ଭକ୍ତିର ନାଁରେ ଆଡ଼ମ୍ବର ଏବଂ ବିସର୍ଜନ ପାଇଁ ବ୍ୟାଣ୍ଡପାର୍ଟି ଅପେକ୍ଷାରେ ଆମ ଧାର୍ମିକ ଚେତନା
ଓଡ଼ିଆ ଜାତିର ପରିଚୟ ତାର ସଂସ୍କୃତି, ଶାଳୀନତା ଓ ଆଧ୍ୟାତ୍ମିକ ନିଷ୍ଠା ଉପରେ ପ୍ରତିଷ୍ଠିତ । ‘ବାର ମାସରେ ତେର ପର୍ବ’ କେବଳ ଏକ ଉକ୍ତି ନୁହେଁ, ଏହା ଆମ ସାମାଜିକ ସଦ୍ଭାବ, ସାମୂହିକ ଏକତା ଓ ଐତିହ୍ୟର ଏକ ଜୀବନ୍ତ ଧାରା । ଭାଦ୍ରବ ମାସର ଶ୍ରୀଗଣେଶ ପୂଜାରୁ ଆରମ୍ଭ କରି କାର୍ତ୍ତିକର ରାସୋତ୍ସବ ପର୍ଯ୍ୟନ୍ତ ଗାଁରୁ ସହର ଯେଉଁ ଉତ୍ସବମୁଖର ପରିବେଶ ସୃଷ୍ଟି ହୁଏ, ତାହା ପ୍ରତ୍ୟେକଟି ପ୍ରାଣରେ ନୂତନ ଉତ୍ସାହ ଭରିଦିଏ । ଧୂପ, ଦୀପ, ଚନ୍ଦନ ଓ ଶଙ୍ଖ-ଘଣ୍ଟର ମାଙ୍ଗଳିକ ଧ୍ୱନି ଭିତରେ ଭକ୍ତଟିଏ ନିଜର ଦୁଃଖ-କ୍ଳେଶ ଭୁଲି ଭଗବାନଙ୍କ ଚରଣରେ ସମର୍ପିତ ହୁଏ । କିନ୍ତୁ ବିଗତ କିଛି ବର୍ଷ ଧରି ଏହି ପବିତ୍ର ପରମ୍ପରାରେ ଯେଉଁ ବିକୃତ ରୂପ ଦେଖିବାକୁ ମିଳୁଛି, ତାହା ପ୍ରତ୍ୟେକ ବିବେକବାନ ନାଗରିକଙ୍କୁ ଗଭୀର ଭାବରେ ବ୍ୟଥିତ କରୁଛି । ଆମ ଧାର୍ମିକ ଚେତନା ଆଜି ଆଧ୍ୟାତ୍ମିକତାରୁ ଓହରି ଆସି ବାହ୍ୟ ଆଡ଼ମ୍ବର, ଅହଂକାର ଓ ପ୍ରତିଯୋଗିତାର ବନ୍ଦୀଶାଳାରେ ଛଟପଟ ହେଉଛି ।
ବର୍ତ୍ତମାନ ସବୁଠାରୁ ଚିନ୍ତାଜନକ ଓ ଲଜ୍ଜାଜନକ ଦୃଶ୍ୟ ହେଉଛି ଠାକୁରଙ୍କ ବିସର୍ଜନକୁ ନେଇ ଚାଲିଥିବା ଖେଳ । ଯେଉଁ ଦେବଦେବୀଙ୍କୁ ଆମେ ମନ୍ତ୍ରୋଚ୍ଚାରଣ ପୂର୍ବକ ପ୍ରାଣପ୍ରତିଷ୍ଠା କରି ପୂଜା କରୁଛୁ, ପୂଜା ପର୍ବ ସରିବା ପରେ ସେହି ପବିତ୍ର ବିଗ୍ରହଙ୍କୁ ସପ୍ତାହ ସପ୍ତାହ ଏପରିକି ମାସ ମାସ ଧରି ମଣ୍ଡପରେ ଅବହେଳିତ ଅବସ୍ଥାରେ ରଖିଦିଆଯାଉଛି । କାରଣ କ’ଣ ? କାରଣ ହେଉଛି— ଇଚ୍ଛା ମୁତାବକ ବ୍ରାସ୍ ବ୍ୟାଣ୍ଡ ମିଳୁନାହିଁ, କିମ୍ବା ଡିଜେ ଗାଡ଼ିର ତାରିଖ ଫାଙ୍କା ନାହିଁ ! ଏହା କେଉଁ ପ୍ରକାରର ଧର୍ମ ? ଏହା କେଉଁ ଶାସ୍ତ୍ରର ବିଧି ? ଯେଉଁ ଭଗବାନ ସମଗ୍ର ବ୍ରହ୍ମାଣ୍ଡର ନିୟନ୍ତା, ତାଙ୍କୁ ବିଦାୟ ଦେବା ପାଇଁ ଆମେ କେତେକ ବ୍ୟାଣ୍ଡବାଜା ବାଲାଙ୍କ ସମୟ ଉପରେ ନିର୍ଭର କରୁଛୁ ! ବିସର୍ଜନ ତିଥି ଓ ଶାସ୍ତ୍ରୀୟ ବିଧିକୁ ଜଳାଞ୍ଜଳି ଦେଇ ବ୍ୟାଣ୍ଡପାର୍ଟିର ଉପଲବ୍ଧତାକୁ ପ୍ରାଥମିକତା ଦେବା କେବଳ ଧର୍ମଦ୍ରୋହ ନୁହେଁ, ବରଂ ଆମ ବିବେକହୀନତାର ଚରମ ପ୍ରମାଣ ।
ପୂଜାର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା ? ପୂର୍ବରୁ ଗାଁ ଓ ସାହିର ଲୋକମାନେ ଏକାଠି ହୋଇ ମନର ମଇଳା ଧୋଇବା ପାଇଁ ପୂଜା କରୁଥିଲେ । ପରସ୍ପର ଭିତରେ ଥିବା ତିକ୍ତତା ଭୁଲି ଭାଇଚାରା ବାଣ୍ଟୁଥିଲେ । ମାତ୍ର ଆଜି ପୂଜା ପାଲଟିଛି ‘ଅହଂକାରର ପ୍ରଦର୍ଶନୀ’ । କାହାର ମଣ୍ଡପ କେତେ ଲକ୍ଷ ଟଙ୍କାର, କାହାର ଆଲୋକସଜ୍ଜା କେତେ ଚାକଚକ୍ୟଭରା, କିଏ କେତେ ଉଚ୍ଚଶବ୍ଦର ସାଉଣ୍ଡ ବକ୍ସ ଲଗାଇପାରିଲା ଏହାକୁ ନେଇ ଚାଲିଛି ଅସୁସ୍ଥ ପ୍ରତିଯୋଗିତା । ଭକ୍ତିର ସ୍ଥାନ ନେଇଛି ‘ଭେଳିକି’ । ଧର୍ମ ନାଁରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି, ଯାହାର ଅଧିକାଂଶ ଭାଗ କ୍ଷଣସ୍ଥାୟୀ ଚମକ ଓ କାନଫଟା ଶବ୍ଦରେ ଉଡ଼ିଯାଉଛି । ଭକ୍ତିର ମାପକାଠି ଯଦି ଡେସିବେଲ୍ର ତୀବ୍ରତା ଓ ବ୍ୟାଣ୍ଡପାର୍ଟିର ଦାମ ହୋଇଯାଏ, ତେବେ ବୁଝିବାକୁ ହେବ ଯେ ଆମେ ସଂସ୍କୃତିରୁ ବହୁ ଦୂରକୁ ଖସିଆସିଲୁଣି ।
ଏହି ଉତ୍ସବଗୁଡ଼ିକରେ ବିସର୍ଜନ ଶୋଭାଯାତ୍ରା ନାଁରେ ଯାହା ଚାଲୁଛି, ତାହା ଆମ ସମାଜର ମାନସିକ ସ୍ଥିତି ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରେ । ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ଡିଜେର ଉଗ୍ର ଶବ୍ଦ, ଅଶାଳୀନ ନୃତ୍ୟ, ମଦ୍ୟପାନ ଓ ଯୁବପିଢ଼ିର ବିଶୃଙ୍ଖଳା କେଉଁ ପରମ୍ପରାର ଅଂଶ ? ହୃଦ୍ରୋଗୀ, ବୃଦ୍ଧ, ନବଜାତ ଶିଶୁ ଏବଂ ପରୀକ୍ଷା ପାଇଁ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଏହି କାନଫଟା ଆତଙ୍କ ଭିତରେ କଲବଲ ହୁଅନ୍ତି । ରାସ୍ତାରେ ଆମ୍ବୁଲାନ୍ସ ଫସି ରହି ଜୀବନ ଚାଲିଯାଏ, କିନ୍ତୁ ନାଚୁଥିବା ଲୋକଙ୍କ ନଜର ସେଆଡ଼େ ଯାଏନାହିଁ । ଭଗବାନଙ୍କୁ ବିଦାୟ ଦେବା ସମୟରେ ଅନ୍ୟର ଜୀବନକୁ ବିପନ୍ନ କରିବା କ’ଣ ପୁଣ୍ୟର କାର୍ଯ୍ୟ ? ପାରମ୍ପରିକ ଶଙ୍ଖ, ମୃଦଙ୍ଗ, ଖଞ୍ଜଣୀ ଓ ନାମକୀର୍ତ୍ତନରେ ଯେଉଁ ଆଧ୍ୟାତ୍ମିକ ଶାନ୍ତି ଓ ଭାବପୂର୍ଣ୍ଣ ଆନନ୍ଦ ଥିଲା, ତାହାକୁ ହତ୍ୟା କରି ଆମେ ପାଶ୍ଚାତ୍ୟ ଉନ୍ମାଦନାର ଦାସ ପାଲଟିଯାଇଛୁ ।
ଏହି ସାଂସ୍କୃତିକ ଅବକ୍ଷୟର ଅନ୍ୟ ଏକ କଳା ଦିଗ ହେଉଛି ଅର୍ଥର ଅପବ୍ୟୟ । ପୂଜା ପାଇଁ ଲୋକଙ୍କଠାରୁ, ବ୍ୟବସାୟୀଙ୍କଠାରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରାଯାଏ । କିନ୍ତୁ ସେହି ଅର୍ଥ କେଉଁ କାର୍ଯ୍ୟରେ ଲାଗେ ? ଲକ୍ଷ ଲକ୍ଷ ଟଙ୍କାର ବାଣ ଫୁଟାଇ ପବନକୁ ବିଷାକ୍ତ କରାଯାଏ, ଡିଜେ ବାଲାଙ୍କୁ ମୋଟା ଅଙ୍କର ଅର୍ଥ ଦିଆଯାଏ, ଆଉ ରାସ୍ତାରେ ଖାଦ୍ୟ ନଷ୍ଟ ହୁଏ । ସେହି ଟଙ୍କାରେ କ’ଣ ଜଣେ ଗରିବ ମେଧାବୀ ଛାତ୍ରର ପାଠପଢ଼ା ଖର୍ଚ୍ଚ ତୁଲାଯାଇ ପାରନ୍ତା ନାହିଁ ? କୌଣସି ଅସହାୟ ରୋଗୀର ଚିକିତ୍ସା କରାଯାଇ ପାରନ୍ତା ନାହିଁ ? ଅନାଥାଶ୍ରମ ବା ବୃଦ୍ଧାଶ୍ରମରେ ଦିନକର ସେବା ଯୋଗାଇ ଦିଆଯାଇ ପାରନ୍ତା ନାହିଁ ? ଯଦି ଆମେ ସଂଗୃହୀତ ଅର୍ଥକୁ ସମାଜ ମଙ୍ଗଳ କାର୍ଯ୍ୟରେ ନିୟୋଜିତ କରିଥାନ୍ତେ, ତେବେ ତାହା ହିଁ ଭଗବାନଙ୍କ ପାଇଁ ସବୁଠାରୁ ବଡ଼ ନୈବେଦ୍ୟ ହୋଇଥାନ୍ତା। ‘ଜୀବେ ଦୟା, ନାମେ ରୁଚି’ ଏହା ହିଁ ତ ଓଡ଼ିଆ ଭକ୍ତି ପରମ୍ପରାର ମୂଳ ମନ୍ତ୍ର ଥିଲା ।
ପରିବେଶ ପ୍ରଦୂଷଣ ଆଉ ଏକ ଗୁରୁତର ସଙ୍କଟ । ରାସାୟନିକ ରଙ୍ଗ ଓ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ନିର୍ମିତ ବିଶାଳକାୟ ମୂର୍ତ୍ତିଗୁଡ଼ିକୁ ଯେତେବେଳେ ନଦୀ ଓ ପୋଖରୀରେ ବୁଡ଼ାଇ ଦିଆଯାଏ, ସେତେବେଳେ ଜଳ ବିଷାକ୍ତ ହୋଇଯାଏ । ଜଳଚର ଜୀବ ମୃତ୍ୟୁମୁଖରେ ପଡ଼ନ୍ତି ଏବଂ ସେହି ପ୍ରଦୂଷିତ ଜଳ ବ୍ୟବହାର କରି ମଣିଷ ନାନା ରୋଗରେ ଆକ୍ରାନ୍ତ ହୁଏ । ପରମ୍ପରା ନାଁରେ ପ୍ରକୃତିକୁ ଧ୍ୱଂସ କରିବା କୌଣସି ଧର୍ମର ନିର୍ଦ୍ଦେଶ ନୁହେଁ । ମାଟିର ମୂର୍ତ୍ତି ଓ ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ସହ ନିର୍ଦ୍ଧାରିତ କୃତ୍ରିମ ପୋଖରୀରେ ବିସର୍ଜନ କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ହେବା ଉଚିତ।
ବର୍ତ୍ତମାନ ସମୟ ଆସିଛି, ଆମ ସମାଜକୁ ଏକ ବଡ଼ ମାନସିକ ପରିବର୍ତ୍ତନ ଦେଇ ଗତି କରିବାକୁ ପଡ଼ିବ । ଏହି ପରିବର୍ତ୍ତନ କେବଳ ଆଇନ କିମ୍ବା ପୋଲିସ ପ୍ରଶାସନ ବଳରେ ସମ୍ଭବ ନୁହେଁ; ଏଥିପାଇଁ ଆମ ପ୍ରତ୍ୟେକଙ୍କ ଅନ୍ତରରେ ଆତ୍ମସମୀକ୍ଷା ଜାଗ୍ରତ ହେବା ଆବଶ୍ୟକ ।
ପ୍ରଥମତଃ, ପୂଜା କମିଟି ଓ ସାହିର ମୁରବୀମାନେ ଦୃଢ଼ ସଂକଳ୍ପ ନେବା ଦରକାର । ପୂଜା ଆରମ୍ଭ ପୂର୍ବରୁ ହିଁ ଶାସ୍ତ୍ରୀୟ ନିୟମ ଅନୁଯାୟୀ ବିସର୍ଜନର ଦିନ ଓ ସମୟ ଧାର୍ଯ୍ୟ ହେଉ । ବ୍ୟାଣ୍ଡ୍ପାର୍ଟି ମିଳୁ ବା ନ ମିଳୁ, ନିର୍ଦ୍ଦିଷ୍ଟ ତିଥିରେ ଠାକୁରଙ୍କୁ ସମ୍ମାନର ସହ ମେଲାଣି ଦିଆଯାଉ । ଭଗବାନଙ୍କୁ ବ୍ୟାଣ୍ଡବାଜାର ବନ୍ଧକ ନକରି ଶଙ୍ଖଧ୍ୱନି ଓ ହରିବୋଲ ଭିତରେ ବିସର୍ଜନ କରାଗଲେ ତାହା ଆହୁରି ପବିତ୍ର ଓ ମର୍ଯ୍ୟାଦାପୂର୍ଣ୍ଣ ହେବ।
ଦ୍ୱିତୀୟତଃ, ଯୁବପିଢ଼ିଙ୍କୁ ନିଜର ଦାୟିତ୍ୱ ବୁଝିବାକୁ ହେବ । ଉତ୍ସବର ଆନନ୍ଦ ଉନ୍ମାଦନାରେ ନୁହେଁ, ଶୃଙ୍ଖଳାରେ ଥାଏ । ଉଚ୍ଚଶବ୍ଦର ଡିଜେକୁ ବର୍ଜନ କରି ପାରମ୍ପରିକ ବାଦ୍ୟଯନ୍ତ୍ର, ସମ୍ବଲପୁରୀ ବାଜା କିମ୍ବା ସଂକୀର୍ତ୍ତନକୁ ଆପଣାଇବା ଦ୍ୱାରା ଉତ୍ସବର ମୌଳିକତା ଫେରିଆସିବ । ନିଜର ଆନନ୍ଦ ଯେପରି ଅନ୍ୟ କାହାର ଯନ୍ତ୍ରଣାର କାରଣ ନ ହୁଏ, ସେଥିପ୍ରତି ସଚେତନ ରହିବା ପ୍ରକୃତ ଶିକ୍ଷାର ପରିଚୟ ।
ତୃତୀୟତଃ, ପ୍ରଶାସନକୁ ଶବ୍ଦ ପ୍ରଦୂଷଣ ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ହେବ । ବିନା ଅନୁମତିରେ ଅତ୍ୟଧିକ ଶବ୍ଦ ସୃଷ୍ଟିକାରୀ ସାଉଣ୍ଡ ସିଷ୍ଟମ୍କୁ ଜବତ କରିବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଭସାଣି ସାରିବା ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରାଯିବା ଉଚିତ ।
ଚତୁର୍ଥତଃ, ସାଧାରଣ ନାଗରିକ ଭାବରେ ଆମେ ଏପରି ବିକୃତ ଆଡ଼ମ୍ବରକୁ ପ୍ରୋତ୍ସାହିତ କରିବା ବନ୍ଦ କରିବା । ଯେଉଁ ମଣ୍ଡପରେ ଅଶାଳୀନତା ଚାଲିଛି କିମ୍ବା ଅମାନବୀୟ କାର୍ଯ୍ୟ ହେଉଛି, ସେଠାକୁ ଯିବା ବନ୍ଦ କରିବା ଏବଂ ଚାନ୍ଦା ଦେବା ସମୟରେ ତାର ସଦୁପଯୋଗ ପାଇଁ ପ୍ରଶ୍ନ କରିବା ଶିଖିବା ।
ଆମେ ଭୁଲିଯିବା ଉଚିତ ନୁହେଁ ଯେ, ଆମ ପିଲାମାନେ ଆମ ଆଚରଣରୁ ହିଁ ସଂସ୍କୃତି ଶିଖୁଛନ୍ତି । ଆଜି ଯଦି ଆମେ ସେମାନଙ୍କୁ ଦେଖାଇବା ଯେ ଧର୍ମ ମାନେ କେବଳ କାନଫଟା ଡିଜେ, ରାସ୍ତା ଉପରେ ବିଶୃଙ୍ଖଳ ନାଚ ଏବଂ ଠାକୁରଙ୍କୁ ଅପମାନିତ କରି ରଖିବା ତେବେ କାଲି ସେମାନେ ଆମ ପରମ୍ପରାକୁ କେଉଁ ରୂପ ଦେବେ ?
ଧର୍ମ ଆମକୁ ସଂଯମ ଶିଖାଏ, ସମର୍ପଣ ଶିଖାଏ ଏବଂ ମାନବତାର ପାଠ ପଢ଼ାଏ । ପରମ୍ପରା ନାଁରେ ଚାଲିଥିବା ଏହି ଅପସଂସ୍କୃତିରୁ ବାହାରି ପ୍ରକୃତ ଭକ୍ତି ଓ ସାମାଜିକ ଦାୟିତ୍ୱବୋଧକୁ ଆପଣାଇବାର ଏହା ହିଁ ପ୍ରକୃଷ୍ଟ ସମୟ । ଆସନ୍ତୁ, ଆଡ଼ମ୍ବରର କୋଳାହଳରୁ ମୁକ୍ତ ହୋଇ ଶ୍ରଦ୍ଧା ଓ ଶାନ୍ତିର ଦୀପ ଜଳାଇବା । ଠାକୁରଙ୍କୁ ବ୍ୟାଣ୍ଡପାର୍ଟିର ସୁବିଧାରେ ନୁହେଁ, ବରଂ ନିଜ ହୃଦୟର ନିଷ୍ଠା ଓ ସମ୍ମାନର ସହିତ ବିଦାୟ ଦେଇ ଆମ ସଂସ୍କୃତିର ଗୌରବକୁ ରକ୍ଷା କରିବା । ଏହି ଚିନ୍ତନ ହିଁ ଆମ ସମାଜର ମାନସିକତାକୁ ବଦଳାଇପାରିବ ଏବଂ ପରମ୍ପରାର ପ୍ରକୃତ ସୌରଭକୁ ବଞ୍ଚାଇ ରଖିବ ।
ଯେଉଁ ଦିନ ଆମେ ଏହି ପ୍ରଶ୍ନର ଉତ୍ତର ନିଜ ବିବେକଠାରୁ ପାଇପାରିବା ଏବଂ ତାହାକୁ କାର୍ଯ୍ୟରେ ପରିଣତ କରିପାରିବା, ସେହି ଦିନ ଆମ ସଂସ୍କୃତିର ମର୍ଯ୍ୟାଦା ପ୍ରକୃତ ଅର୍ଥରେ ସୁରକ୍ଷିତ ରହିବ । ମନେ ରଖିବା ଦରକାର ଧର୍ମର ଶକ୍ତି ଶବ୍ଦରେ ନୁହେଁ, ଶ୍ରଦ୍ଧାରେ; ପରମ୍ପରାର ମହତ୍ତ୍ୱ ଆଡ଼ମ୍ବରରେ ନୁହେଁ, ତାହାର ମୂଲ୍ୟବୋଧରେ । ଠାକୁରଙ୍କୁ ବିଦାୟ ଦେବାର ସତ୍ୟ ସଙ୍ଗୀତ ବ୍ୟାଣ୍ଡର ଶବ୍ଦ ନୁହେଁ, ଆମର ନିଷ୍ଠା, ଶୃଙ୍ଖଳା ଓ ନିର୍ମଳ ଭକ୍ତି ।
