ଗଳ୍ପ

ନୀଳ ବିଭୀଷିକା

Prakash Behera's odia story Neela Bibheeshikaa

ଯୋଉ ଘରକୁ ଏକସ୍ତରୀ ବାତ୍ୟା ସମ୍ଭାଳି ତା’ ବାପା ଠିଆ କରେଇଛି, ଯୋଉ ଘରକୁ ବୟାଅଶୀ ବାତ୍ୟା ମାଡ଼ରୁ ସେ ସୁରକ୍ଷିତ ରଖିପାରିଛି, ଆଜି ସେ ଘର ପାଇଁ ବୋହୂଟେ ଯୋଗାଡ଼ ହେଇ ପାରୁନି ।

ନୀଳ ବିଭୀଷିକା

-: ପୂର୍ବରୁ :-

କେତେ ଦିନ ବାଦ୍ ନରିଆ ଗାଁକୁ ଆଇଲା ଯେ ଯଉ କଥାକୁ ସେଇ କଥା । ତା’ ଢଙ୍ଗଢ଼ାଙ୍ଗ କିଛି ବଦଳି ନ ଥିଲା । ତା’ ବାପାବଉ ଭାବିଲେ ତା’ର ଅନ୍ୟ କଉଠି ବାହାଘର କରିଦେଲେ ସବୁକିଛି ଠିକ୍‌ଠାକ୍ ହେଇଯିବ । ଦିନେ ସକାଳ ବେଳା ଗାଧେଇ ଆସି ପଖାଳ ଖାଇ ବସିଛି, ମଝି ଭାତ ଆଣି ତା’ ବଉ ପଚାରିଲା, “ନରି, ପଦିନିପୁର ମାଗା ସୁଇଁ ଭାରି ଚଳିଲାବାଲା । ତା’ ବଡ଼ ଝୁଅ ଦେଖିବାକୁ ଯିମିତି, କାମଦାମକୁ ବି ସିମିତି । ତୋ ବାପା ସେଇଠି ତୋ ବାହାଘର ଠିକ୍ କରିଛନ୍ତି । ଏଇ ଫଗୁଣରେ ତୋ ବାହାଘରଟା କରିଦେଲେ ଭଲ ହବ ।”

କଥାଟା ଶୁଣୁଶୁଣୁ ନରିଆ ତା’ ବଉକୁ ଇମିତି ଡବଡବ ଅନେଇଲା ଯେ ତା’ ବଉ ସାକ୍ଷାତ୍ ଡରିଗଲା । ସେଇ ଅଧାଖିଆ ହେଇ ପଖାଳ କଂସା ପାଖରୁ ଉଠି ପଳେଇଗଲା । ଆଉ ସେଇ ଦିନଠୁ ତା’ ବାପା ବଉ, ପଡ଼ାପଡ଼ିଶୀ, ବନ୍ଧୁବାନ୍ଧବ ଯେତେ ତାକୁ ବା’ହବା ପାଇଁ କହିଛନ୍ତି, ଫୁସୁଲେଇଛନ୍ତି, ସେ ଜମା ମଙ୍ଗି ନାହିଁ ।

ଇମିତି ଅମଙ୍ଗ ହେଇ ଘରଛଡ଼ା ଦଉଥିବାରୁ ନରିଆ ବଉ, ବାପା ସମସ୍ତେ ବ୍ୟସ୍ତ ହେଇ ପଡ଼ିଲେ । ଶେଷକୁ ତାକୁ ମନେଇବାକୁ ତା’ ବଉ ହୃଷି ପାଖକୁ ଗଲା । ହୃଷି, ନରିଆର ଗାଁ ସାଙ୍ଗ । ଭାରି କ୍ଷୀର-ନୀର ଭାବ ଦିହିଁଙ୍କର । ମାସରେ ଅଧେ ଦିନ ନରିଆ ହୃଷି ଘରେ ତ ହୃଷି ନରିଆ ଘରେ ଖା’ପିଅ କରନ୍ତି । ଶୁଆ ବସା ବି ।

ବୁଢ଼ୀ ବ୍ୟସ୍ତ ହେଇ ହୃଷିକୁ କହିଲା, “ବାପାରେ, ତାକୁ ଟିକେ ବୁଝା । ତମେ ସବୁ ବାହାସାହା ହେଇ ଗୋଟା ଦିଇଟା ପିଲାର ବାପା ହେଲଣି । ସେ କ’ଣ ଇମିତି ଅଭିଆଡ଼ା ହେଇ ବୁଲୁଥିବ ?”

ହୃଷି ମାଉସୀର ସବୁକଥା ହେଜି କରି କହିଲା, “ତମେ କି କଥା କହୁଛ ମାଉସୀ, ମୁଁ କ’ଣ ଚାହୁଁଛି ନରି ଏମିତି ବାହାସାହା ନ ହେଇ ବୁଲୁଥାଉ ? ତାକୁ ତ ମୁଁ କେତେଥର ବା’ହବା କଥା କହିଛି । ବୁଝେଇଛି ବି କେତେ ? ହେଲେ ସେ କ’ଣ ମୋ କଥା କାନରେ ପୁରଉଛି ! ତମେ ମୋଟେ ବ୍ୟସ୍ତ ହୁଅନା ମାଉସୀ, ଆମେ କ’ଣ ଗୋଟେ ବ୍ୟବସ୍ଥା କରିବା । ସେ କ’ଣ ଆମକୁ ବଳିଯିବ !”

ବୁଢ଼ୀ ଆଉ ଥରେ ହୃଷିର ହାତ ଓଠ ଧରି ନରିଆକୁ ମଙ୍ଗେଇବାକୁ କହି ଘରକୁ ବାହୁଡ଼ିଲା । ସେଇ ମାସରେ ହୃଷିର ଦ୍ୱିତୀୟ ଗର୍ଭରୁ ଗୋଟେ ପୁଅ ଜନମ ହେଲା । ତାଙ୍କ ଘରେ ଖୁସି ବୋଲି କହିଲେ ନସରେ । ନରିଆ ତା’ ପୁଅ ଏକୋଇଶାକୁ ସୁନାର ପଦକଟାଏ ନେଇ ଯାଇଥିଲା । ହୃଷିର ପୁଅକୁ କୋଳରେ ଧରିଲା । ତାକୁ ଗେଲ କଲା । ତା’ ଗୁଲୁରୁ ଗୁଲୁରୁ ଆଖିକୁ ଅନେଇ ତା’ ସହ ଗପସପ କଲା । ତା’ ମନ ପୁରିଲା ପୁରିଲା ଜଣାପଡୁଥିଲା । ହୃଷିକୁ ଅନେଇ କହିଲା, “ମଇତ୍ର, ତୋ ପୁଅ ଠିକ୍ ତୋ ଭଳିଆ ହେଇଚିରେ ! ହେଇ ଦେଖୁନୁ ତା’ ନାକ ଆଉ ଆଖିକି, ତୋରି ଭଳିଆ ଚିରା ଚିରା ଆଖି ଆଉ ଠିଆ ନାକ ।”

ନରି କଥା ଶୁଣି ହୃଷିର ଛାତି କୁଣ୍ଢେମୋଟ ହେଇଗଲା । ସେ ନରିକୁ କହିଲା, “ମୋ ପୁଅ କିଏ, ତୋ ପୁଅ କିଏ ? ତୁ ମୋ ପୁଅର ଗୋଟେ ନାଁ ଦେ !”

ନରି ସାଙ୍ଗେ ସାଙ୍ଗେ କଥା ଫେରେଇଲା, ମୁଁ ଗୋଟା କି ମଣିଷ ! ମୁଁ ପୁଣି ତୋ ପୁଅର ନାଁ ଦେବି ! ହଉ ଯଦି କଉଚୁ, ଗୋଟାଏ କଥା ମୋ ମନକୁ ଆଉଚି । ଆମ ମଇତ୍ରାଣି ନାଁ ହଉଚି ମାଳତି, ତୁ ତୋ ପୁଅର ନାଁ ମଳୟ ରଖିଦେ ।

ନୂଆ ନାତିର ନାଁ “ମଳୟ” ଶୁଣୁଶୁଣୁ ହୃଷି ବାପାର ପାକୁଆ ପାଟିରେ ହସ ଚହଟିଗଲା । ସେ ନରିକି ଆଦର କରି କଇଲେ, “ମୁଁ. . . ଉଁ. . . ସେ. . . ଇ. . . ନାଁ. . . ଆ. . . ଭା. . . ଆ. . . ବୁ. . . ଥି. . . ଲି. . . ରେ ପୁ. . . ଅ. . . !”

ଏଇ ଏକୋଇଶା ପରେ ନରିଆ ଟିକେ ବଦଳିଲା ବଦଳିଲା ଭଳିଆ ଜଣାପଡ଼ିଲା । ସତକୁ ସତ ଦିନେ ସେ ହୃଷିକୁ ତା’ ଧାନ ବିଲରେ ଏକା ଥିବାର ଦେଖି ତାକୁ ଯାଇ କହିଲା, “ହୃଷି, ବଉକୁ କଇବୁ ମୁଁ ରାଜି ।”

ହୃଷି ପାଖରୁ ନରିଆ ରାଜି ହବା କଥା ଶୁଣି ବୁଢ଼ୀ ଭାରି ଖୁସି ହେଇଗଲା । ଠାକୁରଙ୍କୁ ସୁମରଣା କରି ମୁଣ୍ଡିଆଟାଏ ମାରି କହିଲା, “ଯା ହଉ ପ୍ରଭୁ, ଏତେ ଦିନରେ ତା’ ମୁଣ୍ଡରେ ଭଲ ବୁଦ୍ଧିଟାଏ ଦେଲ ।”

ତା’ପରେ ସେମାନେ ବିଭିନ୍ନ ଆଡ଼କୁ ପ୍ରସ୍ତାବ ଫ୍ରସ୍ତାବ ପଠାଇଲେ । ବାହାଘର କଥା ବୁଝିବା ପାଇଁ ସମସ୍ତଙ୍କୁ କହିଲେ । ହେଲେ ଫଳ ସବୁ ଓଲଟା ହେଲା, ସବୁ ଆଡୁ ତାଙ୍କୁ ନାସ୍ତିବାଣୀ ଶୁଣିବାକୁ ମିଳୁଥିଲା । କଉଠି କନିଆଁ ପସନ୍ଦ ହଉନଥିଲା ତ କଉଠି କନିଆଁ ଘର ପକ୍ଷରୁ ନରିଆ ପସନ୍ଦ ନଥିଲା । କିଏ କିଏ ବି ନରିଆର ଘରବାଡ଼ି ଓ ଜମିଜମା ବେଶି ନ ଥିବା ନେଇ ନାକ ଟେକିଥିଲେ ।

ଏମିତି ଏମିତି ଦି’ବରଷ ଗଡ଼ିଗଲା । କଉଠି ବାହାଘରଟା ଠିକଣା ହେଇ ପାରିଲା ନାହିଁ । ୟା’ ଭିତରେ ସମୁଦ୍ର ଗାଁ ଆଡ଼କୁ ମାଡ଼ି ଆସିଥିଲା ଆହୁରି କିଛି କୋଶ । ତହିଁ ମଧ୍ୟରେ କିଛି ଗାଁ ଲୋକଙ୍କ ସମେତ ତାଙ୍କର ଚାଷ ଜମି ଦି’ମାଣ ସମୁଦ୍ରର ଭୋକିଲା ଆଁରେ ଚାଲିଯାଇଥିଲା ।

ସମୁଦ୍ର ଭିତରେ ଚାଷଜମି ଚାଲିଯିବା ଦେଖି ତା’ ଘରଲୋକେ ଭାଙ୍ଗି ପଡ଼ିଥିଲେ । ନରିଆ ବାପାର ଆଗରୁ ଛାତି ବେମାରୀ ଥିଲା । ସେଇ ଜମି ହରେଇବାର ଦୁଃଖରେ ସନ୍ତୁଳି ହେଇ ବୁଢ଼ା ଦିନେ ହୃଦ୍‌ଘାତରେ ପ୍ରାଣ ଛାଡ଼ିଦେଲା ।

ବାପଛେଉଣ୍ଡ ନରିଆ ଏବେ ବେସାହାର ହେଇଗଲା । ତା’ ବୁଢ଼ୀବଉ ବି ବାପକୁ ଝୁରିହେଲା କେତେକାଳ । ଇମିତି ମାଆ- ପୁଅ ପରସ୍ପରକୁ ଅନାଅନି ହେଇ ଗୋଟାଇ ବର୍ଷ କାଟିଦେଲେ ।

ବାପର ବର୍ଷିକିଆ ଗଲା ପରେ ପୁଣି ବାହାଘର ସିଜିନି ଆସିବାରୁ ଗଛରେ ନୂଆ ପତ୍ର କଅଁଳିବା ପରି ବୁଢ଼ୀ ମନରେ ବୋହୂ ପାଇଁ ଆଶାଟି ଗଜୁରି ଉଠିଲା ।

କେତେ ଲୋକଙ୍କୁ ନରି ବଉ କୁହାବୋଲା କଲା । ନେହୁରା ହେଲା । ଏତେ ବେଳକୁ ନରିଆ ପଚିଶି ଡେଇଁ ସାରିଥିଲା । ସେତେବେଳକୁ ତ ଅଠର ଉଣେଇଶିରେ ବାହାସାହା ହଉଥିଲେ । ପଚିଶି ପାର ହେଇଥିବା ନରିଆ ଦରବୁଢ଼ାରେ ଗଣା ହେଇଗଲା ଗାଁରେ । ବାହାଘର ବୁଝୁଥିବା ଲୋକ କି କନିଆଁ ଘର ଲୋକ ପୁଅର ବୟସ ନେଇ କୁନ୍ଥେଇଲେ ।

ବାହାଘର କଉଠି ଠିକ୍‌ଠାକ୍ ହଉନଥିବାରୁ ନରିଆ ବେଶ୍ ଭାଙ୍ଗି ପଡ଼ିଥିଲା । ଦୁଃଖରେ ସନ୍ତୁଳି ହେଉଥିଲା ବୁଢ଼ୀ ।

କିନ୍ତୁ ତାଙ୍କ ପାଇଁ ବେଶି ଦୁଃଖର କାରଣ ଥିଲା ସମୁଦ୍ର । ଯଉଠି ଯଉଠି କନିଆଁ ଘର ନରିଆର ଘରବାଡ଼ି, ଜମିଜମା କି ତା’ର ବୟସକୁ ନେଇ ଝିଅ ଦବା ପାଇଁ ରାଜି ହଉଥିଲେ, ସମୁଦ୍ର ଆସି ଗାଁ ପାଖ ହେଇଯାଇ ଥିବାରୁ ପୁଣି ମନ ଉଣା କରୁଥିଲେ । ପଛଘୁଞ୍ଚା ଦଉଥିଲେ ।

ଯଉ ମଧ୍ୟସ୍ଥି ବାହାଘର ପ୍ରସ୍ତାବ ନେଇ ଘରୁ ବାହାରୁଥିଲା, କେତେ ଦିନ ପରେ ଫେରି ଶୁଖିଲା ମୁହଁରେ ନା କହି ଚାଲି ଯାଉଥିଲା । କେତେ ଜଣ ମଧ୍ୟସ୍ଥି ତ କନିଆଁ ଘର କହିଥିବା କଥା ସିଧା ସଳଖ ଶୁଣେଇ ଥିଲେ । କଉଠି କଉଠି କନିଆଁର ମାଆ କହିଥିଲା, “ମୋ ଝିଅ ପଛେ ସାରା ଜୀବନ ଅଭିଆଡ଼ୀ ରହିଯିବ କି ବେକରେ ବାଲି ମାଠିଆ ବାନ୍ଧି କୂଅକୁ ଡେଇଁ ପଡ଼ିବ, କିନ୍ତୁ ଦରିଆ କୂଳରେ ବାହା ଦେଇ ତାକୁ ମୁଁ ଜାଣିଶୁଣି ମରଣ ମୁହଁକୁ ଠେଲି ଦେବି ନାହିଁ ।”

ଆଉ କିଏ କିଏ କହିଥିଲେ, “ଦରିଆ କୂଳ ଘର କଥା । କେତେବେଳେ କ’ଣ ହବ, କିଛି କହି ହବ ନାହିଁ । ସଞ୍ଜବୁଡ଼େ ଗାଁ ଭିତରେ ଘର ଥିବ, ସକାଳକୁ ଦରିଆ ପାଣିରେ ତମ ଶବ ଭାସୁଥିବ । ଆମ ଜୀବନ କ’ଣ ପଚା ଗନ୍ଧଉଚି ଯେ ଆମେ ସେଠି ଝିଅ ବାହା ଦେବୁ । ଯାଅ, ଯାଅ ସିଧା କହିଦବ, ଝିଅ ଘର ବାଲା ଏଇଆ କହି ପଠେଇଛନ୍ତି ।”

ପୁଣି ବି ଆଉ କିଛି ଝିଅ ଘର ଲୋକ ଏମିତି କିଛି ମନ୍ତବ୍ୟ ନ ଦେଇ ପୁଅ ଘର ଦେଖା ଆସିଥିଲେ । ସେଇ ଆସିବା ତାଙ୍କର ଶେଷ ଆସିବା ହେଇଛି । ଗାଁ, ଘର ଆଉ ଗାଁ ଉପରେ ବିଷାକ୍ତ ସାପ ଭଳି ଲହ ଲହ ଜିଭ ଦେଖେଇଥିବା ଦରିଆକୁ ଦେଖି ଶଙ୍କାଗ୍ରସ୍ତ ହେଇ ଫେରିଛନ୍ତି ଯେ ଫେରିଛନ୍ତି ।

ସମସ୍ତଙ୍କ ଭିତରେ ଏକା ହେଇଯାଇଛି ନରିଆ । ଏକା ହେଇଯାଇଛି ତା’ ବୋଉ । ଯୋଉ ଘରକୁ ଏକସ୍ତରୀ ବାତ୍ୟା ସମ୍ଭାଳି ତା’ ବାପା ଠିଆ କରେଇଛି, ଯୋଉ ଘରକୁ ବୟାଅଶୀ ବାତ୍ୟା ମାଡ଼ରୁ ସେ ସୁରକ୍ଷିତ ରଖିପାରିଛି, ଆଜି ସେ ଘର ପାଇଁ ବୋହୂଟେ ଯୋଗାଡ଼ ହେଇ ପାରୁନି । ବୋହୂଟେ ନ ଆଣିଲେ କେତେ ଦିନ ବୁଢ଼ୀ ବଉଟା ଆଉ ଫଟା କାନ୍ଥରେ କାଦୁଅ, ଗୋବର ନେସି ଭଙ୍ଗା ଘରକୁ ସାଇତି ରଖିଥିବ । ରଖି ପାରିବ କି ??

ବୋହୂ ଖଣ୍ଡେ ନ ଆସି ପାରିବା ଦୁଃଖରେ ହତାଶ ହେଇ ପଡ଼ିଲା ନରିଆ । ବୁଢ଼ୀ ପ୍ରାୟ ଏଇ ଦୁଃଖରେ ଏକ ପ୍ରକାର କତରା ଲଗା ହେଇଗଲା ।

ଏମିତି ଦିନେ ଦଉଡ଼ି ଖଟିଆଟା ଉପରେ ଗଡ଼ପଡ଼ ହଉ ହଉ ନରିଆର ମନ ବିଷାକ୍ତ ହେଇଗଲା । ବିରକ୍ତ ହେଇ ସେ ଧପାଳି ଗଲା ସମୁଦ୍ର ବନ୍ଧ ଉପରକୁ । ଥରେ ସମୁଦ୍ରକୁ ଓ ଆଉଥରେ ଉପରକୁ ଟେକା ଫିଙ୍ଗି ବଡ଼ ପାଟିରେ ଗାଳି ଦେଇ କହିଲା, “କଉ ଜନମରେ ମୁଁ କି ପାପ ଅର୍ଜିଥିଲିରେ ବିଧାତା, ତୁ ମତେ ଦରିଆ କୂଳରେ ଜନମ ଦେଲୁ । ଜନମ ଦେଇନୁ ତ, ଏକା ସାଙ୍ଗରେ ମରଣକୁ ବି ସାଙ୍ଗରେ ପଠେଇ ଦେଇଛୁ । ଆମେ କିମିତି ଏଠି ମରି ମରି ବଞ୍ଚୁଛୁ, ତୁ ଏଇ ଶିରୀ ସେଉଠୁ ଦେଖୁଛୁ ନା ! ବାତ୍ୟା ତ ପଠେଇଥିଲୁ, ଏବେ ସମୁଦ୍ରକୁ ମଡ଼େଇ ମଡ଼େଇ ଗାଁ ଭିତରେ ପାଣି ପୁରେଇଲୁଣି । ତୋ ଅଭିଶାପରୁ ମୋ ବୋଉ ପାଇଁ ବୋହୂ ଖଣ୍ଡେ ବି ଯୋଗାଡ଼ ହେଇ ପାରୁନି । ତୁ କି ଦଇବ ହେଇଚୁ, ଆମ ଉପରେ ଏତେ ଦାଉ ସାଧୁଛୁ ।”

କହୁ କହୁ କାନ୍ଦ କାନ୍ଦ ହେଇଗଲା ନରିଆ ।

ତା’ପରେ

ଲୋକପ୍ରିୟ ଲେଖା

To Top