଃ ଫେରିଯିବା; ସମୁଦ୍ରକୂଳରେ ସ୍ଥାପିତ ଶୈଶବର ସହରରେ ସେ ନିଜ ଅନ୍ତିମ ଦିନଗୁଡ଼ିକୁ କଟାଇବାକୁ ଚାହୁଁଥିଲେ । ଅନ୍ୟଟି ଏକ ମଜାଦର କଳ୍ପନା ଥିଲା, ଏଇ ପୃଥିବୀରେ ତାଙ୍କ ସମୟ ପରିସମାପ୍ତି ପୂର୍ବରୁ ବହୁ ପ୍ରସାରିତ ମେଟ୍ରୋ ଟ୍ରେନ୍‌ର କାର୍ଯ୍ୟକ୍ଷମ ଦେଖିବା । ସତ କହିବାକୁ ଗଲେ, ଏହି ଦ୍ୱିତୀୟ ଭାବାବେଗଟି ତ ସମସ୍ତଙ୍କ କାମ୍ୟ ଥିଲା; ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏ ବିଷୟରେ ଚିତ୍ତବିନୋଦିଆ ଆଲୋଚନା କରୁଥିଲେ, ଘନ ଘନ ଦୀର୍ଘଶ୍ୱାସ ନେବାର ଅଭିନୟ କରି ।

ମେଟ୍ରୋ ରେଳସେବା ଆରମ୍ଭ ହେବା ଚର୍ଚ୍ଚା ଅନେକ ଦିନରୁ ହୋଇଆସୁଥିଲା, କିନ୍ତୁ କର୍ତ୍ତୃପକ୍ଷ ତ ଏଇ ମାତ୍ର ତିନିଚାରି ମାସ ପୂର୍ବରୁ କାମ ଆରମ୍ଭ କରିଥିଲେ । ମେଟ୍ରୋ ଲାଇନ୍‌ରେ କାମ ସହରର ଅଧିକାଂଶ ଅଞ୍ଚଳକୁ ବିଶାଳ ଅଳିଆ ଆବର୍ଜନାମୟ ସ୍ତୁପରେ ପରିଣତ କରିଦେଇଥିଲା । ରାସ୍ତାଘାଟ ସବୁ ଧୂଳିର ପତଳା ଚାଦରରେ ଘୋଡ଼ାଇ ହୋଇଥିଲା ଓ ବାତାବରଣ ଓଜନିଆ ଲାଗୁଥିଲା, ଲୁହା ସହିତ ଲୁହା ବାଡେଇ ହବାର ବିରକ୍ତିକର ଶବ୍ଦରେ । କାମ ସଂପୂର୍ଣ୍ଣ ହେବାକୁ ବିଳମ୍ବିତ ହେଉଥିଲା, କେବେ କେବେ ଦିଶାହୀନ ହୋଇପଡ଼ୁଥିଲା, ଲୋକେ ପରିହାସ କଲେ ଓ ଏହି ମେଟ୍ରୋରେଳ କାର୍ଯ୍ୟ ସଂପୂର୍ଣ୍ଣ ହେବା ସେମାନଙ୍କ ଅନ୍ତିମ ଇଚ୍ଛା ବୋଲି ଜାହିର କଲେ ।

ଯେତେବେଳେ ଭାପ୍ପାଙ୍କ ଗୁରୁତ୍ୱପୂର୍ଣ୍ଣ ଶେଷ ଇଚ୍ଛାଟି ସମସ୍ତଙ୍କ ଆଲୋଚନାର ବିଷୟବସ୍ତୁ ପାଲଟିଗଲା, ବଡ଼ ସହରର ମେଟ୍ରୋ ଟ୍ରେନ ଚଳାଚଳ ଭିତ୍ତି ନିର୍ମାଣ ଦ୍ରୁତ ଗତିରେ ଅଗ୍ରସର ବେଳେ, ଆପାର୍ଟମେଣ୍ଟ ବିକ୍ରି ନ କରିବାକୁ ଆମକୁ ପରାମର୍ଶ ଦିଆଗଲା । ବର୍ଷେ ଦୁଇ ବର୍ଷ ମଧ୍ୟରେ ସୁଠାମ ଧଳା ଟ୍ରେନମାନ ଆମ ଝରକା ଦେଇ ଗଡ଼ିଚାଲିବେ, ଏବଂ ଜମି ଦର ଆାକାଶଛୁଆଁ ହେଇଯିବ । କିନ୍ତୁ ଭାପ୍ପା ନିଜ ଜିଦରେ ଅଟଳ ରହିଲେ, ଜୀବନର ଅନ୍ତିମ ପର୍ଯ୍ୟାୟ କାଟିବାକୁ ସେ ଛୋଟ ସହର ପରିବେଶକୁ ଚୟନ କରିଥିଲେ, ଜମି ଦର ବଢ଼ିବା ସମ୍ଭାବନା ତାଙ୍କ ନିର୍ଣ୍ଣୟକୁ ବଦଳାଇ ପାରିନଥିଲା ବରଂ ସେ କ୍ରୋଧରେ ଥରିଉଠିଥିଲେ । ‘ଏହା ମୋ ଚରମ ଅନ୍ତିମ ଇଚ୍ଛା’, ସେ ନିଜକୁ ନିଜେ କିନ୍ତୁ ଅନ୍ୟକୁ ଶୁଣାଇ ହେଇ ଏପରି ଉଚ୍ଚସ୍ୱରରେ କହୁଥିଲେ ଯେ କାହାକୁ କାନେଇବାର ପରିଶ୍ରମ କରିବାକୁ ପଡ଼ୁନଥିଲା ।

ଜମିର ବର୍ଦ୍ଧିତ ଦର ଏବଂ ଏକ ଶେଷଇଚ୍ଛାର ମୂଲ୍ୟ ବିଷୟରେ ଟୁପ୍‌ଟାପ୍‌ ଆଲୋଚନା ଜମି ଆସୁଥିଲା । ଏହା ମଧ୍ୟରେ ଆମେ ଏହି ବଡ଼ ବନ୍ଦର ସହର ଛାଡ଼ି ଛୋଟିଆ ବେଳାଭୂମି ପ୍ରାନ୍ତ ସହରକୁ ସ୍ଥାନାନ୍ତରଣ ସକାଶେ ପ୍ରସ୍ତୁତି କଲୁ । ଏକ ଅଧାଗଢ଼ା ସେତୁକୁ ମୁହଁ କରିଥିବା ଆପାର୍ଟମେଣ୍ଟଗୁଚ୍ଛଠାରୁ ପାହାଡ଼ଧାରରେ ସମୁଦ୍ରର ବିପରୀତ ପାଶ୍ୱର୍ରେ ଥିବା ଏକ ଛୋଟିଆ ଘରକୁ ।

ଅନିଚ୍ଛା ସତ୍ତ୍ୱେ ବଡ଼ ସହର ଛାଡ଼ିବାକୁ ପଡ଼ିଲା, କିନ୍ତୁ ଏହାର ପରିଣାମ ସ୍ୱରୂପ ମୋର ଏକ ନୂଆ ଅଭ୍ୟାସ ଆରମ୍ଭ ହେଇଗଲା । ମୁଁ ଅନ୍ତିମ ଇଚ୍ଛା ବିଷୟରେ କୌତୁହଳୀ ହୋଇପଡ଼ିଲି; ନିଜର ବି ତଥା ଅନ୍ୟମାନଙ୍କ ବି । ଏପର୍ଯ୍ୟନ୍ତ ମୋର କୌଣସି ଶେଷଇଚ୍ଛା ନଥିଲା । ଯଦି ମୁଁ କୌଣସି କୋଠା ତଳେ ଚାପି ହୋଇଯାଏ ବା ଟ୍ରକ ମୋ ଉପରେ ମାଡ଼ିଯାଏ, ଶେଷଇଚ୍ଛା ବ୍ୟକ୍ତ କରିବା ପୂର୍ବରୁ ମୁଁ ଚାଲିଯାଇଥିବି । କିନ୍ତୁ ଶେଷଇଚ୍ଛା ତ ଜଟିଳ ରୋଗର ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଥିବା ରୋଗୀ ବା ବୃଦ୍ଧଙ୍କ ନିମିତ୍ତ, ମୋ ଭଳି ଲୋକଙ୍କ ପାଇଁ ନୁହେଁ ଯେଉଁମାନେ ଭାବନ୍ତି ଯେ ବୟସ୍କ ହେଇ ମୃତ୍ୟୁ ସମୀପସ୍ଥ ହେବା ପୂର୍ବରୁ ମୃତ୍ୟୁର ନିଦାନ ଆବିଷ୍କୃତ ହୋଇ ସାରିଥିବ । ତଥାପି ମୋର ଶେଷଇଚ୍ଛା କ’ଣ ହେବ? ଏହି ଛୋଟିଆ ସହରରେ ରହିବା ଆରମ୍ଭ କରିବା ପରଠାରୁୁ ବହୁତ ଚେଷ୍ଟା କଲା ପରେ ବି ମୁଁ ଏପରି କୌଣସି ଇଚ୍ଛା ଖୋଜି ପାଉ ନଥିଲି । ଆମର ନୂଆ ଭଡ଼ା ଘରର ପଚା ପବନ ଆଘ୍ରାଣ ମାତ୍ରକେ ମୁଁ ମୋ ଶେଷଇଚ୍ଛାର ସନ୍ଧାନ ପାଇଗଲି । ମୋ ଶେଷଇଚ୍ଛା ହେଲା ଯେଉଁ ଆପାର୍ଟମେଣ୍ଟରେ ମୋର ଆଦ୍ୟ ବାଳ୍ୟକାଳ କଟିଛି ସେଠାକୁ ପୁଣି ଫେରି ଯିବା । ଅଧା-ଗଢ଼ା ମେଟ୍ରୋ ସେତୁ ଦେଖା ଯାଉଥିବା ଝରକା ତରତର ଖୋଲି ଶେଷଥର ପାଇଁ ସେଇ ବଡ଼ ଖମ୍ବକୁ ଦେଖିବା; ଆଉ ବି ତନଖିବା, କୌଣସି ଏକ ଅପରାହ୍ଣସାରା ମୁଁ ଏବଂ ଶିବାନ ଚାରକୋଲରେ ଗାରେଇଥିବା ସେଇ ବଡ଼ ତୀର ଚିହ୍ନଟି ବର୍ଷାରେ ଧୋଇ ହୋଇଯାଇ ନଥିବ ତ, ଆଉ ମଧ୍ୟ ଯାଞ୍ଚ କରିବା ପାଇଁ ଯେ ସେମାନେ ଖମ୍ବର କ୍ରମକୁ ୩୬୬ରୁ ବଦଳେଇ ଦେଇନାହାଁନ୍ତି ତ ।

ଖମ୍ବ ନଂ ୩୬୬ ମୋ ପିତାମାତାଙ୍କ ଲାଗି ଘରଚିହ୍ନଟ ସଙ୍କେତ ଭଳି କାର୍ଯ୍ୟ କରୁଥିଲା; ଅତିଥି ଅଭ୍ୟାଗତଙ୍କୁ ଆମର ଘରର ଅବସ୍ଥିତି ବିଷୟରେ ସୂଚନା ଦେବା ପାଇଁ ସେମାନେ ଖମ୍ବ ନଂକୁ ଦର୍ଶାଉଥିଲେ । ତଥାପି ଆମ ଅତିଥିମାନେ ଘର ଠଉରାଇବାରେ ଭୁଲ କରୁଥିଲେ । କାରଣ ହାଇୱେକୁ ସାମ୍ନା କରୁଥିବା ଖମ୍ବର ଦୁଇ ପାଖେ ୩୬୬ ଲେଖାଯାଇଥିଲା । ଏବଂ ସେମାନେ ସଡ଼କର ଅନ୍ୟ ସଦୃଶ୍ୟ ଆପାର୍ଟମେଣ୍ଟ ବ୍ଳକକୁ ଆମ ଘର ସମାନ ଘର ନଂ ଥିବା ଘରର କବାଟ ବାଡ଼ଉଥିଲେ । ତେଣୁ ମୁଁ ଆମପଟ ଖମ୍ବରେ ଏକ ତୀର ଆଙ୍କିବା ପାଇଁ ଭାବିଲି । ଆବଶ୍ୟକତାଠାରୁ ଢେର ଏବଂ ଅନାବଶ୍ୟକ ଦୃଷ୍ଟି ଆକର୍ଷଣ କରୁପାରିବା ଭଳି ବୃହତ ଥିଲା ତୀରଟି । ସୂର୍ଯ୍ୟାସ୍ତଯାଏ ଓ ଘରୁ ଡାକରା ନହେବା ପର୍ଯ୍ୟନ୍ତ ଚାରକୋଲ ଖଣ୍ଡମାନ ଧରି ରଙ୍ଗହୋଇ ନଥିବା ସେ ଖମ୍ବରେ ଆମେ ଘୋରି ଚାଲୁଥିଲୁ । କିନ୍ତୁ ମୋ ଝରକାରୁ ତୀରଟି ଆବଶ୍ୟକତା ଅନୁଯାୟୀ ବଡ଼ ଲାଗୁନଥିଲା । ଆମଠାରୁ ତିନି ମହଲା ଉପରେ ରହୁଥିବା ଶିବାନ ତୀର ଚିହ୍ନ ବିଷୟରେ ଜମାରୁ ଭାବୁନଥିଲା । କାରଣ ତା’ଝରକାରୁ ତ ତୀର ଚିହ୍ନଟି କାରର କଳା ଧୂଆଁରେ ନେସି ହୋଇଯାଇଥିବା କୋଇଲା ମେଞ୍ଚା ଭଳି ଦେଖାଯାଉଥିଲା ।

ଭାପ୍ପୁମ୍ମାଙ୍କର କ’ଣ କୌଣସି ଶେଷଇଚ୍ଛା ଥିଲା ? ମୁଁ କେବେ ବି ସାହସ କରି ପଚାରି ପାରିନଥିଲି । ଚାଲିଲା ବେଳେ ସାମାନ୍ୟ ଝୁଙ୍କିବା ଛଡ଼ା ସେ ବେଶ୍ ସ୍ୱାସ୍ଥ୍ୟବତୀ ଥିଲେ । କିନ୍ତୁ ଯଦି ଶେଷ ଅଭିଳାଷ ପୋଷଣ କରିବା ଅନିବାର୍ଯ୍ୟ ତା’ହେଲେ ସେ ଉପଯୁକ୍ତ ବୟସରେ ପହଞ୍ଚି ଯାଇଥିଲେ ।

ଶିବାନ ସବୁବେଳେ ଗୋଟିଏ ଇଚ୍ଛା ସ୍ଫୂର୍ତି ଲାଗି ତତ୍ପର ଥିଲା । ସେ ବିମାନ ଉଡ଼ାଇବାକୁ ଚାହୁଁଥିଲା । ଅବଶ୍ୟ ତାହା ତା’ର ଶେଷଇଚ୍ଛା ନଥିଲା । ତାହା ତ’ର ସ୍ୱପ୍ନ ଥିଲା । କିନ୍ତୁ ଜୀବନସାରାର ଅପୂରଣୀୟ ସ୍ୱପ୍ନସବୁ ଜୀବନସନ୍ଧ୍ୟାରେ ଶେଷ ଇଚ୍ଛା, ଏକଦମ୍ ଅସମ୍ଭବ ଶେଷଇଚ୍ଛା ଭଳି ଫେରିଆସି ସାମ୍ନାରେ ଉଭା ହୁଅନ୍ତି । ଅଧା-ଗଡ଼ା ସେତୁର ପଶ୍ଚାତରେ ସ୍ଥିତ ପାର୍କରେ ଟିଣ ନିର୍ମିିତ ଏକ ଲଢ଼ୁଆ ବିମାନର ଆକୃତି ଗେଟ ସମୀପରେ ଲୁହାର ସ୍ତମ୍ଭ ଉପରେ ଛିଡ଼ା ହେଇଥିଲା । ଜଗିଂ କରିବାକୁ ଆସୁଥିବା ବ୍ୟକ୍ତିମାନେ ଡେଇଁ ଡେଇଁ ତା’ର ଡେଣାକୁ ଛୁଇଁବାକୁ ଚେଷ୍ଟିତ ହୁଅନ୍ତି । ଅପରାହ୍ଣରେ ପିଲାମାନେ ତା’ର ଛାୟାରେ ଖେଳନ୍ତି । ଥରେ ସ୍କୁଲପରୀକ୍ଷାରେ ଖରାପ ଫଳ ଯୋଗୁଁ ଶିବାନର କ୍ରୋଧିତ ମାଆ ତା’ର ବାହାରେ ଖେଳିବା ବନ୍ଦ କରିଦେଇଥିଲେ । କଟକଣା ହଟିଗଲା ପରେ ଶିବାନ ମୋତେ ସେଇ ଉଡ଼ାଜାହାଜ ପାଖରେ ଭେଟିଲା । ମୁଁ ତାକୁ କହିଲି ଯେ ସେ ଉଡ଼ାଜାହାଜର ନମୁନାଟିଏ ଉଡ଼ାଇ ପାରିବ କିନ୍ତୁ ସତସତିକା ଉଡ଼ାଜାହାଜ ନୁହେଁ । ତାକୁ ଖୁବ୍ ହସାଇବା ପାଇଁ ମୁଁ ଏପରି କହିଲି କିନ୍ତୁ ସେ ଅଭିମାନ କଲା, ଉଠିପଡ଼ି ଘରମୁହାଁ ହେଲା । ଏବଂ ମୁଁ ଦ୍ୱିତୀୟ ସପ୍ତାହ ପାଇଁ ପାର୍କରେ ଏକୁଟିଆ ବସିରହିଲି ।

ଯେଉଁଦିନ ଆମେ ଆପାର୍ଟମେଣ୍ଟ ପାଇଁ କ୍ରେତାର ସନ୍ଧାନ ପାଇଲୁ ମୁଁ ଉମ୍ମାଙ୍କୁ ପଚାରିଲି, ଯଦି ତାଙ୍କର ବି କିଛି ଶେଷଇଚ୍ଛା ଥାଏ । ସେ ଝରକା ନିକଟରେ ଠିଆ ହେଇଥିଲେ, ପାର୍କର ବୃକ୍ଷ ଆଢ଼ୁଆଳରେ ଅସ୍ତଗାମୀ ସୂର୍ଯ୍ୟକୁ ଦେଖୁଥିଲେ । ଖୁୁବ୍ ଶୀଘ୍ର ପାର୍କରେ ଅନ୍ଧାର ଛାଇଯିବ, ଫାଙ୍କା ହେଇଯିବ, ଝୁମା-ଝୁମି ଓ ଦୋଳି ତୁନି ପଡ଼ିଯିବେ, ହଲଚଲ ବନ୍ଦ ହେଇଯିବ, କୋଳାହଳ ଥମିଯିବ । ଝୀଂଟିକା ଓ ବେଙ୍ଗମାନଙ୍କ ରାଜୁତି ଆରମ୍ଭ ହେଇଯିବ କେ କଟଁର ଚେ ଚା ଧ୍ୱନିରେ । ସେଇ ସନ୍ଧ୍ୟାରେ ମୁଁ ଏତେ ଦୁଃଖି ଅନୁଭବ କରୁଥିଲି ଯେ କାନ୍ଦ କାନ୍ଦ ଲାଗୁଥିଲା ଏବଂ ଯେବେ କୌଣସି ଖାସ୍ କାରଣ ନଥାଇ ମୁଁ କାନ୍ଦିବାକୁ ଚାହେଁ ସେତେବେଳେ ମୁଁ ମନେ ପକାଏ ସୂର୍ଯ୍ୟୋଦୟ ପୂର୍ବରୁ ଫାଶୀ ଖୁଣ୍ଟରେ ଝୁଲାଇଦିଆଯାଉଥିବା ବନ୍ଦୀମାନଙ୍କ ବିଷୟରେ । ତଫାତ୍ କେବଳ ଏତିକି ଯେ ତାହା ଗଳ୍ପ ନଥିଲା । ଉମ୍ମାଙ୍କ ମାମୁଁ ଜେଲଖାନରେ କାର୍ଯ୍ୟରତ ଥିଲେ, ଆଉ ମୋ ଉମ୍ମା ଏପରି ଅନେକ ବନ୍ଦୀମାନଙ୍କ କାହାଣୀ ଶୁଣି ଶୁଣି ବଡ଼ ହେଇଥିଲେ ଯେଉଁମାନଙ୍କୁ ଫାଶୀ ଦିଆଯିବା ପୂର୍ବରୁ ଶେଷଇଚ୍ଛା ବ୍ୟକ୍ତ କରିବାକୁ କୁହା ଯାଉଥିଲା । ଭୋଜନ ବରାଦ ନଥିଲା ସମସ୍ତଙ୍କ ଶେଷଇଚ୍ଛା ବରଂ ଅଧିକା ଗୁରୁତ୍ୱପୂର୍ଣ୍ଣ ବା ଭିନ୍ନ ଥିଲା କିଛି ବନ୍ଦୀଙ୍କ କାମନା; ମୃତ୍ୟୁଦଣ୍ଡ ପୂର୍ବରୁ କିଛି ପୃଥକ ଇଚ୍ଛା ଥିଲା, ଭିନ୍ନ ଭିନ୍ନ ସ୍ୱାଦର । ଉଦାହରଣ ସ୍ୱରୂପ ଜଣେ ବନ୍ଦୀ ନିଜର ଶେଷଇଚ୍ଛା ଭାବେ ଗୀତ ଶୁଣିବାକୁ ଚାହିଁଥିଲା ଓ ଚୟନ କରିଥିଲା ପୂର୍ଣ୍ଣମୀ ଜହ୍ନ ଆଧାରିତ ଏକ ସଙ୍ଗୀତ । ଜେଲ କର୍ତ୍ତୃପକ୍ଷ ରାସ୍ତାଘାଟରେ ବୁଲି ବୁଲି ଗୀତ ଗାଉଥିବା ଜଣେ ଗାୟକଙ୍କୁ ଡକାଇଲେ । ସେ ଲୋକଟିର କଣ୍ଠସ୍ୱର ଜମା ପରିଷ୍କାର ନଥିଲା, ଧିମା ଧିମା କିଛି ଶୁଭୁଥିଲା ବେଳେ ବହୁତ ହଜିଯାଉଥିଲା, ଶୁଭାଯାଉନଥିଲା । ମାତ୍ର କେଇ ମୁହୂର୍ତ୍ତ ଶୁଣିବା ପରେ ବନ୍ଦୀ ଜଣକ ହାତ ଉଠାଇ ତାଙ୍କୁ ଚୁପ୍ ରହିବାକୁ କହିଲେ । ତାଙ୍କ ପ୍ରିୟ ଗୀତର ଏପରି ବିକୃତିକରଣ ଦେଖି ସେ ମୃତ୍ୟୁ ଲଭିବାକୁ ଚାହୁଁନଥିଲେ । ଆଉ ଜଣେ ବନ୍ଦୀ, ଯେ ଜଣେ ନାସ୍ତିକ, ପ୍ରାର୍ଥନା କରିବାକୁ ସପଟିଏ ମାଗିଲେ ଏବଂ ମାର୍ଗଦର୍ଶନ ନିମନ୍ତେ ସେ ଜଣଙ୍କର ସହାୟତା ଲୋଡ଼ିଲେ । କର୍ତ୍ତୃପକ୍ଷ ଉମ୍ମାଙ୍କ ମାମୁଁଙ୍କୁ ଚୟନ କଲେ, କାରାଗାରର ଏକ ମାତ୍ର ମୁସଲମାନ ୱାର୍ଡନ । ଉମ୍ମାଙ୍କ ମାମୁଁ ଆଗ୍ରହ ସହକାରେ ନିଜ ପ୍ରାର୍ଥନା ସପଟିକୁ ତାଙ୍କୁ ଧାର ଦେଲେ ଓ ପୁରୁଣା ଖବରକାଗଜ ‘ମୋସଲ୍ଲା’ ଭଳି ସ୍ୱୟଂ ବ୍ୟବହାର କଲେ । କାରାଗାର ଜାଲିର ଛାଇରେ ନକ୍ସାୟିତ କୋଠରୀରେ ଛିଡ଼ା ହୋଇ ଉମ୍ମାଙ୍କ ମାମୁଁ ବନ୍ଦୀ ଜଣଙ୍କୁ ଇଶ୍ୱରଙ୍କୁ ପ୍ରାର୍ଥନା କରିବାରେ ସାହାଯ୍ୟ କଲେ, ଫାଶୀଦଣ୍ଡର ବାସ୍ କେଇ ଘଣ୍ଟା ପୂର୍ବରୁ ।

ଉମ୍ମାଙ୍କୁ ତାଙ୍କ ଶେଷଇଚ୍ଛା ବାବଦରେ ପଚାରିବା ବେଳେ ମୁଁ ଭାବୁଥିଲି ସେଇ ବ୍ୟକ୍ତିଙ୍କ ବିଷୟରେ ଯେ ନିଜ ପ୍ରଥମ ଓ ଶେଷ ନିମାଜ ଥରକରେ ସାରିଥିଲେ । ମୁଁ ଆଶଙ୍କା କରୁଥିଲି ମୋ ପ୍ରଶ୍ନ ତାଙ୍କୁ କ୍ରୋଧିତ କରିଦେଇପାରେ, ଦୁଃଖିତ ବି । କିନ୍ତୁ ସେ ମୁହଁ ଫେରେଇ ମୋତେ ଦେଖିଲେ ଓ ହସିଲେ । ନା… ମଧୁର ଉଜ୍ଜ୍ୱଳ ହସ ତ ଜମା ନୁହେଁ । ଆଜିକାଲି ସେ କୋଉ ହସୁଥିଲେ ଯେ । ମୃତ୍ୟୁର ଆତଙ୍କରେ ଗ୍ରସିତ ଗୃହରେ ଯେପରି ଶୋକସନ୍ତପ୍ତ ପରିବାର ସଦସ୍ୟ ପରସ୍ପରର ବିଷାଦବୋଳା ମୁହଁକୁ ଚାହିଁ ହସନ୍ତି ସେଇ ଭଳିଆ କ୍ଷୀଣ ହସଟେ ତାଙ୍କ ଓଠଧାରେ ମୁଁ ଦେଖୁଥିଲି । ପାର୍କର ଘୁର୍ଣ୍ଣୟମାନ ଫାଟକ ନିକଟରେ ଅନେକ ଲୋକଙ୍କ ଯାତୟାତ ଲାଗିରହିଥିଲା । ସୂର୍ଯ୍ୟର ଅନ୍ତିମ ଆଭା ଲିଭିଯିବା ପର୍ଯ୍ୟନ୍ତ ଏବଂ ପାର୍କର ଗହଳି କମ ହେବାଯାଏ ସେ ଝରକା ପାଖେ ଛିଡ଼ା ହୋଇରହିଥିଲେ । ତା ପରେ ସେ ପୁଣି ମୁଣ୍ଡ ବୁଲାଇ କହିଲେ ଯେ ଲିଟିଲ ବଡ଼ ହୋଇ ବିବାହ ନକରିବା ପର୍ଯ୍ୟନ୍ତ ସେ ସଂସାର ଛାଡ଼ିବେନି । ଏହା ହିଁ ତାଙ୍କର ଅନ୍ତିମ ଇଚ୍ଛା । “ବିନା ମାତା-ପିତାରେ ଏକ ଅନାଥ ଭଳି ଲିଟିଲ୍‌ର ବିବାହ ହେବା ମୁଁ କ’ଣ କେବେ ସହି ପାରିବି ।”

ବଡ଼ ସହରରୁ କେବଳ ଆମ ପରିବାର ବିଦାୟ ନେଉ ନଥିଲେ, ଆହୁରି ଅନେକ ଥିଲେ, ଏବଂ ଏହି ତଥ୍ୟ ଅସ୍ୱାଭାବିକ ଭାବେ ଉଶ୍ୱାସଭରା ଥିଲା । ଭାପ୍ପାଙ୍କ ଶୈଶବର ଛୋଟ ସହରକୁ ଯିବାର କିଛିଦିନ ପୂର୍ବରୁ ବଡ଼ ସହରର ସର୍ବପୁରାତନ କୋଠା ସମ୍ବନ୍ଧରେ ଏକ ଆଲେଖ୍ୟ ଖବରକାଗଜରେ ପ୍ରଥମ ପୃଷ୍ଠାରେ ମଣ୍ଡନ କରୁଥିବା ନଜରକୁ ଆସିଲା । ଘୋଡ଼ାମାନଙ୍କଟି ବ୍ୟବହୃତ ନାଲ ଭଳି ଇଂରାଜୀ ଅକ୍ଷର ‘ଟ’ଆକୃତିର ସାମସ୍ ନାମକ ଏହି ସୁଉଚ୍ଚ ଅଟ୍ଟାଳିକାକୁ ଅଳ୍ପଦିନ ମଧ୍ୟରେ ଉଚ୍ଛେଦ କରାଯାଇ ସେହି ସ୍ଥାନରେ ଏକ ମଲ ନିର୍ମାଣ କରାଯିବାର ଯୋଜନା ଥିଲା । ଏହି ଲଜିଂର ଅବଶାମ୍ଭବୀ ମୃତ୍ୟୁରେ ଭାପ୍ପା ଅତ୍ୟନ୍ତ ବ୍ୟଥିତ ହେଲେ । ଖବର ଅନୁଯାୟୀ ଅନେକ ଧନ୍ୟାଢ଼ ତଥା ନାମୀ ବ୍ୟକ୍ତିଙ୍କର ବିଖ୍ୟାତ ପୂର୍ବାବସ୍ଥା ଏହିଠାରେ କଟିଥିଲା । ଏକଦା ଅନାମ କିନ୍ତୁ ବିନର୍ତ୍ତମାନର ସମ୍ମାନସ୍ପଦ ବ୍ୟକ୍ତିଙ୍କୁ ପୋଷିତ କରିଥିବା ଓ ଆବାସ ଯୋଗାଇଥିବା ନିର୍ଭୟସ୍ଥଳୀ ଭାବେ ଗଣ୍ୟ ଥିଲା ସାମ୍ସ । ଅନେକ ଆଶାୟୀ କଳାକାର ଏବଂ ସଙ୍ଘର୍ଷରତ ସାହିତ୍ୟକାରଙ୍କ ଗହଳିରେ ଦିନେ ପୂରିଉଠୁଥିଲା ସାମ୍ସ କୋଠି ।

ଧରାଶାୟୀ ସାମସ୍ର ଭଗ୍ନାଂଶ ପାହାଡ଼ ଭଳି ଜମା ହୋଇରହିଲା ଏବଂ ବହଳ ଧୂଳିର ଆସ୍ତରଣ ଆଖପାଖର ସବୁଜିମାକୁ ଘୋଡ଼ାଇ ପକାଇଲା । ଏହି ଘଟଣାର ଦିନକ ପୂର୍ବରୁ ମୁଁ ଭାପ୍ପାଙ୍କ ସହିତ ସାମସ୍ର ବିକ୍ଷିପ୍ତ ବିଶାଳ କ୍ଷେତ୍ର ପରିଦର୍ଶନରେ ଯାଇଥିଲି । ବାରଣ୍ଡା ନିସ୍ତବ୍ଧ ଥିଲା, ବାଦାମୀ ରଙ୍ଗର ଅନେକ ଦୁଆରରେ ନମ୍ବର ତଥାବି ଦୃଶ୍ୟ ହେଉଥିଲା । ସଂପୂର୍ଣ୍ଣ କୋଠାଟି ରିକ୍ତ ଥିଲା । ସାମସ୍ ପ୍ରତିଷ୍ଠାତାଙ୍କ ଫଟୋ ଲବିକାନ୍ଥ ମଣ୍ଡନ କରୁଥିଲା; ପ୍ରତିଷ୍ଠାତା ଜଣାଯାଉଥିଲେ ବେଶ୍ ଶାନ୍ତ ଓ ବିନୀତ । ସୂର୍ଯ୍ୟାଲୋକତ୍ୟକ୍ତ ଲବିରେ ଦୁଇଦିନର ପୁରୁଣା ଖବରକାଗଜ ଧରି ବସିରହିଥିଲେ ଜଣେ ବୃଦ୍ଧ । ବୃଦ୍ଧଙ୍କ ଚେହେରାର ସବୁଠାରୁ ଧ୍ୟାନଆକର୍ଷଣକାରୀ ଅଂଶ ଥିଲା ତାଙ୍କ ନମନୀୟ ବଡ଼ ନାକ । ଖବରକାଗଜରେ, ସହରର ଇତିହାସରେ ଏ କୋଠାର ମର୍ଯ୍ୟାଦାର ବର୍ଣ୍ଣନ ସହ ଏହାର ବିଧ୍ୱସଂନ ଖବର ବି ଥିଲା । ତାଙ୍କ ପଶ୍ଚାତ୍‌ରେ ଏକ ଲମ୍ବା ନରମ କାଠଖଣ୍ଡରେ ଧାଡ଼ି ଧାଡ଼ି ଚାବି ଝୁଲୁଥିଲା; ପୂରା ସ୍ଥିର ଥିଲେ ଚାବିପେନ୍ଥାଗୁଡ଼ିକ ଯଦିଓ ଉପରେ ସିଲିଂ ଫ୍ୟାନ ଘିର୍ଘିର୍ ହେଇ ଜୋର ପବନ ବିଞ୍ଚିଚାଲିଥିଲା ।

କାଉଣ୍ଟର ଉପରେ ଆଉଜି ପଡ଼ି ଭାପ୍ପା ନିଜର ପରିଚୟ ପ୍ରଦାନ କରିଥିଲେ ଓ ସାମସ୍ ପରିଦର୍ଶନ କରିବା ଲାଗି ଅନୁମତି ଚାହିଁଥିଲେ । ବୃଦ୍ଧଜଣକ କାନ୍ଥରୁ ଏକ ଚାବି କାଢ଼ି ଆମକୁ ପୁରୁଣା ଓ ଜର୍ଜର ଲିପ୍ଟ ଦିଗରେ ନିର୍ଦ୍ଧେଶ କରି ଆମ ସହିତ ସ୍ୱୟଂ ଚାଲିଲେ । ଲିପ୍ଟଟି କଁ କଁ ଶବ୍ଦ କରି କୁନ୍ଥେଇ କୁନ୍ଥେଇ ସାତଟି ମହଲା ଅତିକ୍ରମ କରି ସବା ଉପର ମହଲାରେ ଧଡ଼୍ କରି ଅଟକିଲା । ଆମକୁ ଏକ ପ୍ରଶସ୍ତ ଛାତ ଉପରକୁ ନେଇପାଇଁ ବୃଦ୍ଧ ଭାପ୍ପାଙ୍କୁ ଚାବି ଦେଇ ଲିପ୍ଟକୁ ତଳକୁ ଖସାଇଲେ, ତାହାର ଧଡ଼ଧାଡ଼ ଶବ୍ଦ ଏପରି ଥିଲା ଯେ ତୁମେ ଭାବିବ ଯେପରି ଭଙ୍ଗାରୁଜା ନିମିତ୍ତ ଉପକରଣସବୁ ଏକ ସଙ୍ଗେ କାର୍ଯ୍ୟ କରିବା ଆରମ୍ଭ କରିଦେଇଛନ୍ତି ।

ସାମସ୍ର ଛାତ ଉପରୁ ମୁଁ ଇନ୍ଦ୍ରଧନୁର ପ୍ରଥମ ଦୃଶ୍ୟ ଦେଖିବାକୁ ପାଇଲି । ରଙ୍ଗର କି ଅନାକର୍ଷଣୀୟ ବ୍ୟବହାର । ପ୍ରକୃତି କିଭଳି ଅନାବ୍ୟଶକୀୟ ଚିତ୍ରଟିଏ କରିଦେଇଛି । ଛୋଟ ପିଲାଙ୍କୁ ନର୍ସରୀରେ ଶିଖାଯାଉଥିବା କବିତାଠାରୁ ମଧ୍ୟ ଅର୍ଦ୍ଧେକ ସୁନ୍ଦର ନୁହେଁ ।

“ତୁ କେବେ ଇନ୍ଦ୍ରଧନୁ ଦେଖିଛୁ?”, ଭାପ୍ପା ପଚାରିଲେ ।

“ନା”, ମୁଁ କହିଲି ।

“ମୁଁ ବି ନୁହେଁ”, ସେ କହିଲେ ।

ତେଣୁ ଆମେ ଏଠାରେ, ଦୁଇ ବ୍ୟକ୍ତି, ବୟସରେ ତିନି ଦଶକର ଅନ୍ତରାଳ, ଅନ୍ତିମ ଶ୍ୱାସ ଭରୁଥିବା ଏକ କୋଠାର ଛାତ ଉପରେ, ଆମର ପ୍ରଥମ ଇନ୍ଦ୍ରଧନୁ ଦେଖିଲୁ । ମୋତେ ଏହା ବଡ଼ ଅବିଶ୍ୱାସନୀୟ ଲାଗୁଥିଲା ସେ ଭାପ୍ପା ଚାଲିଶ ବର୍ଷରୁ ଅଧିକ ଜିଇଁସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବହି ଓ ସିନେମାରେ କେବଳ ଇନ୍ଦ୍ରଧନୁ ଦେଖିଛନ୍ତି । ପ୍ରକୃତ ଇନ୍ଦ୍ରଧନୁକୁ ଦେଖିବାର ଅବସର ତାଙ୍କୁ ଏଯାବତ୍ ମିଳିନଥିଲା । କ’ଣ ଆକାଶରୁ ଖସୁଥିବା ତାରା ବା ଧୂମକେତୁ ଭଳି ଇନ୍ଦ୍ରଧନୁ ବି କ୍ୱଚିତ ଦୃଶ୍ୟମାନ ହୁଏ? ନା ସେ ତାଙ୍କ ଲେଖାଲେଖି ଛାଡ଼ି ଆକାଶକୁ ଅନାଇବା ମାତ୍ରକେ ଇନ୍ଦ୍ରଧନୁ ଜାଣିଶୁଣି ଉଭେଇ ଯାଉଥିଲା ବୋଧହୁଏ ।

ଆମର ପ୍ରଥମ ଇନ୍ଦ୍ରଧନୁ ଏକ ବୃହତ୍ ହେୟାରବାଣ୍ଡ ଭଳି ବଡ଼ ବଡ଼ ବଗମାନେ ଉଡ଼ୁଥିବା ସହରର ଏକ ପାଶ୍ୱର୍ର ଆକାଶରୁ ଅପର ପାଶ୍ୱର୍ଯାଏ ଲମ୍ବିଥିଲା ଯେଉଁଠାରେ ଅନାଥ ଭଳି ଛିଡ଼ା ହୋଇଥିଲା ଅଧା-ଗଢ଼ା ମେଟ୍ରୋ ରେଳଷ୍ଟେସନ । ଆଜି କାହିଁକି ଇନ୍ଦ୍ରଧନୁ ଜଳଦି ଉଭେଇ ଯିବାକୁ ତତ୍ପର ନଥିଲା । ସତେ ଯେମିତି ସେ ଜାଣିଥିଲା ତାକୁ ଅବଲୋକନର କରିବାର ଭାପ୍ପାଙ୍କ ଏହା ଶେଷ ସୁଯୋଗ ।

ତା’ ପରେ ବର୍ଷା ଆରମ୍ଭ ହେଇଗଲା, ଟୁପ୍‌ଟାପ୍ ।

“ଚାଲ୍, ଦୌଡ଼”, କହି ଭାପ୍ପା ପାଣିଟାଙ୍କିମାନ ପାର୍ କରି ଶୀଘ୍ର ଶୀଘ୍ର ଚାଲିଲେ । ଯେବେ ସାମସ୍‌ରେ ଗହଳଚହଳ ଥିଲା ଏସବୁ ପାଣିଟାଙ୍କିରେ ଆବାସିକମାନଙ୍କ ପାଇଁ ପାଣି ସଂଗୃହୀତ ରହୁଥିଲା । ଅନେକ ଦିନ ହେଲାଣି ଟାଙ୍କିଗୁଡ଼ିକ ଶୁଖିଗଲାଣି, ତା’ ଭିତର ଏବେ କେବଳ ପଚାସଢ଼ା ପତ୍ର, ଶିଉଳିରେ ଭର୍ତ୍ତି । ଛାତର ଅପରପାଶ୍ୱର୍ରେ ଦୁଇଟି ଦ୍ୱାର ଦିଗରେ ଯାଇଥିବା ଏକ ଛୋଟ ରାସ୍ତାରେ ସେ ଅଟକିଗଲେ । ବହୁ ମାଇଲ ଅତିକ୍ରମି ଆସିଥିବା ଭଳି ସେ ଧଇଁସଇଁ ହେଉଥିଲେ । ପ୍ରକୃତିସ୍ଥ ହେଲାପରେ ସେ ଗୋଟିଏ ଦ୍ୱାର ଖୋଲିଲେ ଓ ଆମେ ଏକ ରିକ୍ତ କୋଠରୀ ଭିତରରେ ପାଦ ଥାପିଲୁ । ଚଟାଣରେ ଧୂଳିର ପରସ୍ତ ଓ କାନ୍ଥରେ ପାଣିର ଛାପିଛାପିକା ଦାଗମାନ ସ୍ପଷ୍ଟ ଦୃଶ୍ୟ ହେଉଥିଲା । ଓଦାଳିଆ ଓଦାଳିଆ ଲାଗୁଥିବା ଫିମ୍ପିଲଗା କଂକ୍ରିଟ୍‌ ବାତାବରଣ ଗନ୍ଧଉଥିଲା । କରତଗୁଣ୍ଡର ବାସ୍ନାରେ ଆକ୍ତାମାକ୍ତା ଥିଲା ଅବ୍ୟବହୃତ ଆବଦ୍ଧ ପରିଧି । ଭାପ୍ପା ଝରକାକୁ ପେଲି ଖୋଲି ଦେଲେ । ବିନ୍ଦୁବିନ୍ଦୁ ବର୍ଷା ଏବେ ଧିମା ବର୍ଷାର ରୂପ ନେଇସାରିଥିଲା ।

“ମୋ ପଢ଼ା ଟେବୁଲ ସେଇଠି ଥିଲା” , ସେ କହିଲେ ଏକ କୋଣକୁ ଅଙ୍ଗୁଳି ନିର୍ଦ୍ଧେଶ କରି । ସେହି କୋଣ କାନ୍ଥରେ ଏକ ବଡ଼ ପାଣିଛାପା ଦାଢ଼ିର ଭ୍ରମ ସୃଷ୍ଟି କରୁଥିଲା । “ଓ ମୋର ଚେୟାର ବି ।”

ଆଉ ତାଙ୍କ ତରୁଣ ବୟସ ବି ସେଇଠି ବିତିଥିଲା ।

“ଏହି କୋଠରୀରେ ମୁଁ ମୋର ପ୍ରଥମ ତିନୋଟିି ବହି ଲେଖିଥିଲି । ଏବଂ ପାଣ୍ଡୁଲିପିଟିଏ ଶେଷ କରିବା ପରେ ମୁଁ ତାକୁ ଅନୱିନଙ୍କୁ ପଠାଇ ଦେଉଥିଲି । ଏବଂ ପରବର୍ତ୍ତୀ ଦିନମାନଙ୍କରେ ଯେବେ ଦ୍ୱାରରେ କୌଣସି କରାଘାତ ଶୁଣୁଥିଲି”, ସେ କହିଲେ ଖୋଲା ଦୁଆର ଆଡେ଼ ଆଙ୍ଗୁଠି ଦେଖେଇ, “ମୁଁ ପ୍ରାୟ ପ୍ରତ୍ୟାଶା କରୁଥିଲି ଯେ ସେ ହିଁ ହୋଇଥିବେ”, ସେ ହସିଲେ, ସଂଶୟାଛନ୍ନ ହସଟିଏ ।”

“ଅନୱିନ କିଏ?”, ମୁଁ ପଚାରିଲି ।

“ଜଣେ ବହି ଏଜେଣ୍ଟ୍‌”,ସେ କହିଲେ ଦୁଃଖସିକ୍ତ ସ୍ୱରରେ ।“ ସେ ମୋ ବହି ପ୍ରସ୍ତାବର କୌଣସି ଉତ୍ତର ଦେଇନଥିଲେ ।”

ଯଦିଓ ମୁଁ ତୁମ ନାମ ଅନେବାର ଶୁଣିଛି, ଏହି ପ୍ରଥମଥର ମୁଁ ବୁଝିଲି ତୁମର କେତେ ଗୁରୁତ୍ୱ ଥିଲା ସେଇ ପ୍ରତ୍ୟାଶୀ ଲୋକମାନଙ୍କ ପାଇଁ । ତୁମେ କୌଣସି ଉତ୍ତର ନଦେଇ ସେମାନଙ୍କୁ ଦୁଃଖିତ କରି, ସେମାନଙ୍କ ଜୀବନକୁ ବେଶ ପ୍ରଭାବିତ କରୁପାରୁଥିଲ, ମିଃ ଅନୱିନ । ମୁଁ ଝରକା ପାଖକୁ ଯାଇ ବାହାରକୁ ଦେଖିଲି । ଆମ ଜୀବନର ପ୍ରଥମ ଇନ୍ଦ୍ରଧନୁ ଉଭେଇ ଯାଇଥିଲା । ଆମେ ପାଖାପାଖି କୋଡ଼ିଏ ମିନିଟ୍‌ ସେହି ସଂପୂର୍ଣ୍ଣ ଖାଲି କକ୍ଷରେ ଅତିବାହିତ କରିଥିବୁ ବୋଧେ; ସେ କୋଠରୀ ସାରା ବୁଲୁଥିଲେ, କାନ୍ଥକୁ ସ୍ପର୍ଶ କରି କରି, ଝରକା ବାଟେ ବାହାରକୁ ଦେଖୁଥିଲେ, ଯେଉଁ କୋଣରେ ତାଙ୍କ ପଢ଼ା ଟେବୁଲ ଓ ଚଉକି ଥୁଆ ହୋଇଥିଲା ସେଠାରେ ଟହଲ ମାରିଲେ । ମୁଁ ସେହି ସମୟତକ ଝରକାବାଡ଼ରେ ବସିରହି ଅନୁମାନ ଲଗାଉଥିଲି, କାହିଁକି ସେ ଗୋଟିଏ ମୁହୂର୍ତ୍ତରେ ଏତେ ଅସହାୟ ପର ମୁହୂର୍ତ୍ତରେ ଏତେ ସନ୍ତୁଷ୍ଟ ଜଣାପଡ଼ୁଥିଲେ ।

ଶେଷରେ ସେଇ ପୁରାତନ ଲିପ୍ଟର ଧିମେଇ ଧିମେଇ ନିଶାସକ୍ତ ଭଳି ଉପରକୁ ଉଠୁଥିବା ଶବ୍ଦରେ ତାଙ୍କ ଦିବାସ୍ୱପ୍ନ ଭାଙ୍ଗିଗଲା । ସେଇ ନାକୁଆ ବୃଦ୍ଧ ଜଣକ ଛାତର ଅପରପାଶ୍ୱର୍ରେ ପହଞ୍ଚିଲା ବେଳକୁ ଆମେ ବର୍ଷାରେ ଦୌଡ଼ୁଥିଲୁ, ସେଇ କ୍ଷୀଣ ଆଲୋକରେ ଉଦ୍ଭାସିତ ଲିପ୍ଟକୁ, ଧିରେ ଧିରେ ବର୍ଷା ପାଣିରେ ଭରିଯାଉଥିବା ପାଣିଟାଙ୍କି ପାର ହୋଇ ।

ତହିଁ ପରଦିନ ସାମସ୍, ସହରପୃଷ୍ଠରୁ ଚିର ବିଦାୟ ନେଇଗଲା, ଧରାଶାୟୀ ହେଲା ଆଉ ଉଭେଇ ଗଲା । ଦୁଇଦିନ ପରେ ଆମେ ବି ସହରରୁ ବିଦାୟ ନେଲୁ । ମୌସୁମୀ ବର୍ଷା ସାରା ଅଞ୍ଚଳକୁ ପ୍ଲାବିତ କଲାବେଲେ ବେଳେ ଆମ ଟାକ୍ସିି, ଗାଁ, ନଗର, ସହର ମଧ୍ୟରେ ବର୍ଷା ସହ ତାଳ ଦେଇ ଧାଉଁଥିଲା । ରାସ୍ତା ସବୁ ସଫାସୁତୁରାା କରି ଧୋଇ ପକାଉଥିଲା ବର୍ଷା, ଗଛ ସବୁ ଆହୁରି ସବୁଜ ଲାଗୁଥିଲେ ଓ ସମସ୍ତ ଇଟାନିର୍ମିତ ସରକାରୀ, ବେସରକାରୀ, ବ୍ୟକ୍ତିଗତ ଆବାସିକ କୋଠାଗୃହାଦି ଏକ ନୂଆ ମେରୁନ ରଙ୍ଗରେ ରେଙ୍ଗଇଥିଲେ । ଏକ ଗାଁର ଲେବୁଲ କ୍ରସିଂଠାରେ ଅପେକ୍ଷା କରୁଥିଲା ବେଳେ ମୁଁ ଏକ ସ୍ତ୍ରୀଲୋକକୁ ଦେଖିଲି, ସେ କ୍ଷେତପଥରେ ଶୀଘ୍ର ଶୀଘ୍ର ଚାଲି ଚାଲି ଉଭେଇ ଗଲା । ସେ ଏକ ସାରୁପତ୍ରକୁ ଛତା ପରି ନିଜ ମୁଣ୍ଡରେ ଘୋଡେ଼ଇଥିଲା । ଏକ କ୍ଷୁଦ୍ର ସହର ଦେଇ ଗଲା ବେଳେ ସାଧାରଣ ଛୋଟିଆ ଜଳଖିଆ ଦୋକାନର ନଡ଼ାଛପର ରୋଷେଇ ଘର ଛାତରୁ ଧୂଆଁ ବାହାରୁଥିବାର ଦେଖିଲି । ଗାଡ଼ିରେ, ଯାତ୍ରାସାରା, ଭାପ୍ପା, ଲିଟିଲ ଓ କେବେ କେବେ ଉମ୍ମା ମଧ୍ୟ ଘୁମେଇ ପଡ଼ୁଥିଲେ, ପୁଣି କେବେ ଚେଙ୍କା ହୋଇ ଉଠିବସୁଥିଲେ । କିନ୍ତୁ ମୁଁ ଶେଷ ମାଇଲଯାଏ ସମୁଦ୍ର ନଜରକୁ ଆସିବା ପର୍ଯ୍ୟନ୍ତ, ପାହାଡ଼ ଶୀର୍ଷରେ, ଢାଲୁଧାରରେ ଆମ ଘରେ ନପହଞ୍ଚିବା ଯାଏ ଚେଇଁ ରହିଲି । ଭାପ୍ପା ଉଠିପଡ଼ିଥିଲେ, ମୁହଁରେ ତାଙ୍କର ବିରକ୍ତିର ରେଖା ଉକୁଟି ଆସୁଥିଲା ଏବଂ ସେ ନିଜ ଚୟିତ ଘର ଦିଗରେ ଏକ ଲୟରେ ଅନେଇ ରହିଥିଲେ ।

ମାଦାମା ଲେନ ନାମକ ଏକ ମାଟି ସଡ଼କଧାରରେ ଥିଲା ଆମ ଘରର ଠିକଣା । ତା’ର କାଠ ଫାଟକ ଉପରେ କାଗଜ ଫୁଲ ଅର୍ଥାତ ବୋଗେନଭିଲ୍ଲିଆର ଲତାମାନ ଲଟେଇ ଥିଲେ । ଲତାଗୁଡ଼ିକ ପରସ୍ପର ସହିତ ଗୁଡେ଼ଇ ହୋଇ ଫାଟକ ଉପରେ ତୋରଣ ପରି ବଢି ଯାଇଥିଲେ । ସବୁଜ ତୋରଣରୁ ଶାଖାପ୍ରଶାଖାମାନ ବାହାରି ଆସି ପ୍ରବେଶପଥର ଓସାରକୁ କମେଇ ସରୁଆ କରିଦେଇଥିଲେ । ଆଗାମୀ ଦିନମାନଙ୍କରେ ଏହି ଫାଟକ ପ୍ରବେଶପଥ ହିଁ ବିବାଦର କେନ୍ଦ୍ର ହୋଇଗଲା । ଭାପ୍ପାଙ୍କ ରୋଗ ବିଷୟକ ଭୈଷଜ୍ୟ ବିଜ୍ଞାନ ଚିକିତ୍ସା ସମ୍ବନ୍ଧିତ କିଛି ଶବ୍ଦ, ଯାହାର ବନାନ୍‌ କେବଳ କଠିନ ନୁହେଁ ଅଧିକନ୍ତୁ ଉଚ୍ଚାରଣ ମଧ୍ୟ ତତୋଧିକ ଦୁରୂହ, ଏଭଳି କେତୋଟି ଉପଚାର ନିମିତ୍ତଭାପ୍ପାଙ୍କୁ ନିକଟସ୍ଥ ସହରକୁ ନେବା ଲାଗି ସହରତଳିରୁ ଆସୁଥିଲେ ଟାକ୍ସି ଡ୍ରାଇଭରମାନେ । ସେମାନେ ପ୍ରବେଶପଥର ଓସାର ବାବଦରେ ଭାପ୍ପାଙ୍କ ସହିତ ନିୟମିତ ଯୁକ୍ତି କରୁଥିଲେ । ଫାଟକରେ ଏକ କୁନି ନାମଫଳକ ଲାଗିଥିଲା, ସେଥିରେ ଲେଖାଥିଲା; ବୋଗେନଭିଲ୍ଲିଆ ।

ସଫେଦ କାନ୍ଥ ଥିବା ଘରଟିର ସାମ୍ନା ଦରଜା ଏତେଟା ଆକର୍ଷଣୀୟ ନଥିଲା, ଅତିଥିଙ୍କୁ ପାଛୋଟି ନେବା ଭଳି ବିଶେଷତା ନଥିଲା ଏବଂ ଝରକାସବୁ ଫିକା ନୀଳ ରଙ୍ଗର ଥିଲା । ଏକ ଶୀର୍ଣ୍ଣକାୟ ବୃଦ୍ଧ, ଯାହାଙ୍କ କେଶରେ ବ୍ୟବହୃତ କୃତ୍ରିମ ରଙ୍ଗ ତାଙ୍କ କେଶ ବିଭାଜ୍ୟରୁ ବୋହି ଆସିଥିବା ଦୃଶ୍ୟ ହେଉଥିଲା, ବାରଣ୍ଡାରେ ଅପେକ୍ଷାରତ ଥିଲେ । ସେ ହି ସମ୍ଭବତଃ ଆମ ଗୃହମାଳିକ । ଲୁହା ଚାବି ରିଂକୁ ଔପଚାରିକ ଢଙ୍ଗରେ ଭାପ୍ପାଙ୍କ ହାତ ପାପୁଲିରେ ସମର୍ପି ଦେଇ ସେ ପଚାରିଲେ, ଆମେ କେତେ ଦିନ ଲାଗି ଏଠାରେ ରହିବାର ଯୋଜନା କରିଛୁ । କ୍ଷଣଟିଏ ପାଇଁ ମୋର ମନେ ହେଲା, ସତେ ଅବା ଭାପ୍ପା କହିଲେ, ‘ମୃତ୍ୟୁ ପର୍ଯ୍ୟନ୍ତ’ । କିନ୍ତୁ ଏହା ପରିବର୍ତ୍ତୀ ଭାପ୍ପା ସାମାନ୍ୟ ହସିଲେ ଓ କହିଲେ, ‘ଦେଖିବା’ ।

ବେଳାଭୂମି ସନ୍ନିକଟ ପ୍ରାୟ ସମସ୍ତ ସଡ଼କ ନାମଫଳକ ଦର୍ଶାଉଥିଲା ଯେ ବେଳାଭୂମିଠାରୁ ସହର ପାଞ୍ଚ ମାଇଲ ଦୂରରେ ଅବସ୍ଥିତ । କେତେକ ଫଳକରେ ଲେଖାଥିଲା ବେଳାଭୂମିଠାରୁ ସହରର ଦୂରତା ଛ’ମାଇଲ ଖଣ୍ଡେ ହେବ । ଯେଉଁ ଘରେ ଭାପ୍ପାଙ୍କ ବାଳୁତ କଟିଥିଲା ତାହା ଟାଉନ ଛକ ପଶ୍ଚାତ୍ ତିନିଟି ମୋଡ଼ି ହୋଇଥିବା ରେଳଲାଇନ ନିକଟରେ ଅବସ୍ଥିତ । ସମୁଦ୍ରକୂଳିଆ ଏକ ଭଡ଼ା ଘରେ ନିଜ ଅନ୍ତିମ ଦିନ କାଟିବା ଅପେକ୍ଷା ଯଦି ସେ ନିଜ ଶୈଶବ ଗୃହରେ ରହିବାକୁ ଯୋଜନା କରିଥାନ୍ତେ ତା’ହେଲେ ତାହା ସମସ୍ତଙ୍କୁ ଅଧିକ ଯୁକ୍ତିଯୁକ୍ତ ଲାଗିଥା’ନ୍ତା । ଭାପ୍ପୁମ୍ମା ବି ତାଙ୍କୁ ଲଗାତାର କହିଥିଲେ, ଯେ ସେଠାରେ ରୁହନ୍ତୁ; ତାଙ୍କ କହିବାର ଅର୍ଥ, ନିଜ ପୈତୃକ ଗୃହରେ ଅନ୍ତିମ ଦିନ କାଟିବା ଶ୍ରେୟସ୍କର ଏହା ଛଡ଼ା ଅନ୍ୟ କୌଣସି ସ୍ଥାନ ଉପଯୁକ୍ତ ନୁହେଁ । କିନ୍ତୁ ଭାପ୍ପା ନିଜ ଜିଦରେ ଅଟଳ ରହି କାହା ମିନତି ବା ପରାମର୍ଶକୁ ଖାତିର କରିନଥିଲେ । ସେ କହିଲେ ତାଙ୍କୁ ନିଜର ବ୍ୟକ୍ତିଗତ ଜାଗା ଦରକାର । ଏବଂ ଏହି ପାହାଡ଼ ଉପରେ, ଅସ୍ପଷ୍ଟ ସମୁଦ୍ରଧାରରେ ଛୋଟିଆ ଘର ହିଁ ତାଙ୍କର ଶେଷ ସ୍ଥାନ ଥିଲା ।

ଘର ମାଲିକ ଓ ଟାକ୍ସି ଡ୍ରାଇଭର ସେଠାରୁ ଚାଲିଯିବା ମାତ୍ରକେ ମୁଁ କଳ୍ପନାରେ ହଜିଗଲି – ବୋଧହୁଏ ଡ୍ରାଇଭର ସହରକୁ ଫେରିବା ବାଟରେ ଆମ ପାଇଁ କେତେ ଦୁଃଖିତ ଅନୁଭବ କରୁଥିବ । ଖାସ କରି ମୋ ପାଇଁ, ମୁଁ ବସିଥିବା ସିଟକୁ ଅନେଇ, ଯେଉଁଠାରେ ମୁଁ ଛ’ଘଣ୍ଟାରୁ ଅଧିକ ସମୟ ବସିରହିଥିଲି, ତାକୁ ଗାଡ଼ି ଚଲାଇବାର ଦେଖୁଥିଲି । ୟୁରି ବା ୟେରିଲର ପରିବାର ଭଳି ଆମ ପରିବାର ପ୍ରତୀତ ହେଉଥିଲା । ଏତିକି ତଫାତ୍ ଥିଲା, ୟୁରି ଘର ଚାରିପାଖେ, ବରଫ ବିଛାଇ ରହିଥିଲା, ଆଉ ଆମର ଘର ପଛରେ ନଡ଼ିଆ ଗଛ ଥିଲା, ସାମ୍ନାରେ ସମୁଦ୍ର । ଅଗଣାରେ ଖେଳୁଥିଲେ,ବଣୁଆ ପାରା ଦଳ । ଆଉ ସବୁ ସମାନ ଥିଲା, ପ୍ରାୟ ।

ମିଃ ଅନୱିନ, ପୁସ୍ତକର ପ୍ରଥମ ଅଧ୍ୟାୟ ପ୍ରାରମ୍ଭରେ ଏହି ଛୋଟିଆ ସହରର ମାନଚିତ୍ରକୁ ସ୍ଥାନିତ କରିବା ଘେନି ତୁମ ମତ କ’ଣ ? ଭାପ୍ପାଙ୍କ ଅନେକ ବହିରେ ପ୍ରଥମରେ ମାନଚିତ୍ର ଥାଏ ଆଉ ସେଥିରେ ଦୃଶ୍ୟ ଅନେକ ସ୍ଥାନ କେବଳ ଲେଖକର କଳ୍ପନା ପ୍ରସୂତ । କିଛି ବହିରେ ବଂଶଜର ଏକ ରେଖାଚିତ୍ର ଥାଏ । ଗୋଟିିଏ ନାମରୁ ଆଉ ଏକ ନାମର ଶାଖା ଲମ୍ବି ଆସିିଥାଏ । ବାକ୍ସରୁ ଜନ୍ମିତ ଆଉ ଗୋଟିଏ ବାକ୍ସ । ଆଉ କିଛି – ମୁଁ ଜାଣେନି ତୁମେ ଲକ୍ଷ୍ୟ କରିଛ ନା ନାହିଁ- ବହିକୁ ଛପାଇବା ପାଇଁ ବ୍ୟବହାର କରାଯାଇଥିବା ଅକ୍ଷରାକୃତି ବିଷୟରେ ପଦେ । ମୋ ମତରେ ଏକ ମାନଚିତ୍ର ପ୍ରକୃଷ୍ଟ ହେବ ମିଃ ଅନୱିନ । କେତେ ମନୋହର ଲାଗିବ, ଟାଉନ ସ୍କୋୟାର ଗୋଟିଏ ପଟେ ଓ ସମୁଦ୍ର ଅନ୍ୟ ପଟେ । ମଝିରେ କେତେକ ଜାଗାରେ ସହରର କିଛି ସ୍ଥାନକୁ ବାଟ କଡେ଼ଇ ନେବା ଲାଗି ଭୂଚିହ୍ନ ଯଥା- ସ୍କୁଲ, ପାଣିଟାଙ୍କି, ମନ୍ଦିର, ବଜାର, ମସଜିଦ୍, ରେଳ ଷ୍ଟେସନ, ଡାକଘର ଏବଂ କୌଣସି ଭିନ୍ନ ଯୁଗର ଭୂତ ଭଳି ବହିର ଚରିତ୍ରମାନେ ପ୍ରତ୍ୟେକ ଦିନ ଯାତଆତ କରୁଥିବା ରାସ୍ତାମାନ ।

ଶବ୍ଦସଂଗ୍ରହ

ଭାପ୍ପା – ବାପା
ଉମ୍ମା- ମାଆ
ଭାପ୍ପୁମ୍ମା – ଜେଜେମା
ଆମ୍ମୁମ୍ମା – ଜେଜେମା
ଉପ୍ପୁପ୍ପା – ଜେଜେ
ସନ୍ତୁକ – କଫିନ ବାକ୍ସ
ମୈୟାଥ୍ – ଦେହାବଶେଷ

– ତା’ପରେ –

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top