କେହି ଜାଣିବେନି ଜାଣି ପାରିବେନି
ଗୋବରୀ ନଈର ବେଦନା
ବହିଯାଏ ପାଣି ରାତି ଦିନ ହୋଇ
ପୁଣି କେବେ ଫେରି ଆସେନା ।
ଦେଇଯାଏ ସୁଖ, ନେଇଯାଏ ଦୁଃଖ
ସହିଯାଏ କେତେ ଯାତନା
ତା’ ପାଇଁ ମାଟି ହସିବା ଶିଖିଛି
ଭୁଲି ସବୁ ଦୁଃଖ ବେଦନା ।
ତା’ ବାଲିରେ ଦେଖେ ପକ୍ଷୀଝଡା ପର
କେତେ ଫୁଟେ ଫୁଲ ବାସନା
ଲେଖିବା ପାଇଁକି ଭାବି ବସିଲେ ବି
ଶବଦ ମୁଁ ଖୋଜି ପାଏନା ।
ନଈଟିଏ ସେ ମା’ ଠାରୁ ବଳି
ତା’ ପରି କେହି ହୁଏନା
କେନ୍ଦରାପଡ଼ାର ଗଙ୍ଗାନଦୀ ସିଏ
ତା’ ପାଣିରୁ ଛୁଟଇ ବାସନା ।
ତା’ କୂଳେ ହସଇ କାଶତଣ୍ଡୀ ଫୁଲ
ଦେଖି ଶରତ ଆକାଶେ ଜୋଛନା
ମୁଁ ହଜିଯାଏ ଦେଖି ତା’ର ରୂପ
ଚାହିଁଲେବି ଭୁଲି ପାରେନା ।