ଡଃ ଅନିତା ପଣ୍ଡା

ଡଃ ଅନିତା ପଣ୍ଡା

ଓଡ଼ିଶାର ଏକ ଗାଁର ଡାକ୍ତର ଅନୀତା ପଣ୍ଡାଙ୍କର ଜନ୍ମ । ତାଙ୍କର ପିତା ସ୍ୱର୍ଗତ ଡା: ଆଦିକନ୍ଦ ପଣ୍ଡା ଜଣେ ଖୁବ୍ ଜ୍ଞାନୀ ଏବଂ ଗାନ୍ଧିବାଦୀ ଥିଲେ । ମାତା ସ୍ୱର୍ଗତ ଭାନୁଦେବୀ ଜଣେ ସ୍ନେହୀ ଘରୋଇ ମା' ଥିଲେ । ମାତ୍ର ତାଙ୍କର ଦୁଃର୍ଭାଗ୍ୟ ସେ ତାଙ୍କର ସ୍ନେହୀ ମା'ଟିକୁ ମାତ୍ର କେଇମାସ ଦିନରୁ ହରାଇ ବସିଥିଲେ । ଭାଇ ଭଉଣୀ ମିଶି ସେମାନେ ଆଠ । ସେ ଥିଲେ ସବୁଠୁ କନିଷ୍ଠା । ବର୍ତ୍ତମାନ ମାତ୍ର ତାଙ୍କର ଦୁଇଟି ଭାଇ ଏବଂ ଗୋଟିଏ ଭଉଣୀ ଇହ ଜଗତରେ ଅଛନ୍ତି । ଡା: ପଣ୍ଡା ତାଙ୍କର ପିଲାଦିନ ଗାଁରେ ବିତାଇଥିଲେ ଯେଉଁଠରେ ମାତ୍ର ଗୋଟିଏ ଛୋଟ ପାଠଶାଳା ଥିଲା ଯାହାର ନାମ ଥିଲା ତୋଟା ସ୍କୁଲ୍ ପାଠଶାଳାରୁ ସେ ଛଅବର୍ଷ ବୟସରେ ତୃତୀୟ ଶ୍ରେଣୀ ପାସ୍ କରିଥିଲେ । ସେଦିନରେ ଝିଅକୁ, ସେ ପୁଣି ଜମିଦାର ଘର ଝିଅ, ଦୂର ସ୍କୁଲ ପଠାଇବାର ପ୍ରଥା ନ ଥିଲା । ତେଣୁ ତାଙ୍କୁ ବସ୍ତାନୀରେ ଡୋରି ବାନ୍ଧିବାକୁ ପଡ଼ିଥିଲା । ମାତ୍ର ତାଙ୍କର ପିତା ତାଙ୍କୁ ଓଡ଼ିଆ ପୁରାଣ ଏବଂ ପବିତ୍ର ଧର୍ମ ଗ୍ରନ୍ଥ ମାନ ପଢ଼ିବା ପାଇଁ ତତ୍ପର କରାଇଥିଲେ । ଏଇ ପୁରାଣ ପଢ଼ା ତାଙ୍କର ଓଡ଼ିଆ ଭାଷା ଏବଂ ଜ୍ଞାନକୁ ଖୁବ୍ ଦୃଢ଼ କରି ଗଢ଼ିଥିଲା । ସେ କେବଳ ଏଇ ଗୁଡ଼ିକ ପାଠ କରୁନଥିଲେ, ସନ୍ଧ୍ୟାରେ ଦୁଇଘଣ୍ଟା ପଲ୍ଲୀବାସୀମାନଙ୍କୁ ବୁଝାଉଥିଲେ ମଧ୍ୟ । ତାଙ୍କର ବାପା ଜାତିପ୍ରଥାର ବିରୋଧୀ ଥିଲେ । ତେଣୁ ନିରକ୍ଷର ଦଳିତମାନଙ୍କୁ ଶିକ୍ଷା ଦେବା ପାଇଁ ସେ ଛୋଟ ଝିଅଟିକୁ ଉତ୍ସାହିତ କରିଥିଲେ । ସେଇ ସମୟରେ ଆରମ୍ଭ ହୋଇଥିଲା ତାଙ୍କର ସଂଗୀତ ଶିକ୍ଷା ସଂଗୀତ ଜଗତରେ ତାଙ୍କର ଏକାଗ୍ରତ ତାଙ୍କୁ ଆଗକୁ ନେଇ ଯାଉଥିଲା । ଦୀର୍ଘ ଚାରିବର୍ଷ ପାଠପଢ଼ା ଛାଡ଼ି ଦେଇଥିଲେ ମଧ୍ୟ ମା' ସରସ୍ୱତୀଙ୍କର ଅସୀମ ଦୟାରୁ ସେ ଭଦ୍ରକ ହାଇସ୍କୁଲ୍ରେ ଦଶମ କକ୍ଷରେ ପଢ଼ିବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ ଏବଂ ମାତ୍ର ତେର ବର୍ଷ ବୟସରେ ସେ ବାଲେଶ୍ୱର ଜିଲ୍ଲାର ସମସ୍ତ ପରୀକ୍ଷାର୍ଥୀନୀମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ମାଟ୍ରିକୁ୍ଲେସନ୍ (ଏକାଦଶ ଶ୍ରେଣୀ) ପାସ୍ କରିଥିଲେ । ସାହିତ୍ୟରେ ବହୁ ଆଗ୍ରହ ଥିବା ସତ୍ତ୍ୱେ ମଧ୍ୟ ତାଙ୍କୁ ମେଡ଼ିକାଲ୍ କଲେଜ୍ ପ୍ରବେଶ କରିବାକୁ ହୋଇଥିଲା । ଓଡ଼ିଶାରୁ ଡାକ୍ତରୀ (ଏମ୍.ବି.ବି.ଏସ୍)ପାସ୍ କରି ସେ ଉଚ୍ଚଶିକ୍ଷା ପାଇଁ ସିଏମ୍‌ସିଉଲୋର ଏବଂ ପରେ ପରେ ଅଖିଳ ଭାରତୀୟ ଭେଷଜ ବିଜ୍ଞାନ ସଂସ୍ଥା ଦିଲ୍ଲୀ ଯାଇଥିଲେ । ସରଳ ଓଡ଼ିଶାର ଝିଅଟିକୁ ଉତ୍ତର ପ୍ରାନ୍ତୀୟମାନଙ୍କର ଖୁବ୍ ଟାହି ଟାପରା ଶୁଣିବାକୁ ପଡ଼ିଥିଲା । ସେଇ ସମୟରେ ସେ ପଣ କରିଥିଲେ "ଅର୍ଜୁନ''ଙ୍କ ଭଳି ସେ ତାଙ୍କର ଏକମାତ୍ର ଲକ୍ଷ୍ୟ ରଖିବେ । ତାଙ୍କର ଏକାଗ୍ରତା, କଠିନ ପରିଶ୍ରମ ଯୋଗୁଁ ସେ ଆଜି ଦେଶ ବିଦେଶରେ ଏକ ପ୍ରଖ୍ୟାତ ନେତ୍ର ବିଶେଷଜ୍ଞା ରୂପେ ପରିଚିତା । ତାଙ୍କର ସାହିତ୍ୟ ଲେଖା ଆରମ୍ଭ ହୋଇଥିଲା ୧୯୫୯ ମସିହାରୁ, ଯେତେବେଳେ ସେ ମାତ୍ର ଦଶ ବର୍ଷ ବୟସର ଥିଲେ । ତାଙ୍କର ପ୍ରଥମ କବିତାର ଶୀର୍ଷକ ଥିଲା "ଆଷାଢ଼ସ୍ୟ ପ୍ରଥମ ଦିବସେ'', ପରେ ପରେ ସେ କ୍ଷୁଦ୍ରଗଳ୍ପ ଲେଖିବା ଆରମ୍ଭ କରିଥିଲେ ଯେଉଁ ସବୁ ପ୍ରଜାତନ୍ତ୍ର ମୀନା ବଜାର ବିଭାଗରେ ପ୍ରକାଶ ପାଉଥିଲା ପରେ ପରେ ଅନ୍ୟ କେତୋଟି ପତ୍ର ପତ୍ରିକାରେ । ୧୯୬୫ ମସିହାରେ ତାଙ୍କର କ୍ଷୁଦ୍ରଗଳ୍ପ ରାଜ୍ୟସ୍ତରୀୟ ଯୁବ ଲେଖକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ୧୯୬୭ରେ ଦ୍ୱିତୀୟ ଏବଂ ୧୯୬୯ରେ ପ୍ରଥମ । ୧୯୭୦ରେ ତାଙ୍କର ଲେଖା ପରିଚୟ ଫଟୋ ସହ "ମୁକ୍ତି ପଥେ'' ନାମକ ଏକ ପତ୍ରିକାରେ ସ୍ଥାନ ପାଇଥିଲା । ସେ ସମୟ ପାଇଁ ଏହା ଥିଲା ବିରଳ । ଅଖିଳ ଭାରତୀୟ ନେତ୍ର ବିଜ୍ଞାନ ସଂସ୍ଥାରେ ରହଣୀ ସମୟରେ ତାଙ୍କର ଲେଖା ଲେଖି ଏବଂ ସଂଗୀତରେ ଡୋରି ବନ୍ଧା ହୋଇଥିଲା । ସେ କହନ୍ତି ଯେତେବେଳେ ସେ କୌଣସି କାରଣରୁ ଖୁବ୍ ଆଘାତ ପାଉଥିଲେ, ବଜାର ଯାଇ ନିଜ ପାଇଁ ଗୋଟିଏ ନୂଆ ଡ୍ରେସ୍ କିଣି ଆଣୁଥିଲେ, ଖୁବ୍ ଖୁସି ହେଲେ କବିତା ଲେଖୁଥିଲେ (ଖୁସିର ମୁହୂର୍ତ୍ତ ଖୁବ୍ କମ୍ ଆସୁଥିଲା), କୌଣସି ଏକ ବିଷୟବସ୍ତୁ ହୃଦୟସ୍ପର୍ଶ କରୁଥିଲେ କ୍ଷୁଦ୍ରଗଳ୍ପ ଲେଖୁଥିଲେ ଏବଂ ସଂସ୍ଥାର ବାର୍ଷିକ ଉତ୍ସବ ପାଇଁ ପ୍ରାୟତଃ ନାଟକ ଲେଖୁଥିଲେ । ତାଙ୍କର ସମସ୍ତ ଲେଖା ଓଡ଼ିଆରେ । ନାଟକ ଲେଖାର ଆରମ୍ଭ ତାଙ୍କ ପାଇଁ ଏକ ଅସ୍ମରଣୀୟ ବିଷୟ । ୧୯୬୫ରେ ମେଡ଼ିକାଲ୍ କଲେଜ୍ ତରଫ୍ରୁ କଲେଜ୍ ନାଟକରେ ଅଂଶ ଅଭିନୟ କରିବା ପାଇଁ ବାଧ୍ୟ କରାଯାଇଥିଲା । ସେ ସମୟରେ କେବଳ ଅନ୍ନପୂର୍ଣ୍ଣ ଥିଏଟର୍ ବ୍ୟତୀତ ଅନ୍ୟ କେଉଁ ଯାତ୍ରା ଥିରେ ଝିଅମାନଙ୍କୁ ଅଂଶ ଗ୍ରହଣ କରିବାର ଅନୁମତି ନ ଥିଲା । ତେଣୁ ସେ ଅଭିନୟ କରିବାକୁ ଅନିଚ୍ଛା ପ୍ରକାଶ ନ କରିଥିଲେ ମଧ୍ୟ କାହାର ସ୍ତ୍ରୀ ଅର୍ଥାତ୍ "ହିରୋଇନ୍'' ରୋଲ୍ କରିବା ପାଇଁ ବିରୋଧ କରିଥିଲେ । ବିନା ହିରୋଇନ୍‌ରେ ନାଟକ. . . ତେଣୁ ତାଙ୍କୁ ହିଁ ଲେଖିବା ପାଇଁ ଆଦେଶ ଥିଲା । ତାଙ୍କର ସେଇ ପ୍ରଥମ ନାଟକର ଶୀର୍ଷକ ଥିଲା "ଆବର୍ଜନା ଏଇ ପଚାଶ ବର୍ଷରେ ତାହା କେଉଁଠି ଆବର୍ଜନାରେ ମିଶି ଗଲାଣି କହିବା କଷ୍ଟକର ।" ସେଇ ଦିନଠାରୁ ସେ ନାଟକମାନଙ୍କର କେବଳ ମାତ୍ର ଚରିତ୍ର ବ୍ୟକ୍ତିର ଅଭିନୟ କରିଥାନ୍ତି । ୨୦୧୩ରେ ସେ ତାଙ୍କର ଗଚ୍ଛିତ କବିତାମାନଙ୍କୁ ପୁସ୍ତକର ରୂପ ଦେଇଥିଲେ ଯାହାର ନାମ ଥିଲା "ସ୍ମୃତି ଏକ ଅନୁରକ୍ତି'', କ୍ଷୁଦ୍ରଗଳ୍ପ ଲେଖନୀର ପ୍ରକାଶ ୨୦୧୪ର ଆଦ୍ୟରମ୍ଭରେ ଏବଂ ଉପନ୍ୟାସ "ପ୍ରତାରଣା ପରେ'' ୨୦୧୪ ଶ୍ରେଷ୍ଠାଂଶରେ । ଉପନ୍ୟାସ "ଘୂର୍ଣ୍ଣ ପ୍ରତୀତି'' ପ୍ରକାଶ ପାଇଥିଲା ୨୦୧୫ ରେ ଯାହା ପାଠକ ପାଠିକାମାନଙ୍କ ମନରେ ଆଲୋଡ଼ନ ସୃଷ୍ଟି କରାଇ ପାରିଥିଲା । ଉପନ୍ୟାସ "ଅସ୍ତ ରାଗିଣୀ'' ନାଟକ ସଂକଳନ "ମୁକ୍ତ ଆକାଶ'' ବର୍ତ୍ତମାନ ପ୍ରେସ୍‌ରେ, କବିତା "ପ୍ରକୃତି, ପ୍ରେମ ଓ ପ୍ରତିଲେଖ'' ଏବଂ ଉପନ୍ୟାସ "ତପ୍ତ ଫଳକ'' ପ୍ରେସ୍ ଯିବା ପାଇଁ ପ୍ରସ୍ତୁତ । ଭାରତରେ "ନେତ୍ରଦାନ'' ପଦ୍ଧତି ସେ ସୂତ୍ରଧାର । ଏହି ମହାନ୍ କାର୍ଯ୍ୟରେ ସମାଜକୁ ପ୍ରୋତ୍ସାହିତ କରିବା ପାଇଁ ସେ ଏକ ନାଟକ ଏବଂ ସଂଗୀତର ସୃଷ୍ଟି କରିଛନ୍ତି । ଯାହାର ଲେଖିବା, ନିର୍ଦ୍ଦେଶିକା ଏବଂ ପ୍ରଯୋଜିକା ସେ ନିଜେ । ଏତଦ୍ ବ୍ୟତୀତ ତାଙ୍କୁ ଦିଲ୍ଲୀର ସମସ୍ତ କବିତା ପାଠୋତ୍ସ ଏବଂ କେବେ କେବେ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ମଧ୍ୟ ତାଙ୍କୁ ନିମନ୍ତ୍ରଣ କରାଯାଇଥାଏ । ତାଙ୍କ ରଚିତ ଗଳ୍ପ, କବିତା ଗୁଡ଼ିକ ମଝିରେ ମଝିରେ କଥା, ଯୁଗଶ୍ରୀ ଯୁଗନାରୀ, ଅମୃତାୟନ, ସୁଖ ଦୁଃଖ, ମହୋଦଧି ଏବଂ କେତୋଟି ପତ୍ରିକାମାନଙ୍କରେ ମଧ୍ୟ ପ୍ରକାଶ ପାଇଥାଏ ।

Posts By ଡଃ ଅନିତା ପଣ୍ଡା

More Posts
To Top