ଉପନ୍ୟାସ

ପ୍ରତୀକ୍ଷା

T.Durga Prasad Rao's Odia Novel Pratikshaa

ଏବେ ଯଦି ଉଠି ପଡ଼ି ସିଟ୍ ଯାଚନା କରେ, ତାହେଲେ ସାମ୍ନା ସିଟ୍‌ର ପିଲାଟି ବୋଧହୁଏ ମୋ ଶରୀରରୁ ଚରିତ୍ର ନାମକ ଖୋଳପାଟିକୁ ଏଇଠି ଉତ୍ତାରି ରଖିଦେବ ।

ପ୍ରତୀକ୍ଷା

-: ପୂର୍ବରୁ :-

କଟକର ରେଭେନ୍ସା କଲେଜରେ ମୋତେ ସିଟ୍ ମିଳି ଯାଇଥିଲା। ମାମୁଁ କହିଲେ ହଷ୍ଟେଲ୍ ମିଳିଲା ପର୍ଯ୍ୟନ୍ତ ଘରଟିଏ ଭଡ଼ା ନେଇ ରହିବାକୁ। କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଖାସ୍ କରି କିଛି ଘରମାଲିକମାନେ ଘର ତିଆରି କରିଥାନ୍ତି ଭଡ଼ା ଉଦ୍ଦେଶ୍ୟରେ। ଗୋଟିଏ ଘରେ ତିନି ଚାରିଜଣ ଯେମିତି ଆରାମରେ ରହିପାରିବେ ଏବଂ ଭଡ଼ା ଟଙ୍କା ପରସ୍ପର ମଧ୍ୟରେ ଭାଗ ବାଣ୍ଟି ପୈଠ କରିବେ। ଦେଖୁ ଦେଖୁ ସେମିତି ଏକ ଘର ମିଳିଗଲା। ଆଗରୁ ସେ ଘରେ ଦୁଇ ଜଣ ଛାତ୍ର ରହୁଥିଲେ ଏବଂ ସେମାନେ ଆଉ ଜଣେ ଦୁଇଜଣ ରୁମ୍ ମେଟ୍ ଖୋଜୁଥିଲେ। ତନ୍ମଧ୍ୟରୁ ଜଣେ ରେଭେନ୍ସା କଲେଜର ମୋ କ୍ଲାସ୍‌ର ଛାତ୍ର ଥିଲା, ନାଁ ସତୀଶ୍ ପାତ୍ର। ଆର ଜଣକ ଆମ ଠାରୁ ସିନିୟର୍‌ ଅଳ୍ପ ଦିନ ମଧ୍ୟରେ ସତୀଶ୍ ଆଉ ମୁଁ ଖୁବ୍ ଭଲ ସାଙ୍ଗ ହୋଇଗଲୁ। ସତୀଶ୍ ଥିଲା ବଲାଙ୍ଗୀରର ପିଲା। ପ୍ରଥମେ ପ୍ରଥମେ ତାର ଭାଷା ବୁଝିବାକୁ ମୋତେ ଅଡୁଆ ଲାଗୁଥିଲା। ପରେ କିନ୍ତୁ ଧିରେ ଧିରେ ଅଭ୍ୟାସ ହୋଇଗଲା। ତା ସହ କଥାବାର୍ତ୍ତା ବେଳେ ମୁଁ ବଲାଙ୍ଗୀର ଭାଷାର ଶବ୍ଦ ବି ଉଚ୍ଚାରଣ କରୁଥିଲି। ଗାଁରେ କିନ୍ତୁ ହଠାତ୍ ସେମିତି କିଛି ଶବ୍ଦ ବାହାରିଗଲେ ସମସ୍ତେ ହସି ଉଠି ମୋତେ ଚିଡ଼ାଉଥିଲେ।

କଲେଜରେ ପ୍ରଥମ କ୍ଲାସ୍ ଆରମ୍ଭ ହେବାର ଅନେକ ଆଗରୁ ସତୀଶ୍ ଓ ମୁଁ ପୁରା କଲେଜକୁ ତନ୍ନ ତନ୍ନ କରି ଘାଣ୍ଟି ପକାଇଥିଲୁ। ତାର ଫାଟକ, କ୍ୟାଣ୍ଟିନ୍ ଠାରୁ ଆରମ୍ଭ କରି କ୍ଲାସ୍ ରୁମ୍, କମନ୍ ରୁମ୍ ଓ ଅଫିସ୍ ପର୍ଯ୍ୟନ୍ତ। ରେଭେନ୍ସା କଲେଜରେ ସିଟ୍.ଟାଏ ପାଇବା ଗର୍ବର କଥା ବୋଲି ମୁଁ ଅନୁଭବ କରିଥିଲି। ଯେଉଁଦିନ କ୍ଲାସ୍ ଆରମ୍ଭ ହେଲା ସତୀଶ୍ ଓ ମୁଁ ଆଗଧାଡ଼ିକୁ ଛାଡ଼ି ଦ୍ୱିତୀୟ ଧାଡ଼ିର ଡାହାଣ ପଟେ ବସିଥାଉଁ। କାରଣ ବାମପଟର ଦୁଇଧାଡ଼ି ଝିଅମାନଙ୍କ ପାଇଁ ରିଜର୍ଭ ଥିଲା। ଅବଶ୍ୟ ନିୟମଟା କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ନ ଥିଲା। ପ୍ରତିବର୍ଷ ଝିଅମାନେ ସୁବିଧାବଶତଃ ବାମପଟ ଦୁଇଧାଡ଼ି କିମ୍ବା ତିନିଧାଡ଼ି ହିଁ ବସିବା ପାଇଁ ଉପଯୁକ୍ତ ମନେ କରୁଥିଲେ।

କ୍ଲାସ୍.ରୁମ୍ ରେ ହୋ ହଲ୍ଲା ଚାଲିଥିଲା। କିଛି ଛାତ୍ର ଚୁପ୍ ଚାପ୍ ନିଜ ନିଜ ବେଞ୍ଚ୍.ରେ ବସିଥାନ୍ତି ତ ଆଉ କିଛି ନିଜକୁ ଅପରଠାରୁ ଉତ୍କୃଷ୍ଟତର ତଥା ଫରୱାର୍ଡ ମନେ କରି ସେହିପରି ଆଦବ କାଇଦା ଦେଖାଉଥାନ୍ତି। ଜଣେ କିଏ ବ୍ଳାକ୍‌ବୋର୍ଡରେ ଲେଖିଲା ଦେବବ୍ରତ ମିଶ୍ର, ଆୱାର୍ ଓଡ଼ିଆ ଲେକ୍ଚରର୍। ସେ ଦେଖାଇଦେବାକୁ ଚାହୁଁଥିଲା ଯେ ସେ ଅନେକ କିଛି ଇତି ମଧ୍ୟରେ ଜାଣିସାରିଛି। ଯେମିତି କି କ୍ଲାସ୍ ନେବା ଆଗରୁ ସେ ଜାଣିପାରିଛି କ୍ଲାସ୍ କେଉଁ ଅଧ୍ୟାପକ ନେବେ। ତାକୁ ଦେଖାଦେଖି ଜଣେ ତା ପାର୍ଶ୍ୱରେ ଚଷମାଲଗା ମୁହଁଟିଏ ଆଙ୍କି ପକାଇଲା। ଓଠରେ ଲଗାଇଦେଲା ସିଗାରେଟ୍‌ଟିଏ। ତା ସହ କିଛି ଅଙ୍କାବଙ୍କା ରେଖା, ଯେମିତି ସିଗାରେଟ୍‌ରେ ଧୂମ ବାହାରି ଉର୍ଦ୍ଧ୍ୱମୁଖୀ ହେଉଛି। କିଛି ଛାତ୍ରଛାତ୍ରୀ ଏହାକୁ ବେଶ୍ ଉପଭୋଗ କରୁଥିଲେ। ଆଉ ଥୋକେ ପରସ୍ପର ମଧ୍ୟରେ ପରିଚୟର ଆଦାନପ୍ରଦାନ କରୁଥିଲେ।

ହଠାତ୍ କ୍ଲାସ୍‌ରୁମ୍ କୁ ପଶିଆସିଲେ ଚଷମାପିନ୍ଧା ସୌମ୍ୟଦର୍ଶନ ଲମ୍ବା ଉଚ୍ଚତାଧାରୀ ତରୁଣଟିଏ। ସମସ୍ତେ ନିଜ ନିଜ ଆସନରୁ ଠିଆ ହୋଇ ଅଭିବାଦନ ଜଣାଇଲେ। ସାର୍ ତାଙ୍କର ବହିଟିକୁ ଟେବୁଲ୍ ଉପରେ ରଖି ଦେଇ ଆମ ଡେସ୍କ ଆଡ଼କୁ ଲାଗି ଆସିଲେ। ଅମାୟିକ ଭଦ୍ରତାର ସହ କହିଲେ – ଏଇ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ହିସାବରେ ମୁଁ ତମ ସମସ୍ତଙ୍କୁ ସ୍ୱାଗତ କରୁଛି। ଆମେ କ୍ଲାସ୍ ଆରମ୍ଭ କରିବା ପୂର୍ବରୁ ପରସ୍ପର ସହ ପରିଚିତ ହେବା ନିହାତି ଦରକାର। ମୋ ପରିଚୟଟା ପ୍ରଥମେ ପ୍ରଦାନ କରିଦିଏ। ମୋ ନାମ ହେଲା ଦେବବ୍ରତ ମିଶ୍ର। ମୁଁ ତମ ମାନଙ୍କୁ ଓଡ଼ିଆ ପଢ଼ାଇବି। ଟିକିଏ ନିରବ ରହି ଉପରକୁ ଚାହିଁ କହିଲେ – ଓଡ଼ିଆ ଅଧ୍ୟାପକ ହୋଇ ଆଉ କଣ ଇଂରାଜୀ ପଢ଼ାନ୍ତି? ଏଣିକି ତମେମାନେ ଜଣେ ଜଣେ କରି ନିଜର ପରିଚୟ ପ୍ରଦାନ କର। ପ୍ରଥମେ ଝିଅମାନେ।

ପ୍ରାୟ ଦଶ ମିନିଟ୍ ଚାଲିଗଲା ପରିଚୟ ଆଦାନପ୍ରଦାନରେ। ତାପରେ ସାର୍ ଯେତେବେଳେ ବ୍ଳାକ୍୍‌ବୋର୍ଡ୍ ଆଡ଼କୁ ଚାହିଁଲେ, ତାଙ୍କ ନାଁଟି ସହ ପ୍ରତିକୃତିଟିକୁ ଦେଖି କିଛି ସମୟ ସେମିତି ଠିଆ ହୋଇ ପଡ଼ିଲେ। ତାପରେ ସମସ୍ତଙ୍କ ଆଡ଼େ ଚକ୍ଷୁ ଘୁରାଇ ନେଇ ପଚାରିଲେ – ଏ ଛବି ଏଠି କିଏ ଆଙ୍କିଲା?

ସାର୍‌ଙ୍କ ଗମ୍ଭୀରତା ଦେଖି ପୁରା କ୍ଲାସ୍‌ରୁମ୍ ନିରବତାରେ ଭରିଗଲା। ସତୀଶ୍ ମୋ କାନ ପାଖରେ କହିଲା – ଶଃ, ନୂଆରେ କ୍ଲାସ୍‌ରୁମ୍ ରେ ପଶୁ ନ ପଶୁଣୁ ସାର୍‌ଙ୍କୁ ନେଇ ଫାଜିଲାମି। ଏବେ ମଜା ଚାଖିବେ।

ଯେଉଁ ପିଲା ଲେଖିଥିଲା ସେ ସାହସ୍‌ କରି ଉଠି ଠିଆ ହେଲା। ତା ପଛେ ପଛେ ଚିତ୍ରକର ମହାଶୟ ବି ଉଠି ଠିଆ ହେଲେ।

ସାର୍ କହିଲେ – ତମେ ଦୁହେଁ ଏଠିକି ଆସ। ପିଲାଦୁହେଁ ମନେ ମନେ ଟିକିଏ ଡରି ଯାଇଥିଲେ ବି ଉପରକୁ ବେପରାୟ ହେବାର ଛଳନା କରୁଥିଲେ।

ସାର୍ କହିଲେ – ଯେଉଁ ଜିନିଷ ବିଷୟରେ ସଂପୂର୍ଣ୍ଣ ଧାରଣା ନାହିଁ, ସେ ବିଷୟକୁ ସମସ୍ତଙ୍କ ସମ୍ମୁଖରେ ଅବତାରଣା କରିବା ଧର୍ତ୍ତବ୍ୟ ଅପରାଧ। କାରଣ କଣ ଜାଣିଛ? ଯେ କୌଣସି ଅର୍ଦ୍ଧସତ୍ୟର ଉପସ୍ଥାପନା ଭୟଙ୍କର ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ।

ତାପରେ ଚିତ୍ର ଆଙ୍କିଥିବା ଛାତ୍ରଟିକୁ ଡଷ୍ଟର ଧରାଇ ଉପସ୍ଥାପିତ ଚିତ୍ରରୁ ସିଗାରେଟ୍ ଲିଭାଇବା ପାଇଁ କହିଲେ। ଛାତ୍ରଟି ସଯତ୍ନେ ସିଗାରେଟ୍‌ଟିକୁ ଲିଭାଇଦେଇ ମୁଖ ଅବନତ କରି ଠିଆହେଲା।

ସାର୍ ପଚାରିଲେ – କିଛି ବୁଝିଲ?

ଛାତ୍ରଟି ସେମିତି ମୁହଁ ତଳକୁ ରଖି ମୁଣ୍ଡ ହଲାଇଲା।

– କଣ ବୁଝିଲ?

– ଯେହେତୁ ମୋର ସିଗାରେଟ୍ ବିଷୟରେ କୌଣସି ଧାରଣା ନାହିଁ, ତାକୁ ସମସ୍ତଙ୍କ ସମ୍ମୁଖରେ ଅବତାରଣା କରିବା ମୋର ଉଚିତ୍ ନୁହେଁ।

ସାର୍ ଯେମିତି ବିସ୍ମିତ ହୋଇ ପଡ଼ିଲେ।

– ଆଛା!

ପଛଧାଡ଼ିର ଜଣେ ଦୁଇଜଣ ଖେଁ ଖେଁ ହୋଇ ହସିଉଠିଲେ।

ସାର୍ ଡଷ୍ଟର୍‌ଟିକୁ ଟେବୁଲ୍‌ରେ ପିଟି କହିଲେ – ନିରବ ରହ। ତାପରେ ଅନ୍ୟ ଛାତ୍ରକୁ ପଚାରିଲେ – ତମେ କଣ ବୁଝିଲ?

ଛାତ୍ରଟି ଟିକିଏ ରହସ୍ୟ କରି କହିଲା – ଏଥିରୁ ବୁଝାଯାଉଛି ଯେ ଆପଣ ସର୍ବ ସମକ୍ଷରେ ସିଗାରେଟ୍ ପିଅନ୍ତି ନାହିଁ।

ସାର୍ ଚିଡ଼ି ଉଠି କହିଲେ – ଦୂର୍ ଦୂର୍, ଚଗଲା କେଉଁଠିକାର, ଯାଅ ନିଜ ନିଜ ସିଟ୍‌ରେ ବସ।

ସାର୍ ନିଜେ ବି ଚୌକିରେ ବସିପଡ଼ି ବହିଟାକୁ ମେଲାଇ ଧରିଲେ। ପଢ଼େଇବା ଆରମ୍ଭ କରୁଛନ୍ତି ଦରଜା ପାଖରୁ ଶୁଭିଲା – ମେ ଆଇ କମ୍ ଇନ୍ ସାର୍?

ମୋ ନଜର ଆପେ ଆପେ ଦରଜା ଆଡ଼କୁ ଚାଲିଗଲା। ମୁଁ ବିସ୍ମୟ ବିହ୍ୱଳ ହୋଇ ଚାହିଁ ରହିଲି।

– ଆରେ ଏ ଯେ ସେଇ ଝିଅଟି, ଯାହା ସହ ମୋର ସେଦିନ ଟ୍ରେନ୍‌ରେ ଦେଖା ହୋଇଥିଲା! ତେବେ ଇଏ ଶେଷରେ ମୋରି କ୍ଲାସ୍‌ମେଟ୍ ବାହାରିଲା! ମୋ ମନ ଭିତରେ କ୍ଷୁଦ୍ର ଏକ ଆନନ୍ଦର ଲହରୀ ଖେଳି ଯାଇଥିଲା।

ମୋ ପାଟିରୁ ଅସ୍ପଷ୍ଟ ଭାବରେ କେତେବେଳେ ବିସ୍ମୟ ସୂଚକ ଆରେ ଶବ୍ଦ ବାହାରି ଆସିଛି ମୁଁ ଜାଣି ପାରିଲି ନାହିଁ। ସତୀଶ୍ ପଚାରିଲା – କଣ ହେଲା, ଚମକି ପଡ଼ିଲୁ ଯେ?

ମୁଁ ଆତ୍ମସ୍ଥ ହେଲି। ମୋର ମେଲା ପାଟିଟାକୁ ସଂକୁଚିତ କରି ଆଣି କହିଲି – ନା, ଏମିତି ଗୋଟିଏ କଥା ମନେ ପଡ଼ିଗଲା।

ସତୀଶ୍ ମୋ କଥାରୁ କିଛି ଠଉରାଇ ନ ପାରିଲେ ବି ମୋ ପ୍ରତିକ୍ରିୟାରୁ କିଛି ଅନୁମାନ କରି ହସି ଦେଲା।

ତାକୁ ଆଉ ଅଧିକ ଅନୁମାନ ଲଗାଇବାକୁ ନ ଦେଇ ମୁଁ ଗମ୍ଭୀର ଭାବ ନେଇ ସାମ୍ନାକୁ ଚାହିଁଲି।

ଇତି ମଧ୍ୟରେ ଝିଅଟି ସାର୍‌ଙ୍କ ଅନୁମତି ନେଇ ବେଞ୍ଚ୍‌ରେ ବସି ସାରିଥିଲା।

ସାର୍ କହିଲେ – ପ୍ରଥମ ଦିନ ହିଁ ଡେରିରେ ପହଞ୍ଚିଲ?

ଝିଅଟି କିଛି କୈଫିୟତ୍ ଦେବାକୁ ଯାଉଥିଲା। ସାର୍ କହିଲେ – ଆଛା ଛାଡ଼। ତମର ଭାଇଭଉଣୀମାନଙ୍କୁ ନିଜର ପରିଚୟ ପ୍ରଦାନ କର। ଝିଅଟି ଠିଆ ହୋଇ ପଡ଼ି ତାର ଲଳିତ କଣ୍ଠରେ କହିଲା – ଲୋପାମୁଦ୍ରା ମହାନ୍ତି, ବ୍ରହ୍ମପୁର।

ସେତେବେଳେ ଯାଇ ମୁଁ ତାର ନାଁଟା ଜାଣିପାରିଲି। ଲୋପାମୁଦ୍ରା, କି ସୁନ୍ଦର ନାଁ ସତରେ! ନାଁଟା ମନେ ମନେ ଉଚ୍ଚାରଣ କରି ମୋ ଶରୀରରେ ଏକ ତଡିତ୍ ପ୍ରବାହ ଖେଳିଗଲା।

କ୍ଲାସ୍ ସବୁ ସରିଲା ବେଳକୁ ସତୀଶ୍ ମୋତେ ଡାକି ନେଇଗଲା ପାଠାଗାର ଆଡ଼େ। ପ୍ରାୟ ଘଣ୍ଟାଏ କାଳ ଆମେ ବହିପତ୍ର ଘାଣ୍ଟିଲୁ। ଅବଶ୍ୟ ପଢ଼ି ମନେ ରଖିବା ଉଦ୍ଦେଶ୍ୟ ନ ଥିଲା। କୋର୍ସ୍ କେତେ କଷ୍ଟ ବା ସହଜ ହେବ ଗୋଟିଏ ଅନୁମାନ ଲଗାଉଥିଲୁ।

ବସାକୁ ଫେରିବା ବାଟରେ ମୁଁ ଲକ୍ଷ୍ୟ କଲି, ଲୋପାମୁଦ୍ରା ଆଉ ଏକ ଝିଅ ସହ ଆମ ଆଗରେ ଆଗରେ ଚାଲୁଛି। ଗୋଟିଏ ମୋଡ଼ ବୁଲିଲା ପରେ ସେମାନଙ୍କୁ ଆଉ ଦେଖି ହେଲା ନାହିଁ। ବୋଧହୁଏ ସେମାନଙ୍କର ରାସ୍ତା ଅଲଗା ଥିଲା।

ତା’ପରେ

ଲୋକପ୍ରିୟ ଲେଖା

To Top