ଉପନ୍ୟାସ

ପ୍ରତୀକ୍ଷା

T.Durga Prasad Rao's Odia Novel Pratikshaa

ଏବେ ଯଦି ଉଠି ପଡ଼ି ସିଟ୍ ଯାଚନା କରେ, ତାହେଲେ ସାମ୍ନା ସିଟ୍‌ର ପିଲାଟି ବୋଧହୁଏ ମୋ ଶରୀରରୁ ଚରିତ୍ର ନାମକ ଖୋଳପାଟିକୁ ଏଇଠି ଉତ୍ତାରି ରଖିଦେବ ।

ପ୍ରତୀକ୍ଷା

-: ପୂର୍ବରୁ :-

କୋରାପୁଟ୍ ଷ୍ଟେସନରେ ପହଞ୍ଚିଲା ବେଳକୁ ଟ୍ରେନ୍ ଷ୍ଟେସନ ଛାଡୁଥାଏ । ମୁଁ ତରତରରେ କାଉଣ୍ଟର୍‌ରୁ ଟିକେଟ୍ ଖଣ୍ଡିଏ ନେଇ ଗୋଟିଏ ସାଧାରଣ ବଗି ଭିତରେ ପଶିଗଲି । ବଗିଟି ଅପେକ୍ଷାକୃତ ଫାଙ୍କା ଥିଲା । ଝରକା ପାଖ ସିଟ୍‌ଟାଏ ଅଧିକାର କରି ନେଇ ଗୋଡ଼ ଦୁଇଟାକୁ ସାମ୍ନା ସିଟ୍‌ ଉପରେ ରଖି ଟିକିଏ ଅଳସ ମାରିଲି । ବ୍ୟାଗ୍‌ରୁ ଇଣ୍ଡିଆ ଟୁଡେ ବାହାର କରି ପଢ଼ିବାରେ ମନୋନିବେଶ କଲି । କିଛି ସମୟ ଯାଇଛି କି ନାହିଁ କେହି ଜଣେ କହିଲା – ଏକ୍ସକ୍ୟୁଜ୍ ମି ।

ମୁଁ ଦେଖିଲି ଚୁଡ଼ିଦାର୍ ପରିହିତା ଜଣେ ଯୁବତୀ ସାମ୍ନା ସିଟ୍‌ରେ ବସିବା ପାଇଁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସାମ୍ନା ସିଟ୍‌ରେ ନିଜର ଗୋଡ଼ଦ୍ୱୟ ଲମ୍ବାଇ ମୁଁ ଭୁଲି ଯାଇଥିଲି । ସରି କହି ଗୋଡ଼ ଦୁଇଟାକୁ ମୁଁ ସଙ୍କୁଚିତ କରି ଆଣିଲି । ଯୁବତୀଟି ବସୁ ବସୁ ତାର ଭ୍ୟାନିଟି ବ୍ୟାଗ୍‌ଟିକୁ କାଖ ପାଖରୁ ଖସାଇ ଆଣି ପଚାରିଲା – ଆପଣ କେଉଁ ଯାଏଁ ଯିବେ।

– ବିଶାଖାପାଟନମ୍ । ମୁଁ ଉତ୍ତର ଦେଲି। ପଚାରିଲି – ଆଉ ଆପଣ ?

ଯୁବତୀଟି କେବଳ ମୁଣ୍ଡ ହଲାଇଲା ଅର୍ଥ ସେ ମଧ୍ୟ ବିଶାଖାପାଟନମ୍ ଯାଉଛି । ତାପରେ ମୁହଁ ଉପରକୁ ଲମ୍ବି ଆସିଥିବା କେତୋଟି ଅଲରା କେଶକୁ ଏକ ଅପୂର୍ବ କାଇଦାରେ ସଜାଡ଼ି ନେଲା । ମୁଁ ପୁଣି ଥରେ ମୁହଁ ଫେରାଇଲି ହାତରେ ଧରିଥିବା ମ୍ୟାଗାଜିନ୍‌ ଉପରକୁ।

ଗୋଟିଏ ଦୁଇଟି ଷ୍ଟେସନ୍‌ ପାର ହେବା ପରେ ଟ୍ରେନ୍‌ରେ ବସିବା ସ୍ଥାନ ସବୁ ପୂର୍ଣ୍ଣ ହୋଇ ଆସିଥିଲା । ମୁଁ ଝରକା ପାଖକୁ ଚିପି ହୋଇ ଯାଇଥିଲି । ଝରକାର ରେଲିଂରେ ହାତଭରା ଦେଇ ଆଖି ବୁଜିବାକୁ ଚେଷ୍ଟା କଲି । ନିଦରେ ଶୋଇଯିବାକୁ ନୁହେଁ ଅଯଥା ୟା ମୁହଁ ତା ମୁହଁକୁ ଚାହିଁବାରୁ ନିବୃତ୍ତ ହେବା ପାଇଁ । ଅବଶ୍ୟ ମୁଁ ଝରକା ଦେଇ ବାହାରକୁ ମଧ୍ୟ ଚାହିଁ ପାରିଥାନ୍ତି । କିନ୍ତୁ ସେମିତି ଦେଖି ଉପଭୋଗ କଲା ଭଳି କୌଣସି ଦୃଶ୍ୟ ନୂତନ ନ ଥିଲା । ଏ ରାସ୍ତା ମୋର ଚିର ପରିଚିତ । ଏ ରାସ୍ତାର ପାହାଡ଼ ପର୍ବତ, ବଣଜଙ୍ଗଲ ମୋର ଦେହ ସୁହା ହୋଇଯାଇଛି । ଏଣୁ ସଂପୂର୍ଣ୍ଣ ଚକ୍ଷୁମୁଦ୍ରିତ ନ କରି ଅର୍ଦ୍ଧମୁକୁଳା କରି ରଖିଥିଲି । ଯେମିତି ଜଣେ ଭାବିବ ମୁଁ ଶୋଇଯାଇଛି, ଅଥଚ ମୁଁ ଲକ୍ଷ୍ୟ କରୁଥିବି ମୋ ସାମ୍ନାରେ କିଏ ବସିଛି, କଣ କରୁଛି ।

ଯୁବତୀଟି ଝରକା ଦେଇ ଚାହିଁ ରହିଥିଲା ଦୂରକୁ ଆଉ ଦୁଷ୍ଟ ପବନ ଦୁଷ୍ଟାମି ଲଗାଇ ଦେଇଥିଲା ତାର ରେଶମ କେଶଗୁଚ୍ଛ ସହ । ଅନିୟନ୍ତ୍ରିତ କେଶ ତାର ସୁସୁରି ମାରି ଯେପରି ଖୁସି ମନରେ ଏଣେ ତେଣେ ଉଡୁଥିଲା । କେଶକୁ ସଜାଡ଼ିନେବା ଆଳରେ ଯୁବତୀର ଦୃଷ୍ଟି ବେଳେ ବେଳେ ପହଁରି ଆସୁଥିଲା ମୋ ଉପରେ । ମୋର ଚକ୍ଷୁ କିଛିଟା ମୁକୁଳିତ ହୋଇଗଲେ ସେ ଝଟ୍ କରି ମୁହଁ ଫେରାଇ ନେଉଥିଲା । ଯୁବତୀଟିର ହାବଭାବ ଓ ଚାହାଣୀରେ ମୁଁ ଖସି ଯାଇଥିଲି କେଇବର୍ଷ ତଳର ଅତୀତକୁ । ଅତଳ ସାଗରର ପୃଷ୍ଠଭାଗରେ ଶାମୁକା ଗର୍ଭରୁ ମୁକ୍ତା ସଂଗ୍ରହ କଲା ପରି ସାଉଁଟୁ ଥିଲି ଅତୀତର ପୃଷ୍ଠାରୁ ସ୍ମୃତିର କିଛି ଫର୍ଦ୍ଦ ।

ସେଦିନ ଏମିତି ଏକ ଟ୍ରେନ୍‌ରେ ପ୍ରଥମ ଦେଖା ହୋଇଥିଲା ଲୋପାମୁଦ୍ରା ସହ । ବ୍ରହ୍ମପୁର ଷ୍ଟେସନର ପ୍ଳାଟଫର୍ମରେ ଟ୍ରେନ୍‌କୁ ଅପେକ୍ଷା କରି ଗୋଟିଏ ବୁକ୍ ଷ୍ଟଲ୍ ନିକଟରେ ଠିଆ ହୋଇଥାଏ, ହଠାତ୍ କେତୋଟି ଝିଅ ଡକାଡକି ହୋଇ ମୋ ପାଖ ଦେଇ ଚାଲିଗଲେ। ମୋତେ ଲାଗିଲା ସନ୍ଧ୍ୟାର ଆଗମନରେ କିଛି ପକ୍ଷୀ ଯେମିତି ଡକାହକା ହୋଇ ନୀଡ଼ ଫେରୁଛନ୍ତି ଏବଂ ମୁଁ ତନ୍ମୟ ହୋଇ ସେମାନଙ୍କର କଳରବ ଶୁଣୁଛି । କେହି ଜଣେ କହିଲା – ଏଇ ଟ୍ରେନ୍ ଆସିଗଲା । ମୁଁ ମୋର ବ୍ୟାଗ୍‌ଟିକୁ କାନ୍ଧରେ ଓହଳାଇ ନେଇ ରେଲ୍‌ୱେ ଟ୍ରାକ୍ ପାଖାପାଖି ହୋଇ ଦେଖିଲି ଭୁବନେଶ୍ୱରକୁ ଉଦ୍ଦିଷ୍ଟ ଟ୍ରେନ୍‌ଟି ଘଣ୍ଟାଏ ବିଳମ୍ବରେ ହେଲେ ବି ଆସି ବ୍ରହ୍ମପୁର ଷ୍ଟେସନ୍‌ରେ ପହଞ୍ଚିଛି । ମୁଁ ସିଟ୍‌ଟିଏ ପାଇବା ଆଶାରେ ଦୌଡ଼ିଲି ପ୍ଳାଟଫର୍ମର ପଶ୍ଚାତ୍‌ ଭାଗକୁ । କାରଣ ଟ୍ରେନ୍‌ର ଦ୍ୱିତୀୟ ଶ୍ରେଣୀୟ ବଗି ସାଧାରଣତଃ ଟ୍ରେନ୍‌ର ସମ୍ମୁଖଭାଗ କିମ୍ବା ପଶ୍ଚାତଭାଗରେ ଥାଏ । ଠେଲାପେଲା ଭିତରେ ଟ୍ରେନ୍‌କୁ ଉଠି କୌଣସିମତେ ନିଜ ପାଇଁ ସିଟ୍ ଖଣ୍ଡେ ଯୋଗାଡ଼ କରିନେଲି । ବ୍ୟାଗ୍‌ଟିକୁ ଉପର ଲଗେଜ୍ କ୍ୟାରିୟର୍‌ରେ ରଖି ଦେଇ ସିଟ୍‌ରେ ଟିକେ ସଳଖ ହୋଇ ବସିବାକୁ ଯାଉଛି ଶୁଣିଲି ସେଇ ବିହଙ୍ଗୀନୀମାନଙ୍କର କଳରବ । ଚାହିଁ ଦେଖେ, ସେଇ ଝିଅମାନେ। ସିଟ୍‌ଟିଏ ପାଇବା ଆଶାରେ ଇତଃସ୍ତତଃ ହେଉଛନ୍ତି । ତାଙ୍କରି ମଧ୍ୟରୁ ଦୁଇଜଣ ମୁଁ ବସିଥିବା ସିଟ୍ ଓ ମୋ ସାମ୍ନା ସିଟ୍‌ରେ ଆଡଜଷ୍ଟ୍ ହୋଇ ବସିଲେ । ଆଉ ଜଣେ ସିଟ୍ ନ ପାଇ ଠିଆ ହୋଇ ରହିଲା ।

ମୁଁ ମୋ ସିଟ୍‌ରେ ବସି ମଝିରେ ମଝିରେ ସେମାନଙ୍କୁ ଲକ୍ଷ୍ୟ କରୁଥାଏ । ସବୁ ଝିଅଙ୍କର ମୁହଁ ଥିଲା ଆକର୍ଷଣୀୟ । ହେଲେ ଠିଆ ହୋଇଥିବା ଝିଅଟି ପରୀଟିଏ ପରି ଲାଗୁଥିଲା । ଏକକାଳୀନ ଅନେକ ସମୟ ଠିଆ ହୋଇ ଝିଅଟିର ବୋଧହୁଏ ଗୋଡ଼ କାଟୁଥିଲା । କାରଣ ମୁଁ ଲକ୍ଷ୍ୟ କଲି ସେ ଥରେ ତା ବାମ ଗୋଡ଼ ଉଠାଇ ଧରିଲା ବେଳେ ଆଉ ଥରେ ତା ଡାହାଣ ଗୋଡ଼କୁ ଉଠାଇ ରଖୁଛି । କିନ୍ତୁ ତାର ସାଙ୍ଗମାନଙ୍କର ସେ ଆଡ଼କୁ ନଜର ନ ଥିଲା । ସିଟ୍‌ ଖଣ୍ଡେ ଖଣ୍ଡେ ପାଇସାରିଲା ପରେ ତୃତୀୟ ଜଣକ ଠିଆ ହୋଇପାରୁଛି କି ନାହିଁ ଦେଖିବାକୁ ତାଙ୍କର ତର ନାହିଁ । କଥାବାର୍ତ୍ତାରେ ସଂପୂର୍ଣ୍ଣ ମସଗୁଲ୍ ହୋଇ ଉଠିଛନ୍ତି ।

ମୋ ସାମ୍ନା ସିଟ୍‌ରେ ବସିଥିବା ଦଶ ବାର ବର୍ଷର ପିଲାଟିଏ ମୋତେ ଖାଇଗଲା ପରି ଚାହିଁ ରହିଥିଲା । ମୁଁ ବୁଝି ପାରୁନଥିଲି ତାର ମୋ ଆଡ଼େ ଏପରି ଚାହିଁ ରହିବାର ଅର୍ଥ । କିଛି ସମୟ ତର୍ଜମା କଲା ପରେ ମୋର ମନେ ହେଲା ସେ ଯେମିତି ମୋର କାର୍ଯ୍ୟକଳାପକୁ ଅନେକ ସମୟ ହେଲା ଲକ୍ଷ୍ୟ କରି ଆସୁଛି । ମୋର ସେଇ ତିନି ଝିଅଙ୍କୁ ଘୂରିବା ତାକୁ ବୋଧହୁଏ ପସନ୍ଦ ହେଉନି । ସେ ନିଶ୍ଚୟ ଭାବୁଛି ଏହା ନିହାତି ଏକ ଖରାପ କଥା । ନିଜ ଚରିତ୍ରକୁ କଡ଼ାଗଣ୍ଡା ଏମିତି ନିଲାମ ହୋଇ ଯାଉଥିବା ଦେଖି ମୁଁ ନିଜକୁ ଟିକିଏ ଭଦ୍ର ହେବା ପାଇଁ ଚେଷ୍ଟା କଲି । ଝିଅଙ୍କୁ ଘୁରିବା ବନ୍ଦ କରି ଝରକା ଆଡ଼େ ଚାହିଁଲି ।

କିନ୍ତୁ କେତେ ସମୟ ? ମନ ମାନିବା ପାଇଁ ପ୍ରସ୍ତୁତ ନ ଥିଲା । ପିଲାଟି ଆଡ଼କୁ ଦୃଷ୍ଟି ନିକ୍ଷେପ କରି ଦେଖିଲି ସେ ସେମିତି ମୋ ଆଡ଼କୁ ଆଖି ବଡ଼ ବଡ଼ କରି ଚାହିଁ ରହିଛି । ମୋ ଓ ସେଇ ଝିଅଙ୍କ ମଝିରେ ପ୍ରତିବନ୍ଧକ ହୋଇ ଜଗି ରହିଛି । ମୁଁ କିଛି ସମୟ ପାଇଁ ଝିଅ ମାନଙ୍କ କଥା ବାଧ୍ୟ ହୋଇ ଭୁଲିଗଲି ।

ଗାଡ଼ି ଅଟକିଲା କେଉଁ ଏକ ଛୋଟିଆ ଷ୍ଟେସନ୍‌ରେ । ଦେଖୁ ଦେଖୁ ବଗି ଭିତରକୁ ପଶି ଆସିଲେ କିଛି ଯାତ୍ରୀ । କିଛିକ୍ଷଣ ପାଇଁ ଅସ୍ତବ୍ୟସ୍ତ ହୋଇ ଉଠିଲା ଠିଆ ହୋଇଥିବା ଝିଅଟି । ମୋ ହୃଦୟରେ ଝିଅଟି ପାଇଁ ସହାନୁଭୁତି ଜାଗୁରିତ ହେଉଥିଲା । କିନ୍ତୁ କଣ ବା କରି ହୁଅନ୍ତା ! ଏବେ ଯଦି ଉଠି ପଡ଼ି ସିଟ୍ ଯାଚନା କରେ, ତାହେଲେ ସାମ୍ନା ସିଟ୍‌ର ପିଲାଟି ବୋଧହୁଏ ମୋ ଶରୀରରୁ ଚରିତ୍ର ନାମକ ଖୋଳପାଟିକୁ ଏଇଠି ଉତ୍ତାରି ରଖିଦେବ । ଗାଡ଼ି ଚାଲିବା ଆରମ୍ଭ କଲା । ଗୋଟିଏ ଦୀର୍ଘଶ୍ୱାସ ଛାଡ଼ି ମୁଁ ପୁଣି ଥରେ ଝରକା ଆଡ଼କୁ ଚାହିଁଲି । ଅବଶ୍ୟ ପିଲାଟିର ନଜର ସହ ମୁଁ ଲୁଚକାଳି ଖେଳୁଥାଏ ।

ବାରମ୍ବାର ଝିଅଟିର ଠିଆ ହେବା ଭଙ୍ଗୀରେ ପରିବର୍ତ୍ତନ ଲକ୍ଷ୍ୟ କରି ମୁଁ ଉଠି ଠିଆ ହୋଇ ପଡ଼ିଲି, ଯେମିତିକି ଏଇ ଆସନ୍ତା ଷ୍ଟେସନରେ ଓହ୍ଲାଇ ଯିବି । ବ୍ୟାଗ୍ ନେଇ ମୁଁ ଟ୍ରେନ୍‌ର ଦରଜା ନିକଟକୁ ଆସିଗଲି । ତାର ପାର୍ଶ୍ୱ ଦେଇ ବାହାରି ଆସିଲା ବେଳେ ତା ପୋଷାକରୁ ଭାସି ଆସୁଥିବା ସୁଗନ୍ଧରେ କିଛି ସମୟ ପାଇଁ ଆନମନା ହୋଇଗଲି । କିନ୍ତୁ ଲାଭ କିଛି ହେଲା ନାହିଁ । ମୋ ପାଖରେ ଯେଉଁ ପୃଥୁଳାକାୟ ମହିଳା ଜଣକ ବସିଥିଲେ ସେ ଆଉ ଘୁଞ୍ଚିଲେ ନାହିଁ ବରଂ ନିଜକୁ ସଜାଡ଼ି ହୋଇ ସିଟ୍‌ଟାକୁ ଆବୋରି ବସିଲେ । ମୋ ମନରେ ଭାରି ରାଗ ହେଲା । ଇଚ୍ଛା ହେଉଥିଲା ଉକ୍ତ ମହିଳା ଜଣକୁ ଉଠାଇ ଟ୍ରେନ୍ ବାହାରକୁ ଫୋପାଡ଼ି ଦେବାକୁ । ତାପରେ ମୋ ଶରୀର ଗଠନ ଉପରେ ଦୃଷ୍ଟି ନିକ୍ଷେପ କରି ମୁଁ ଚୁପ୍ ହୋଇଗଲି । ଖୋର୍ଦ୍ଧାରେ ଯାଇ ଝିଅଟି ସିଟ୍ ଖଣ୍ଡେ ପାଇଲା । ଆଉ ଅଳ୍ପ ସମୟର ରାସ୍ତାକୁ ବସିବା, ଠିଆ ହେବା ଅନେକଙ୍କ ପାଇଁ ଏକା କଥା ହେଲେ ମଧ୍ୟ ମୁଁ ଲକ୍ଷ୍ୟ କଲି ଝିଅଟି ଯେମିତି ସିଟ୍‌ଟିଏ ପାଇ ଆଶ୍ୱସ୍ତ ହୋଇଛି । ଭୁବନେଶ୍ୱର ଷ୍ଟେସନ୍‌ରେ ମୁଁ ଆଗ ଓହ୍ଲାଇ ପଡ଼ିଲି । ଅନେକ ଚେଷ୍ଟା ସତ୍ତ୍ୱେ ଜନଗହଳି ମଧ୍ୟରେ ଝିଅଟିକୁ ଆଉ ଦେଖିପାରିଲି ନାହିଁ ।

ସେଇଦିନ ଠାରୁ ମୋର ନେତ୍ରଦ୍ୱୟ ତାକୁ ଅନୁସନ୍ଧାନ କରି ଚାଲିଥିଲା ପ୍ରତି ବସଷ୍ଟପ୍‌ରେ, ରେଲ୍‌ୱେ ପ୍ଳାଟ୍‌ଫର୍ମରେ, ବ୍ରହ୍ମପୁର, ଭୁବନେଶ୍ୱରର ଓସାରିଆ ଓ ଅଣଓସାରିଆ ଗଳି ରାସ୍ତାମାନଙ୍କରେ। ମନେହୁଏ, ଏଇ ଯେମିତି ତା ସଙ୍ଗେ ଭେଟଭାଟ ହୋଇଯିବ ।

– ଏ ମିଷ୍ଟର, ଓହ୍ଲାଇବେ ନାହିଁ କି ?

କାହାର ଡାକରେ ମୁଁ ବର୍ତ୍ତମାନକୁ ଫେରି ଆସିଲି । ଟ୍ରେନ୍ ବିଶାଖାପାଟନମ୍ ଷ୍ଟେସନରେ ଠିଆ ହୋଇଥିଲା । ମୋ ସାମ୍ନାରେ ବସିଥିବା ଯୁବତୀଟି ଅନେକ ବେଳୁ ଓହ୍ଲାଇ ସାରିଥିଲା । ମୁଁ ସିଟ୍‌ରୁ ଉଠୁ ଉଠୁ ଜଣେ ଝାମ୍ପି ପଡ଼ିଲା ସିଟ୍ ପାଇଁ।

ଟ୍ରେନ୍‌ରୁ ଓହ୍ଲାଇ ମୁଁ ସାନ ଭାଇ ସନ୍ଦୀପ୍‌କୁ ଫୋନ୍ ଲଗାଇଲି।

– କେଉଁଠି?

– ଭାଇ ଏ ଜୁସ୍ ଦୋକାନକୁ ଆସ।

ମୁଁ ଲାଇନ୍‌ରେ ସବୁ ଦୋକାନ ଆଡ଼କୁ ନଜର ପକାଇଲି । ଗୋଟିଏ ଫଳରସ ଦୋକାନ ଆଗରେ ଠିଆ ହୋଇ ସନ୍ଦୀପ ହାତ ହଲାଉଥିଲା । ପାଖରେ ପହଞ୍ଚିଲା ମାତ୍ରେ ଅର୍ଡର୍ କଲା ଅଙ୍ଗୁର ରସ ପାଇଁ । ମୁଁ କହିଲି – ନା, ମୁଁ ପିଇବି ନାହିଁ ବରଂ ତୁ ନେ । ସନ୍ଦୀପ ଦୋକାନୀକୁ ମନା କରିଦେଇ ଚାଲିବାକୁ ଆରମ୍ଭ କଲା ।

ମୁଁ ପଚାରିଲି – ଆଉ ତୋ କଲେଜ କେମିତି ଚାଲିଛି ।

ସନ୍ଦୀପ ଗୋଟିଏ ବେସରକାରୀ ବୈଷୟିକ ବିଦ୍ୟାଳୟର ଅଧ୍ୟାପକ ଥିଲା ।

କହିଲା – ଭଲ । କେବଳ ଖାଇବା ପିଇବାର ଯାହା ଅସୁବିଧା । ସାଉଥ୍ ଇଣ୍ଡିଆନ୍ ଖାନା ମୋ ଦେହରେ ଲାଗୁନାହିଁ । ସବୁଥିରେ ରାଗ ଆଉ ଖଟା । ଟିକିଏ ରହି ପଚାରିଲା – ମା କେମିତି ଅଛନ୍ତି ?

– ଭଲ । ତେବେ କାହା ସହ କଥାବାର୍ତ୍ତା ହୋଇ ପାରୁନାହାନ୍ତି ବୋଲି ଟିକିଏ ମାନ୍ଦା ପଡ଼ି ଯାଇଛନ୍ତି । ଗାଁରେ ଥିଲେ ସୂଚୀବୋଉ, କାନ୍ତୀଅପା ସହ କଥାର ପେଢ଼ି ଲମ୍ବେଇ ଦେଇଥିବେ । ଏଠି ଶୁଣିବା ଲୋକର ଘୋର୍ ଅଭାବ। ସନ୍ଦୀପ ଓ ମୁଁ ହସି ଉଠିଲୁ ।

ସନ୍ଦୀପ୍ ମୋତେ ନେଇ ପହଞ୍ଚିଲା ଗୋଟିଏ ଛୋଟ ହୋଟେଲ୍‌ରେ । ହୋଟେଲ୍ ମାଲିକ ଓଡ଼ିଆ ବୁଝୁଥିଲେ । ଖଣ୍ଡି ଓଡ଼ିଆରେ କହିଲେ – ନମସ୍କାରମ୍, ଆସନ୍ତୁ, ଅନେକ ଦିନ ହେଲା ଦେଖା ନାହିଁ ଯେ ? ତାପରେ ତାର ବୟକୁ ତେଲୁଗୁରେ କିଛି ନିର୍ଦ୍ଦେଶ ଦେଲେ ।

ସନ୍ଦୀପ ଦୋକାନୀକୁ ଚାହିଁ କେବଳ ହସିଲା । ତାପରେ ମୋ ଆଡ଼େ ବୁଲି କହିଲା – ଏଇ ହୋଟେଲ୍‌ର ଖାଦ୍ୟ ଆମ ଓଡ଼ିଆଙ୍କ ଖାନା ଭଳି। କିନ୍ତୁ ବସାରୁ ଏତେ ଦୂର ସବୁବେଳେ ଆସି ହୁଏନି।

ଆମେ ମୁହଁ ହାତ ଧୋଇ ଭିତରେ ବସିଲୁ । ବୟ ଦୁଇଟି ପ୍ଳେଟ୍‌ରେ ବାଢ଼ିଦେଲା ଶୁଦ୍ଧ ବ୍ରାହ୍ମଣ ଭୋଜନ। ମୁଁ ଆଶ୍ଚର୍ଯ୍ୟ ହେଲି। ଆମ ଓଡ଼ିଶାର କୌଣସି ହୋଟେଲ୍‌ରେ ଏମିତି ଖାନା ମିଳିବ କି ନା ସନ୍ଦେହ।

ରୁମ୍.ରେ ପହଞ୍ଚି ଅଧିକ କିଛି କଥାବାର୍ତ୍ତା ନ କରି ମୁଁ ବିଶ୍ରାମ ନେବାକୁ ଚାହିଁଲି । ସନ୍ଦୀପ୍ ମୋ ପାଇଁ ଖଟ ଉପରେ ବ୍ୟବସ୍ଥା କରିଥିଲା ଏବଂ ନିଜେ ତା ଶୋଇବା ପାଇଁ ତଳେ ବିଛଣା ସଜାଡ଼ି ଥିଲା ।

ଖଟକୁ ଲାଗି ଟେବୁଲ୍ ଉପରେ ସନ୍ଦୀପ୍ ପଢ଼ାଉଥିବା ସବ୍‌ଜେକ୍ଟ୍‌ର ବହିଗୁଡ଼ିକ ସଜଡ଼ା ହୋଇଥିଲା । ତା ପାଖରେ ଟେବୁଲ୍ ଲ୍ୟାମ୍ପଟିଏ । ଆଗକୁ ସୁନ୍ଦର ଫ୍ରେମ୍ ଦିଆ ଆଲବମ୍‌ଟିଏ ସନ୍ଦୀପ୍‌ର ଫଟୋ ଥାଇ । ଫଟୋରେ ସନ୍ଦୀପ୍ ଅପେକ୍ଷାକୃତ ୟଙ୍ଗ୍ ମନେ ହେଉଥିଲା । ଆଲବମ୍‌ଟିକୁ ହାତରେ ତୋଳି ଧରି ପାଖକୁ ଆଣୁଛି, ସନ୍ଦୀପ୍ ଆଲବମ୍ ନିଜ ହାତକୁ ନେଇ କହିଲା – ଏଇଟା ମୋ ଇଞ୍ଜିନିୟରିଂ ଫୋର୍ଥ ଇୟର୍ ସମୟର ଫଟୋ । ଫଟୋରେ ଟିକିଏ ପତଳା ଦିଶୁନାହିଁ କି ?

ମୁଁ ନ ହସି ରହିପାରିଲି ନାହିଁ । କହିଲି – ଏବେ କେଉଁ ମୋଟା ହୋଇଯାଇଛୁ ଯେ ?

– ତଥାପି ମୋ ଫିଗର୍‌ରେ କଣ କିଛି ବି ପରିବର୍ତ୍ତନ ଦିଶୁନାହିଁ ?

– ତୁ ବୁଝି ପାରୁନାହୁଁ ହୋଟେଲ୍‌ରେ ଖାଇ ଖାଇ ତୋ ଅବସ୍ଥା କଣ ହେଲାଣି । କିଛି ଅନ୍ୟ ବ୍ୟବସ୍ଥା କରୁନାହୁଁ ? ଆଚ୍ଛା, ମା’ଙ୍କୁ ତୋ ପାଖରେ ଛାଡ଼ିଦେଲେ କେମିତି ହୁଅନ୍ତା ?

– ସେ କଣ ଆସିବାକୁ ମଙ୍ଗୁଛନ୍ତି ? ତାଙ୍କର ପରା ଚବିଶ ଘଣ୍ଟା କହିବା ଶୁଣିବା ଲୋକ ଦରକାର । ଏଇଠି ତାଙ୍କ କଥା ବୁଝିବ କିଏ ? ଆଉ ମା’ ବି ତେଲୁଗୁ ବୁଝନ୍ତି ନାହିଁକି ହିନ୍ଦି କହି ଆସେ ନାହିଁ । ଏକା ରୁମ୍‌ରେ ପଡ଼ି ପଡ଼ି ବୋର୍ ହୋଇଯିବେ । ତମର କଣ ମନେ ନାହିଁ, ଗତ ଥର ଖରାଛୁଟିରେ ଯୋଉ ଆସିଥିଲେ ଦୁଇଟା ଦିନରେ ଫେରିଯିବା ପାଇଁ ଜିଦ୍ ଧରି ବସିଲେ । ମୁଁ ବାଧ୍ୟ ହୋଇ ପୁଣିଥରେ ଛୁଟି କାଟି ତାଙ୍କୁ ଗାଁରେ ନେଇ ଛାଡ଼ି ଆସିଲି ।

ମୁଁ ମୁଣ୍ଡଟା ହଲାଇଦେଇ ନିରବ ହୋଇଗଲି।

ସନ୍ଦୀପ ବି କିଛି ନ କହି ଆଲବମ୍‌ଟିକୁ ଯଥା ସ୍ଥାନରେ ରଖିଦେଇ ଝରକାର ପରଦା ଟାଣିଦେଲା ଏବଂ ବେଡ୍‌ଲାଇଟ୍ ଲଗାଇ ବିଛଣାରେ ନିଜକୁ ଲେଉଟାଇ ନେଲା ।

ମୁଁ ବି ଆଖିବୁଜି ଶୋଇବାକୁ ଚେଷ୍ଟା କରୁଛି ମନେ ପଡ଼ିଲା ଶ୍ରୀଧାରାକୁ ଆର୍ଟିକଲ୍ ପଠାଇବାର କାଲି ହିଁ ଶେଷ ତାରିଖ । ଭାବିଥିଲି ଆଜି ସକାଳେ କାମଟା ସାରି ବାହାରିବି ବୋଲି । କିନ୍ତୁ ଅନ୍ୟ କାମର ଚାପରେ କଥାଟା ଭୁଲିଯାଇଥିଲି । ସଙ୍ଗେ ସଙ୍ଗେ ଫୋନ୍ ଲଗାଇଲି ନେହାକୁ ।

– ନେହା ମୋର ଗୋଟିଏ କାମ କରିଦିଅ ।

– କଣ ?

– ମୋ କମ୍ପ୍ୟୁଟରର ଡେସ୍କଟପ୍‌ରେ ଶ୍ରୀଧାରା୧୩ ନାମରେ ଗୋଟିଏ ୱର୍ଡ ଡକୁମେଣ୍ଟ୍ ଅଛି । ସେଇଟା ଶ୍ରୀଧାରାକୁ ପଠାଇବାକୁ ହେବ। ଆସନ୍ତା କାଲି ତାର ଶେଷ ତାରିଖ।

– ପଠାଉନ କିଏ ମନା କଲା ।

– ଆରେ ବାବା, ମୁଁ ଏବେ କୋରାପୁଟ୍‌ରେ ନାହିଁ । ଭାଇ ପାଖକୁ ଆସିଛି । ତମକୁ ଅଧିକ କିଛି କରିବାକୁ ପଡ଼ିବ ନାହିଁ । ଏଜ୍ ଇଟ୍ ଇଜ୍ ଇମେଲ କରିଦେବ । ଇମେଲ୍ ଠିକଣା ଅଛି ତ ?

– ହଁ, ହଁ ।

– ତାହେଲେ ମୁଁ ନିଶ୍ଚିନ୍ତ ହୋଇଯିବି ତ ?

– ନିଶ୍ଚୟ, କିନ୍ତୁ ଗୋଟିଏ ସର୍ତ୍ତରେ ।

– କଣ ?

– ମୋର ପେନ୍ ଡ୍ରାଇଭ୍ ଅନେକ ଦିନରୁ କାମ କରୁନାହିଁ । ତମେ ଫେରିଲା ବେଳେ ସେଥିରୁ ଖଣ୍ଡେ ମୋ ପାଇଁ ନେଇ ଆସିବ ।

– ବାସ୍ ଆଉ କିଛି ?

– ରୁହ, ମୁଁ ଟିକିଏ ତାଲିକାଟା ଦେଖିନିଏ ।

– ମାନେ ? ମୁଁ ଟିକିଏ ଧମକାଇବା ସ୍ୱରରେ କହିଲି ।

ନେହା ହସିଦେଲା ।

– ଜଷ୍ଟ କିଡିଙ୍ଗ୍ । ଆଉ, କଣ କରୁଛ ?

– ଶୋଇବାକୁ ଯାଉଛି, ଆଉ କଣ କରିଥାନ୍ତି ?

– ଆଚ୍ଛା, ହେଭ୍ ସ୍ୱୀଟ୍ ଡ୍ରିମ୍ସ୍ । କହି ନେହା ଲାଇନ୍ କାଟିଦେଲା ।

ସ୍ୱୀଟ୍ ଡ୍ରିମ୍ସ୍ ! ମୁଁ ମନେ ମନେ ସ୍ୱଗତୋକ୍ତି କଲି । ନେହା ଲାଇନ୍‌ରେ ଥିଲେ କହିଥାନ୍ତି, ଆଜିକାଲି ଆଉ ମଧୁର ସ୍ୱପ୍ନ ମୋର ପାଖ ମାଡୁନାହାନ୍ତି । ସବୁବେଳେ କେମିତି ଗୋଟିଏ ଆତଙ୍କ। ପ୍ରତି କ୍ଷଣ ଏକ ଅବଦମିତ ଆଶଙ୍କା ଭିତରେ ଦିନ କଟୁଛି ।

ଅତୀତର ଆକାଶରେ ଅନେକ ଛୋଟ ବଡ଼ ସ୍ମୃତିର ତାରାଫୁଲ । ସେଇ ସ୍ମୃତି ହିଁ ଆଜି ମଧୁର ଅବା ତିକ୍ତ। ହସିବା, କାନ୍ଦିବା ସେଇ ସ୍ମୃତିର ଆଧାର । ବର୍ତ୍ତମାନର ବାସ୍ତବତାର ଆକାଶରେ ତାରାଫୁଲ ଖୋଜିବା ହାସ୍ୟାଷ୍ପଦ । ବାସ୍ତବତା ଯେ ଦିବାଲୋକ ପରି ନିଷ୍ଠୁର, ନିର୍ଦ୍ଦୟ ! ତା ପାଖରେ ସବୁ ଆକୁଳ ନିବେଦନ ଯେମିତି ଫିକା ପଡ଼ିଯାଏ ! କାହାରି ଆଦେଶ ସେ ମାନେ ନାହିଁ । ସେମିତି କାହାରି ଅନୁରୋଧ ମଧ୍ୟ ରଖେ ନାହିଁ । ତାର ନିଜର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟନିର୍ଘଣ୍ଟ ଅଛି । ସେଥିରୁ ବିଚ୍ୟୁତି ହେବାର ନୁହେଁ ।

– ତା’ପରେ –

ଲୋକପ୍ରିୟ ଲେଖା

To Top