ଉପନ୍ୟାସ

ପ୍ରତୀକ୍ଷା

T.Durga Prasad Rao's Odia Novel Pratikshaa

ଗୋଟିଏ ପଟେ ମାଓବାଦୀଙ୍କ କାର୍ଯ୍ୟକଳାପ ଆଉ ଗୋଟେ ପଟେ ଆପଣା ସ୍ୱାର୍ଥ ସାଧନ ପାଇଁ ଖଳନେତାଙ୍କର କୁତ୍ସିତ ରାଜନୀତି ସମାନ୍ତରାଳ ଭାବରେ ଏ ରାଜ୍ୟ ତଥା ଦେଶର ପ୍ରଭୁତ କ୍ଷତି ସାଧନ କରି ଚାଲିଛି।

ପ୍ରତୀକ୍ଷା

ରାତି ପ୍ରାୟ ଦଶଟା ହେବ।

କୋରାପୁଟ ବସଷ୍ଚାଣ୍ଡ୍ ଏ.ଟି.ଏମ୍.ରୁ ଟଙ୍କା ଉଠାଇ ମୁଖ୍ୟ ରାସ୍ତା ଉପରକୁ ଆସିଛି ହଠାତ୍ ଗୋଟିଏ ଆମ୍ବାସାଡ଼ାର୍ କାର୍ ଦୃତ ଗତିରେ ଆସି ଜଣେ ପଥଚାରୀକୁ ଧକ୍କା ଦେଇ ଚାଲିଗଲା। ଲୋକଟା ଶୂନ୍ୟରେ କିଛି ସମୟ ଉପରକୁ ଉଠି ରାସ୍ତା କଡ଼କୁ କଚାଡ଼ି ହୋଇ ପଡ଼ିଲା। ଏମିତି ଏକ ଆକସ୍ମିକ ଘଟଣାରେ ମୁଁ ହତବମ୍ବ ହୋଇଗଲି। ଦୁର୍ଘଟଣା ପରେ ମଧ୍ୟ କାର୍‌ର ଗତି ମନ୍ଥର ନ ହୋଇ ବରଂ ଦୃତରୁ ଦୃତତର ହେଉଥିଲା। କଥାଟା ଏତେଶୀଘ୍ର ଘଟିଗଲା ଯେ କେହି କିଛି ବୁଝିପାରିବା ପୂର୍ବରୁ କାର୍ ଆଖି ସାମ୍ନାରୁ ଅଦୃଶ୍ୟ ହେବାରେ ଲାଗିଥିଲା। ମୁଁ ଯଥାଶୀଘ୍ର ମୋର ପଞ୍ଜାବୀ ପକେଟ୍‌ରୁ ଡିଜିଟାଲ୍ କ୍ୟାମେରାଟା ବାହାର କରି ସେଇ ସ୍ୱଳ୍ପ ଆଲୁଅରେ ପଛଭାଗରୁ କାର୍‌ର ଏକ ଚିତ୍ର ଉତ୍ତୋଳନ କଲି।

କୋରାପୁଟ ପରି ଛୋଟ ଏକ ସହରରେ ରାତି ଦଶଟା ପରେ ରାସ୍ତା କିଛିଟା ଜନଶୂନ୍ୟ ହୋଇଯାଏ। କେତୋଟି ହୋଟେଲ୍ ଓ ପାନ ଦୋକାନକୁ ଛାଡ଼ିଦେଲେ ଦୋକାନ ବଜାର ପ୍ରାୟ ବନ୍ଦ ହୋଇ ସାରିଥାଏ। କେବଳ ବସ୍‌କୁ ଅପେକ୍ଷା କରିଥିବା କିଛି ଲୋକ ବସଷ୍ଟାଣ୍ଡରେ ଏପାଖ ସେପାଖ ହେଉଥାନ୍ତି। ରାସ୍ତା ଏ ପାଖରୁ ମୁଁ ଆହତ ଲୋକ ପାଖରେ ପହଞ୍ଚିବା ବେଳକୁ ଦଶ ବାର ଜଣ ଲୋକ ରୁଣ୍ଡ ହୋଇ ସାରିଥାନ୍ତି। ଜଣେ କନେଷ୍ଟବଳ ମଧ୍ୟ ଘଟଣା ସ୍ଥଳରେ ଆସି ପହଞ୍ଚିଲେ। ମୁଁ ଲକ୍ଷ୍ୟ କଲି ଲୋକଟାର ମୁଣ୍ଡକୁ ଖୁବ୍ ଜୋର୍‌ରେ ଆଘାତ ଲାଗି କ୍ଷତସ୍ଥାନରୁ ରକ୍ତ ଝରୁଛି। ଲୋକଟା ବେହୋସ ହୋଇ ପଡ଼ିଛି। ମୁଁ ଭିନ୍ନ ଭିନ୍ନ ସ୍ଥିତିରେ ଆହତ ଲୋକଟାର କେତୋଟି ସ୍ନାପ୍ ନେଇ ସାରି ଉପସ୍ଥିତ ଲୋକମାନଙ୍କର ପ୍ରତିକ୍ରିୟା ଲକ୍ଷ୍ୟ କଲି। ରୁଣ୍ଡ ହୋଇଥିବା ଲୋକଙ୍କ ମଧ୍ୟରୁ ଜଣେ ଦୁଇଜଣଙ୍କ କଥାବାର୍ତ୍ତାରୁ ଜଣା ପଡୁଥିଲା ସେମାନେ ଲୋକଟାକୁ ଚିହ୍ନନ୍ତି। ପଚରା ଉଚୁରା କରି ସେମାନଙ୍କ ଠାରୁ କିଛି ତଥ୍ୟ ବି ସଂଗ୍ରହ କଲି। ଇତିମଧ୍ୟରେ କନେଷ୍ଟବଳ ଜଣକ ପୋଲିସ୍ ହେଡକ୍ୱାର୍ଟର୍ ଓ ଆମ୍ବୁଲାନସକୁ ଫୋନ୍ କରି ସାରିଥିଲେ। କିନ୍ତୁ ଆମ୍ବୁଲାନସକୁ ଅପେକ୍ଷା କଲେ ଯେ ଲୋକଟାର ମୃତ୍ୟୁ ହୋଇ ଯାଇପାରେ। ମୁଁ କନେଷ୍ଟବଳଙ୍କୁ ସେହି ରାସ୍ତାରେ ଆସୁଥିବା ଗୋଟିଏ ଜିପ୍‌କୁ ଦେଖି ଅଟକାଇବାକୁ କହିଲି। ତାପରେ ଆମେ ଟେକା ଟେକି କରି ଲୋକଟିକୁ ହସପିଟାଲ୍ ପଠାଇବାର ବନ୍ଦୋବସ୍ତ କଲୁ।

ଗହଳି ତଥାପି କମି ନଥିଲା। ମୁଁ ସେ ଗହଳିରୁ ବାହାରି ଆସି କିଛି ଦୂରରେ ଠିଆ ହୋଇ ନେହାକୁ ଫୋନ୍ ଲଗାଇଲି। ଫୋନ୍ ରିଂ ହୋଇ ହୋଇ ବନ୍ଦ ହୋଇଗଲା। ମୁଁ ପୁଣି ଥରେ ଚେଷ୍ଟା କଲି। ଏଥର ବି କେହି ରିସିଭର୍ ଉଠାଇଲେ ନାହିଁ। ମୋବାଇଲ୍‌କୁ ପକେଟ୍‌ରେ ଭରି ପୁଣି ଥରେ ଘଟଣାସ୍ଥଳ ଆଡ଼େ ନଜର ପକାଇଛି ମୋବାଇଲ୍‌ଟା ବାଜି ଉଠିଲା। ନେହା ଫୋନ୍ କରିଥିଲା। କହିଲା – ମୁଁ ଟିକିଏ ବାଥରୁମ୍‌ରେ ଥିଲି ।

– ସଙ୍ଗେ ସଙ୍ଗେ ବସଷ୍ଟାଣ୍ଡ୍ ଆସ। ଗୋଟିଏ ଚାଞ୍ଚଲ୍ୟକର ଖବର। କହିଦେଇ ମୁଁ କନେକ୍ସନ୍ କାଟିଦେଲି।

ପ୍ରାୟ ଦଶମିନିଟ୍ ଭିତରେ ନେହା ଆସି ହାଜର। ସେହି ରକ୍ତାକ୍ତ ଘଟଣା ସ୍ଥଳରେ ପହଞ୍ଚି ତା ହାତର କ୍ୟାମେରା ତତ୍ପର ହୋଇ ଉଠିଥିଲା ବେଶ୍ କିଛି କ୍ଷଣ। ତାପରେ ତାର ସ୍କୁଟିରେ ଆମେ ହସପିଟାଲ୍‌ରେ ପହଞ୍ଚିଲୁ। ଖବର ନେବାରେ ଜଣାପଡ଼ିଲା ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଡାକ୍ତରଖାନାରେ ପହଞ୍ଚୁ ନ ପହଞ୍ଚୁଣୁ ଲୋକଟିର ମୃତ୍ୟୁ ହୋଇଯାଇଛି। ସେ ପର୍ଯ୍ୟନ୍ତ ତାର କେହି ଆତ୍ମୀୟସ୍ୱଜନ ପହଞ୍ଚି ନ ଥିଲେ। ମୃତ ଲୋକଟିର କେତୋଟି ସ୍ନାପ୍ ନେଇ ଆମେ ଅପେକ୍ଷା କଲୁ।

ନେହା କହିଲା – ଆଉ କିଛି କାମ ଅଛି କି?

ମୁଁ କହିଲି- ନା, ମୋତେ ଜଲ୍‌ଦି ଘରକୁ ଯିବାକୁ ହେବ। ମା ଆସି ପହଞ୍ଚିଛନ୍ତି। ମୋର ଅନେକ ରାତି ଯାଏଁ ବାହାରେ ବୁଲିବା ତାଙ୍କର ହଜମ ହେଉନାହିଁ।

– ଠିକ୍ କଥା। ଗାଁରେ ଏ ସମୟରେ ତ ଲୋକମାନେ ଗୋଟିଏ ନିଦ ଭାଙ୍ଗି ସାରିଥିବେ। ମା କେବେ ଆସିଲେ?

– ଦୁଇ ଦିନ ହୋଇଗଲା।

ନେହା କିଛି ସମୟ ଚୁପ୍ ରହି କହିଲା – ଏ ମାସର ଶାବରକ୍ଷେତ୍ର ପଢ଼ିଲ?

– ମାଓବାଦୀ ବିଷୟରେ ତ? ମୁଁ ଓଲଟା ପ୍ରଶ୍ନ କଲି ।

ନେହା ହସିଲା, କହିଲା – କେମିତି ହୋଇଛି?

– ଗତାନୁଗତିକ ଚିନ୍ତାଧାରାଠାରୁ ଟିକିଏ ଉର୍ଦ୍ଧ୍ୱରେ। ଏ ସମସ୍ୟାକୁ ଏମିତି କଲମ ଚାଳନା କିଛିଟା ନୂତନ ଦିଗ୍‌ଦର୍ଶନ ଦେଇପାରେ। କିନ୍ତୁ ଆମ ସରକାରୀ କଳର ଆଖିରେ ପଡ଼ିଲା ହେଲା।

– ସରକାରୀ କଳର ନିଦ ଭାଙ୍ଗିବାକୁ ହେଲେ ଏ ବିଷୟରେ ନିୟମିତ ଏଭଳି ଆର୍ଟିକିଲ୍‌ର ଆବଶ୍ୟକତା ରହିଛି। କେବଳ ଶାବରକ୍ଷେତ୍ରରେ ନୁହେଁ, ସବୁ ପତ୍ରପତ୍ରିକାରେ।

– କିନ୍ତୁ ଆଉ ଗୋଟିଏ କଥା ବି ମନେରଖ ନେହା। ଗୋଟିଏ ପଟେ ମାଓବାଦୀଙ୍କ କାର୍ଯ୍ୟକଳାପ ଆଉ ଗୋଟେ ପଟେ ଆପଣା ସ୍ୱାର୍ଥ ସାଧନ ପାଇଁ ଖଳନେତାଙ୍କର କୁତ୍ସିତ ରାଜନୀତି ସମାନ୍ତରାଳ ଭାବରେ ଏ ରାଜ୍ୟ ତଥା ଦେଶର ପ୍ରଭୁତ କ୍ଷତି ସାଧନ କରି ଚାଲିଛି। ତାହା ବନ୍ଦ କରିବାକୁ ହେଲେ କେବଳ ପତ୍ରକାରମାନଙ୍କର କଲମ ଚାଳନା ଯଥେଷ୍ଟ ନୁହେଁ।

– ଦୁଃଖ ତ ସେଇଠି ସମ୍ଭ୍ରମ୍। ଏ ଦେଶରେ ସମୁହ ସ୍ୱାର୍ଥ ନିମନ୍ତେ ସ୍ୱର ଉତ୍ତୋଳନକାରୀଙ୍କ ସଂଖ୍ୟା ଯଥେଷ୍ଟ କମ୍।

ନେହା କହିଲା – ଆଉ ଅପେକ୍ଷା କରି ଲାଭ ନାହିଁ। ଫେରିବା ଚାଲ। ତମେ ବର୍ତ୍ତମାନ ସୁଦ୍ଧା ରାତ୍ରିଭୋଜନ ସାରିନଥିବ। ମା ବି ତମକୁ ଅପେକ୍ଷା କରି ବିରକ୍ତ ହେଉଥିବେ। ତାଛଡ଼ା ଆଜିକାଲି ରାସ୍ତା ଦୁର୍ଘଟଣା ବି ଏତେ ମାତ୍ରାରେ ବଢ଼ିଗଲାଣି ଯେ ପ୍ରତିଦିନ ସହରର କେଉଁଠି ନା କେଉଁଠି ଗୋଟିଏ ଦୁର୍ଘଟଣା ନିଶ୍ଚୟ ଥିବ। ଏଇଟା ଆଉ ଚାଞ୍ଚଲ୍ୟକର ହୋଇ ରହିନାହିଁ।

– ତା ଅବଶ୍ୟ ସତ। ମୁଁ ଚାଲୁ ଚାଲୁ ଉତ୍ତର ଦେଲି। କିନ୍ତୁ ମୁଁ ଯାହା ଅନୁମାନ କରୁଛି ଦୁର୍ଘଟଣାଟା ଉଦ୍ଦେଶ୍ୟମୂଳକ ଭାବେ ହୋଇଛି। ଆସନ୍ତା କାଲି ସଠିକ୍ ଜଣା ପଡ଼ିଯିବ।

– ତମ ଅନୁମାନ ଯଦି ସତ ହୁଏ, ତାହେଲେ ଏଇଟା ଫ୍ରଣ୍ଟ୍ ପେଜ୍‌ର ଖବର ହୋଇପାରିବ। କିନ୍ତୁ ତମେ ଏତେ ଜୋର୍‌ଦେଇ କେମିତି କହିପାରୁଛ?

ମୁଁ ମୋର କ୍ୟାମେରାଟି ବାହାର କରି ନେହାକୁ କାର୍‌ର ସ୍ନାପ୍ ଦେଖାଇଲି। ନେହା ଉଚ୍ଛ୍ୱସିତ ହୋଇ ଉଠୁ ଉଠୁ ପୁଣି ଯେମିତି ନିରାଶ ହୋଇଗଲା। କହିଲା – ଏଥିରେ କାର୍‌ର ନମ୍ବର ତ ଭଲ ଭାବରେ ଦିଶୁନାହିଁ। ତମେ କମ୍ପ୍ୟୁଟରରେ ଲୋଡ୍ କରି ଦେଖିସାରିଲା ପରେ ମୋତେ ଜଣାଇବ ନିଶ୍ଚୟ ।

କଥାବାର୍ତ୍ତା ମଧ୍ୟରେ ସ୍କୁଟିଟି ଗୋଟିଏ ପରେ ଗୋଟିଏ ଲାଇଟ୍ ପୋଷ୍ଟ ପାର ହୋଇ ଆଗକୁ ଛୁଟି ଚାଲିଲା । ମୋ ଘରର ଫାଟକ ପାଖରେ ମୋତେ ଓହ୍ଲାଇ ଦେଇ ନେହା ଗୁଡ୍ ନାଇଟ୍ କହି ଚାଲିଗଲା ।

ତା’ପରେ

ଲୋକପ୍ରିୟ ଲେଖା

To Top