ଦର୍ପ ଦଳନ ଭଙ୍ଗା ଫିତା ଖଟିଆ ଉପରେ ପଡି ରହି ଶୂନ୍ୟ ଆକାଶକୁ ଚାହିଁଛି । ପାଖରେ କେହି ନାହିଁ । ଆଖିରୁ ବୋହି ଯାଉଛି ଧାର ଧାର ଲୁହ । ବାଳ ପାଚି ଗଲାଣି । ଦାଢ଼ି ଗୁଡାକ ଅକ୍ଷର ଭାବରେ ବିପର୍ଯ୍ୟସ୍ତ । କଣ କହିବାକୁ ଚେଷ୍ଟା କରୁଛି ଦର୍ପଦଳନ । କିନ୍ତୁ ପାଖରେ ତ କେହି ନାହିଁ । ଶେଷକୁ ଭୋ ଭୋ ହେଇ କାନ୍ଦି ଉଠିଲା ଦର୍ପଦଳନ । କାନ୍ଦ ଶୁଣି ଚାଳ ଘର ଭିତରୁ ଦୌଡ଼ି ଆସିଲା ସରୋଜିନୀ । ଦେହରେ ହାତ ବୁଲେଇ ପିଠି ଟିକେ ଆଉଁସି ଦେଲା । ମଥା ଉପରେ ନିଜର ଦନ୍ତଡା ପାପୁଲିକୁ ବୁଲେଇ ଆଣି କହିଲା ।
କାହିଁକି କାନ୍ଦୁଛ ?
କାହା ପାଇଁ କାନ୍ଦୁଛ ?
ନାଇଁ ମ କାନ୍ଦିବି କାହିଁକି ? ଏମିତି କଣ ଗୋଟେ ମନେ ପଡିଗଲା । ଆପେ ଆପେ କାନ୍ଦ ମାଡିଲା । କହିଲା ଦର୍ପଦଳନ ।
“ହେ ସରୁ ! ଦେଖୁଚୁ ଏ ଭଙ୍ଗା ଫିତା ଖଟିଆ ଆଉ ତା ଉପରେ ପଡିଥିବା ସାତ ଆଁ କନ୍ଥାକୁ । ଏ ଜୀବନ ଟା କେତେ ହୀନିମାନ ହେଇଗଲା କୁହନି । ତୁମେ ମୋ ହାତ ଧରି ଆସିଥିଲା ଘର ସଂସାର କରିବାକୁ । ଜୀବନ ସାଥୀ ହେଇ ସୁଖରେ ଜୀବନ କାଟିବାକୁ । କିନ୍ତୁ କ’ଣ ପାଇଲା କୁହ ? ମେଞ୍ଚାଏ ଦୁଃଖ, ଅସରନ୍ତି ତାଡ଼ନା , ଅକୁହା ଅପବାଦ, କିନ୍ତୁ କାହିଁକି ? କଣ ପାଇଁ ?”
“ଜୀବନର ସର୍ବସ୍ୱ ତ୍ୟାଗ କରି ସମସ୍ତଙ୍କ ମୁହଁରେ ହସ ଫୁଟେଇ ଯେଉଁ ତତଲା ଲୁହାର କଟୁରୀ ବେକରେ ପକେଇଲେ, ଯେଉଁ କଣ୍ଟାର ପାହାଡ଼ ଉପରେ ଠିଆ ହୋଇ ସେମାନେ ଆନନ୍ଦରେ ହସିଲେ, ଯେଉଁ କ୍ରୁଶ ଭିତରେ ନିଜକୁ କ୍ରୁଶ ବିଦ୍ଧ କରିବି ଆଖିରୁ ଟୋପାଏ ଲୁହ ଢ଼ାଳିଲେନି । ସେଇ ସେଇ ସଞ୍ଚିତ ଲୁହ ଗୁଡାକ ଏବେ ଅମାନିଆ ହେଇ ଯାଉଛି । ଆଖିର ବନ୍ଧକୁ ମାନୁନି । ମନର ଚାବୁକ ତାକୁ ସାବାଡ଼ କରି ପାରୁନି ।” ପୁଣି କାନ୍ଦି ଉଠିଲା ଦର୍ପଦଳନ ।
ସରୋଜିନୀ ବହୁତ ବୁଝେଇଲା । “ଏମିତି କାନ୍ଦନି । ତୁମ ଦେହର ଅବସ୍ଥା ଯାହା କନ୍ଦା କଟା କଲେ ଆହୁରି ରୋଗ ବଢ଼ିଯିବ । ମୋ କଥା ମାନ । ମୁଁ ପରା ତୁମ ପାଖରେ ଅଛି । ତୁମ ସୁଖ ଦୁଃଖର ସାଥୀ ଆଉ ମୋ ଦୁଃଖ ସୁଖର ସାଥୀ ପରା ତୁମେ । ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଲା ବେଳେ ତୁମେ କଣ କହିଥିଲା ମନେ ନାହିଁ ? କହିଥିଲ ପରା “ଦୁଃଖ ଆସିଲେ କେବେ ଡରିବନି । ସୁଖ ଆସିଲେ କେବେ ଗର୍ବ କରିବନି । ” ନିଜକୁ ସବୁ ପରିସ୍ଥିତିରେ ଖାପ ଖୁଆଇ ଚାଲିବା ପାଇଁ ମତେ ତୁମେ ପ୍ରେରଣା ଦେଇଛ , ସାନ୍ତ୍ୱନା ଦେଇଛ । ଏବେ ଭାଙ୍ଗି ପଡୁଛ ଯେ ? କ’ଣ ପାଇଁ ?
“ମନ ଟା ବେଳେ ବେଳେ ବିଦ୍ରୋହ କରି ଉଠୁଛି । ନିଜ ଉପରେ ପ୍ରତିଶୋଧ ନେବା ପାଇଁ ଇଚ୍ଛା ହେଉଛି । ଦର୍ପଦଳନର ଦର୍ପ ଭାଙ୍ଗି ଯାଉଛି । ଖୁସିର ପିରାମିଡ଼ ଘୁଷୁଡି ପଡିଛି । ଆଶାର କୋଣାର୍କ ଭୁଲୁଣ୍ଠିତ ହେଇଛି । ସ୍ୱପ୍ନର ତାଜମହଲ୍ରେ ମେଞ୍ଚା ମେଞ୍ଚା ବହଳ ଅଧୋରା ଅତୀତରେ ଶବ ମାନଙ୍କର ବିରାଟ ପଟୁଆର ଭିତରେ ମୁଁ ଅଣ ନିଃଶ୍ୱାସ ହେଇ ଯାଉଛି । ତୁମେ ଯେତେବେଳେ ଯାହା ବୁଝେଇଲେ ବି ଏ ଅବୁଝା ମନଟା ଜମା ବୁଝୁନି ସରୁ ।”
“ଓଳିଏ ଖାଇ ଦଣ୍ଡେ ବଂଚିବାର ଆଶା ତ ମରିନି । ମିଳୁଛି ତ ! ତୁମର ପୂର୍ବାର୍ଜିତ କର୍ମର ଫଳ ସ୍ୱରୂପ ଏବଂ ମୋର କର୍ମ ସାଧନା ଆମକୁ ବଞ୍ଚିବାକୁ ପ୍ରେରଣା ଦେଉଛି । ଯଦିଓ ଦାରିଦ୍ରତାର କଠୋର ଦଣ୍ଡରେ ଆମେ କିଲ୍ବିଲ୍ ହେଇ ଯାଉଛେ ” କହିଲା ସରୋଜିନୀ । “ତୁମେ ଶୋଇଥାଅ ମୁଁ ଯାଉଛି ତୁମ ପାଇଁ ଗଣ୍ଡେ ମୁଢି ଆଉ ଟିକେ ନାଲି ଚା’ କରି ଆଣେ ।”
“ନାଇଁମ ସରୁ । ତୁମେ ଟିକେ ବସ , ତୁମେ ପାଖରେ ବସିଲେ ନା ମୋ ମଲା ଦେହରେ ପୁଣି ଜୀବନ ପାଉଛି , ଲାଗୁଛି ସତେ ଯେମିତି କିଛି ଦୁଃଖ ନାହିଁ , କିଛି ଶୋକ ନାହିଁ , କିଛି ବାର୍ଦ୍ଧକ୍ୟ ନାହିଁ, କିଛି ଅସୂୟା ନାହିଁ କିଛି ଆକ୍ରୋଶ ନାହିଁ, କିଛି ଅଭିଯୋଗ ନାହିଁ । ବଞ୍ଚିବାର ଏକ ନୂତନ ଉନ୍ମାଦନାରେ ପ୍ରଫୁଲ୍ଲିତ ହେଇ ଉଠୁଛି ମନ ପ୍ରାଣ ।”
“ଏ ତୁମର ନିବିଡ଼ ପ୍ରେମର ପ୍ରତିଫଳନ ସତରେ ତୁମକୁ ସୁଖ ଦେଲା ଭଳି ମୋ ପାଖରେ ତ କିଛି ନାହିଁ । ନା ଯୌବନ, ନା ଅର୍ଥ, ନା ଶକ୍ତି, ନା ବିପଣି । ମୁଁ ତା ଜୀବନ ଯୁଦ୍ଧରେ କ୍ଷତାକ୍ତ ହୋଇଥିବା ନାରୀଟିଏ , ଜୀବନ ଯୁଦ୍ଧରେ ହାରିଯାଇଥିବା ନାରୀଟିଏ । ସାମଗ୍ରିକ ସତ୍ତାକୁ ନିଜ ଭିତରେ ମୁଁ ଲୁଚେଇ ଲୁଚେଇ ଯେତେ ପ୍ରେମ କରିଥିଲି । ସମସ୍ତଙ୍କୁ ଆପଣାର କହି ଯେତେ ଯେତେ କୋଳେଇ ନେଇଥିଲି , ସେତିକି ଦିନ ପ୍ରତାରଣାର ଶର ଶଯ୍ୟାରେ ମୁଁ ତ ଶୋଇ ରହି ତୁମକୁ ବି ମନ ପ୍ରାଣ ଦେଇ ଭଲ ପାଇଁ ପାରୁନି । ରହି ରହି ବିଳପି ଉଠୁଛି ମନ, ହୃଦୟ, ସବୁ ଦୁଃଖକୁ ବୁକୁ ଭିତରେ ଚାପି ରଖି ମୁଁ ହସୁଛି ନିର୍ଲଜ୍ଜ ହସ, ଯୋଉ ହସରେ ଜୀବନ ନାହିଁ । ପୁଳା ପୁଳା ହାଡ଼ ଆଉ ଅନ୍ତସାର ଶୂନ୍ୟ ନିଷ୍ପ୍ରଭତା ।”
“ନା ସରୁ ! ତୁମେ ସେମିତି କୁହନ୍ତି । ତୁମରି ପାଇଁ ତ ମୁଁ ମରି ମରି ବଞ୍ଚିଛି । ତୁମରି ସେବା ତ୍ୟାଗରେ ମୋ ଜୀବନ ମରୁଭୂମି ପୁଣି ହସି ଉଠିଛି । ଆଗକୁ କେତେବାଟ ଯିବାର ଅଛି ! ନା ତୁମେ ଜାଣିଛ , ନା ମୁଁ ଜାଣିଛି । ଦର୍ପଦଳନର ସବୁ କ୍ରୋଧ, ସବୁ ଦର୍ପ, ସବୁ ଗର୍ବ, ସବୁ ଅହଂକାର ସମୟ ଚୋରେଇ ନେଇଛି । ମଖମଲ୍ ଗଦିର ନିଆଁ ପିଣ୍ଡୁଳା ଭିତରେ ସେ ଜଳୁଛି । ଅହରହ ଜଳୁଛି ।
ତୁମେ ହିଁ ପ୍ରଶମିତ କରିଛ ସେ ଅଗ୍ନିକୁ । ତୁମକୁ ବାରମ୍ବାର ଆଲିଙ୍ଗନ କରି ମୁଁ ହୃଦୟର ବିକ୍ଷୁବ୍ଧ ଉତ୍ତାପକୁ ଶାନ୍ତ କରି ପାରିଛି ।
ଆସ ଆସ ସରୁ !
ତୁମେ ଆଉ ମୁଁ
ମୁଁ ଆଉ ତୁମେ
ଜୀବନର ଅନ୍ୟ ଏକ ଭଙ୍ଗା ପାହାଚ
ଯେତେ ତିନ ସେ ପାହାଚ ଉପରେ ଠିଆ ହୋଇଥିବା ମୁହଁରେ ହସ ଫୁଟେଇ । ସେତେ ଦିନ ବଞ୍ଚିଥିବା ଜୀବନକୁ ନେଇ, ଜୀବନ ପାଇଁ ”
– ତା’ପରେ –