ଗଳ୍ପ

ଦେଶ

Prakash Behera's Odia Story Desha

ତା’ର ଜଣେ ସାଙ୍ଗ ଲିଖିତ ପରୀକ୍ଷାରେ ମାତ୍ର ଯୋଗ୍ୟତା ଭିତ୍ତିକ ନମ୍ୱର ରଖି ମଧ୍ୟ ମୌଖିକରେ କାହିଁ କେତେ ନମ୍ୱର ପାଇ ବି ଉପର ପଚାଶ ଜଣଙ୍କ ଭିତରେ ରହିଲା । ଏତିକି ତା’ ବାପା ଜଣେ ବିଲଡ଼ର୍ ଓ ମୁଖ୍ୟମନ୍ତ୍ରୀଙ୍କ ଘରୋଇ ସଚିବଙ୍କ ସହ ତାଙ୍କର ଭଲ ଭାବଦୋସ୍ତି ଅଛି ବୋଲି ହେଲା ।

ଦେଶ

-: ପୂର୍ବରୁ :-

ଏମିତି ସଦସ୍ୟମାନେ ପ୍ରତ୍ୟହ ସନ୍ଧ୍ୟାରେ ଭେଟାଭେରି ହୁଅନ୍ତି । ଖବର କାଗଜ ବା ପତ୍ରପତ୍ରିକା ପଢ଼ି ଚାଲିଯାଆନ୍ତି । ଦେଶ ପାଇଁ ଅବଦାନ ରଖୁଥିବା ବ୍ୟକ୍ତି ବିଶେଷଙ୍କ ଜୟନ୍ତୀ ବା ଶ୍ରାଦ୍ଧୋତ୍ସବ ପାଳନ୍ତି । ବୃକ୍ଷରୋପଣ ଅଭିଯାନ ହେଉ ବା ରକ୍ତଦାନ- ମଝିରେ ମଝିରେ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ହୋଇଥାଏ । ବେଳେବେଳେ ଗୁରୁତର ପ୍ରସଙ୍ଗ ଆସିଲେ, ସେମାନେ ଦଳଗତ ଆଲୋଚନା କରନ୍ତି । ଦେଶ ପାଇଁ ନିଷ୍କର୍ଷ ବାହାର କରନ୍ତି ।

ତା’ ପରଦିନ ସଂଖ୍ୟାରେ ସମସ୍ତେ ସମବେତ ହୁଅନ୍ତେ, ଦୁର୍ନୀତିକୁ ନେଇ ପ୍ରସଙ୍ଗ ଆରମ୍ଭ କଲେ ପଞ୍ଚାନନ ବାବୁ । ମିଶ୍ରବାବୁ ପଚାରିଥିବା ପ୍ରଶ୍ନର ଉତ୍ତର ଖୋଜିବା ବାହାନାରେ । ଅସଲ ଉଦ୍ଦେଶ୍ୟ ଥିଲା- ଦୁର୍ନୀତିକୁ ନେଇ ସେ କିଛିଦିନ ତଳେ ଗୋଟେ ପ୍ରବନ୍ଧ ଲେଖା ଆରମ୍ଭ କରିଥିଲେ । କିଛି ସପୋର୍ଟ ପଏଣ୍ଟ୍ ପାଇବା ଯୋଗାଡ଼ରେ ସେ ଥିଲେ ।

ଦୁର୍ନୀତି କଥା ଉଠିବାରୁ ଜଗଦାନନ୍ଦଙ୍କର ମୁହଁ ଆମ୍ୱିଳା ଦେଖାଗଲା । ମନଟା ବିଦ୍ରୋହ କରି ଉଠିଲା । ସେ ଚିଡ଼ି ଉଠୁଥିଲେ । ଏକ ପ୍ରକାର ପ୍ରତିକ୍ରିୟାଶୀଳ ଅବସ୍ଥା ଥିଲା ତାଙ୍କ ଭିତରେ । ରାଗରେ ମୁହଁଟା ଲାଲ୍ ପଡ଼ି ଯାଇଥିଲା ଯେମିତି । ତାଙ୍କୁ ସାନ୍ତ୍ୱନା ଦେବାକୁ ମିଶ୍ରେ ତାଙ୍କ କାନ୍ଧରେ ହାତ ଥୋଇ କହିଲେ, “ମୁଁ ଜାଣିଛି, ଆପଣ ପୁଅଟା ପାଇଁ ବ୍ୟସ୍ତ ହେଇ ପଡୁଛନ୍ତି । ଯାହା ତା’ର ଭାଗ୍ୟ !”

“କ’ଣ କହିଲେ ଭାଗ୍ୟ ? କି ଦୁର୍ଭାଗ୍ୟ ଥିଲା ମୋ ପୁଅର । ମଣିଷ ଯେତେବେଳେ ବିଧି ବ୍ୟବସ୍ଥାର ଚକ୍ରାନ୍ତରେ ହାରିଯାଏ, ବାଧ୍ୟ ହୋଇ ଭାଗ୍ୟକୁ ଦୋଷ ଦିଏ । ଓ.ଏ.ଏସ୍. ଲିଖିତ ପରୀକ୍ଷାରେ ଶ୍ରେଷ୍ଠ ପନ୍ଦର ଜଣଙ୍କ ଭିତରେ ରହି ବି ମୌଖିକରେ ମାତ୍ର ଚାଳିଶି ନମ୍ୱର ପାଇ କଟିଗଲା । ୟା’କୁ ଭାଗ୍ୟ କହିବ ନା ଷଡ଼ଯନ୍ତ୍ର !” – ଏଇ ସ୍ପଷ୍ଟୋକ୍ତିରେ ଜଗଦାନନ୍ଦଙ୍କର ସ୍ୱର ଆହୁରି ଶାଣିତ ହେଉଥିଲା ତୀବ୍ର ପ୍ରତିବାଦରେ ।

“ହେଲେ ଆପଣ ଗୋଟେ ଭୁଲ୍ କରି ପକେଇଲେ । ଯଦି କିଛି ଯୋଗାଯୋଗ କରିଥାନ୍ତେ. . .” ମହାନ୍ତି ବାବୁ ତାଙ୍କୁ ସାନ୍ତ୍ୱନାଟିକେ ଦେବା ପାଇଁ କହିଲେ ସିନା, କିନ୍ତୁ ଜଗଦାନନ୍ଦ ଏତିକି ଶୁଣୁଶୁଣୁ ପୁଣି ବିଷ ଭଦ୍‌ଗାରି ପକାଇଲେ ।

“କ’ଣ ହେଲା ଯୋଗାଯୋଗ ? ଏଇ ସ୍ୱାଧୀନତା ସଂଗ୍ରାମୀ ପଦକ ଆଉ ଭତ୍ତା ପାଇଁ ମୁଁ କୋଉଠି ଯୋଗାଯୋଗ କରିଥିଲି । ଆପଣଙ୍କ ବାପା ତ ଚାଲିଗଲେଣି । ସ୍ୱାଧୀନତା ସଂଗ୍ରାମୀ ଭାବରେ ସେ ଯେଉଁ ସମ୍ୱର୍ଦ୍ଧନା ପାଇଲେ, ଏଥିପାଇଁ ସେ କୋଉଠି ଯୋଗାଯୋଗ କରିଥିଲେ । ଆରେ ପୁଅ କହୁଥିଲା- ତା’ର ଜଣେ ସାଙ୍ଗ ଲିଖିତ ପରୀକ୍ଷାରେ ମାତ୍ର ଯୋଗ୍ୟତା ଭିତ୍ତିକ ନମ୍ୱର ରଖି ମଧ୍ୟ ମୌଖିକରେ କାହିଁ କେତେ ନମ୍ୱର ପାଇ ବି ଉପର ପଚାଶ ଜଣଙ୍କ ଭିତରେ ରହିଲା । ଏତିକି ତା’ ବାପା ଜଣେ ବିଲଡ଼ର୍ ଓ ମୁଖ୍ୟମନ୍ତ୍ରୀଙ୍କ ଘରୋଇ ସଚିବଙ୍କ ସହ ତାଙ୍କର ଭଲ ଭାବଦୋସ୍ତି ଅଛି ବୋଲି ହେଲା ।”

ମହାନ୍ତିବାବୁ କଥାଟା ଶୁଣୁଶୁଣୁ କହିଲେ, “ଏମିତି ଏ ଦେଶରେ କେତେ କଥା ଘଟୁଛି । ଏଟା କୋଉ ଗୋଟେ ବଡ଼ କଥା ।”

“ବଡ଼ କଥା ନୁହେଁ । ତା’ମାନେ ଆପଣ ପୁରାପୁରି ଦୁର୍ନୀତିକୁ ସମର୍ଥନ ଦେଉଛନ୍ତି ।”

“ମୁଁ କେତେବେଳେ ଦେଲି ହୋ । ମୁଁ ଖାଲି ଯାହା ଦେଶ କଥା କହୁଛି । ଯେତେବେଳେ ଦୁର୍ନୀତି କୋଇଲା, ଖଣି, ଡାଲିଠୁ ଆରମ୍ଭ କରି ସୁଇସ୍ ବ୍ୟାଙ୍କ୍ ପର୍ଯ୍ୟନ୍ତ ଲମ୍ୱିଛି, ଏ କଥାଟା ନେତାଙ୍କ ପାଇଁ ନଳୀ ଲଗେଇ ପଇଡ଼ରୁ ମଧୁର ପାଣି ପିଇବା ପରି ।”

ଜଗଦାନନ୍ଦ ମହାନ୍ତି ବାବୁଙ୍କୁ ଆଉ ଯାହା କଡ଼ା ଗଣ୍ଡା ପଦିକ ଶୁଣେଇଥାନ୍ତେ, କଥା ମଝିରେ ବାଡ଼ ପକେଇ ମୁରାରି ବାବୁ କହିଲେ, “ପ୍ରକୃତ କଥା, ପ୍ରକୃତ କଥା, ଯୁଆଡ଼େ ଦେଖ, ଦେଶରେ ଛାଇ ଯାଇଛି ଦୁର୍ନୀତି । ଦୁର୍ନୀତି ଯେପରି ଏ ଦେଶର ନେତାଙ୍କ ପର୍ବ ପାଲଟି ଯାଇଛି । (ଆପାତତଃ ଜଗଦାନନ୍ଦ ଓ ମହାନ୍ତିବାବୁଙ୍କ କଥା ଯୁଦ୍ଧକୁ ଶେଷ କରିବା ଲକ୍ଷ୍ୟ ନେଇ ମୁରାରି ବାବୁ ନିଜର ମତାମତ ରଖିଥିଲେ)”

ଏ ପର୍ଯ୍ୟନ୍ତ ମହାପାତ୍ର ବାବୁ ସେଇଠି ବସି ସମସ୍ତଙ୍କର ସବୁକଥା ଶୁଣୁଥିଲେ । ଟିକେ ଦମ୍ ନେଇ ମିଶ୍ରେଙ୍କ ଆଡ଼କୁ ଚାହିଁ କହିଲେ, “ଆପଣ ପରା କହୁଥିଲେ କୋଉ ଆଇନ୍‌ରେ ଦୁର୍ନୀତି ହଟିବ ବୋଲି । ଯେତେବେଳେ ଛୋଟ ରାସ୍ତା କାମଠୁ ଆରମ୍ଭ କରି ବଡ଼ କ୍ରୀଡ଼ା ଆୟୋଜନରେ ଟଙ୍କା ହେର ଫେର ହେଇଯାଉଛି, ସେତେବେଳେ କୋଉ ଆଇନ୍ ୟା’କୁ ସମ୍ଭାଳିବ ଯେ । ଯଦି ଉଭୟ ନେତା ଓ ଜନତାଙ୍କ ମାନସିକତାରେ ପରିବର୍ତ୍ତନ ଆସେ, ତେବେ କିଛିଟା ସୁଫଳ ମିଳିପାରେ । ନ ହେଲେ ଆନଗତି କିଛି ନାହିଁ ।”

ପଞ୍ଚାନନ ବାବୁ ଚଉକି ଉପରେ ବସି ଗୋଡ଼ଟା ହଲ ହଲ କରୁଥାନ୍ତି । ପାନ ଖିଲେ ପାଟିରେ ଜାକି କହିଲେ, “କେଉଁ ମାନସିକତା ବଦଳିବା କଥା କହୁଛନ୍ତି ? ଯୋଉ ନେତା କି ଯୋଉ ମନ୍ତ୍ରୀ ସଉକି ମେଣ୍ଟାଇବା ଆଳରେ ବିଦେଶ ଗସ୍ତ କରନ୍ତି କି ନିଜ ଘର କାମରେ ସରକାରୀ ଗାଡ଼ିର ବ୍ୟବହାର କରନ୍ତି, ସେଠି ନେତାଙ୍କ ମାନସିକତା ପରିବର୍ତ୍ତନ ଉଷୁନା ଧାନ ଗଜା ହେବା ପରି । ପୁଣି ଆହୁରି ତାଙ୍କ ମାନସିକତା କଥା କହିବି ।”

(କଥାଟା କହୁ କହୁ ଅଧାରୁ ଅଟକିଗଲେ ପଞ୍ଚାନନ ବାବୁ)

ଚାରିପାଖରେ ତାଙ୍କୁ ତଲ୍ଲୀନ ହୋଇ ଶୁଣୁଥିବା ଅନ୍ୟମାନେ ଏକାବେଳକେ ଅନୁରୋଧ ରଖିଲେ, “ଅଟକିଗଲେ କାହିଁକି, କହୁନାହାନ୍ତି ।”

“ନାଇଁ, ନାଇଁ. . . କଥାଟା ଭାବିଲା ବେଳକୁ ନିଜେ ମତେ ସରମ ଲାଗୁଛି । ଆଉ କହିବି କ’ଣ ?” ତଥାପି ଅନ୍ୟମାନଙ୍କର ଶୁଣିବା ଝୁଙ୍କ୍ ଆଗରେ ନିଜେ ନଇଁ ଯାଇ କଥାଟା ଆରମ୍ଭ କଲେ, “ଇଏ କୁଆଡ଼େ ଆମ ପ୍ରତିନିଧି ହେଇଛନ୍ତି । ଆମ କଥା ବିଚାରିବା ପାଇଁ ବିଧାନସଭାରେ ବସିଛନ୍ତି । ସେଦିନ ଗୃହ ବିଭାଗର ଗୋଟେ ଜରୁରୀ ପ୍ରସଙ୍ଗ ଉପରେ ବିଭାଗୀୟ ମନ୍ତ୍ରୀ ତାଙ୍କର ବିବୃତି ରଖୁଥାଆନ୍ତି । ଏପେଟ କିଛି ବିଧାୟକ ଢୋଳେଉଥାନ୍ତି ତ ଆଉ କିଛି ବିଧାୟକ ସାଙ୍ଗ ହୋଇ ଅଶ୍ଳୀଳ ଭିଡ଼ିଓ କ୍ଲିପ୍ସ ଦେଖିବାରେ ମଗ୍ନ ଥାଆନ୍ତି । ଆଉ ଜଣେ ତ ମାଗାଜିନ୍‌ରୁ ତରୁଣୀମାନଙ୍କର ଲଙ୍ଗଳା ଫଟୋ ଦେଖି ମଜା ନେଉଥିବାର ଦୃଶ୍ୟ ଟିଭିରେ ଦେଖଉଥିଲା ।”

“ରାମ, ରାମ. . . ଏମାନେ ଯଦି ଏମିତିକା କାମ କରିବେ, ଦେଶ ଯାହା ଉନ୍ନତି କରିବ ଜଣାଅଛି ।” ନିଜର ଅସନ୍ତୋଷ ଜାହିର କରି ମୁରାରି ବାବୁ କଥାଟା କହିଲେ ଓ ବିରକ୍ତ ହୋଇ ଉଠି ବାହାରକୁ ଚାଲିଗଲେ ।

“ସେ ବିଧାନସଭା କଥା ନ କହିବା ଭଲ । ବେଳେବେଳେ କ’ଣ ତାଙ୍କର ରକ୍ତ ଗରମ ହେଇଯାଏ ଯେ ପିଙ୍ଗା ଫୋପଡ଼ା, ଧସ୍ତାଧସ୍ତି, ଠେଲାପେଲା, ମରାମରି ହରଦମ୍ ଚାଲିଥାଏ । ଏମିତି ଦୃଶ୍ୟ ଦେଖିଲେ ମନେ ହେବ ଶାସକ- ବିରୋଧୀ ଯେମିତି ଦୁଇ ଦଳରେ ବିଭକ୍ତ ହୋଇ ଖେଳୁଛନ୍ତି ଅବା ଯୁଦ୍ଧ କରୁଛନ୍ତି । ବିଧାନସଭା ଆଉ ବିଧାନସଭା ହେଇ ରହିନଥାଏ । ଖେଳ ପଡ଼ିଆ କି ରଣାଙ୍ଗନ ପାଲଟି ସାରିଥାଏ । ଆରେ ମାଡ଼ଗୋଳ କି ଗଣ୍ଡଗୋଳ କାହିଁକି କହିବ- ଖୋଳ, ଗିନି କି ଢୋଲ ଧରି ଥେଇ ଥେଇ ନାଚି ପାଲା କରୁନା, ଆମେ ସବୁ ଭକୁଆଙ୍କ ଭଳି ତମ ପାଲା ଦେଖିବୁ । ଛି. . . ଛି. . .” କହିଲେ ମହାନ୍ତି ବାବୁ କଥାଟାକୁ ଆହୁରି ରସୁଆଳ କରି ।

ଏହି ସମୟରେ ସନ୍ଧ୍ୟା ସାତଟା ହେଇ ଯାଇଥିଲା ଓ ଟିଭି ଖୋଲି ସମସ୍ତେ ନ୍ୟୁଜ୍‌ ଶୁଣିବା ପାଇଁ ବସିଗଲେ । ବ୍ରେକିଂ ନ୍ୟୁଜ୍‌ରେ ଧକ୍କା ଖାଇଲା ଭଳି ସମ୍ୱାଦ- ଆଳୁ କିଲୋ ଷାଠିଏ ଟଙ୍କା !

ରୋଷେଇ ଘରେ ଚଡ଼କ ପଡ଼ିଲା କି ଆଉ ! କଥା କ’ଣ କି ରାଜ୍ୟରେ କ୍ରମାଗତ ବାତ୍ୟା, ବନ୍ୟା ଓ ବର୍ଷା ଯୋଗୁଁ ଏ ପ୍ରକାର କୃତ୍ରିମ ଅଭାବ ଆସି ପହଞ୍ଚିଛି ।

ପଞ୍ଚାନନ ବାବୁ କହିଲେ, “ଆମେ ସିନା କୃଷି ପ୍ରଧାନ ରାଜ୍ୟ ବୋଲଉଛୁ । ହେଲେ ନା କୃଷି ଅଛି ନା ପ୍ରଧାନ । ନା ଅମଳ ନା ଶୀତଳ ଭଣ୍ଡାର । ବାହାରୁ ଆଳୁ ନ ଆସିଲେ ଆମ ଚୁଲି ଏକେବାର ଅଚଳ !”

ଅନ୍ୟମାନେ ବି ଏହି ସୁଯୋଗରେ ଆମକୁ ଖାଉଟି ବନେଇ ଆମଠୁ ଟଙ୍କା ଛଡ଼େଇ ନେବାରେ ବ୍ୟସ୍ତ । ସେ ଆନ୍ଧ୍ର ହେଉ କି ପଶ୍ଚିମବଙ୍ଗ- ଆମ ଆଳୁ ପିଆଜ କିଣାରେ ତାଙ୍କ ରାଜସ୍ୱ ବଢେ଼ ।

ମହାପାତ୍ର ବାବୁ ପ୍ରସଙ୍ଗ ଉପରେ ନିଜର ସମର୍ଥନ ଜଣା କହିଲେ, “ଖାଲି ଓଡ଼ିଶା କଥା କାହିଁକି, ଆମ ଦେଶ କଥା ଟିକେ ଭାବୁନା । ଜାପାନ୍ ଆଉ ଚୀନ୍‌ମାନେ ଭାରତକୁ ଗୋଟେ ଦେଶ ବୋଲି ବିଚାରନ୍ତି ନାହିଁ । ସେମାନେ ଭାବନ୍ତି, ଭାରତବର୍ଷ ଗୋଟେ ବୃହତ୍ ଖୋଲା ବଜାର । ତା’ ନହେଲେ ଦିନ ଠୁ ରାତି ଯାଏ, ଶୋଇବା ଘରଠୁ ଅଫିସ୍ ରୁମ୍ ଯାଏ କି ପିଲାଙ୍କ ଖେଳନା ଠୁ ଆରମ୍ଭ କରି ବଡ଼ ଲୋକଙ୍କର ସାମଗ୍ରୀ ଯାଏ ଆମେ ବ୍ୟବହାର କରୁଥିବା ଜିନିଷ କେଉଁଟା ଭାରତର ? ସବୁଥିରେ ତ ଲେଖାଥାଏ- ମେଡ୍ ଇନ୍ ଚାଇନା କି ମେଡ୍ ଇନ୍ ଜାପାନ୍ ।”

ଆଳୁ ପ୍ରସଙ୍ଗ ନ ସରୁଣୁ ଆଲୋଚନାରେ ଆଉ ଏକ ସ୍ପର୍ଶକାତର ବିଷୟ ଯୋଡ଼ିଲେ ମହାନ୍ତି ବାବୁ । ନିଜର ଅଙ୍ଗନିଭା କଥା ଜଣାଇବାକୁ ଯାଇ କହିଲେ, “ଜ୍ୱାଇଁ ଆଜି ବାଙ୍ଗାଲୋର୍ ଚାଲିଗଲେ । ଝିଅ ଖବର ଦେଲା ସେ କିଛିଦିନ ପାଇଁ ଆମ ଘର ଆଡ଼େ ବୁଲିବାଲି ଆସିବେ । ତହୁଁ ସକାଳୁ ସକାଳୁ ମୁଁ ବାଲେଶ୍ୱର ବାହାରି ପଡ଼ିଲି । ଝିଅ ଆଉ ନାତିଟୋକାକୁ ଧରି ଆସିଲା ବେଳକୁ ଅଧାବାଟରେ ରାସ୍ତା ଜାମ୍ । କଥା କ’ଣ ବୁଝୁ ବୁଝୁ ରିଲିଫ୍ ମାଲ୍ ନେଇ ଆସିଥିବା ଟ୍ରକ୍ ଦି’ଟା ରାସ୍ତାରେ ଅଟକିଛି । ଲୋକ ବି ରିଲିଫ୍ ପାଇଁ ଛେଚାକୁଟା ହେଇ ଲାଇନ୍ ଲଗେଇଛନ୍ତି । ହେଲେ ଜିନିଷପତ୍ର ଟ୍ରକ୍‌ରୁ ଓହ୍ଲା ହେଉନି କି ବଣ୍ଟା ହେଉନି ।”

“ତା’ପରେ କ’ଣ ହେଲା ?” ପଚାରିଲେ ମୁରାରି ବାବୁ ।

“ଓଃ. . . ହୋଃ. . . କଥାଟା ଶୁଣ ଆଗ । ଏମିତି ତରବର ହେଲେ ଚଳିବ ?” ମୁରାରି ବାବୁ କହିଲେ, “ହଉ ହଉ, କୁହନ୍ତୁ କୁହନ୍ତୁ, ଆପଣ ବୋଧେ ରାସ୍ତା ଜାମ୍‌ରେ ଫସିଗଲେ ।”

ମହାନ୍ତି ବାବୁ ପୁଣି ଯୋଡ଼ିଲେ, “ମୋ ଫସିବା କଥା କ’ଣ ପଚାରୁଛ ଭାଇ ? ଲୋକଙ୍କ ହାଲତ କଥା ଶୁଣ ଆଗ । ଲୋକେ ଯେତେବେଳେ ରାଗିକି କାହିଁ ଦେଉନ ବୋଲି ପଚାରିଲେ, ସେ ଅଞ୍ଚଳର ସରପଞ୍ଚ କହିଲେ- ଏତେ ବ୍ୟସ୍ତ ହେଉଛ କାହିଁକି ? ଆଉ ଦଶ ପନ୍ଦର ମିନିଟ୍ ଭିତରେ ଏମ୍ଏଲ୍ଏ ଆସି ପହଞ୍ଚିବେ । ସେ ନିଜେ ରିଲିଫ୍ ପ୍ୟାକେଟ୍ ବାଣ୍ଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।”

ସରପଞ୍ଚଙ୍କ ପାଟିରୁ କଥାଟା ତ ବାହାରି ପଡ଼ିଛି । ଦେଖ ଏଥର ତମାସା । ଭିଡ଼ ଭିତରୁ ଗୋଟାଏ ମୋଟା ସୋଟା ଟୋକା ଆସି ସରପଞ୍ଚଙ୍କ ସାର୍ଟ କଲର ଭିଡ଼ି ଭିଡ଼ି ନେଇ କହିଲେ, “ବେଶି ରାଜନୀତି କରୁଛୁ । ଯା’ ତୋ ଏମେଲେଙ୍କୁ କହିବୁ ଆଉ କଉଠି ଏ ପଲିଟିକ୍ସ ଚଳେଇବ, ଏଠି ନୁହଁ ।”

ଏତିକି ବେଳକୁ ପଞ୍ଝାଏ ଟୋକା ଟ୍ରକ୍ ଉପରକୁ ଚଢ଼ିଯାଇ ରିଲିଫ୍ ପ୍ୟାକେଟ୍ ସବୁ ତଳକୁ ଫିଙ୍ଗି ବଣ୍ଟାକୁଣ୍ଟା ଆରମ୍ଭ କରିଦେଇଥିଲେ ।

ଜଗଦାନନ୍ଦ ମହାନ୍ତି ବାବୁଙ୍କ ଠାରୁ ଏହି ଏମ୍ଏଲ୍ଏ ଓ ରିଲିଫ୍ ବଣ୍ଟା ପ୍ରସଙ୍ଗ ଶୁଣୁଶୁଣୁ ଅଜାଣତରେ ଟିକେ ହସି ପକେଇ କହିଲେ, “ପାଇଖାନାରୁ ପାର୍ଲ୍ୟାମେଣ୍ଟ୍ କୁହ କି ଗାଁ ଠୁ ସହର କଥା କୁହ, ସବୁ କ୍ଷେତ୍ରରେ ରାଜନୀତିର ଏଇ ନାକ ଗଳା ନୀତି ଦେଶ ଅଧୋଗତିର କାରଣ ହେଇଛି ।”

ସେତେବେଳକୁ ରାତି ସାଢେ଼ ଆଠ ହୋଇଯାଇଥିଲା । ଜଗଦାନନ୍ଦଙ୍କର ଏଇ କଥା ପଦିକ ଛୁଇଁଗଲା ଭଳି ସମସ୍ତେ “ହଁ” “ହଁ” କହି ପରସ୍ପର ଶୁଭାରାତ୍ରି ଜଣାଇ ନିଜ ନିଜ ଘକୁ ବାହୁଡ଼ି ଯାଇଥିଲେ ।

ଲୋକପ୍ରିୟ ଲେଖା

To Top