ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ଏମିତି କାହିଁକି ହେଲା? କି ଭୁଲ୍ ରହିଯାଇଥିଲା ତାଙ୍କ ନିଷ୍ପତ୍ତିରେ । ସେ କଣ ମନିଷାକୁ ଚିହ୍ନିବା ଭୁଲ୍ କରିଦେଲେ ନା ସେ ନିଜେ ଭୁଲ୍‌ମଣିଷଟିଏ ପାଲଟିଗଲେ?

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୂର୍ବରୁ :-

ଶତବାରଣ ଓ ଅନୁରୋଧ ସତ୍ତ୍ୱେ ସମସ୍ତଙ୍କୁ ଅଗ୍ରାହ୍ୟକରି ସାନମାଆ ତାଙ୍କ ବାପାମାଆଙ୍କ ପାଖକୁ ଚାଲିଯାଇଛନ୍ତି । ସାନବାବୁ ସ୍ତବ୍ଧ, ମାଲିକ ଓ ମାଲିକାଣୀ ବ୍ୟଥିତ । ଘରସାରା ଅଶାନ୍ତ ବାତାବରଣ..! ସାନବାବୁ ଝାଉଁଳି ପଡିଛନ୍ତି ପ୍ରଚଣ୍ଡଖରାରେ ସିଝିଯାଇ ଥିବା ତୁଳସୀ ଗଛଟିଏ ପରି । ସକାଳର ଗୋଲାପ ଫୁଲଟି ଦିନ ଦି’ପହରର ଡହଡହ ଖରାଟାରେ ନରମି ଯାଇଥିବା ପରି ସେ ଶୁଖିଯାଇଛନ୍ତି ଜୀବନର ଉତ୍ତାପରେ । ସେ ମିଶି ଯାଇଛନ୍ତି ତାଙ୍କ ଦୁଃଖରେ, ଲୁହର ଉଷ୍ଣପ୍ରସବଣରେ । ସେଠି ସେ ଖୋଜୁଛନ୍ତି ସମସ୍ତ ପ୍ରଶ୍ନର ଉତ୍ତର । ଏମିତି କାହିଁକି ହେଲା? କି ଭୁଲ୍ ରହିଯାଇଥିଲା ତାଙ୍କ ନିଷ୍ପତ୍ତିରେ । ସେ କଣ ମନିଷାକୁ ଚିହ୍ନିବା ଭୁଲ୍ କରିଦେଲେ ନା ସେ ନିଜେ ଭୁଲ୍‌ମଣିଷଟିଏ ପାଲଟିଗଲେ? ମଣିଷମାନେ କାହିଁକି ନିଜର ପ୍ରକୃତିକୁ ବଦଳାଇପାରନ୍ତିନି ଯାହା ନିଜର କେହି ଜଣକୁ ଆଘାତ ଦିଏ? ଅନ୍ୟର ଧୈର୍ଯ୍ୟକୁ ପରାହତ କରେ । ନିଜର ପ୍ରବୃତ୍ତିକୁ ନବଦଳାଇ ସବୁବେଳେ ଅନ୍ୟକୁ ମାର୍ଜିତ କରିବାକୁ ଚାହୁଁଥିବା ମଣିଷଟିକୁ କ’ଣ କୁହାଯିବ? ଚରମ ସ୍ୱାର୍ଥପର ନା ସୁବିଧାବାଦୀ..? ତଥାପି ସାନବାବୁ ଭାବନ୍ତି ମଣିଷକୁ କିଛି ନା କିଛି ବଦଳିବା ଦରକାର । ଅନ୍ୟକୁ ଆଘାତନହେଲା ଭଳି ନିଜର ଚିନ୍ତାଧାରାକୁ ସାମାନ୍ୟ ପରିମାଣରେ ପରିବର୍ତ୍ତନ କରିବା ଦରକାର । ସେଥିରେ ଯଦି କେହି ଆପଣାରଲୋକଟିଏ ସୁଖପାଏ,ତେବେ ଅସୁବିଧା କଣ! ସେହି କଣ ଆନନ୍ଦରଉତ୍ସ ହୋଇ ସଂକ୍ରମିତ କରିଯିବନି ବଦଳି ଯାଇଥିବା ମଣିଷଟିକୁ? ଏମିତି ଅନେକ ପ୍ରଶ୍ନ ତାଙ୍କ ମନତଳେ । ହେଲେ ତାର ଉତ୍ତର ନାହିଁ ତାଙ୍କପାଖରେ । ସେ ନିଜେ ବଦଳିଥିଲେ କିଛି । ମନିଷାର ଅତ୍ୟାଧୁନିକତା ଆଗରେ ସେ ନିଜମଥା ନୁଆଁଇଥିଲେ । “ଦେହି ପଦପଲ୍ଲବ ମୁଦାରମ୍”ଭଳି । ତଥାପି ସେ ସୁଖୀନୁହେଁ । କାହାରିକୁ କିଛି ନ ଦେଇ ସେ କେବଳ ହାସଲ କରିବାକୁ ଚାହେଁ । ଅନ୍ୟର ତ୍ୟାଗରେ ସେ ନିଜ ହର୍ଷଉଲ୍ଲାସର ଆତସବାଜି ଖେଳେ । ପୁଣି କିଛି ନୂଆ ଜିନିଷ ପାଇବା ପାଇଁ ବ୍ୟାକୁଳିତା ହୁଏ । କେବେ ବି ଅନ୍ୟର ସୁଖସୁବିଧା ବୁଝେନାହିଁ ।

ସାନମାଲିକାଣୀଙ୍କ ବାପ ମାଆ ବି ଆଜିକାଲି ଦିଲ୍ଲୀରେ.. । ଏ ମାଟି,ପାଣି ଓ ପବନଠାରୁ ମୋହ ମମତା ତୁଟାଇ ସେମାନେ ଚାଲିଯାଇଛନ୍ତି ନୂତନପ୍ରାପ୍ତି ଆଶାରେ । ନିଜ ଭାଇସହିତ ଆଉ କେଉଁ ସଫଳତାର ସୌଧ ଗଢିବାକୁ । ସେଠାରେ ମିଶି ଦୁଇଭାଇ ସେମାନଙ୍କ ପୁରୁଣା ବ୍ୟବସାୟ ବଢାଇବେ ଓ ଶେଷକୁ ସାନବାବୁଙ୍କୁ ଦିଲ୍ଲୀ ନେଇଯିବାର ଚକ୍ରାନ୍ତ ରଚିଛନ୍ତି । ସେଠାକୁ ସାନବାବୁଙ୍କୁ ନିମନ୍ତ୍ରଣ କରିଛନ୍ତି । ସାନ ମାଲିକାଣୀଙ୍କ ଡାକରାରେ ସାନବାବୁ କେବେ କେମିତି ଦିଲ୍ଲୀଯାଆନ୍ତି । କିଛିଦିନ ରହିବାପରେ ପୁଣି ଫେରି ଆସନ୍ତି । ହେଲେ ପୂର୍ବଭଳି ମନର ସତେଜତା ନଥାଏ । ସେ ରୋମାଞ୍ଚ ବି ହଜିସାରିଥାଏ । ଅଦିନିଆଁ ଝଡତୋଫାନରେ ଆକାଶିଆ ଗଛଟେ ପରି..! ଏତେ ଗହଳିଭିତରେ ବି ଆଜି ସେ କେତେ ଏକାକୀ ! ଅଥଚ ଦୁଇଟି ଜାଆଁଳାପିଲାଙ୍କ ପିତା ହେବାର ସୌଭାଗ୍ୟ ପାଇଛନ୍ତି ସାନବାବୁ । ଘରେ ସମସ୍ତେ ଯେତିକି ଖୁସି ସେତିକି ଦୁଃଖୀ ବି ! କାରଣ ପିଲାଦୁଇଟିଙ୍କ ଏକୋଈଶା ସେହି ଦିଲ୍ଲୀରେ ହିଁ ଅନୁଷ୍ଠିତ ହେବ । ସେଥିପାଇଁ ମାଲିକ ଓ ମାଲିକାଣୀଙ୍କ ମନ ଖୁବ୍ ଅଶାନ୍ତି । ସାନବାବୁ ସବୁଠାରୁ ବେଶୀ ଦୁଃଖୀ । ସାନମାଲିକାଣୀଙ୍କ ଏକାଜିଦ୍ ଯେ ପିଲାମାନେ ସେଇଠି ହିଁ ପଢିବେ ଓ ବଢିବେ । ଚାକରାଣୀ ମାନଙ୍କ ହାତରେ ପିଲାମାନଙ୍କୁ ସମର୍ପିଦେବେ ନାହିଁ । ଏକଥାଟି ସାନବାବୁଙ୍କୁ ଖୁବ୍ ବାଧିଛି । ସେବେଠାରୁ ସେ ଆଉ ଯାଉନାହାନ୍ତି ଦିଲ୍ଲୀ । ସାନ ମାଲିକାଣୀ ଜବରଦସ୍ତ ସେଠାକୁ ଡକାଇଛନ୍ତି ସାନବାବୁଙ୍କୁ । ମାଲିକ ଓ ମାଲିକାଣୀ କିନ୍ତୁ ତାଙ୍କ ଏକମାତ୍ର ପୁଅକୁ ତା ଖୁସିପାଇଁ ଅନୁମତି ଦେଇସାରିଲେଣି ଦିଲ୍ଲୀରେ ରହିବାକୁ । ଅଥଚ ସାନବାବୁ ଏ ପ୍ରସ୍ତାବରେ ସଂପୂର୍ଣ୍ଣରୂପେ ଅରାଜି । ସେ ନିଜର ଜନ୍ମସ୍ଥାନ ଓ ଦିନକୁଦିନ ରୁଗ୍ଣ ହୋଇଆସୁଥିବା ବାପାମାଆ ଓ ଧାଈମାଆଙ୍କୁ ଛାଡି ଅନ୍ୟତ୍ର ଚାଲିଯିବାକୁ ଅରାଜି । ତାଙ୍କ ଅନ୍ତରାତ୍ମା ଏଥିପାଇଁ ତାଙ୍କୁ ବୋଧହୁଏ ଅନୁମତି ଦେଇପାରୁନି । ତାଙ୍କ ଉପରେ ଏ ପୁରାଘରଟି ନିର୍ଭରକରେ । ଆଉ ସେସବୁକୁ ଅଣଦେଖା କରି କେମିତି ଚାଲିଯିବେ ସେ ? ତାଙ୍କ ଭିତରର ମାନବିକତା କ’ଣ ମରିଗଲାଣି ?

ଏସବୁ ଘଟଣା ଓ ଦୁର୍ଘଟଣା ଭିତରେ ତା ଅତିନିଜର ଜେଜେମା’ଟି ଦିନକୁଦିନ ଦୁର୍ବଳ ହୋଇପଡିଲାଣି । ତାର ଖାଇବା ପିଇବା ଧୀରେ ଧୀରେ ବନ୍ଦ ହୋଇ ଆସିଲାଣି । ଡାକ୍ତର କହୁଛନ୍ତି ମାନସିକ ଚାପ ଓ ବାର୍ଦ୍ଧକ୍ୟ ତାଙ୍କୁଦୁର୍ବଳ କରିପକାଇଛି ଏମିତି ଅତର୍କିତ ଭାବେ । ଅବଶ୍ୟ ବୟସ ବଢିଛି । ତେବେ ଲୀନାର ଚିନ୍ତା ତାକୁ ଆଉରି ବେଶୀ ଅସହାୟ ଓ ବୟସ୍କ ବନାଇଦେଇଛି । ଚାହୁଁଚାହୁଁ ସେ ବିଛଣାରେ ନେସିହୋଇଗଲାଣି । ଉଠିବାକୁ ଆଉ ବଳନାହିଁ । ଦିନକୁଦିନ ସେ ଭାଙ୍ଗିପଡୁଛି ଅସହାୟତାରେ! ମନ ଓ ଶରୀର ଉଭୟ ରୁଗ୍‌ଣ ପାଲଟିଯାଇଛନ୍ତି । ଲୀନା ଆସି ସାହାରାଦେଲେ ସେ ଉଠିକି ବସୁଛି ବିଛଣାରେ । କେବେକେମିତି ମନଭୁଲାଇବାକୁ ଜେଜେମାଆ ଠାକୁରଘରକୁ ଯାଉଛି । ମାଲିକାଣୀଙ୍କ ପାଖରେ ବସି ଗୀତା, ଭାଗବତ ଶୁଣୁଛି । ସେଇଠି ଠାକୁରଙ୍କ ଗାଥା ଶୁଣୁଶୁଣୁ ପୁଣି ଢୁଳାଇ ପଡୁଛି । ସତେଯେପରି ବାର୍ଦ୍ଧକ୍ୟ ତାକୁ ନିଜ କବ୍‌ଚାଭିତରକୁ ନେଇଗଲାଣି । ସେଥିପାଇଁ ସେ ଆଗଭଳି ମାଲିକାଣୀଙ୍କୁ ଘସିମାଜିପାରୁନି । ଖାଲି ତାର ଶିରାଳ ହାତରେ ଆଉଁସି ଦେଉଛି ଯାହା ! ମାଲିକାଣୀ ବି ତାର ଏ ବିପର୍ଯ୍ୟସ୍ତ ଅବସ୍ଥାଦେଖି ଥାଉ ଥାଉ ବୋଲି କୁହନ୍ତି । ଆଜି ସେ ଏମିତି ଉପରକୁ ଚାହିଁକି ପଡିଛି ଯେ ପଡିଛି । ସୋର ଶବ୍ଦ କିଛିନାହିଁ ତାର । ତା କଥାଶୁଣି ସାନବାବୁ ଯାଇଥିଲେ ପାଖକୁ । ତା ପାଖରେ ବସି ତାକୁ ଆସ୍ତେକରି ଡାକିଲେ-ଧାଈମା’ଉଠ । ତୁମେ ଏମିତି ଶୋାଇଲେ ଭଲଲାଗୁନି । ତୁମକୁ ସବୁବେଳେ ଏପଟସେପଟ ହେବାର ଦେଖିଲେ ଶାନ୍ତି ଲାଗେ । ତୁମେପରା ଆମମାନଙ୍କ ଶକ୍ତି । ଏମିତି ପଡିରହିଲେ ଆମେ ବଳକେଉଁଠୁ ପାଇବୁ ? କେମିତି ଲାଗୁଛି ଦେହ ? ଡାକ୍ତରଙ୍କ ପାଖକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବା । ଜେଜେମା’ ମୁହଁବୁଲାଇଲା ଲୀନାଆଡେ-ଖାଲି ଏ ପାଗେଳୀଟା..କଥା । ଆଉକିଛି କହି ପାରିଲାନି ସେ । ସାନବାବୁ କହିଲେ-ମୁଁ ପରା ତା ଦାୟିତ୍ୱ ନେଇଛି । ତୁମେ କାହିଁକି ଅଯଥାଟାରେ ବ୍ୟସ୍ତହେଉଛ ଧାଈମା’ । ଜେଜେମା’ କିନ୍ତୁ ତା ମନ କଥାଟି ଠିକ୍‌ରେ ପ୍ରକାଶ କରିପାରିଲାନି । ସେତକ ବି ସେ ଆଉପାରୁନି । ଭଲକରି ନିଜକଥା ବୁଝାଇପାରୁନି । ଖାଲି ଅସହାୟ ମୁଦ୍ରାରେ ଚାହିଁରହୁଛି ।

କିଛିଦିନ ପରେ ସେତିକି ବି କହିଲାନି । ଏମିତି ଚାହିଁଛି ଯେ ଚାହିଁଛି..ପୁରାପୁରି ବିବାକ୍ ପାଲଟିଯାଇଛି! ନିଶ୍ୱାସ ପ୍ରଶ୍ୱାସ ବି ଚାଲୁନି । ନାଡିର ଗତିନାହିଁ । ତା ଦେହ ଥଣ୍ଡାଲାଗୁଛି । ଲୀନା ଥରିଉଠିଲା ଭୟରେ । ଜେଜେମା’..ଜେଜେମା’ ଡାକରେ ସେ ନିଶୂନ୍ ରାତିଟା ବଡବିକଟ ରଡିକଲା । କେତୋଟା ନିଦୁଆ ଚଢେଇ ଡେଣା ଫଡ୍‌ଫଡ୍ କରି ଉଡିଗଲେ ମୁଣ୍ଡଉପରେ । ରାତିଟା ବି ଭୟରେ ଆହୁରିବେଶୀ କଳାପଡିଗଲା ଯେମିତି! ଆକାଶ ଲୁହର ବୁନ୍ଦା ଢାଳିଲା ଘାସଗାଲିଚାରେ । ହଁ ଜେଜେମା’ ଚାଲିଗଲା ତାର ସମସ୍ତ ଚିନ୍ତାଚେତନା ଓ ଦୁର୍ଭାଗ୍ୟକୁ ମୁଣ୍ଡାଇ । ଲୀନାକୁ ସୁଖୀ ଭବିଷ୍ୟତ ଦେବାର ସମସ୍ତଚେଷ୍ଟା ତାର ବିଫଳହେଲା । ଜୀବନଟାଯାକ ତାକୁ ଏମିତି ସରିବାକୁ ଥିଲା ଆଉ ସେ ଯେମିତି ଶୂନ୍ୟହସ୍ତରେ ଆସିଥିଲା, ସେମିତି ଚାଲିଗଲା । ହୁଏତ ମୁକ୍ତିପାଇଗଲା ସମସ୍ତଚିନ୍ତାରୁ । ହେଲେ ଲୀନାଟା ଯେ ଅନାଥିନୀ ପାଲଟିଗଲା । କାହା କୋଳରେ ସେ ଆଉ ମୁହଁଗୁଞ୍ଜି କାନ୍ଦିବ । କିଏ ତାକୁ ଆଦେଶ କଲାଭଳି କହିବ ଖାଇବାକୁ । କିଏ ତାଗିଦ୍‌କରିବ ମୁଣ୍ଡକୁଣ୍ଡାଇ ଗାଧୋଇବାକୁ । କିଏ ତାର ଅଜସ୍ର ଚିନ୍ତାମାନଙ୍କୁ ମୁଣ୍ଡାଇ ଚାଲୁଥିବ ତା ସହିତ ଜୀବନରାସ୍ତାରେ ? ସେ ତାର ଏକାନ୍ତ ନିଜରଲୋକଟିକୁ ହଜାଇଦେଲା ଆଜି ସମୟର ମଝିଧାରରେ । ଏବେ କଣକରିବ ସେ? କୋଉଠି ମୁଣ୍ଡ ଗୁଞ୍ଜିବ ? କାହାକୁ ନିଜର ଭାବିବ ? ଏମିତି ଅଜସ୍ରଚିନ୍ତା .। ସାନବାବୁ ମୁଖାଗ୍ନିଦେଲେ ତାକୁ । ସେ ଏଥର ନିଶ୍ଚିନ୍ତରେ ମୁକୁଳିଯାଇଥିବ ସ୍ୱର୍ଗକୁ । ମାଲିକ ଓ ମାଲିକାଣୀ ବି ତା ପାଇଁ ଶୁଦ୍ଧିକ୍ରିୟା କଲେ । ଦିନାକେତେ ଲୀନାକୁ କାମରୁ ଅବ୍ୟାହତି ମିଳିଲା । ତା’ର ଆଜିକାଲି ଆଉ ପାଦରେ ଶକ୍ତିନଥିଲା କି ମନରେ ଇଚ୍ଛାନଥିଲା ବଞ୍ଚିବାର । ଜେଜେମା’ ସହିତ ସବୁସୁଖ ଚାଲିଯାଇଛି । ପ୍ରକୃତରେ ସେ ଜେଜେମା’କୁ ଏତେ ଭଲପାଉଥିଲା ? ଅଥଚ ଆଜିଯାଏଁ ଅନୁଭବ କରିପାରି ନଥିଲା । ତାର ମୃତ୍ୟୁ ସେତକ ଜଣାଇଦେଲା ।

ଆଜିକାଲି ତା ଓଠରେ ହସ ନାହିଁ । ବଞ୍ଚିବାର ଇଚ୍ଛା ନଥିଲା କିମ୍ବା ମୃତ୍ୟୁ ନିକଟକୁ ଆସିବାର ଇଚ୍ଛା ପ୍ରକଟ କରୁନଥିଲା । ଜେଜେମା’ ପରେ ମାଲିକାଣୀ ତା କଥା ବୁଝୁଥିଲେ । ହେଲେ ମାସକେଇଟା ଭିତରେ ସେ ବି ଆରପାରିକୁ ଚାଲିଗଲେ । ଏମିତିରେ ଅନେକ ରୋଗ ତାଙ୍କୁ ଆବୋରି ବସିଥିଲା । ହାଇ ବ୍ଲଡ୍‌ପ୍ରେସର୍ ସାଙ୍ଗକୁ ହାର୍ଟବେମାରୀ ବି ଥିଲା । ଜେଜେମା’ ବିନା ବଞ୍ଚି ଶିଖିନଥିବା ମାଲିକାଣି ଜେଜେମା’କୁ ଖୁବ୍ ଝୁରି ହେଉଥିଲେ । ତାଙ୍କରି ପାଇଁ ଜେଜେମା’ ଅନ୍ୟତ୍ର ବିବାହନକରି ରହିଗଲା ଓ ସେ ତା ପ୍ରତି ଅନ୍ୟାୟ କରିଛନ୍ତି ଭାବି ବିଳପି ଉଠୁଥିଲେ ମଝିରେ ମଝିରେ । ପୁଣି ପୁଅର ସୁଖସଂସାର ଚିନ୍ତାରେ ସେ ମୃତ୍ୟୁ ବରଣ କଲେ । ସାନମାଲିକାଣୀ ଆସି ଦିନକେଇଟା ରହି ପୁଣିଚାଲିଗଲେ ଦିଲ୍ଲୀ । ମାଲିକାଣୀ, ବୋହୂ ଓ ପିଲାମାନଙ୍କୁ ଝୁରିଝୁରି ମାଲିକ ବି ଖୁବ୍‌ ବେଶୀରେ ବର୍ଷ ଗୋଟାଏ ବଞ୍ଚି ରହିଲେ । ପୁଅର ଦୁଃଖ ତାଙ୍କୁ ଅବେଳରେ ଟାଣିନେଇଗଲା ଆରପାରିକୁ । ମୁଖ୍ୟତଃ ସାନବାବୁଙ୍କ ଦୁଶ୍ଚିନ୍ତାରେ ମାଲିକ ଓ ମାଲିକାଣୀ ଇହଧାମ ତ୍ୟାଗ କରିଥିଲେ । ହୁଏତ ତାଙ୍କ ସୁଖଦେଖି ଆଉକିଛି ବର୍ଷ ବଞ୍ଚି ରହିଥାନ୍ତେ । ଜାଆଁଳା ନାତୀନାତୁଣୀଙ୍କୁ ଦେଖି ମଉଳାଗଛରେ ପାଣିପଡିବା ପରି ଜୀଇଁଉଠିଥାନ୍ତେ ! ସେମାନଙ୍କ ସହିତ ଛୋଟପିଲାହୋଇ ଢେର୍‌ ଖେଳି ମନତଳର ଓରମାନ୍ ମେଣ୍ଟେଇ ଥାନ୍ତେ । ହେଲେ ସେ ଭାଗ୍ୟ ବି ଜୁଟିଲାନି । ସୁଖକୁ ବିକଳଭାବରେ ଚାହିଁଚାହିଁ ଆଖିରୁ ପାଣି ମଲା । ହେଲେ ସୁଖ ସେମାନଙ୍କ ଏରୁଣ୍ଡି ବନ୍ଧ ଡେଇଁ ଭିତରକୁ ଆସିପାରିଲାନି । ନିଜର ଏକମାତ୍ର ପୁଅଟିର ସୁଖସଂସାରକୁ ସେ ଦେଖିବାର ସୌଭାଗ୍ୟ ପାଇପାରିଲେନି । ଇଏ କଣ ଭାଗ୍ୟର ବିଡମ୍ବନା ନୁହେଁ କି? କି ବେଳାରେ ସେ ଏକମାତ୍ର ଅଲିଅଳ ପୁଅକୁ ବାହା କରିଥିଲେ ଯେ ଘର ଆଜି ଲକ୍ଷ୍ମୀଛଡା । ସୁଖ ସାତସମୁଦ୍ରତଳର ଫରୁଆ ଭିତରେ ବନ୍ଦୀ । ଏସବୁ ନୀରବଝଡକୁ ଛାତିରେ ଜଡାଇ ସେମାନେ ତଥାପି ଜୀଇଁଚାଲିଛନ୍ତି । ହେଲେ କେତେଦିନ..ଏଭଳି ନିରୁତ୍ସାହିତ ଜୀବନଟେ ବଞ୍ଚୁଥିବେ । ସକାଳ ହେଉଥିବ ଅଥଚ ତାଙ୍କ ପାଇଁ କିନ୍ତୁ ପ୍ରକୃତରେ ଶୁଭସୂର୍ଯ୍ୟ ଉଦିତ ହେଉନଥିବେ । ରାତିର ଅନ୍ଧକାରକୁ ଭୟକରୁଥିବେ ସେମାନେ କାରଣ ଏହି ଅନ୍ଧକାର ତାଙ୍କ ଜଡତା ଓ ବିବସତାକୁ ମନେ ପକାଇଦେଉଥିବ । ଅନ୍ଧକାରର ଅସହାୟତା ନେସିହୋଇଯାଉଥିବ ମନତଳେ । ସେମାନେ ମରିବାକୁ ଇଚ୍ଛାକରୁଥିବେ । ଅଥଚ ମୃତ୍ୟୁ ଆସୁନଥିବ । ଜୀବନଟିଏ ଚାହୁଁଥିବେ ହେଲେ ମୁକ୍ତବାୟୁର ପ୍ରବେଶ ଧାରାଟି ବ୍ୟାଘାତ ହେଉଥିବ । ଏଭଳି ଶଙ୍କାକୁଳ ମନଟିଏ ନେଇ କେତେକାଳ ବା ବଞ୍ଚିବେ ଦୁର୍ଭାଗ୍ୟ ସହିତ ସଂଗ୍ରାମ କରି ? ହୁଏତ ଗୋଟେ ସମୟରେ ସେମାନେ ଆଉ ପାରିନଥିବେ । ମୁକାବିଲାର ସାମର୍ଥ୍ୟ ଆଉନଥିବ ପାଖରେ ! ପୁନଶ୍ଚ ଆଉ ଏକ ଦୁଃଖ ସେମାନଙ୍କୁ ନୂଆକରି ଘାରୁଥିବ । ପାର୍ବତୀ ପ୍ରତି ଅନ୍ୟାୟ କରିଥିବା ପଶ୍ଚାତାପରେ ହୁଏତ ସେମାନେ ଆହୁରି ବେଶୀ ଦୟନୀୟ ହୋଇପଡିଥିବେ । ତାପରେ ଲିଭିଯାଇଥିବ ଦୀପଦୁଇଟି । ବାସ୍…ଅନ୍ଧକାର ବ୍ୟାପିଯିବ ଚାରିଆଡେ । ମାୟା ମୃଗ ପଛରେ ଧାଇଁ ଧାଇଁ ସେମାନେ ନିଜକୁ ଠକିବାର ଚେଷ୍ଟାରୁ ପାଇଯାଇଥିବେ ମୁକ୍ତି । ହେଲେ ଲୀନା ମନତଳେ ପ୍ରଶ୍ନ..ଜେଜେମାଆ ଗଲାବେଳେ କ’ଣ ଅଭିଶାପଟିଏ ଦେଇଯାଇଥିଲା ସେମାନଙ୍କୁ ? ନିଜର ଅମୂଲ୍ୟ ଜୀବନକୁ ସଠିକ୍ ଭାବେ ବଞ୍ଚିପାରିନଥିବାର ଦୁଃଖରେ ସନ୍ତୁଳିହୋଇ ସେ ତାହେଲେ କ’ଣ ବିପର୍ଯ୍ୟୟଟିଏ କାମନା କରିଥିଲା ଏ ଘରପାଇଁ ? ନହେଲେ କାହିଁକି ଏତେବଡ ବାତ୍ୟା ଏ ଅଟ୍ଟଳିକାରେ, କାହିଁକି ଏ ଅସହ୍ୟ ନୀରବତା..? ଯଦିଓ କୌଣସି ପ୍ରାଚୁର୍ଯ୍ୟ ଓ ଐଶ୍ୱର୍ଯ୍ୟର ଅଭାବନାହିଁ ! ଜେଜେମାଆର ଅସନ୍ତୋଷ କ’ଣ ଏ ଘରର ମୂଳଦୂଆକୁ ଭାଙ୍ଗିପକାଇଛି ? ତା ନିଶ୍ୱାସରେ କ’ଣ ଦୋହଲି ଯାଇଛି ଏ ଘରର ମୂଳଦୁଆ ? ହେଲେ ସେ କଣସାନବାବୁଙ୍କୁ ଅଭିଶାପ ଦେଇପାରିବ ? ନା ତା ଜୀବନବ୍ୟାପି ଅସନ୍ତୋଷର ଜ୍ୱାଳା ମାଲିକ ଓ ମାଲିକାଣୀଙ୍କୁ ସ୍ପର୍ଶ କରିଯାଇଥିବ କୁହୁଡିଭଳି । ଯେଉଁଥିରେ ନିଜ ଅଜାଣତରେ ଆକ୍ରାନ୍ତ ହୋଇପଡିଥିବେ ସାନବାବୁ । ସେ ଯେପରି ଏକାଟିଆ ଜୀବନକୁ ବିତାଇଦେଇଥିଲା, ଆଜି ସାନବାବୁ ବି ସେମିତି ଏକାଟିଆ ତାଙ୍କ ଜୀବନରାସ୍ତାରେ । ମାଲିକ ଓ ମାଲିକାଣୀଙ୍କ ଜୀବନଦୀପ ବି ଏକାଟିଆହୋଇ ଜଳିଜଳି ଲିଭିଯାଇଥିଲା । ସଂସାର ଥାଇ ବି ଏକାକୀ ଜୀବନକୁ ବିତାଇଥିଲେ ସେମାନେ । ଗହଳ ଚହଳରସ୍ୱର ତାଙ୍କପାଇଁ ସାତସ୍ୱପ୍ନ ପାଲଟି ଯାଇଥିଲା । କଥା କହିବାର ଓ ଶୁଣିବାର ସମସ୍ତ ଶକ୍ତିଥାଇ ବି ସେମାନେ ମୂକ ଓ ବଧିର ପାଲଟିଯାଇଥିଲେ । ଲୀନାଭାବେ ବେଳେବେଳେ କାହିଁକି ଏମିତି ହେଲା ? ଏପରି ନହୋଇଥିଲେ କେତେ ଭଲହୋଇଥାନ୍ତା ? ସାନବାବୁ ତାଙ୍କ ସଂସାରରେ ସୁଖୀଥାନ୍ତେ । ମାଲିକ ଓ ମାଲିକାଣୀ, ଜେଜେମାଆ ବି ସେହି ସୁଖରେ ଆଉରିକିଛିଦିନ ବଞ୍ଚି ପାରିଥାନ୍ତେ । ବିଧିରନିର୍ଦ୍ଧେଶ କଣ ତାହେଲେ ଏଇଆଥିଲା ? ସମସ୍ତଂକୁ କ୍ରୂରଭାବରେ ଏକାକୀକରିଦେଇ ବେସାହାରା ବନାଇ କି ସୁଖ ପାଇଲେ ଈଶ୍ୱର ? ବେଳେବେଳେ ଦୁଃଖଯନ୍ତ୍ରଣା, ଉଚିତ୍ଅନୁଚିତ୍ ଭିତରେ ସନ୍ତୁଳିହୁଏ । ଖୁବ୍ ରାଗହୁଏ ଭାଗ୍ୟ ଓ ଭଗବାନ୍‌ଙ୍କ ଉପରେ । କାହିଁକି ଭଲ ଲୋକମାନେ କଷ୍ଟ ପାଆନ୍ତି ?

ମନିଷା ଜାଣିସାରିଥିଲା-ନା ଆଉନୁହେଁ । ଅନିମେଶ୍ ଭଳି ମଣିଷମାନଙ୍କୁ ବଦଳାଇହୁଏନି ଏମିତି ଭାବରେ । ଯଥାସାଧ୍ୟ ଚେଷ୍ଟାକରିଥିଲା ସେ ବିବାହ ପରଠାରୁ । ହେଲେ ସେ ଆଜି ପରାଜିତା! କାରଣ ଅନିମେଶ୍‌ଙ୍କ ମତରେ-ଏଠି ଠିକ୍ ଭାବେ ପିଲାମାନଙ୍କ ଦାୟିତ୍ୱ ନିଆ ଯାଇପାରୁନି । ସମସ୍ତେ ଧାଈମାଆଙ୍କ ଭଳି ଉତ୍ସର୍ଗୀକୃତ ନୁହଁନ୍ତି । ଏଠିକାର କେୟାର୍‌ଟେକର୍‌ମାନେ ଟଙ୍କାଲୋଭରେ ପଡି ପିଲାମାନଙ୍କ ଦାୟିତ୍ୱ ନେଉଛନ୍ତି ! କିନ୍ତୁ ସେମାନଙ୍କୁ ସ୍ନେହ, ଆଦର ଦରକାର । ଏସବୁ ଜେଜେବାପା ଓ ଜେଜେମାଆମାନେ ହିଁ କରିପାରିବେ । ସେମାନେ ହିଁ କୁନିକୁନି ପିଲାମାନଙ୍କ ଅଭାବ ଅସୁବିଧାମାନଙ୍କୁ ଠିକ୍ ସମୟରେ ଠଉରେଇନେଇ ପାରିବେ । ଫେରିଚାଲ ମନିଷା ! ଆମେ ଆମଘରକୁ ଫେରିଯିବା । ସେଠାରେ ଗୋଟେ ସଂପୂର୍ଣ୍ଣଘରଟିଏ ପଡିଛି । ଆତୁରତାର ସହିତ ସମସ୍ତେ ଅପେକ୍ଷାକରିଛନ୍ତି ! ତୁମକୁ ଓ ପିଲାମାନଙ୍କୁ ଝୁରିହେଉଛନ୍ତି ! ହେଲେ ମନିଷା ପ୍ରତ୍ୟାଖ୍ୟାନ କରିଦେଇଥିଲା ଅନିମେଶ୍‌ଙ୍କ ଅନୁରୋଧକୁ । ପ୍ରକୃତରେ ସେ କ’ଣ କେବେ ମାଆଟିଏ ହୋଇ ମାତୃତ୍ୱର ଆବେଗରେ କୋଳେଇନେଇଛି ସେ ପିଲାଦୁଇଟିଙ୍କୁ ? ଦେହର ଅମୃତ ଝରାଇଦେଇଛି ସେମାନଙ୍କ କ୍ଷୁଧିତ ମୁହଁରେ ? ସେ କଣ ନାରୀ ରୂପରେ ପୂର୍ଣ୍ଣା ? ଯେଉଁମାନେ ଦୁହିତା, ବୋହୂ, ସ୍ତ୍ରୀ ଓ ମାଆ ଭୂମିକାରେ ବାରମ୍ବାର ରୂପାନ୍ତରିତ ହେଉଥାନ୍ତି ? ତ୍ୟାଗପୂତ ଜୀବନଟିଏ ଜୀଇଁ ସୁଖୀ ଅନୁଭବ କରୁଥାନ୍ତି ! ନିଜର ମନକୁ ମାରି ଅନ୍ୟକୁ ସୁଖ ବାଣ୍ଟି ଚାଲିଥାନ୍ତି ! ପ୍ରକୃତରେ ସେ ଭିନ୍ନ ପ୍ରବୃତ୍ତିର ମଣିଷ, ଯିଏ ଅହରହ ସୁଖସୁବିଧା ପଛରେ ଧାଏଁ । ଅନ୍ୟମାନଙ୍କ ଅପେକ୍ଷା ନିଜକୁ ପ୍ରାଧାନ୍ୟ ଦିଏ । ସେ ପରିବାର ଭିତରେ ଆବଦ୍ଧ ହୋଇପାରିବନି ବେଶୀକାଳ । କିଛିକାଳ ସେ ଚେଷ୍ଟା କରିଥିଲା ଅନିମେଶ୍‌ଙ୍କ ପାଇଁ । ହେଲେ ନିଜପ୍ରକୃତିକୁ ଅଣଦେଖା କରିପାରିଲାନି ସେ । ପୁଣି ସେ କାଳିମା ଘୋଟିଆସିଲା ତା ଜୀବନରେ । ଆଉ ସେ ପାଲଟିଗଲା ପୁରୁଣା ମନିଷା ଓବେରୟ, ଯେ ଅନ୍ୟମାନଙ୍କ ସହିତ ଅହରହ ଖେଳିଛି । ଦେହକୁ ବାଣ୍ଟିଛି ଅନ୍ୟମାନଙ୍କ ସହିତ । ତା ଭିତରେ ସେ ପବିତ୍ରତା କାହିଁ ଯାହା ଅନିମେଶ୍‌ଙ୍କୁ ଆକୃଷ୍ଟ କରେ ! ତା ଭିତରେ ସେ ସଂସ୍କୃତି ଓ ବିଚାରବୋଧ କାହିଁ ଯାହା ଅନିମେଶ୍‌ଙ୍କୁ ବାନ୍ଧିରଖେ ! ସ୍ନେହତ୍ୟାଗ ଓ ପ୍ରେମର ସେ ସ୍ୱର୍ଗୀୟ ଅନୁଭୂତିକୁ ଅନିମେଶ୍ ତା ଭିତରେ ଅହରହ ଖୋଜି ହୁଅନ୍ତି ! ସତରେ,ସେ ଅନିମେଶ୍‌ଙ୍କୁ ଠକିଛି ତାଙ୍କୁ ପାଇବା ଲୋଭରେ ପଡି ! ସେ ସାରା ଜୀବନ ଛଟପଟ ହେଉଛନ୍ତି ମୃତ୍ୟୁକାଳୀନ ଯନ୍ତ୍ରଣାରେ । ସେ ମୁକ୍ତହେବା ଜରୁରୀ । ସ୍ୱାଧୀନଭାବେ ବଞ୍ଚିବାର ଅଧୀକାର ଅଛି ତାଙ୍କର । ସେ ତାଙ୍କୁ ଜାଣିଜାଣି ଏମିତି ଉଜାଡିଦେଇପାରିବନି । ସେ ମନତଳେ ତାଙ୍କୁ ହିଁ ଭଲପାଏ । ଆଉ ତା ସହିତ ବେଶୀ ଭଲପାଏ ତାର ସ୍ୱାଧୀନତା ଓ ଅତ୍ୟାଧୁନିକତାକୁ । ଏମାନଙ୍କୁ ଏକତ୍ର ଜୀଇଁହେବନି । ଅନିମେଶ୍‌ଙ୍କ ସହିତ ସେ ଖୁସିରେ ବଞ୍ଚିପାରନ୍ତା । ହେଲେ ତାଙ୍କ ଭିତରେ ଅସ୍ଥିର ଆବେଗ । ସତେ ଯେପରି ତା ଭିତରେ ସେ ଆଉ କାହାକୁ ଅନ୍ୱେଷଣ କରୁଛନ୍ତି !

ତା’ପରେ

ଲୋକପ୍ରିୟ ଲେଖା

To Top