ଗଳ୍ପ

ଡାକମୁନ୍‌ସି

Daak Munsi an odia story by Byaasakabi Fakir Mohan Senapati

ଏ ବାବା, ମୁଁ ମଫସଲ ବାହାରିଲି । ଏହି ଜିନିଷପତ୍ର ସବୁ ଘେନି ଆସ । କେତେ ବା ଜିନିଷ, ବୁଝି ଖବରଦାର, ମୂଲିଆ କରିବ ନାହିଁ, କଲେ ତୁମେ ଜାଣ, ମୁଁ ପଇସା ଦେବି ନାହିଁ ।

ଡାକମୁନ୍‌ସି

-: ପୂର୍ବରୁ :-

ଦିନେ ଡାକମୁନ୍‌ସି ବାବୁ ବାପକୁ କହିଦେଲେ, “ଦେଖ, ତୁମେ ମୋର କିଛି ଉପକାର କରି ନାହଁ, ଇଚ୍ଛା ହେଲେ ବସାରେ ରହ, ନୋହିଲେ ଚାଲିଯାଅ । ଆଉ ଦେଖ, ବାବୁମାନେ ଆମ ଦୁଆରକୁ ଆସିଲେ ତୁମେ ଘରୁ ବାହାରିବ ନାହିଁ ।” ଗୋପାଳ କଥା ଶୁଣି ବୁଢ଼ାର କାନ ମୁଣ୍ଡ ଭାଁ ଭାଁ କଲା, ଗୁମ୍ ହୋଇ ବସି ପଡ଼ିଲା । କାହାକୁ କହିବ । ପୁଅ କଥା, ଅଜାଗା ଘା’ ଦେଖି ହୁଏ ନାହିଁ, ଦେଖାଇ ହୁଏ ନାହିଁ । ଯାହାକୁ ମନର କଥା କହନ୍ତା, ସେ ଯାଇଛି । ବୁଢ଼ୀ କଥା ମନରେ ପଡ଼ିଲା, ଢେର କାନ୍ଦିଲା, ଚାରିଆଡ଼କୁ ଅନାଇଲା କେହି ଭରସା ନାହିଁ । ବୁଢ଼ା ଦୁଃଖ ବେଳେ ବୁଢ଼ୀ କଥା ମନରେ କରେ, ସୁଖ ବେଳେ ମନରେ କରେ । ମୁହଁ ପୋଛିଲା, ଆଉ କାନ୍ଦିଲା ନାହିଁ, ଗୋପାଳର କାଳେ ଅମଙ୍ଗଳ ହେବ ।

ଗୋପାଳ ବାବୁ କାଲି ସକାଳେ ମଫସଲର କାମ ଜାଗାକୁ ଯିବେ, ବୁଢ଼ାକୁ ଜଣାଇ ନାହାନ୍ତି । ସକାଳୁ ଉଠିଲେ, ଅବଜ୍ଞାଭାବରେ କହିଲେ, “ଏ ବାବା, ମୁଁ ମଫସଲ ବାହାରିଲି । ଏହି ଜିନିଷପତ୍ର ସବୁ ଘେନି ଆସ । କେତେ ବା ଜିନିଷ, ବୁଝି ଖବରଦାର, ମୂଲିଆ କରିବ ନାହିଁ, କଲେ ତୁମେ ଜାଣ, ମୁଁ ପଇସା ଦେବି ନାହିଁ ।” ବାବୁ ପୋଷାକ ପିନ୍ଧି କାଖରେ ଛତା ଯାକି ବାଡ଼ି ଘୂରାଇ ଘୂରାଇ ଚାଲିଗଲେ । ବୁଢ଼ା କ’ଣ କରିବ, ସବୁ ଜିନିଷ ରୁଣ୍ଡାଇ ପୁଣ୍ଡାଇ ଗୋଟାଏ ଗଣ୍ଠିରି ବାନ୍ଧି ମୁଣ୍ଡାଇଲା । ଚାଲିପାରୁ ନାହିଁ, ଦେହରେ ବଳ ନାହିଁ, ଆଖିରୁ ବେଳେ ବେଳେ ପାଣି ବହି ପଡୁଛି, ଦଶ ଜାଗା ବସି ଉଠି ସଞ୍ଜ ସରିକି ମକ୍ରାମପୁରରେ ପହଞ୍ଚିଲା । ଡେରି ହେବାରୁ ବାବୁ ଫଜିତଟାଏ କଲେ, ବୁଢ଼ା ଗୁମ୍ ହୋଇ ବସି ଥକ୍କା ମେଣ୍ଟାଉଥାଏ ।

ବାବୁ ସକାଳ ସଞ୍ଜ ଅଫିସକୁ ଯା’ନ୍ତି, ବୁଢ଼ାଟା ମୁହଁ ବୁଜି ବସାରେ କାମ ପାଇଟିରେ ଲାଗିଥାଏ । ବାପ ପୁଅ ଦୁଇଜଣ ଏକ ଜାଗାରେ ବସି ଦୁଇଟା ସୁଖ ଦୁଃଖ କଥା ହେଉଛନ୍ତି, ଏ କଥା କେହି କେବେ ଦେଖି ନାହିଁ । ଡାକମୁନ୍‌ସି ହେଲେ ମଫସଲର ଗୋଟାଏ ହାକିମ । କେତେ ଲୋକ ଆସି ଦଣ୍ଡବତ କରିଯାଉଛନ୍ତି, ମୂର୍ଖ ବୁଢ଼ାଟା କ’ଣ ଜାଣେ ଯେ ତା’ ସାଙ୍ଗରେ କଥା କହିବେ ?

ବୁଢ଼ା ଦେହରେ ମଫସଲର ପାଣି ଚଳିଲା ନାହିଁ, ଜର ହେଲେ ଖୁଁ ଖୁଁ କରି କାଶେ, ସେ କାଶଟା ରାତିକି ବେଶି ହୁଏ । ବାବୁ ଶୋଇବାରେ ହରକତ ହେଲେ । ପିଅନକୁ ହୁକୁମ ଦେଲେ, “ବୁଢ଼ାଟାକୁ କିଆବାଡ଼ରେ ଫୋପାଡ଼ି ଦେଇ ଆସ ।” ସେ ପିଅନଟା ମୂର୍ଖ, ଇଂରାଜୀ ପଢ଼ି ନାହିଁ, ତା’ର ଗୋଟାଏ ଦେଶୀ ହୃଦୟ ଅଛି, ବିଚାର କଲା- “କ’ଣ ଏ ? ବୁଢ଼ାରୋଗୀଟିକୁ କିଆବାଡ଼ରେ ଶୁଆଇ ଦେବି ?” ଦିନେ ବୁଢ଼ାର ଭାରି ଜର, ତିନିଦିନ ଖାଇ ନାହିଁ, ଅଧରାତି, ଅନ୍ଧାର, ଥଣ୍ଡା ପାଇ ବୁଢ଼ାର କାଶ ବଳି ପଡ଼ିଲା । ବାବୁ ତ ଭାରି ଖପା, ବୁଢ଼ାକୁ ରାତିରେ ଦୁଇଟା ଇଂରାଜୀ ଘୁଷି ମାରିଲେ, ବିଛଣାପତ୍ର ବାହାରକୁ ଫୋପାଡ଼ି ଦେଲେ । ବୁଢ଼ା ଗାଁକୁ ପଳାଇଲା ।

ପାଖରେ ଥିବା ଖୁବ୍ ଭଲ ଲୋକଙ୍କଠାରୁ ଶୁଣାଯାଇଛି, ଗୋପାଳ ବାବୁଙ୍କ ମନ ସେହିଦିନଠାରୁ ବଡ଼ ଖୁସି । ଆଉ ଥରେ ବୁଢ଼ା ଗାଁକୁ ଆସି ତାହାର ଯେଉଁ ଦୁଇ ମାଣ ଜମି ଥିଲା ଭାଗରେ ଲଗାଇ ଦେଲା, ଘରେ ବସି ଧାନ ପାଏ । ପେନସନ୍ ଟଙ୍କାରେ ଲୁଗାପଟା, ଲୁଣ ତେଲ ଖର୍ଚ୍ଚ ଚଳେ । କାଶ ହେଲା ଦିନଠୁଁ ବୁଢ଼ା ଟିକିଏ ଟିକିଏ ଅଫିମ ଧରିଛି । ସବୁ ଖର୍ଚ୍ଚ ଚଳେ, ଘରଠାରେ ପିଣ୍ଡାରେ ବସି ହରିନାମ କରେ । ଉଛୁଣି ବାପ ପୁଅ ଦୁହେଁ ଖୁସି । ପରର ସୁଖ ଦେଖି ପାଠକ ମହାଶୟ ଖୁସି ହୁଅ ।

 

ଲୋକପ୍ରିୟ ଲେଖା

To Top