ଅନୁବାଦ ସାହିତ୍ୟ

ଛୋଟ ସହରର ସମୁଦ୍ର

Ritika Pattnaik translated Anees Salim’s Small Town Sea into Odia as Chota Saharara Samudra.

ଭାପ୍ପାଙ୍କ ପଦପାତ ମୋଠାରୁ ଏତେ ଦ୍ରୁତ ଥିଲା ଯେ ମୁଁ ଦୌଡ଼ିବାକୁ ବାଧ୍ୟ ହେଲି । ୧୩୮ ପାଦ ବଦଳରେ ୬୯ ପାଦରେ ଆମେ ଗାଧୁଆଘରେ ପହଞ୍ଚି ଯାଇଥିଲୁ ।

ପୂର୍ବରୁ

ଏବେ ଆମ ପରିବାର ପାଇଁ ଭଲ ଦିନ ହାତଗଣତିରେ ସୀମିତ ଥିଲା । ସେମିତି କିଛି ଦୁର୍ଲଭ ଦିନମାନଙ୍କରେ ଭାପ୍ପା ମାଡାମ୍‌ ଲେନ୍‌ରେ କିଛି ବାଟ ଚାଲି ଚାଲି ଯାଉଥିଲେ, ମନ ବଳାଇବାର କ୍ୱଚିତ ସୁଯୋଗର ଭରପୂର ଉପଯୋଗ କରୁଥିଲେ । କେବେ କେବେ ଆମେ ହେଲିପାଡ଼ ଦିଗରେ ଯାଉଥିଲୁ । କଫି ଟେମ୍ପୁଲରେ କିଛି ସମୟ ଅଟକି କଫି ପିଉଥିଲୁ । କଫି ଦୋକାନରେ କୁଞ୍ଚୁକୁଞ୍ଚିଆ କେଶ ଥିବା ଶ୍ୱେତାଙ୍ଗ ଦୋକାନୀ ଏକ କଫି ମେସିନ୍‌ରୁ କଫି ପ୍ରସ୍ତୁତ କରୁଥିଲା ।

ମୋ ଜନ୍ମର ବହୁପୂର୍ବରୁ ହେଲିପାଡ଼ ନିର୍ମାଣ ହୋଇ ସାରିଥିଲା । ତାହା କେବଳ ଗୋଟିଏ ଅବତରଣ ପାଇଁ ନିର୍ମିତ ହୋଇଥିଲା । ଯେବେ ସେନାର ହେଲିକପ୍ଟର ପର୍ବତ ଶୀର୍ଷଭୂଇଁରେ ଓହ୍ଲାଉଥିଲା, ଚଟାଣରୁ ଧୂଳିର ବାଦଲ ଉଠି ସମସ୍ତଙ୍କୁ ସାମୟିକ ଭାବେ ଦୃଶ୍ୟବାଧିତ କରିପକାଉଥିଲା । ସମସ୍ତଙ୍କୁ, କେବଳ ଶ୍ରୀମତୀ ଗାନ୍ଧୀଙ୍କୁ ଛାଡ଼ି, କାରଣ ସେ ହଳେ ବଡ଼, କଳା ସନ୍‌ଗ୍ଲାସ ପିନ୍ଧିଥିଲେ ଠିକ୍‌ ସେଇପରି ଯେମିତି ଆଜିକାଲି ଆଖିଧରା ରୋଗ ହେଲେ ଲୋକେ ପିନ୍ଧନ୍ତି । ଧୂଳି ଚଟାଣରେ ଧିରେ ଧିରେ ଜମିଯାଇ ବାତାବରଣ ସ୍ୱଚ୍ଛ ହୋଇଗଲା ପରେ ସେ ନୂଆ ନିର୍ମିତ ଅବତରଣ ଷ୍ଟ୍ରିପ୍‌ର ବାମପାଶ୍ୱର୍ରେ ସମବେତ ଜନତାଙ୍କୁ ହାତ ହଲାନ୍ତି । ସେତେବେଳେ ମୋ ଭାପ୍ପା ମାତ୍ର ଦଶ ବର୍ଷର ଥିଲେ ଓ ସେ ବି ହାତ ହଲେଇଥିଲେ, କିନ୍ତୁ ଯନ୍ତ୍ରବତ୍ । ତା’ପରେ ଗାନ୍ଧୀ ଡାହାଣ ପଟେ ଥିବା ଲୋକକୁ ହାତ ହଲେଇ ଅଭିବାଦନ କଲେ । ମୋ ଉମ୍ମାଙ୍କୁ ପାଞ୍ଚ ବର୍ଷ ହୋଇଥିଲା ଯେବେ ସେ ଶ୍ରୀମତୀ ଗାନ୍ଧୀଙ୍କୁ ଦେଖି ଉତ୍ସାହର ସହ ହାତ ହଲେଇଲେ । ମୁଁ ମୋ ପିତାମାତାଙ୍କଠୁ ଅନେକବାର ଶୁଣିଛି କିପରି ପରସ୍ପରର ସଂପୂର୍ଣ୍ଣ ଅପରିଚିତ ହୋଇଥିଲେ ବି ଶୈଶବରେ, ଇତିହାସର ଏକ ଅଧ୍ୟାୟର ସେମାନେ ଏକାଠି ସାକ୍ଷୀ ଥିଲେ । ସେମାନଙ୍କର ମନେ ଅଛି କିପରି ଧୂଳିକଣାର ଆଧିକ୍ୟ ଯୋଗୁଁ ସେମାନଙ୍କୁ କିଛି ଦେଖା ଯାଇନଥିଲା । ଭିଡ଼ ଭିତରକୁ ପେଲିହୋଇଯାଇ ଦୁହେଁ ଶ୍ରୀମତୀ ଗାନ୍ଧୀଙ୍କ ହାତ ହଲେଇବା ଦେଖିଥିଲେ । ଏହି ଦୁଇ ସଂପୂର୍ଣ୍ଣ ଅପରିଚିତ ମଣିଷ ବିବାହ ବନ୍ଧନରେ ଦିନେ ଆବଦ୍ଧ ହେଲେ, ବେଶ କିଛି ଦଶକ ଉପରାନ୍ତ । ଉଭୟଙ୍କ ଶୈଶବର ଏକ ସ୍ମୃତି ସମାନ ଥିଲା । ହେଲିକପ୍ଟର ଅବତରଣ ଦେଖିଥିଲେ, ଭାରତର ପ୍ରଧାନମନ୍ତ୍ରୀଙ୍କୁ ହାତ ହଲାଇ ସ୍ୱାଗତ କରିଥିଲେ ଉଭୟ, ଯଦିଚ ସେମାନେ ଜାଣିନଥିଲେ ଯେ ସେଦିନ ଦୁହେଁ ବାରିକେଡ଼ର ଦୁଇ ବିପରୀତ ପାଶ୍ୱର୍ରେ ଛିଡ଼ା ହୋଇଥିଲେ । ବିବାହର ପ୍ରଥମ ସପ୍ତାହ ଦୁହେଁ ହେଲିପାଡ଼କୁ ଏକତ୍ର ଗଲେ ଏବଂ ଶ୍ରୀମତୀ ଗାନ୍ଧୀଙ୍କୁ ବେଶ୍ କେଇ ମିନିଟ ବାସ୍ତବରେ ଦେଖିଥିବାର ପରସ୍ପରକୁ ଅବଗତ କରାଇଲେ ।

(ଏବଂ ଆଜି ମଧ୍ୟ ସେଇ ହେଲିପାଡ଼କୁ ନବବିବାହିତ ଦମ୍ପତ୍ତିବୁଲିବାକୁ ଯାଆନ୍ତି, ବିବାହର ପ୍ରଥମ ସପ୍ତାହରେ । ପରସ୍ପରର ଅଣ୍ଟାରେ ହାତ ବେଢେ଼ଇ ଥାଏ, ଉଭୟଙ୍କ ମଥା ପରସ୍ପର ଆଡ଼କୁ ଝୁଙ୍କିଯାଇ, ଚାପି ହୋଇଥାଏ । ମୋବାଇଲ ଫୋନ୍‌ ଧରିଥିବା ହାତକୁ ଲମ୍ବେଇ ହସି ହସି ସେଲ୍ଫି ଉଠାନ୍ତି ।)

ଚାଲି ଚାଲି ହେଲିପାଡ଼କୁ ଯାଇ ଶେଷରେ ଆମେ ସଦାବେଳେ ଏବଂ ନିଶ୍ଚିତ ରୂପେ ଡିମିରି ବୃକ୍ଷ ପାଖେ ପହଞ୍ଚି ବୃକ୍ଷ ଛାଇରେ ପଡ଼ିଥିବା ଏକ ବେଞ୍ଚ୍‌ରେ ବସୁ । ତିନି ଦଶକ ପୂର୍ବେ ହେଲିକପ୍ଟର ଓହ୍ଳାଇଥିବା ସ୍ଥାନକୁ ଭାପ୍ପା ଦେଖାନ୍ତି । ତା’ପରେ ତଡ଼ିତ୍ ବେଗରେ ମୋ କଳ୍ପନା ପ୍ରବଣତା ଉହୁଁକି ଉଠେ, ମୁଁ ପ୍ରାୟ ବାଧ୍ୟ ହୁଏ କଳ୍ପିତ ଚିତ୍ରଦୃଶ୍ୟରେ ହଜିଯିବାକୁ; କିପରି ହେଲିକପ୍ଟର ଲେଉଟି ଆସିବାର କୌଣସି ପ୍ରତିଶୃତି ବିନା ଉଡ଼ାଣ ଭରି ଉଭାନ ହେବା ପର୍ଯ୍ୟନ୍ତ ଶ୍ରୀମତୀ ଗାନ୍ଧୀଙ୍କୁ ମୋ ପିତାମାତା ଦ୍ୱିତୀୟଥର ଲାଗି ହାତ ହଲାଉଛନ୍ତି । ଉଡ଼ାଜାହାଜରୁ ଶ୍ରୀମତୀ ଗାନ୍ଧୀ ତାହା ହିଁ ଦେଖିଥିବେ ଯାହା ସହର ଉପରେ ପ୍ରତ୍ୟେକ ଦିନ ଉଡ଼ୁଥିବା ଚଢେ଼ଇମାନେ ଦେଖନ୍ତି । ମିଃ ଅନୱିନ, ବହିର ପ୍ରଥମ ପୃଷ୍ଠାରେ ମାନଚିତ୍ର ସ୍ଥାନିତ କରିବା ପାଇଁ ଯଦି ଆମେ ଯୋଜନା କରିବା ତାହେଲେ ଉଡ଼ାଜାହାଜରୁ ଶ୍ରୀମତୀ ଗାନ୍ଧି ଦେଖିଥିବା ଭୌଗଳିକ ଦୃଶ୍ୟ ମାନଚିତ୍ର ପ୍ରସ୍ତୁତି ବୃତ୍ତିଧାରୀଙ୍କ ପାଇଁ ଭଲ ଉପାଦାନ ହୋଇପାରେ ।

ଧୂଳି ପରିଷ୍କାର ହୋଇଗଲା ପରେ, ଗାନ୍ଧୀ ହେଲିକପ୍ଟର ତଳେ ଏକ ବୃତ୍ତ ଦେଖିଥିବେ । ତୁମେ କମ୍ପାସ୍‌ରେ କରିଥିବା ବୃତ୍ତ ପରି ନିର୍ଭୁଲ, ସଠିକ୍ । ତା’ ମଧ୍ୟରେ ‘H’ ଲେଖାହୋଇଥିବ, ରଙ୍ଗରେ । ସେତେବେଳେ ଅଗଣିତ ଜନତା ହାତ ଉପରକୁ ଉଠାଇ, ହାତ ହଲାଇ ତାଙ୍କୁ ବିଦାୟ ଦେଉଥିବାର ସେ ଦେଖିଥିବେ, ତାଙ୍କୁ ଲାଗିଥିବ ରିଲିଫ୍‌ ସାମଗ୍ରୀ ପାଇଁ ଶରଣାର୍ଥୀ ଗୁହାରି କରିବା ଦୃଶ୍ୟପରି । ରଙ୍ଗବେରଙ୍ଗର ପୋଷାକ ଭିତରୁ ସେ କେବଳ ପୋଲିସର ଖାକି ଓ ସେନାର ଛଳାବରଣ ସାଜ ଦେଖିଥିବେ । ଗାନ୍ଧୀ ଚାଲିଗଲା ପରେ ବୃତ୍ତକରରେ ଜମା ଭିଡ଼ ଯାହାର କ୍ଷେତ୍ରଫଳ ସେମାନେ ଘୁରିବୁଲୁଥିବା ଗୋଲିକିଆ ବାଡ଼ର ପରିମିତ ସହିତ ସମାନ, ସେଙ୍ଗ ସେଙ୍ଗ ଭାଙ୍ଗିଯିବ । ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ଲୋକେ ନଡ଼ିଆ ବଗିଚା ଦେଇ ଛ’ମାଇଲ ଦୂରରେ ଥିବା ସହରକୁ ଚାଲିଥିବେ । ସମସ୍ତେ ଭୁଲିସାରିଥିବା ଖୁଣ୍ଟିରେ ବନ୍ଧା ପତାକା, ସମୁଦ୍ରକୂଳିଆ ପବନରେ ଗଛରେ ଲାଖି ଫଡ଼ପଡ଼ ଉଡ଼ୁଥିବାର ପତାକା ସେ ଦେଖିଥିବେ, ହେଲିକପ୍ଟରରୁ । ନିର୍ଜନ ବେଳାଭୂମି, ଚିକିମିକି ସମୁଦ୍ର, ସାଗର ବକ୍ଷରୁ ପ୍ରବେଶ ଲାଗି ନୃତରତା ଭଙ୍ଗୀରେ ତତ୍ପର ଅନେକ ଡଙ୍ଗା । ଚାରକୋଲରେ ଗାରେଇ ହୋଇଥିବା ଗାର ଭଳି ସଡ଼କ, ଛୋଟିଆ କଣ୍ଢେଇ ଭଳି ଯାନବାହାନ ଦିଆସିଲି ଖୋଳ ଭଳି କୋଠାବାଡ଼ି ଦେଇ ହାମୁଡ଼େଇ ହାମୁଡ଼େଇ ଗତିଶୀଳ, ଜନ୍ମଦିନର ମହମବତୀ ଆକାର ଭଳି ମସଜିଦର ମିନାରେଟ୍ ଓ ଗୋଟିଏ ଅଣ୍ଡା ଭଳି ଗମ୍ଭୁଜ । ଏକ ସ୍ଥିର ଭୃଦୃଶ୍ୟରେ ଏକମାତ୍ର ଚଳାୟମାନ ସଡ଼କ ହଠାତ୍ ରେଳମାର୍ଗକୁ କୋଳେଇ ଧରିଥିବା ଓ ଟ୍ରାଫିକର ସ୍ଫିଡ଼ବ୍ରେକର ପରି ଥିବା ଲେବୁଲ କ୍ରସିଂ ମଧ୍ୟ ଦେଇ ଲମ୍ବିଯିବ । ସେ କଳା ଧୂଆଁର ଏକ ଓଡ଼ଣ ଦେଖିଥିବେ ଓ କୌତୁହଳୀ ହୋଇ ନିରିଖେଇ ଥିବେ । ତାଙ୍କ ଦୃଷ୍ଟିରେ ମଧ୍ୟ ପଡ଼ିଥିବ କୌଣସି କ୍ଷୁଦ୍ର ଷ୍ଟେସନରେ ଅଟକିଥିବା ଟ୍ରେନ୍‌ । ସେ ଲକ୍ଷ୍ୟ କରିଥିବେ ଜିଆପୋକ ରଙ୍ଗର ବଗି ମଧ୍ୟରୁ ଲୋକମାନଙ୍କୁ ଯାତୟାତ ।

ଆମେ ବୋଗେନଭିଲ୍ଲିଆକୁ ରହିବାକୁ ଆସିବା ବେଳକୁ ହେଲିପାଡ଼କୁ ଫେଭର ଇଟା ଆଚ୍ଛାଦିତ କରାଯାଇ ଏକ କୋଣରେ ସୁଉଚ୍ଚ ବତୀଖୁଣ୍ଟିଟିଏ ପୋତାଯାଇଥିଲା । ଏହାବାଦ୍ ସମୁଦ୍ରକୁ ମୁହଁକରି ପର୍ବତ ଚୂଡ଼ାର ଢାଲୁ ଚଟାଣରେ ଧାଡ଼ିଏ ପଥର ନିର୍ମିତ ବେଞ୍ଚ୍‌ ବି ରୋପିତ ହୋଇଥିଲା । ହେଲିପାଡ଼ର ରୂପାନ୍ତରଣରେ ଆକର୍ଷିତ ହୋଇ ସହରରୁ ଗାଡ଼ିଚାଳନା ତାଲିମ ପ୍ରଶିକ୍ଷକ ସେମାନଙ୍କ ଶିକ୍ଷାନବୀଶଙ୍କ ସହିତ ସେଠାକୁ ଆସୁଥିଲେ । ଏବଂ ଅପ୍ରସ୍ତୁତ ଶିକ୍ଷାର୍ଥୀମାନେ ସେମାନଙ୍କ ଚଳନ୍ତା ଶ୍ରେଣୀକକ୍ଷକୁୁ ଢାଲୁ ଚଟାଣରେ ସେମିତି ଧୀରେ ଚଳାଉଥିଲେ ଯେପରି ଆମୋଦ ପାର୍କରେ ବିଜୁଳି କାର୍ ଚାଲିଥାଏ । ଭାପ୍ପା କିନ୍ତୁ ପ୍ରସନ୍ନ ନଥିଲେ । ସେ ଅଭିଯୋଗ କରିବାକୁ ଚାହୁଁଥିଲେ, କିନ୍ତୁ କାହାକୁ ଅଭିଯୋଗ କରିବେ ଜାଣିପାରୁନଥିଲେ । ତାଙ୍କର ଅସନ୍ତୁଷ୍ଟତାକୁ ଆହୁରୀ ତୀବ୍ର କରିଥିଲା ହେଲିପାଡ଼ରେ ପର୍ଯ୍ୟଟନ ବିଭାଗର ପ୍ରାୟୋଜିତ ପାରାଗ୍ଳାଇଡ଼ିଂ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା ଗ୍ରାଷ୍ମ ଋତୁରେ ଯେବେ ଆମେ ପର୍ବତଶୀର୍ଷ ଆବାସରେ ରହିବାକୁ ଆସିଲୁ । ଅନେକ ଲୋକ ହେଲମେଟ୍ ପିନ୍ଧି, ଉପସ୍ଥିତ ଦର୍ଶକଙ୍କୁ ହାତ ହଲାଉଥିଲେ, ସତେ ଯେପରି ଚିର ବିଦାୟ ନେଇଯାଉଛନ୍ତି, ଲେଉଟି ଆସିବାର ପ୍ରତ୍ୟୟ ବିନା । ଏହା ପରେ ସେମାନେ ଚୂଡ଼ାଦେଶରୁ ତଳକୁ ଲମ୍ପ ପ୍ରଦାନ କରୁଥିଲେ । ଭାପ୍ପାଙ୍କ ଅନୁସାରେ ପାରାଗ୍ଳାଡିଂ କିଛି ନୁହେଁ ଆତ୍ମହତ୍ୟା ଉଦ୍ୟମ ମାତ୍ର, କେବଳ ଯାହା ଏଥିରେ ସଫଳତା ହାର କମ୍ ଥିଲା । ସେ ପୂରା ନିଶ୍ଚିତ ଥିଲେ ଯେ ଦିନେ କେହି ପାରାଗ୍ଳାଇଡ଼ର ତଳ ପଥରରେ ମାଡ଼ ହୋଇ ମୃତ୍ୟୁବରଣ କରିବ ଓ ସରକାର ବାଧ୍ୟ ହୋଇ ଏହି କ୍ରୀଡ଼ାକୁ ଏଠାରେ ନିଷିଦ୍ଧ କରିବେ ।

“କେବଳ ଅପେକ୍ଷା କର ।”

ଦୁର୍ଘଟଣା ପାଇଁ ଭାପ୍ପାଙ୍କ ସବୁ ଥିଓରୀ ସମୁଦ୍ରକୁ କେନ୍ଦ୍ର କରି ପର୍ଯ୍ୟବେସିତ ଥିଲା । ସେଥିରୁ ଗୋଟିଏ ଥିଲା କିପରି ସମୁଦ୍ରତଟବର୍ତ୍ତୀ ପ୍ରତ୍ୟେକ ସ୍କୁଲରେ ନିଶ୍ଚିତ ରୂପେ ଗୋଟିଏ ଛାତ୍ରର ସମୁଦ୍ର ବୁଡ଼ିଯାଇଥିବା ଘଟଣା । ବୁଆ ୟାସ୍‌ମିନ୍‌ କିନ୍ତୁ ଭିନ୍ନମତ ପୋଷଣ କରୁଥିଲେ । “ଅନିବାର୍ଯ୍ୟ ନୁହେଁ ଯେ ସବୁ ସମୁଦ୍ରକୂଳବର୍ତ୍ତୀ ସ୍କୁଲରେ ଏପରି ଦୁର୍ଘଟଣା ହୋଇଥିବ ବୋଲି । ଏପରି କୌଣସି ଧରାବନ୍ଧା ନିୟମ ନାହିଁ”, ସେ ଯୁକ୍ତି ବାଢ଼ିିଥିଲେ । “ଯେଉଁ ସ୍କୁଲରେ ତୁମେ ଶିକ୍ଷକତା କରୁଛ ସେଠାରେ ଏପରି ଘଟଣା ହୋଇନଥିଲା । ଆଉ ଝିଅମାନଙ୍କ ସ୍କୁଲରେ ତ ଏପରି ଅଘଟଣ ହୁଏନାହିଁ”, ଭାପ୍ପା କହିଲେ । ବୁଆ ୟାସ୍‌ମିନ୍‌ ଅନ୍ୟ ଏକ ସ୍କୁଲରେ ପଢ଼ାଉଥିବା ତାଙ୍କର ଜଣେ ଭାଉଜଙ୍କୁ ଏ ବାବଦ୍ ପଚାରିଥିଲେ । ପରେ ବିଜୟଦର୍ପରେ ଘୋଷଣା କରିଥିଲେ, “ଆଉ ସବୁ ପୁଅପିଲାଙ୍କ ସ୍କୁଲରେ ବି ନୁହେଁ । ମୁଁ ନାଦିରାକୁ ପଚାରିଥିଲି । ତାଙ୍କ ସ୍କୁଲରେ କୌଣସି ଛାତ୍ର କେବେ ବି ସମୁଦ୍ରରେ ବୁଡ଼ିନାହିଁ ।”

“ବାସ୍ ଅପେକ୍ଷା କର ଆଉ ଦେଖ ।”

ଭାପ୍ପାଙ୍କ ଥିଓରୀର ସ୍ୱାଭାବିକ ପରିଣାମ ସ୍ୱରୂପ ମୋତେ କେବେ ବେଳାଭୁମି ଏକୁଟିଆ ଛଡ଼ାଯାଏ ନାହିଁ । ସମୁଦ୍ରକୂଳକୁ ବୁଲି ଯିବାପାଇଁ ଭାପ୍ପା ମୋ ସହିତ ପାହାଡ଼ରୁ ତଳକୁ ଲମ୍ବିଥିବା ପାହାଚ ଦେଇ ଆସନ୍ତି ନିଶ୍ଚୟ ଏବଂ ମୋର ସଂପୂର୍ଣ୍ଣ ସ୍ୱାଧୀନତା ସେପର୍ଯ୍ୟନ୍ତ ଅକ୍ଷୁଣ୍ଣ ଥାଏ, କିନ୍ତୁ ସମୁଦ୍ରଧାରରେ ପହଞ୍ଚିବା ମାତ୍ରକେ ମୋ ସ୍ୱଚ୍ଛନ୍ଦତା ସମାପ୍ତ ହୋଇଯାଏ । ଯେବେ କୌଣସି ନିରୀହ ଢେଉ ଆମ ପାଦ ସ୍ପର୍ଶକରେ, ସେ କ୍ରୋଧିତ ହୋଇ ମୋତେ ଦୂରକୁ ଟାଣି ନିଅନ୍ତି । ସେ ସବୁବେଳେ ଜୀବନରକ୍ଷାରୀ ଜଗୁଆଳୀଙ୍କ ଉପସ୍ଥିତିକୁ ନଜରରେ ରଖିଥା’ନ୍ତି ତାହେଲେ ଯଦି ମୋତେ ସମୁଦ୍ର ଟାଣିନିଏ ସେ କେଉଁ ଦିଗରେ ସାହାଯ୍ୟ ପାଇଁ ଦୌଡ଼ିବେ ପୂର୍ବରୁ ସ୍ଥିର କରିଥାଆନ୍ତି ।

ତେଣୁ ମୋ ସମୁଦ୍ର ପ୍ରୀତିକୁ ମୁଁ ତାଙ୍କଠାରୁ ଗୋପନ ରଖିଲି । ଇଦ୍ ଦିନ , କପା ଗଛ ଉପରୁ ବିଲାଲ ଯାହା ଦେଖିଥିଲା ତାଙ୍କୁ ଜଣାଇବାରୁ ମୁଁ କ୍ଷାନ୍ତ ରହିଲି । ଜଳଦସ୍ୟୁମାନଙ୍କ ଜାହାଜ ଘଟଣା ପରେ ପରେ ଦୁଇଦିନ ପର୍ଯ୍ୟନ୍ତ ସମୁଦ୍ର ଶାନ୍ତ ରହିଲା । ତୃତୀୟ ଦିନ ଅପେକ୍ଷିତ ଭାବେ କୂଳକୁ ଏକ ମଣିଷ ଶବ ଭାସିଆସିଲା, ଶବର ଗଳିତ ଅବସ୍ଥାରୁ ତା’ର ବୟସ ନିର୍ଣ୍ଣିତ କରିବା ପ୍ରାୟତଃ ଅସମ୍ଭବ ଥିଲା । ଏହା ହିଁ ସମୁଦ୍ରର ନିୟମ, ସେ ଗିଳିପକାଇଥିବା ମଣିଷକୁ ତୃତୀୟ ଦିନ ନିଶ୍ଚିତ ରୂପେ ଫେରାଇଦିଏ । ଯେବେ ବି ଢେଉ ଜୋତା ଚପଲ ଫେରାଇ ଦିଏ, ତାହାର କୌଣସି ଦାବିଦାର ନଥାନ୍ତି । କମ୍ ସେ କମ୍ ମତ୍ସ୍ୟଜୀବୀଙ୍କ ଏହା ହିଁ ମତ ଯେ, “ତିନିଦିନ ପରେ ଆମେ ଚପଲ ମାଲିକର ଶରୀର ଭାସିଆସି କୂଳରେ ଲାଗିଥିବାର ଦେଖୁ ।”

ବଡ଼ି ଭୋରରୁ ସହରରୁ ଆସିଥିବା ଟାକ୍ସି ଡ୍ରାଇଭରଠୁ ଆମେ ମୃତ ଲୋକ ବିଷୟରେ ଜାଣିଲୁ । ତା’ର ଦୀର୍ଘ ହର୍ଣ୍ଣ ମୋତେ ସ୍ୱପ୍ନରୁ ଚମକାଇ ଉଠାଇଦେଲା । ମୁଁ ସ୍ୱପ୍ନରେ ଦେଖୁଥିଲି ଶିବାନ ଓ ମୁଁ ରେଳସେତୁ ତଳେ ବସିଥିଲୁ । ଆମେ ହାତରେ ଥିଲା ରେଞ୍ଚି , ପେଚକଷ, ହାତକରତ ଭଳି ହତିଆର; ରେଳଗାଡ଼ିକୁ ଧାରଣା ବିଚ୍ୟୁତ କରିବା ଉଦ୍ଧେଶ୍ୟରେ ଷଡ଼ଯନ୍ତ୍ରରେ ମଗ୍ନ ଥିଲୁ । ମୁଁ ଏପରି ତନ୍ଦ୍ରାଚ୍ଛନ୍ନ ଥିଲି ଯେ ବହୁତ ସମୟ ଧରି ଜାଣିପାରିଲିନି ମୁଁ କେଉଁଠାରେ ଅଛି । ମୋତେ ଲାଗୁଥିଲା ତିନିମାସ ପୂର୍ବେ ଆମେ ବିକ୍ରି କରିଦେଇଥିବା ଆମାର୍ଟମେଣ୍ଟରେ ମୁଁ ଶୋଇଥିଲି । ମୁଁ ଝରକା ପାଖକୁୁ ଗଲି, ଦେଖିବା ପାଇଁ ଯେ ସେମାନେ ମେଟ୍ରୋ ବ୍ରିଜ୍‌ରେ କାମ ପୁନଃ ଆରମ୍ଭ କରିଛନ୍ତି ନା ନାହିଁ । କିନ୍ତୁ କ’ଣ ଦେଖିଲି, ବୋଗେନଭିଲ୍ଲିଆ ପଛରେ ଥିବା ବିସ୍ତୀର୍ଣ୍ଣ ଅଞ୍ଚଳ ଭରିଯାଇଥିଲା ସୂର୍ଯ୍ୟାଲୋକର ହଳଦିଆ ଧାରାରେ ଯାହା ପ୍ରଜ୍ଜଳିତ କରୁଥିଲା ଧୂଳିକଣା ଏବଂ କଙ୍କିମାନଙ୍କ ଉପସ୍ଥିତିକୁ । ଟାକ୍ସିଟିଏ ଆମ ଗେଟ ପାଖରେ ହର୍ଣ୍ଣ ପରେ ହର୍ଣ୍ଣ ବଜାଇ ଚାଲିଥିଲା ।

ଭାପ୍ପାଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କଥା ବୁଆ ୟାସ୍‌ମିନ୍‌ ପୂର୍ବରାତିରେ ସ୍ମରଣ କରାଇବାର କିଛି ସମୟ ପରେ ଟାକ୍ସିର ବନ୍ଦୋବସ୍ତ କରାଯାଇଥିଲା । ଭାପ୍ପାଙ୍କ ଖଟ ପାଖେ ଏକ କାଲେଣ୍ଡର ଝୁଲୁଥାଏ । ସ୍ୱାସ୍ଥ୍ୟପରୀକ୍ଷା ଧାର୍ଯ୍ୟ ତାରିଖସବୁରେ ଲାଲ ଗୋଲଚିହ୍ନ ପଡ଼ିଥାଏ । କିନ୍ତୁ ଦିନେ ଅପରାହ୍ଣ ନିଦରୁ ଉଠି ଝରକା ଦେଇ ସେ କ୍ୟାଲେଣ୍ଡରଟି ପିଙ୍ଗିଦେଲେ । “ଡାକ୍ତରୀ ପରାମର୍ଶ ଆଉ ଲୋଡ଼ା ନାହିଁ, ବହୁତ ହେଇଗଲା । ଯନ୍ତ୍ରଣାକୁ କାହିଁକି ପ୍ରଲମ୍ବିତ କରିବି?” ସେଦିନ ବୁଆ ୟାସ୍‌ମିନ୍‌ ଆମ ଘରକୁ ବୁଲି ଆସିଥିଲେ । ସେ ଉଠିଯାଇ, ବଗିଚାରୁ କ୍ୟାଲେଣ୍ଡରକୁ ଗୋଟାଇ ନିଜ ଘରକୁ ନେଇ କବାଟ ପଛରେ ଟଙ୍ଗାଇଦେଲେ । ମୋଡ଼ିମକଚି ଯାଇଥିବା କ୍ୟାଲେଣ୍ଡର ଫର୍ଦ୍ଧରେ ଲାଲ ଗୋଲ ପଡ଼ିଥିବା ବିଷଣ୍ଣ ତାରିଖସବୁ ଉଙ୍କୁଥିଲେ । ଯେବେ ବୁଆ ଭାପ୍ପାଙ୍କୁ ଫୋନ୍‌ କରି ତାରିଖ କଥା ମନେ ପକାଇଦେଲେ, ସମସ୍ତେ ଆଶଙ୍କା କରୁଥିଲେ ଭାପ୍ପା କ୍ରୋଧ ସମ୍ବରଣ କରିପାରିବେ ନାହିଁ । କିନ୍ତୁ ସେ ଅପ୍ରତ୍ୟାଶିତ ଭାବେ ଶାନ୍ତ ସ୍ୱରରେ ବୁଆଙ୍କୁ ପରଦିନ ଏକ ଟାକ୍ସି ପଠାଇବାକୁ କହିଲେ । ଏବଂ ଟାକ୍ସି ଆସିଥିଲା, ସେଇ ଡ୍ରାଇଭର ହିଁ ପ୍ରଥମ ସୂଚନା ଦେଇଥିଲା ଭାସି ଆସି ବେଳାଭୂମି ପଡ଼ିଥିବା ଏକ ଶବ ସଂମ୍ପର୍କରେ ।

ସେମାନଙ୍କ ପ୍ରସ୍ଥାନ ପରେ ବେଳାଭୂମିକୁ ଯିବାଲାଗି ମୋତେ ତର ସହିଲାନି । ପାହାଡ଼ତୀଖରେ ରହିଲା ଦିନୁ କାଠଗଣ୍ଡି, ବିୟର ବୋତଲ, କାର ଟାୟାର, ଏମିତିକି ମୃତ ସାର୍କ ଶାବକ ସମୁଦ୍ରରୁ ଭାସି ଆସିଥିବାର ଦେଖୁଛୁ କିନ୍ତୁ ମଣିଷର ମୃତ ଦେହ ଦେଖିନାହୁଁ । ସମସ୍ତେ ଟାକ୍ସିରେ ମାଡାମା ଲେନରୁ ଚାଲିଯିବା ଯାଏଁ ମୁଁ ଅପେକ୍ଷା କଲି । ରେଡ଼ିଓ ବିଜ୍ଞାପନ ସବୁ ଥମି ଆସିଲା ପରି ଇଞ୍ଜିନର ଶବ୍ଦ କ୍ଷୀଣତର ହେଲା, ଏବେ କେବଳ ସମୁଦ୍ରର ଗର୍ଜନ ଶୁଭୁଥିଲା । କିନ୍ତୁ ମୁଁ ଆଉ କିଛି ସମୟ ଅପେକ୍ଷା କରିବାକୁ ଚାହିଁଲି । ଆଶଙ୍କା କରୁଥିଲି ପ୍ରାୟ ସବୁଥର ଭଳି କାଳେ ମୋ ବାପାମା’କିଛି ଦରକାରୀ ଚିଜ ନେବା ପାଇଁ ଭୁଲିଯାଇଥିବେ, ତେଣୁ ପୁଣି ଫେରିଆସିପାରନ୍ତି କାଳେ । ଏପରି ପରିସ୍ଥିତିରେ ମୁଁ ଅଡ଼ୁଆରେ ପଡ଼ିଯିବି । ତେଣୁ ଟାକ୍ସିକୁ ଟାଉନ୍‌ ସ୍କୋଆର, ରେଳଷ୍ଟେସନ, ହାଇୱେ ପୂରାପୁରି ଅତିକ୍ରମି ଯିବା ପର୍ଯ୍ୟନ୍ତ ଅପେକ୍ଷା କଲି । ତା’ପରେ ମୁଁ ଦକ୍ଷିଣ ପାହାଡ଼କୁ ଶୀଘ୍ର ଦୌଡ଼ିଗଲି, ହେଲିପାଡ଼କୁ ପାର ହେଇ ଗୋଚ୍ଛେ ଗୋଚ୍ଛେ ଡେଙ୍ଗା ଡେଙ୍ଗା ଘାସ ପ୍ରାଚୀର ବେଷ୍ଟିତ ଫୁଟପାଥ୍‌କୁ ପାର ହେଲି ।

ବେଳାଭୂମିର ଦୂରନ୍ତ ପ୍ରାନ୍ତରେ ଅନେକ ଲୋକ ଏକ ବୃତ୍ତ ଆକାରରେ ଛିଡ଼ା ହୋଇଥିଲେ । ସେମାନଙ୍କ ପାଦରେ ଫେନିଳ ଢେଉ ଲହଡ଼ି ଭାଙ୍ଗୁଥିଲା ଓ ମୃତ୍ୟ ବ୍ୟକ୍ତିର ପାଦକୁ ଛୁଇଁ ପୁଣି ଫେରିଯାଉଥିଲା । କେବେ କେବେ ସମୁଦ୍ର ମୃତକଟିକୁୁ ଏକ ଅସ୍ପୃଶ୍ୟ ଭଳି ବ୍ୟବହାର କରୁଥିଲା ଅର୍ଥାତ ଢେଉ ତା ପାଦ ପର୍ଯ୍ୟନ୍ତ ଯାଉନଥିଲା । ମୃତ ବ୍ୟକ୍ତିଟି ଏକ କମଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲା, ଓଠରେ ଖେଳାଇ ରହିଥିଲା ଅର୍ଦ୍ଧସ୍ମିତ । ଗୋଳାବାରୁଦର କୌଣସି ଚିହ୍ନ ନଥିଲା ତା’ ଦେହରେ କିନ୍ତୁ ତା’ ଆଖି ମାଛ ଖାଇଯାଇଥିଲା, ଓଠ ଫୁଲିଯାଇଥିଲା ଏବଂ ଗୋଚ୍ଛାଏ ସମୁଦ୍ରତୃଣ ତା’ ଗୋଡ଼ରେ ଗୁଡ଼ାଇ ହୋଇଥିଲା । ଏସବୁ ବାଦ୍ ତା’ଠି କିଛି ବିଚିତ୍ର ଆକର୍ଷଣ ଥିଲା । ଲାଗୁଥିଲା ଏବେ ଏବେ ସେ ଉଠିବସିବ ଓ ଯେଉଁ ଜାହାଜରୁ ଖସିପଡ଼ିଛି ସେଠାକୁ ଯିବାର ରାସ୍ତା ଖୋଜିନେବ । ମୋର ସ୍କୁଲ ମନେ ପଡ଼ିିବାରୁ ମୁଁ ଘରକୁ ତ୍ୱରିତ୍ ଦୌଡ଼ିଲି, ବ୍ୟାଗ ଆଣିବା ପାଇଁ । ସ୍କୁଲ ଲାଇବ୍ରେରୀ ଦେଇ ଗଲା ବେଳକୁ ଘଣ୍ଟି ବାଜିବା ଆରମ୍ଭ ହୋଇଯାଇଥିଲା । ଲାଇବ୍ରେରୀର ପୁରୁଣା ବୋର୍ଡରେ ସ୍କୁଲ ଟପ୍ପରଙ୍କ ତାଲିକା ଝୁଲୁଥିଲା । ସେଥିରେ ଚାଚୁ ୟାଜିନ୍‌ଙ୍କ ନାମ ଏବେ ଫିକା ପଡ଼ିଆସୁଥିଲା । ବିଲାଲ ଏବେ ମୋତେ ପ୍ରଶ୍ନାତୁର ଆଖିରେ ଅନେଇଲା ଯେବେ ମୁଁ ତାକୁ ସମୁଦ୍ରଯୁଦ୍ଧର ଦୁଃଖଦ ପରିଣତି ବିଷୟରେ ଅବଗତ କରାଇଲି । କପା ବୃକ୍ଷରୁ ପ୍ରତ୍ୟକ୍ଷ କରିଥିବା ଗୁଳିବର୍ଷଣ ଆକ୍ରମଣ-ପ୍ରତିଆକ୍ରମଣକୁ ସେ ଭୁଲିଯାଇଥିଲା । ସେ କେମିତି ସେସବୁ ଘଟଣା ଭୁଲିଗଲା, କିଏ କେମିତି ଭୁଲିପାରେ? ତା ପରେ ଅବଶ୍ୟ ତା’ର ସବୁ ମନେ ପଡ଼ିଲା ଓ ସେ କହିଲା ଯେ, ଆମେ ମଧ୍ୟାହ୍ନ ଭୋଜନ ବିରତିରେ ସେସବୁ ଏକାନ୍ତରେ ଆଲୋଚନା କରିବା ।

କିନ୍ତୁ ଆମ ସ୍କୁଲ କର୍ତ୍ତୃପକ୍ଷ ଶୀଘ୍ର ଭୋଜନ ସାରି ସ୍କୁଲ ଚଉତରାକୁ ଆସିବାକୁ କହିଲେ । ସେଠାରେ ଅପେକ୍ଷାରତ ଥିଲେ ଛୋଟ ପକ୍ୱ କେଶଥିବା ଜଣେ ମହିଳା । ଡାକ୍ତରଙ୍କ ପରି ଧଳା କୋଟ ପିନ୍ଧି ସେ ମାଇକ୍ରୋଫୋନ୍‌ରେ କିଛି କହିବାକୁ ପ୍ରସ୍ତୁତି କରୁଥିଲେ । ସେ ସ୍ତନ କର୍କଟ ବିଷୟରେ କହିବେ ବୋଲି ଜଣାଇଲେ । ବୟସରେ ବଡ଼ ଛାତ୍ରମାନେ ଓଠ ଚାପି ଚାପି ହସିଲେ, କିଛି ନିଜ ହାତକୁ ଛାତିରେ ଚାପିଧରିଲେ ଓ କଳ୍ପିତ ସ୍ତନକୁ ହାତରେ ଖେଳିଲେ । ଚଉତରାର ଦୂରରେ ଠିଆ ଝିଅମାନେ ଲାଜରେ କେବଳ ଶୁଣିଲେ । ଡାକ୍ତରାଣୀ ଜଣକ ଜଲଦି ଜଲଦି କଥା କହୁଥିଲେ, ବାକ୍ୟ ବାକ୍ୟ ମଝିରେ ଅନ୍ତରାଳ ରହୁନଥିଲା, ଯେମିତି କି ସେ ଡରୁଥିଲେ କାଳେ ଲମ୍ବା ବିରତି ନେଇଗଲେ ଶ୍ରୋତାମାନେ ଉଠି ପଳେଇବେ । ତା’ପରେ ଏକ ଲମ୍ବା ନାଟକୀୟ ବିରତି ପରେ ସେ କହିଲେ ସେ ସମସ୍ତଙ୍କୁ ଏକ ଉପହାର ଦେବେ, ଯାହା ସେମାନେ ଘରକୁ ଫେରି ତାଙ୍କ ମା’ମାନଙ୍କୁ ଦେବେ । ଏହା ଶୁଣି ଚଉତରାରେ ଏକତ୍ରିତ ସମସ୍ତଙ୍କ ମଧ୍ୟ ହଲଚଲ ସୃଷ୍ଟି ହେଲା । ଗୋଳାପି ରିବନ ଥିବା ଧଳା କ୍ୟାପ ପରିହିତ ଦୁଇଜଣ ଲୋକ ବୁଲିବୁଲି ସମସ୍ତଙ୍କ ହାତରେ କାଗଜ ଗୁଞ୍ଜିଲେ । “ଏଇ ଉପହାରଟିକୁ ତୁମେ ନିଜ ମା’ଙ୍କୁ ଦେବ । ତାଙ୍କୁ ଏହା ପଢ଼ିବାକୁ କହିବ । ଏହା ତାଙ୍କ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବ ।” ଡାକ୍ତର କହିଲେ । ତାଙ୍କୁ କହିବ ସ୍ତନ କର୍କଟ ବିଷୟରେ ଲଜ୍ଜା କରିବାର କିଛି ନାହିଁ । ଆଜି ଶୋଇବାକୁ ଯିବା ପୂର୍ବରୁ କାଗଜରେ ଉଲ୍ଲିଖିତ ନିର୍ଦ୍ଧେଶମାନ ପାଳନ କରିବାକୁ କହିବ ।”

ହାଣ୍ଡବିଲର ଗୋଟିଏ ପଟରେ ଚିତ୍ରିତ ହୋଇଥିଲା ଏକ ମୁହଁବିହୀନ ସ୍ତ୍ରୀଲୋକ ଯେ ଲଜ୍ଜାହୀନ ଭାବେ ନିଜ ସ୍ତନକୁ ଚାରିଆଡ଼ୁ ଚିପୁଥିଲା । ଅପରପଟରେ ଦୁଇଟି ଟେବୁଲରେ,ଏକରେ ପ୍ରତିଷେଧକ ସାମଗ୍ରୀ, ଅନ୍ୟ ଟେବୁଲରେ ରୋଗର ଲକ୍ଷ୍ମଣମାନ ପ୍ରଦର୍ଶିତ ହେଉଥିଲା । କ୍ଲାସକୁ ଫେରିବା ବାଟରେ ବିଲାଲ ତା’ର ହାଣ୍ଡବିଲକୁ ମୋତେ ଦେଲା । “ଏବେ ତୁମ ମା ଗୋଟେ ନୁହେଁ, ଦୁଇଟି ଉପହାର ପାଇବେ ।”

ଖେଳପଡ଼ିଆ ଧାରରେ, ତେନ୍ତୁଳି ଗଛ ତଳେ ଆମେ ଚାଲୁଥିଲୁ ଯେବେ ବେଳାଭୂମିରେ ପଡ଼ିଥିବା ମୃତ ଜଳଦସ୍ୟୁ କଥା ମୋର ମନେ ପଡ଼ିଲା । “ଆସିବ କି ବେଳାଭୂମିକୁ ଜଳଦସ୍ୟୁକୁ ଦେଖିବା ପାଇଁ?” ମୁଁ ପଚାରିଲି ।

“କିଏ ମରିଗଲା”, ସେ ବେପରୁଆ ଭଙ୍ଗୀରେ ପଚାରିଲା ।

“ ଛୋଟ ଇଦ୍ ଦିନ ଜାହାଜରୁ ଡ଼େଇପଡ଼ିଥିବା ଲୋକ, ମନେ ନାହିଁ?”

“ଓଃ ସେ ଲୋକ”, ସେ ତରତର ହୋଇ କହିଲା ଆଉ ତା’ପରେ ତା’ର ସ୍ମୃତି ସଜଳ ହେଲେ ଓ ସବୁ ଲଗାତାର ମନେପଡ଼ି ଚାଲିଲା । ସଂଘାତର ଟିକିନିକି ବିବରଣୀ ସବୁ ବୋହି ଆସିଲେ କ୍ରମାଗତ ଲହର ଭଳି ।” କଳାର ମେଳି ଭିତରେ ଝଲକାଏ ନାରଙ୍ଗୀ ଦେଖିଥିବା ମନେ ପଡ଼ିଲା ତା’ର । ତା’ର ମନେ ପଡ଼ିଲା ହାତ ଛାଟି ଡୁବିଯାଉଥିବା ଲୋକ ଯିଏ ଜାହାଜରୁ ଡ଼େଇପଡ଼ିବା ପୂର୍ବରୁ କମଳା ରଙ୍ଗର ସାର୍ଟକୁ ଭିଡ଼ିଥିଲା । “ମୁଁ ସେମାନଙ୍କୁ ସମୁଦ୍ର ମଧ୍ୟକୁ ଡ଼େଇପଡ଼ିବାର ଦେଖିଛି । ଜଣେ କମଳା ରଙ୍ଗର ସାର୍ଟ ପିନ୍ଧିଥିଲା, ପାଞ୍ଚ ଜଣ ଜଳଦସ୍ୟୁର କଳା ପୋଷାକରେ ଥଲେ ।” ମୃତ ବ୍ୟକ୍ତି ଜଣକ ବୋଧହୁଏ ଜଳଦସ୍ୟୁ ନୁହେଁ । ସମ୍ଭବତଃ ରୋଷେୟା । ଖୁବ୍ ଶୀଘ୍ର ତୁମେ ଆଉ ପାଞ୍ଚ ମୃତ ଦେହ ବେଳାଭୂମିରେ ଦେଖିବାକୁ ପାଇବ ।”

ସ୍କୁଲ ପରେ, ମୁଁ ବେଳାମାର୍ଗ ଧାରରେ ଚାଲିଲି, ଜାଣିବା ପାଇଁ ଯଦି ଆଉ କିଛି ମୃତ ଦେହ ଭାସିଆସିଥିବ । କିନ୍ତୁ ବେଳାଭୂମି ଶୂନ୍ୟ ଥିଲା । ଆଉ ମୁଁ ମଧ୍ୟ ମତ୍ସ୍ୟଜୀବୀମାନଙ୍କ ଦ୍ୱାରା ଆବିଷ୍କୃତ ପାଚକର ମୃତଦେହ ପଡ଼ିଥିବାର ସଠିକ୍ ସ୍ଥାନ ଆଉ ଠଉରାଇ ପାରିଲିନି । ନଜରରେ ଘୃଣାର ଅସ୍ପଷ୍ଟ ଛାପ ଧରି, ସ୍ଫୀତ ମୃତଦେହକୁ ଦେଖିବା ପାଇଁ କିଛି ସମୟ ପୂର୍ବର ଲୋକଭିଡ଼ର ଏମିତି କିଛି ଚିହ୍ନବର୍ଣ୍ଣ ବି ଆଉ ନଥିଲା ।

ଏବେ ସୂର୍ଯ୍ୟ ପର୍ବତଶୀର୍ଷରୁ ଖସିବା ଆରମ୍ଭ କରିଥିଲେ ଓ ସାେଙ୍ଗ ସାେଙ୍ଗ ଗାଢ଼ ଅନ୍ଧାକାର ଛାଇଗଲା । କିନ୍ତୁ ମୋ ଉମ୍ମା ଓ ଭାପ୍ପା ଏପର୍ଯ୍ୟନ୍ତ ଫେରିନଥିଲେ । ଘର ଭିତରକୁ ଯିବାକୁ ଭୟ ଲାଗୁଥିଲା, ବାରଣ୍ଡାରେ ବସିରହିଲି ଆତଙ୍କିତ ହୋଇ, ବ୍ୟାକୁଳ ମୋ ଚିତ୍ତ କାହିଁ କେତେ ଉଦ୍ଭଟ କଳ୍ପନାମାନ ସର୍ଜୁଥିଲା; ମୋ ପିତା-ମାତା ବୋଧହୁଏ କାର ଦୁର୍ଘଟଣାରେ ମୃତ, ମୁଁ ବିଲାଲ ଭଳି ଅନାଥ ହୋଇଯାଇଛି ଇତ୍ୟାଦି ଇତ୍ୟାଦି । ମଶାଙ୍କ ଗୁଞ୍ଜନ ସମୁଦ୍ରର ଘୁଁଘୁୁଁକୁ ବି ବଳିଗଲା । ତଥାପି ମୁଁ ଭିତରକୁ ଗଲି ନାହିଁ । ମୁଁ ପୂରା ନିଶ୍ଚିତ ଥିଲି ଯେ କୌଣସି ନା କୌଣସି କୋଠରୀରେ ମୁଁ ସେହି ନାରଙ୍ଗୀ ସାର୍ଟ ପରିହିତକୁ ଭେଟିବି, ଆଖି ନୁହେଁ ବରଂ ରିକ୍ତ ଆଖି କୋରଡ଼ ମୋ ଆଡ଼େ ଅନେଇ ରହିଥିବ ।

ବୋଧହୁଏ ସେ ହାଣ୍ଡବିଲକୁ ମୁଁ ଅଧ ଡଜନରୁ ବେଶିଥର ପଢ଼ିସାରିଥିବି ଯେବେ ନଡ଼ିଆ ବଗିଚା ମଧ୍ୟଦେଇ ମାଡାମା ଲେନ୍‌ ପର୍ଯ୍ୟନ୍ତ ବିଚ୍ଛୁରି ପଡ଼ିଥିବା ମେଞ୍ଚାମେଞ୍ଚା ହଳଦିଆ ରଙ୍ଗର ଆଲୁଅ ଦୂରରୁ ଦୃଶ୍ୟ ହେଲା । କିଛି ମିନିଟ ପରେ ଟାକ୍ସି ପହଞ୍ଚିଲା । ଭାପ୍ପା ବହୁତ କ୍ଲାନ୍ତ ଓ କ୍ରୋଧିତ ଜଣାପଡ଼ୁଥିଲେ । ସାରାଦିନ କାର ଝରକା ପାଖରେ ପବନରେ ବସି ରହିଥିବାରୁ ବୋଧହୁଏ ଉମ୍ମାଙ୍କ ଆଖି ଲାଲ ପଡ଼ିଯାଇଥିଲା । ମୁଁ ତାଙ୍କ ପଛେ ପଛେ ଶୋଇବା ଘରକୁ ଗଲି । ସେ ଲିଟିଲକୁ ଦୋଳନାରେ ଶୁଆଇ ସାରିବା ପରେ ମୁଁ ତାଙ୍କୁ ହାଣ୍ଡବିଲ ଦେଲି । ଚଉତା ହାଣ୍ଡବିଲକୁ ସେ ଖୋଲି ଚିତ୍ର ଦେଖିଲେ । ନିର୍ଦ୍ଧେଶାବଳୀକୁ ଅନେକବାର, ବାରମ୍ବାର ପଢ଼ିସାରିଥିବା ହେତୁ ନିର୍ଦ୍ଧେଶାବଳୀ ପାଶ୍ୱର୍ରେ ଥିବା ଚିତ୍ରର ଅଶ୍ଳୀଳତା ମୋ ପାଇଁ ଆଉ ଅଶ୍ଳୀଳ ନଥିଲା । ଉମ୍ମାଙ୍କ ମୁହଁ ଲଜ୍ଜାରୁଣ ହୋଇ ଉଠିଲା । ଠିକ୍ ସେତିକିବେଳେ ଭାପ୍ପା, ବୁଆ ୟାସ୍‌ମିନ୍‌ଙ୍କ ସହିତ ଫୋନ୍‌ରେ କଥା ହେଉ ହେଉ କକ୍ଷ ଭିତରକୁ ପଶିଆସିଲେ । ଭାପ୍ପାଙ୍କୁ ଦେଖି ଉମ୍ମା ତରବର ହୋଇ କାଗଜଟିକୁ ମୋଡ଼ିମାଡି ପୋଷାକର ବେକ ବାଟେ ଗଲେଇ ଦେଲେ, ଯେମିତି କି ସେ କୌଣସି ନିଷିଦ୍ଧ ଜିନିଷ ଧରିଛନ୍ତି ଓ ଧରାପଡ଼ିଯିବେ । ଭାପ୍ପା ବୁଆ ୟାସ୍‌ମିନ୍‌ଙ୍କ ସହିତ ବିରକ୍ତିଭରା ସ୍ୱରରେ କଥା ହେଉଥିଲେ । ଆଗକୁ ଡାକ୍ତରଙ୍କ ସହିତ ପରାମର୍ଶ ନେବା ପାଇଁ ତାଙ୍କୁ ଆଉ ମନେ ପକାଇ ନ ଦେବାକୁ ସେ କହୁଥିଲେ । ଏପରି ପରାମର୍ଶ ବିନା ସେ ସୁନ୍ଦର ରହିପାରିବେ, ଏହା ଏକ ପ୍ରହସନ ଯାହା ତାଙ୍କୁ ଶେଷଦିନ କଥା ମନେ ପକାଇଦେଉଛି । କ’ଣ ସେ ତାଙ୍କର ଅନ୍ୟ ପ୍ରକାରେ ଉପକାର କରିପାରିବେ ? ସେ କ’ଣ ତାଙ୍କର କିଛି ପୁରୁଣା ସାଙ୍ଗଙ୍କୁ ଖୋଜି ପାରିବେ? କ’ଣ ସେ ସ୍କୁଲ୍‌ ସାଥୀଙ୍କ ପୁନର୍ମିଳନ ଭଳି କିଛି ଆୟୋଜନ କରିପାରିବେ?

କିଛି ସପ୍ତାହ ପରେ ଆମ ବାରିପଟେ ଏକ ବିଚିତ୍ର ପୁନର୍ମିଳନ ଆୟୋଜିତ ହେଲା, ବୁଆ ୟାସମିନଙ୍କ ସାହାଯ୍ୟ ବିନା । ପ୍ରଥମେ ଏତେଟା କୌତୁକିଆ ଲାଗୁନଥିଲା ଅବଶ୍ୟ, କିଛି ସମୟ ଅନ୍ତରାଳେ ଏପରି ଲାଗିଲା, ଯେ କିଛି ଗଣ୍ଡଗୋଳ ହୋଇଯିବ ଆଉ ଭାପ୍ପାଙ୍କୁ ୧୦୦ ନମ୍ବରକୁ ଫୋନ କରିବାକୁ ପଡ଼ିବ ଓ ପୋଲିସ ଜିପ୍ ମାଡାମା ଲେନ ଦେଇ ଆସିବ । କିନ୍ତୁ ଶେଷରେ ସମସ୍ତେ ହୋ ହୋ ହେଇ ହସୁଥିଲେ କେବଳ ଉମ୍ମାଙ୍କୁ ଛାଡ଼ି ।

ସେଦିନ ସକାଳେ ମୁଁ ସୂର୍ଯ୍ୟୋଦୟ ପରେ ପରେ ବିଛଣା ଛାଡ଼ିଥିଲି । ଝରକା ଖୋଲି ଦେଖିଲି ଜଣେ ଅଜଣା ଲୋକ, କାନ୍ଧରେ ବଡ଼ ବାଉଁଶ ଶିଡ଼ି ଧରି ବୋଗେନଭିଲ୍ଲିଆ ପରିସରରେ ଥିବା ଜାଗାରେ ନିରୁଦ୍ଧେଶ ବୁଲୁଛି । ଶିଡ଼ିର ଦୁଇ ଦଣ୍ଡ ମଧ୍ୟରେ ସେ ମୁଣ୍ଡକୁ ପୂରାଇ ରଖିଥିଲା ଓ ଶିଡ଼ିର ଶେଷ ଭାଗ ତା ପଦପାତ ସହିତ ତାଳ ଦେଇ ହଲୁଥିଲା । କିନ୍ତୁ ତା’ ଅଣ୍ଟାରେ ଖୋସା ହୋଇଥିବା ଦା’ଟି ପୂରା ସ୍ଥିର ଥିଲା, ଯେମିତି କି ଅଠାରେ ଲାଖିଯାଇଛି । ଭୂଇଁରେ ସୂର୍ଯ୍ୟାଲୋକ ସୃଷ୍ଟ ଜାତିଜାତିକା ଆଲୋକାକୃତି ମଧ୍ୟ ଦେଇ ଯା’ଆସ କରି କରି ସେ ଜାଗାର ଅପରପାଶ୍ୱର୍କୁ ଶିଡ଼ି ନେଇଯାଇ ଏକ ନଡ଼ିଆ ଗଛରେ ଆଉଜେଇ ରଖିଦେଲା ଓ ଫିକା କମଳା ରଙ୍ଗର ସୂର୍ଯ୍ୟାଲୋକରେ ଉଦ୍ଭାସିତ ପୂର୍ବଦିଗକୁ ଆଗେଇଲା ।

ମିଃ ଅନୱିନ, ଏ କାହାଣୀରେ ମୁଁ ବହୁଳ ବ୍ୟବହାର କରିବାକୁ ଯାଉଥିବା ଏକ କୌଶଳ ବିଷୟରେ ତୁମକୁ ପୂର୍ବରୁ ସତର୍କ କରାଇଦିଏ । କୌଣସି ସାହିତ୍ୟିକର ଅତିବ୍ୟଞ୍ଜନା ନୁହେଁ ବରଂ ଏକ ନୂତନ ବର୍ଣ୍ଣନାଶୈଳୀ ବୋଲି ଏହାକୁ ବିବେଚିତ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ନିମ୍ନୋକ୍ତ ପରିଚ୍ଛେଦରେ ମୁଁ ଏହାର ପ୍ରଥମ ଝଲକ ଦେଉଛି ।

ଏବେ ଲୋକଟି ନଡ଼ିଆ ଗଛର ଶୀଷର୍ରେ ଚଢ଼ିସାରିଥିଲା ଓ ଶିଡ଼ି ତା’ଠାରୁ ଥିଲା ବହୁତ ତଳେ । ଏବେ ସେ ଅନେକ କିଛି ଦେଖିପାରୁଥିଲା, ଯାହା ସାଧାରଣତଃ ତଳେ ରହି ସେ ଦେଖିପାରନ୍ତା ନାହିଁ ।

ସେ ଦେଖିଲା ବୋଗେନଭିଲ୍ଲିଆର ପଛ ଦରଜା ଖୋଲିଗଲା ଓ ଉମ୍ମା ବାହାରକୁ ଆସିଲେ । ତାଙ୍କୁ ହାତରେ ମାତ୍ର ଦଶ ମିନିଟ୍‌ ଥିଲା, ବାହ୍ୟ ଗାଧୁଆ ଘରେପହଞ୍ଚି, ସେଠାରେ ଗାଧୋଇ ସାରି, ଘରକୁ ଫେରିଆସିବାକୁ । ଦଶ ମିନିଟ ବାଦ ଲିଟିଲ ନିଦରୁ ଉଠିପଡ଼ିବ, କୁଁ କୁଁ ହେବ, ଶୂନ୍ୟରେ ଗୋଡ଼କୁ ହଲାଇ ଛାଟିପିଟି ହେବ । କେବେ କେବେ ସେ ସାତ ମିନିଟ୍‌ରେ ଉଠି ବସେ, ତିନି ମିନିଟ ଅପେକ୍ଷା କରେ – ଶିଶୁମାନଙ୍କ ମସ୍ତିସ୍କରେ ବୋଧେ ଘଣ୍ଟା ଖଞ୍ଜାଯାଇଥାଏ । ତା’ପରେ କାନ୍ଦି କାନ୍ଦି ଛାତ ଫଟାଇବ । କେବେ କେବେ ଉମ୍ମା ଗାଧୋଇ ଆସିବାର ଘଣ୍ଟା ଘଣ୍ଟା ବିତି ସାରିଥିଲେ ମଧ୍ୟ ସେ ସେମିତି ଶୋଇଥାଏ । ଏଇ ସମୟରେ ମୁଁ ଭାବେ ତା’ର ବୋଧେ ଛୋଟିଆ ହୃଦ୍‌ଘାତ୍ ହୋଇଛି ଓ ସେ ନିଦ୍ରିତ ଅବସ୍ଥାରେ ମରିଯାଇଛି ।

ପଛ ଦରଜାଠାରୁ ଗାଧୁଆ ଘର ୧୦୮ ପାଦ ଥିଲା, ମୁଁ ସ୍ୱୟଂ ଦୂରତାକୁ ମାପିଥିଲି, ଚାଲିଚାଲି ଗଣିଥିଲି ପ୍ରତ୍ୟେକ ପାଦକୁ । ଆହୁରି ନିଶ୍ଚିତ ହେବା ପାଇଁ ମୁଁ ଆଉ ଥରେ ଚାଲିଥିଲି ଓ ଦ୍ୱିତୀୟ ଥର ପୁଣି ଗଣିଥିଲି ।

ଉଜୁଡ଼ା ଗୁହାଳରୁ ପଛ ଦରଜା – ୩୮ ପାଦ

ଗୁହାଳରୁ ଦେଶୀଆଳୁ ଚାଷପଟାଳି – ୫୨ ପାଦ

ଦେଶୀଆଳୁ ଚାଷପଟାଳିରୁ କାଠକନ୍ଦ ଝାଡ଼ି- ୨୬ ପାଦ

କାଠକନ୍ଦର ଗୁଚ୍ଛରୁ ଗାଧୁଆଘର- ୨୨ ପାଦ

ମନ୍ଦାରଫୁଲ ବୁଦା ପାଖରେ ଗାଧୁଆ ଘରଥିଲା । କେବଳ କାଠପଟା କେତୋଟିକୁ କଣ୍ଟାରେ ଯୋଡ଼ିଯାଡ଼ି ଦୁଆର ତିଆରି ହୋଇଥିଲା । କୋଣରେ ଲୁଗା କଚାକଚି ପାଇଁ ପଥର ଥୁଆ ହୋଇଥିଲା । ମୁଣ୍ଡ ଉପରେ ପ୍ଲାଷ୍ଟିକ ସାୱାର ଦୃଶ୍ୟ ହେଉଥିଲା । ସବୁ ଥିଲା କେବଳ ଛାତ ନ ଥିଲା । କିନ୍ତୁ ମୁଁ ଏହାକୁ ଏକ ବିଳାସ ବୋଲି ଭାବୁଥିଲି, ଯେପରି ସୌଖିନ କାରମାନଙ୍କରେ ଛାତ ନଥାଏ ।

ଗାଧୁଆଘରେ ପହଞ୍ଚିବାକୁ ଉମ୍ମାଙ୍କୁ ଚାଳିଶ ସେକେଣ୍ଡ ଲାଗିଲା । ଦୁଇ କାନ୍ଥ ମଧ୍ୟରେ ଲାଗିଥିବା ଲୁଗାତାରରେ ଲୁଗା ଶୁଖାଇବାକୁ ଆଉ କୋଡ଼ିଏ ସେକେଣ୍ଡ ଲାଗିଲା । ଏବେ ତାଙ୍କ ପାଖରେ ନ’ମିନିଟ ବାକି ଥିଲା । ସେ ସାଙ୍ଗେ ସାଙ୍ଗେ ତଉଳିଆ ପିନ୍ଧି ଲୁଗାକଚା ପଥର ପାଖକୁ ଗଲେ, ସେଠାରେ ଏକ ବଡ଼ କଳା ଲମ୍ବାଳିଆ କୁଣ୍ଡ ରଖା ହୋଇଥିଲା, ସେଥିରେ ଥିବା ପାଣିରେ ନଡ଼ିଆ ପତ୍ରର ପ୍ରତିଫଳନ ପଡ଼ୁଥିଲା । ନୀଳ ଆକାଶରୁ ଚେନାଏ ଓ ପାଣିର ଟିକିଟିକି ଲହରରେ ଦ୍ୟୋଦୁଃଲ୍ୟମାନ ଅସ୍ପଷ୍ଟ ଏକ ମୁହଁ ଦୃଶ୍ୟମାନ ହେଉଥିଲା । ଉମ୍ମା ଦେହକୁ ଓଦା କରି ସାବୁନ ତଉଳିଆ ଭିତରକୁ ପୂରାଇ ଦେହକୁ ସେଥିରେ ରଗଡ଼ିଲେ । ତା’ରେ ମୁହଁରେ ସାବୁନ ଲଗାଇଲେ, ହାତରେ ବି, ଓଠରେ ବିନା କାରଣରେ ହସଟିଏ ଥିଲା । କାଖରେ ସାବୁନ ଘଷୁ ଘଷୁ ସେ ଉପରକୁ ଅନାଇଲେ, ଆଖିରେ ଭୟାତୁର ବିସ୍ମୟଭାବ ଫୁଟିଉଠିଲା ତତ୍‌କ୍ଷଣାତ । ଚିତ୍କାର କଲେ ସତେ କି ଗଛ ଉପରେ ଡାହାଣୀ ଦେଖିଛନ୍ତି । ପରକ୍ଷଣରେ ନଡ଼ିଆଫଳ ବର୍ଷା ଆରମ୍ଭ ହୋଇଗଲା ।

ଛ’ମିନିଟ ଭିତରେ ଉମ୍ମା ଘରକୁ ଫେରିଆସିଥିଲେ, ଧଇଁସଇଁ ହେଇ ଧକଉ ଥିଲେ ସତେ କି କୁୁକୁର ତାଙ୍କ ପଛେ ଗୋଡ଼ାଉଛି । ସେ ଓଦା ସରସର ଥିଲେ, ଯେପରି ବର୍ଷାରେ ତାଙ୍କୁ କୁକୁର ଗୋଡ଼ାଉଥିଲା । “ଗଛ ଉପରେ ଏକ ଲୋକ ବସିଛି”, ସେ ଭାପ୍ପାଙ୍କୁ କହିଲେ, “ତାକୁ ହଠାତ୍ ଦେଖି ମୁଁ ବହୁତ ଡରିଗଲି ।”

ଭାପ୍ପାଙ୍କ ପଦପାତ ମୋଠାରୁ ଏତେ ଦ୍ରୁତ ଥିଲା ଯେ ମୁଁ ଦୌଡ଼ିବାକୁ ବାଧ୍ୟ ହେଲି । ୧୩୮ ପାଦ ବଦଳରେ ୬୯ ପାଦରେ ଆମେ ଗାଧୁଆଘରେ ପହଞ୍ଚି ଯାଇଥିଲୁ ।

ପଛପଟ ଦ୍ୱାରଠୁ ଉଜୁଡ଼ା ଗୁହାଳ ବା ଗୋରୁଶାଳ ଯାଏ – ୧୯ ପାଦ

ଗୁହାଳଠୁ ଦେଶୀଆଳୁ ପଟାଳି ଯାଏ – ୨୬ ପାଦ

ଦେଶୀଆଳୁ ପଟାଳିଠାରୁ କାଠକନ୍ଦ ବୁଦାଯାଏ – ୧୩ ପାଦ

କାଠକନ୍ଦ ବୁଦାଠାରୁ ଗାଧୁଆ ଘରଯାଏ – ୧୧ ପାଦ

ସେ ନଡ଼ିଆ ଗଛ ତଳେ ଅଟକିଗଲେ । ଗଛରେ ଶିଡ଼ି ଡେରା ହେଇଥିଲା । ସେଠାରେ ଛିଡ଼ା ହୋଇ ଆକାଶକୁ ଅନାଇ ତାଳି ବଜାଇଲେ ଯଦିଓ ଏହା କରିବାର କୌଣସି ଆବଶ୍ୟକତା ନଥିଲା । ଲୋକଟି ସେତେବେଳକୁ ତଳକୁ ଓହ୍ଲାଉ ଥିଲା । ଘର ଭିତରୁ ଲିଟିଲର କୁଁ କୁଁ ଶୁଭାଯାଉଥିଲା । ତା’ର ଦଶ ମିନିଟ୍‌ର ନିଦ ସରିଥିଲା ।

“ଗଛ ଉପରେ କ’ଣ କରୁଥିଲ?”, ଭାପ୍ପା ପଚାରିଲେ । କିନ୍ତୁ ଗଛଚଢ଼ାଳିକୁ ଏପରି ପ୍ରଶ୍ନ ପଚାରିବା ଯେ ବୋକାମୀ ହୋଇଛି ସେ ତତ୍‌କ୍ଷଣତ ହୃଦବୋଧ କଲେ । ପ୍ରଥମ ପ୍ରଶ୍ନକୁ ଭୁଲାଇବାକୁ ଯାଇ ସେ ଦ୍ୱିତୀୟ ପ୍ରଶ୍ନ କଲେ । “ଏଠାରେ ନଡ଼ିଆ ତୋଳିବାକୁ କିଏ ଅନୁମତି ଦେଲା?”

ଲିଟିଲର କାନ୍ଦ ଆଉ ଶୁଭୁନଥିଲା । ତାକୁ ଉମ୍ମା ଏବେ ସ୍ତନପାନ କରାଉଥିଲେ ।

“କେବଳ ସିଏ ଯିଏ ଅନୁମତି ଦେବା ପାଇଁ କ୍ଷମତାପ୍ରାପ୍ତ”, ଲୋକଟି ପଚାରିଲା । “ଏହି ବଗିଚାର ମାଲିକ ।”

ତା’ର କଥାପଦକ କହିବାର ଡ଼ଙ୍ଗରେ ଭାପ୍ପାଙ୍କୁ ଭୀଷଣ କ୍ରୋଧିତ କରିଥାଆନ୍ତା ଯେପରି ଗାଡ଼ି ଚଳାଇଲା ବେଳେ ସେ କ୍ରୋଧିତ ହୋଇଯାଆନ୍ତି, କୌଣସି ଅନ୍ୟ ଗାଡ଼ିଚାଳକର ଅବିମୃଷ୍ୟକାରିତାର ଯୋଗୁଁ । ଥରେ ଗୋଟେ ଗାଡ଼ିକୁ ସେ ସହରସାରା ଗୋଡ଼ାଇଲେ କାରଣ ସେ ସେହି ଗାଡ଼ିଚାଳକକୁ ଅତିକ୍ରମିବାକୁ ନ ଦେବାରୁ ଚାଳକ ଜଣକ ତାଙ୍କୁ ଉଚ୍ଚସ୍ୱରରେ ଝିଙ୍ଗାସିଥିଲା । ଲୋକଟି ସଠିକ୍ କ’ଣ କହିଲା ଆମେ ଶୁଣିପାରିନଥିଲୁ । ଦୁଇଟିଯାକ କାରର ଝରକା ଖୋଲା ଥିଲା । କିନ୍ତୁ ଯେପରି ସ୍ୱରରେ ସେ ତାହା କହିଲା, ତାହା ଭାପ୍ପାଙ୍କୁ ବେଶ୍ କ୍ରୋଧିତ କରିଥିଲା, ଜୋରରେ ହର୍ଣ୍ଣ ବଜାଇବା ପାଇଁ, ଗାଳି ଦେବା ପାଇଁ ଓ ତାକୁ ଅନୁସରଣ କରିବା ପାଇଁ ଯେପର୍ଯ୍ୟନ୍ତ ସେ ଚାରିଛକରେ ପହଞ୍ଚି ଗାଏବ୍ ନ ହେଇଗଲା । ଭଲ ହେଲା । ଉମ୍ମା କହୁଥିଲେ ଭାପ୍ପା ଖୁବ୍ ଶୀଘ୍ର ପ୍ରଥମେ ଝଗଡ଼ା ଆରମ୍ଭ କରିଦିଅନ୍ତି କିନ୍ତୁ ଜିତିପାରନ୍ତି ନାହିଁ । କିନ୍ତୁ ଭାପ୍ପାଙ୍କ ଦେହ ଖରାପ ହୋଇ ତାଙ୍କ କେଶ ପ୍ରାୟ ଝଡ଼ିଯିବା ଓ କ୍ରୋଧାନ୍ୱିତ ସ୍ୱରରେ ନମ୍ରତା ଆସିବା ପରେ ଉମ୍ମା ଭାପ୍ପାଙ୍କୁ କେବେ ଆଉ କଳହପ୍ରିୟ ବୋଲି କହି ନଥିଲେ । ତେଣୁ ଯେବେ ସେ ଗଛ ଚଢ଼ାଳିକୁ ଗାଳି ନ ଦେଇ କେବଳ ପଚାରିଲେ, “ତୁମ ନାମ କ’ଣ?” ମୁଁ ଆଶ୍ଚର୍ଯ୍ୟ ହୋଇନଥିଲି ।

“ଟାର୍ଜନ”, ଲୋକଟି କହିଲା ।

ଏବେ ଭାପ୍ପା ନିଶ୍ଚୟ ରାଗି କରି କିଛି କହିଦେବେ ବୋଲି ଆଶଙ୍କା କରୁଥିଲି, ପ୍ରକୃତରେ ମୁଁ ଚାହୁଁଥିଲି ଭାପ୍ପା ତା’ ସହିତ ଝଗଡ଼ା କରନ୍ତୁ । ତା’ ଅଣ୍ଟାରେ ଖୋଷା ଦା’କୁ ମୋର ପରଉଆ ନଥିଲା । ଭାପ୍ପା ନିରୁପାୟ, ଭୀରୁ ମଣିଷର ମୃତ୍ୟୁ ଲଭିବେ ନାହିଁ । ଭାପ୍ପା ହିଁ ତ କୁହନ୍ତି, ଭୀରୁ ମଣିଷଙ୍କ ମୃତ୍ୟୁ ଉପରାନ୍ତ କେହି ତାଙ୍କୁ ଖୋଜନ୍ତି ନାହିଁ ।

“ମୁଁ ତୁମକୁ ଦେଖିବା କ୍ଷଣି ଚିହ୍ନି ପାରିଥିଲି”, ଭାପ୍ପା କହିଲେ ।

ଲୋକଟି ମୁହଁ ଉପରକୁ ଉଠାଇ ଭାପ୍ପାଙ୍କୁ ବେଶ୍ କିଛି ସମୟ ଅନାଇରହିଲା । “ଆହାଃ”, ସେ କହିଲା, ଅବଶ୍ୟ ସେମିତି ନୁହେଁ ଯେମିତି କୋକାକୋଲା ବିଜ୍ଞାପନରେ ଝାଳନାଳ ଲୋକମାନେ ଲମ୍ବା ଡୋକ ନେଇସାରି କୁହନ୍ତି । ସେ ଛୋଟିଆ ଆଃଟିଏ କହିଲା । ତାହା ଅର୍ଥ ଥିଲା, “ଓଃ ତୁମେ ତାହେଲେ ।”

“ବହୁତ ଦୀର୍ଘ ସମୟ ପରେ, ଟାର୍ଜନ”, ଭାପ୍ପା କହିଲା ।

ଟାର୍ଜନ ହସିଲା । ଏବଂ ସେମାନେ ହାତ ମିଳାଇଲେ । ପରେ ସେମାନେ ବାରଣ୍ଡାରେ ବସି ପଇଡ଼ ପାଣି ପିଇଲେ ଏବଂ ମୋର ପରିଚିତି ନଥିବା ଲୋକଙ୍କ ବିଷୟରେ ଗପିଲେ । ସେସବୁ ସ୍ଥାନ ବିଷୟରେ ମଧ୍ୟ ଗପିଲେ, ଯାହା ଏବେ ନୂଆ ରୂପରେ ବଡ଼ ଅଟ୍ଟାଳିକାର ରୂପ ନେଇସାରିଥିଲା । ସେସବୁ ସମୟ ଯାହା କଳା-ଧଳା ଥିଲା । ସେମାନେ ବାଲ୍ୟବନ୍ଧୁ ଥିଲେ ଓ ଦୀର୍ଘ ୨୪ ବର୍ଷ ପରେ ପରସ୍ପରକୁ ଭେଟୁଥିଲେ । ମୋତେ ଆଶ୍ଚର୍ଯ୍ୟ ଲାଗିଲା, ସେମାନେ ଆଲିଙ୍ଗନ କଲେ ନାହିଁ ଭେଟିବାର ତତ୍‌କ୍ଷଣତ ପରେ ନୁହେଁ କି ତା ପରେ ବି ନୁହେଁ । କ’ଣ ମୁଁ ଶିବାନକୁ ୨୪ ବର୍ଷ ପରେ ଭେଟିଲେ ତାକୁ ଚିହ୍ନି ପାରିବି? ଯଦି ଭେଟୁ ଏହା ସମ୍ଭବ ଯେ ଆମେ ମେଟ୍ରୋ ଟ୍ରେନରେ ପାଖାପାଖି ବସି ସେଇ ସେତୁ ଉପରେ ଦେଇ ଅତିକ୍ରମ କରିବୁ ଯାହା ତଳେ ଆମେ ପିଲାବେଳେ ଖେଳୁଥିଲୁ । ପାର୍କ ଦେଇ ଟ୍ରେନ ଗତିଶୀଳ ଥିଲାବେଳେ ଆମେ ପୁରୁଣା ଆପାର୍ଟେମେଣ୍ଟକୁ ଦେଖିବୁ । ମୋ ଝରକା ବନ୍ଦ ଥିବା, ଭିତରେ ଗାଢ଼ ଅନ୍ଧାର ଥିବ । ସେ ପରବର୍ତ୍ତୀ ଷ୍ଟେସନରେ ଓହ୍ଳାଇଯାଇ ତା’ ଆପାର୍ଟମେଣ୍ଟକୁ ଚାଲିଯିବ ଓ ମୁଁ ବସିରହି ଝରକା ପାଖେ ଅନେକ କୋଠାବାଡ଼ିକୁ ଦେଖିଚାଲିଥିବି । ଏପରି ଦୃଶ୍ୟ କଳ୍ପନା କରିବା ହିଁ କେତେ ବିଷାଦପୂର୍ଣ୍ଣ । ମୁଁ କେବେ ବି ଏପରି ଘଟୁ ବୋଲି ଚାହିଁବିନି । କିନ୍ତୁ କିଛି ସମୟ ପରେ ମୁଁ ଭିନ୍ନ କିଛି ଭାବିଲି; ଏପରି ଘଟଣା କାହାଣୀ ଲେଖିବା ପାଇଁ ଭଲ ଖୋରାକ୍ ଯୋଗାଇ ଦେଇପାରେ ।

ଉମ୍ମା ଭିତରେ ଥିଲେ ଯେବେ ଭାପ୍ପା ତାଙ୍କ ବାଲ୍ୟସଖାଙ୍କୁ ଭେଟିବା ପାଇଁ ତାଙ୍କୁ ଡାକ ପକାଇଲେ । ଉମ୍ମା କିନ୍ତୁ ମୋ ଦ୍ୱାରା କହି ପଠାଇଲେ ଯେ ସେ ଲିଟିଲକୁ ଖୁଆଉଛନ୍ତି ତେଣୁ ଆସିପାରିବେ ନାହିଁ । ପ୍ରକୃତରେ ଲିଟିଲ ଚୁଚୁମି ଚୁଚୁମି ଶୋଇଯାଇଥିଲା ।

– ତା’ପରେ –

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top