ଗଳ୍ପ

ନୀଳ ବିଭୀଷିକା

Prakash Behera's odia story Neela Bibheeshikaa

ବୁଢ଼ାପା’, ହେଇବା ସେଇଠି ତମ ଜମି ବାହାରିଛି । ଟିକେ ଭଲ କରି ଅନ୍‌ଛା କର । କାଲି ଏଇ ବାଲି ଗୋଠରେ ମଇଁଷି ବାନ୍ଧିଲା ବେଳକୁ ବାପା ମତେ ଚିହ୍ନେଇ ଦେଇଥିଲେ ତମ ଜମି । ଦେଖି ପାରିଲ ନା !

ନୀଳ ବିଭୀଷିକା

ନରି ପଧାନ କାହାଠୁ ଶୁଣିଲା ଦରିଆ ପଠାରେ ତା’ ଜମି ବାହାରିଛି ତ ସେ ବନ୍ଧ ଉପରକୁ ସିଧା ଉଠିଗଲା । ପେଜୁଆ ଆଖିରେ ସମୁଦ୍ର ଭିତରକୁ ଖୁବ୍ ଦୂରକୁ ଚାହିଁଲା । କୋଉଠି ତା’ ଜମି ବାହାରିଛି ସେ ଠିକଣା କରିପାରୁନଥିଲା । ତାକୁ ଭଲ କରି ଦିଶୁନଥିଲା । ଅଣ୍ଟା ସଳଖି ସେ ଦଣ୍ଡେ ଠିଆ ହେଇ ପାରୁନଥିଲା । ବୟସର ବୋଝର ସେ ପୁରା ନଇଁ ଯାଇଥିଲା । ତଥାପି ସେ ଆଶା ରଖି ସକାଳୁ ସକାଳୁ ବନ୍ଧ ଉପରକୁ ଆସିଥିଲା ସମୁଦ୍ର ଫେରେଇଥିବା ତା’ ଜମିର ଖୋଜ ନବାକୁ । ଖୋଜିଲା ଖୋଜିଲା ଆଖିରେ ସେ ଚାରିଆଡ଼କୁ ଆଖି ପହଁରେଇ ଆଣିଲା ବେଳକୁ କେହି ଜଣେ ଗାଁ ପିଲା ଝାଉଁବଣ ଆଡ଼େ ଏକ ନିର୍ଦ୍ଦିଷ୍ଟ ଦିଗରେ ତା’ ହାତ ବଢେ଼ଇ କହୁଥିଲା, “ବୁଢ଼ାପା’, ହେଇବା ସେଇଠି ତମ ଜମି ବାହାରିଛି । ଟିକେ ଭଲ କରି ଅନ୍‌ଛା କର । କାଲି ଏଇ ବାଲି ଗୋଠରେ ମଇଁଷି ବାନ୍ଧିଲା ବେଳକୁ ବାପା ମତେ ଚିହ୍ନେଇ ଦେଇଥିଲେ ତମ ଜମି । ଦେଖି ପାରିଲ ନା !”

କାନ୍ଧରେ ପଡ଼ିଥିବା ଗାମୁଛାରେ ଆଖି ମଳି ନରି ବୁଢ଼ା ଶୁକୁଟା ଗଉଡ଼ ପୁଅ ଠାରି ଦଉଥିବା ଦିଗରେ ବହୁତ ଦୂରକୁ ଆନିଶା କଲା । କେତେ ବାଟରେ ବାଲିରେ ମାଡ଼ିଯାଇଥିବା ପଠା ଭଳି କିଛି ଜାଗା ଝାପ୍ସା ଝାପ୍ସା ଧୋବଲା ଦେଖାଯାଉଥିଲା । ନରି ପଧାନ ଶୁକୁଟା ପୁଅକୁ ପଚାରିଲା, “ଏଇ ଯଉ ଝାଉଁବଣ ଆଡ଼କୁ ଲାଗି କେତେ ବାଲି ଜାଗା ଦେଖାଯାଉଛି, ସେଇଟା କିରେ ଟୋକା ?”ଶୁକୁଟା ପୁଅ “ହଁ”ଟାଏ ମାରି ଦରିଆ ଢେଉରୁ ଉଠି ଆସି ଫେରି ଯାଉଥିବା ଗୋଟାଏ ବଡ଼ କଛିମକୁ ଧରିବାକୁ ଦଉଡ଼ିଗଲା ।

ନରି ପଧାନ କେତେବେଳ ଧରି ଆଶ୍ରା ବାଡ଼ି ଖଣ୍ଡଟାରେ ଭରା ଦେଇ ସମୁଦ୍ରରୁ ବାହାରିଥିବା ତା’ ଜାଗା ଆଡ଼େ ଚାହିଁ ରହିଥିଲା । ସକାଳୁ ମୁଢ଼ି ଗିନାଏ ଆଉ ନାଲି ଚାହା ଗିଲାସେ ପିଇ ଜାଗା ଠଅର କରିବାକୁ ଆସିଥିବା ସେ । କଅଳ ସୁରୁଯ ଟିକେ ଟାଣ ଧରିଲାଣି । ଭୋକରେ ତା’ ପେଟ କଁ କଁ ହେଲାଣି । ତଥାପି ବୁଢ଼ା ଲୋଭ କରି ସେ ଆଡ଼େ ଅନ୍‌ଛା କରି ରହିଥାଏ । ବାକି ବୟସର ମାନଚିତ୍ରରେ ଏ ଜାଗା ଖଣ୍ଡକ କୋଉ କାମରେ ଲାଗିବ ଭାବୁ ଭାବୁ ମନେ ପଡ଼ିଗଲା ତା’ର ପିଲା ବେଳର କଥା । ସେତେବେଳକୁ ସେ ଏଇ ଶୁକୁଟା ପଲେଇ ପୁଅ ବୟସର ହେଇଥିଲା । ସେ ତା’ ବାପାଙ୍କ ସାଙ୍ଗରେ ସମୁଦ୍ର କୂଳକୁ ଯଜ୍ଞ ଦେଖିବାକୁ ଯାଏ, କୋଉଠୁ କୋଉଠୁ ଅଲେଖିଆ ବାବା ସବୁ ଆସନ୍ତି । ସମସ୍ତେ ଗେରୁଆ ଗେରୁଆ । ସମୁଦ୍ର ପଛକୁ ପଛ ଘୁଞ୍ଚିଯିବ ବୋଲି ଯଜ୍ଞ କରନ୍ତି । ଘିଅ ପୋଡ଼ନ୍ତି । ଅଖଣ୍ଡ ଦିଅନ୍ତି । ମନ୍ତ୍ର କରନ୍ତି । ଭଜନ ବୋଲିନ୍ତି । ଢେଉ ମାଡ଼ିଥିବା ଓଦାବାଲି ଉପରେ ଲମ୍ୱ ଲମ୍ୱ ପଡ଼ି ନେହୁରା ହୁଅନ୍ତି । ସମୁଦ୍ର ହଟିଯାଉ ବୋଲି ବିନତି କରନ୍ତି ।

ତେବେ ସମୁଦ୍ର ଘୁଞ୍ଚିଯିବା ପାଇଁ ଯଜ୍ଞ ହୁଏ କି ଆଉ କ’ଣ ପାଇଁ ହୁଏ ସେ ଜାଣେନା । ତାକୁ ଖାଲି ଏତିକି ମାଲୁମ୍ ଥାଏ ସେ ଏଠିକି ଆସେ ମଜା କରିବା ପାଇଁ । ଖୁସି ହବା ପାଇଁ, ପାଖ ଆଖ ଗାଁର ତା’ ସାଙ୍ଗ ପିଲା ସବୁ ଦେଖା ହୁଅନ୍ତି । ସମୁଦ୍ର ବାଲିପଠାରେ ସେମାନେ ବାଗୁଡୁ ଖେଳନ୍ତି । ଏଇ ତଣ୍ଡାକୂଳ ଯଜ୍ଞରେ ବି ବହୁତ ମନୋହରୀ ଦୋକାନ ଲାଗିଥାଏ । କେତେ କେତେ ଖାବାର ଦୋକାନ ବି । ବାପା ତାକୁ ଜଲିବି, ମିଠେଇ ଖୁଆନ୍ତି । ଫେରିଲା ବେଳକୁ ସେ ହରେକ୍ ରକମର ଖେଳନା କିଣି ଘରକୁ ନିଏ । ପେଁକାଳିକୁ ପେଁ ପେଁ ବଜେଇ ଖୁସି ହୁଏ ।

ତେବେ ଏତେ ସବୁ ଖୁସି ଭିତରେ ଗୋଟିଏ କଷ୍ଟ ଥାଏ । ଗାଁରୁ ତଣ୍ଡାକୂଳକୁ ଆସିଲା ବେଳେ କୋଶେ କୋଶେ ଦୂରରୁ ପବନରୁ ଉଡ଼ି ଆସୁଥିବା ବାଲି ରେଣୁ ଗୁଡ଼ାକ ଗୋଡ଼ରେ ପିଟି ହେଇ କଣ୍ଟା ଫୋଡ଼ିଗଲା ପରି ଲାଗେ । ତଥାପି ଯଜ୍ଞର ମଜା ଉଠାଇବାକୁ ଆସିଥିବା ତା’ ଭଳି ପିଲାମାନେ ଏଇ କଷ୍ଟକୁ ଭୁଲି ଯାଆନ୍ତି । ବେଳେ ବେଳେ ବାଲି ଭିତରେ ପାଦ ଯୋଡ଼ାକ ଗଳଗଳ ହେଇ ପଶିକି ଆଉ ଚାଲି ନ ପାରିଲେ ବାପାଙ୍କ କାନ୍ଧରେ ସବାର ହେଇ ଯାତ୍ରା କରିବାର ଅନୁଭୂତି ଭାରି ରୋମାଞ୍ଚକର ଥାଏ ।

ପଧାନ ବୁଢ଼ା ମୁଣ୍ଡ ଉଠେଇ ଆକାଶକୁ ଅନେଇଲା । ମୁଣ୍ଡ ଉପରେ ସୂର୍ଯ୍ୟଙ୍କୁ ଦେଖି ଗାଧୁଆ ବେଳ ହେଲାଣି ଜାଣି ପାରିଲା । ଏତେ ବେଳକୁ ବୋହୂ ଭାତ ବାଢ଼ି ଅପେକ୍ଷା କରିଥିବ । ସେ ପଛକୁ ପାଦ କଲା ଫେରିବା ପାଇଁ । ସତକୁ ସତ ନାତି ଟୋକା ତାକୁ ଡାକିବା ପାଇଁ ଆସିଥିଲା । ଘରେ ପହଞ୍ଚିବା ପରେ ବୋହୂ ଚଟ ପକେଇ ପାଣି ଗିଲାସ ଥୋଇ ପଚାରିଲା, “ଫେର୍ ଥରେ ଆଜି ଦରିଆ ପାଖକୁ ଯାଇଥିଲ । ଡାକ୍ତର ବାବୁ ପରା ମନା କରିଛନ୍ତି ବାହାରେ ବେଶି ବୁଲାବୁଲି କରିବା ପାଇଁ । ଧିଅ ତ ସବୁବେଳେ ଖରାପ ହଉଚି ।”

ବୋହୂକୁ କ’ଣ କହିବ ଭାବି ସେ କିଛି କହିପାରିଲାନି । ଜମି କଥା ବି ଜଣେଇଲାନି । ଖାଲି କହିଲା, “ନାରେ ମା’, ଇମିତି ମନ ହେଲା । ବୁଲି ପଳେଇ ଯାଇଥିଲି । ଆଉ ଜମା ଯିବିନି ।”ଖାଇସାରି ବିଛଣାରେ ଗଡ଼ପଡ଼ ହେଉଛି ତ ତା’ର ସୁଲି କଥା ମନେ ପଡ଼ିଗଲା । ବୁଢ଼ୀଟା ମଲାଣି କି ବଞ୍ଚିଛି ସେ ଖବର ଏବେ ତା’ ପାଖରେ ନାହିଁ । ତାକୁ ତ ଆସି ଚାରିକୋଡ଼ି ଟପିଲାଣି । କଥା ଯଦି ଠିକ୍‌ଠାକ୍ ଥାନ୍ତା, ସୁଲି ଆଜି ତା’ ପାଖରେ ରହି ତା’ର ଦେଖାଶୁଣା କରୁଥାନ୍ତା । ହେଲେ ସବୁ କିଛି ଓଲଟପାଲଟ ହେଇଗଲା । ସୁଲି ତା’ର ନିଜ ବାଟ କାଟି ପଳେଇଲା ।

ହେଲେ ଆଜି ବି ସେଇ ଝାଉଁବଣ ଅଛି । ଅବଶ୍ୟ ପତଳା ହେଇଗଲାଣି । ଲୋକସବୁ କାଠ କାଟି ପତଳା କରି ସାରିଲେଣି । ଇଏ ଫରେଷ୍ଟ୍‌ର ଗୁଡ଼ା କିଳା ପୋତେଇ ନେଇ ଜଙ୍ଗଲ ବିକି ଦଉଛନ୍ତି । ସରକାର୍ କା’ ମାଲ୍. . . କିଏ ପଚାରୁଛି ? ଜଙ୍ଗଲ କଟା ହେଲା ବୋଲି ସିନା ଦରିଆ ଗାଁ ପାଖକୁ ମାଡ଼ି ଆସିଲା । ଲୋକଙ୍କର କାଳ ହେଲା । ହେଲେ ପିଲାବେଳେ ଏଇ ସମୁଦ୍ର ଯିମିତି ଥିଲା ଗାଁ ସାଙ୍ଗ । ନଈ ବା ପୋଖରୀ ଭଳିଆ ତା’ ଭିତରେ ପହଁରା ମାରୁଥିଲା । ତା’ ଢେଉ ସହ ଲୁଚକାଳି ଖେଳ ହେଉଥିଲା ବି ଢେର୍ ।

ତା’ ଯୁଆନ୍ ବେଳେ ସମୁଦ୍ର କେତେ ବାଟରେ ଥିଲା । ଇମିତି ଗାଁ ଲୋକଙ୍କୁ ହଲ୍ଲାପଟା କରୁ ନଥିଲା । ହେଲେ ଆଜି ଟିକେ ଲଘୁଚାପ ହେଲେ କି ଜୁଆର ସମୟରେ ପୂର୍ବେଇ ପବନ ବହିଲେ ତହସିଲ୍‌ଦାର୍ ଗାଡ଼ି ବୁଲେଇ ଦଉଛି । ତାଙ୍କ ପଞ୍ଚାୟତରେ ଦି’ ତିନିଟା ନାଲି କୋଠା ହେଇଛି । ବାତ୍ୟା ଆଶ୍ରୟସ୍ଥଳୀ । ସେଇଠିକୁ ବୋହି ନେଉଚି । ଆରେ, ତମେ ଯଉଠିକି ବୋହିନିଅ, ଦରିଆ କ’ଣ ତମକୁ ଛାଡ଼ିଦବ । ତମେ ତ ତମ ନିଜ ଗୋଡ଼ରେ କୁରାଢ଼ି ମାରିଛ, ଏବେ ଯିବ କୁଆଡ଼େ । ଇଏ ମାଳିକାବାଲା ବି ଘନ ଘନ କହି ବୁଲିଲେଣି- ଜଳମଗ୍ନ ହେଇଯିବ ସବୁ । ବାଇଷି ପାହାଚ ବୁଡ଼େଇ ଦବ, ଧ୍ୱଂସ ହେଇଯିବ ସବୁ । ହେଇଯାଉ ଧ୍ୱଂସ, ତା’ର ବା କ’ଣ ହବ ? ସେ ତ ପାଚିଲା ପତରଟାଏ । କଉଠି ଠ ଠା ଠି ।

ହେଲେ ସେଇ ଗହନ ଝାଉଁବଣରେ ତା’ ଭଲ ପାଇବା ଆରମ୍ଭ ହେଇଥିଲା ଦିନେ । ପାଚଲା ପାଚଲା କଣ୍ଟେଇ କୋଳି ସବୁ ତୋଳି ସୁଲି ଅଣ୍ଟିରେ ଦଉ ଦଉ, ତା’ ହଜିଲା ବାଛୁରୀକୁ ଖୋଜି ଆଣୁ ଆଣୁ ତା’ ପ୍ରତି ସୁଲିର ଢେର୍ ଦରଦ ଆସି ଯାଇଥିଲା । ଆଉ ସେଇ ଦରଦ ଭାବରୁ ଭଲ ପାଇବା ।

ସୁଲିର ପାଞ୍ଚ ଭଉଣୀ । ଭାଇ ନାହିଁ । ଉପର ଦି’ଭଉଣୀ ବାହା ହେଲା ଭଳିଆ ହେଇଗଲେଣି । ତଳ ଦି’ଭଉଣୀ ସାନ ସାନ । ତା’ ବାପ ଚାଷବାସ କି କିଛି କାମରେ ସବୁବେଳେ ନାଗିଥାଏ । ତେଣୁ ମଝି ମଝିଆଁ ଦୃଷ୍ଟିରୁ ସୁଲିକୁ ଗାଈପାଳି ସାଙ୍ଗରେ ଆସିବାକୁ ହୁଏ ।

ଭଲ ଝିଅଟା ଥିଲା ସୁଲି । ରୂପରେ ଯେମିତି, ଗୁଣରେ ବି ସେମିତି । ପୁରା କଇଁ ଫୁଲିଆ ଚେହେରା । ଗାଈପାଳିରେ ଆସିଲା ବେଳକୁ ସୁଲି ବହୁଦିନ ନରିଆ ପାଇଁ କିଛି ନା କିଛି ଦରବ ସାଙ୍ଗରେ ଆଣିଥିବ । କଉଦିନ ଖଟା ଆଚାର ତ କଉଦିନ କଇଁଆ ମଞ୍ଜି ପୋଡ଼ା । ପୁଣି ବି କେବେ ତେଲପକା ବଢ଼ି ଭଜା ।

ନରିଆ କଉ କମ୍ କି ! କେବେ କେବେ ଗାଁ ଭୁସାମାଲ୍ ଦୋକାନରୁ ସୁଲି ପାଇଁ ନେଇଥିବ ଚନାଚୂର କି ବିସୁକୁଟୁ ପକିଟିଏ । ଥବଥବ ଝାଉଁବଣ ଭିତରେ କଉଠି କଉଠି ଥିବା ନଡ଼ିଆ ଗଛ ଚଢ଼ିଯାଇ ପଇଡ଼ ଦି’ଚାରିଟା ପାରି ଆଣିବ । ସୁଲିକୁ ପଇଡ଼ ପାଣି ପିଆଇ ଦବ ଓ ଫଟେଇକି ନାଳି ଖୋଇବାକୁ ଦବ । ସୁଲି ବି ଖାଇସାରି କହେ, “ନରିଭାଇ, ଏଇ ପଇଡ଼ ପାଣି ଭଳି ତମ ଭାବ ଆଦର ଭାରି ମିଠା ।”

ବିଛଣାରେ ଗଡୁଗଡୁ ଖଣ୍ଡେ ଦୀର୍ଘ ନିଶ୍ୱାସ ନେଲା ପରି ପଧାନ । ଆଜି ଭାବିଲା ବେଳକୁ ତା’ ପାଖରେ କେହି ନାହିଁ । ନା ତା’ ପ୍ରେମ ନା ସୁଲି । କେବେ ଦିନେ ସୁଲି ତାକୁ କହିଥିଲା, “ତମ ଘରେ ମୁଁ ମାଣବସା ଗୁରୁବାର କରିବି । ତମ କାନ୍ଥକୁ ଗୋବରରେ ଲିପିବି । ତମ ଅଗଣାରେ ଝୋଟି ପକେଇବି । ମୁରୁଜ ବୁଣିବି । ତମ ଭିତର ଘରେ ତାୱା ବସେଇ ତମକୁ ଚକୁଳି ପିଠା ଖୁଆଇବି । ଆଉ ହାତେ ଲମ୍ୱର ଓଢ଼ଣା ଟାଣି. . .”ଭାରି ଲାଜ କଲା ସୁଲି । ଆଉ କିଛି କହି ପାରିଲାନି ।

ହେଲେ ଆଜି । ଆଜି ସମୟ ତା’ ପାଇଁ ନିଷ୍ଠୁର ହେଇଯାଇଛି । ସ୍ୱପ୍ନର ବାଲିଘର ଦରିଆ ଢେଉରେ ଭାଙ୍ଗି ଯାଇଛି । ସମୁଦ୍ର ବର୍ଷକୁ ବର୍ଷ ଗାଁ ଆଡ଼କୁ ମାଡ଼ି ଆସିବା ଦେଖି ସୁଲି ବି ସ୍ୱାର୍ଥପର ହେଇଗଲା । ଦିନେ ଖଳାକୁ ଧାନ ପାଇଁ ଆସିଥିଲା ସୁଲି । ଏକାନ୍ତରେ ଦେଖି ନରିଆକୁ କହିଦେଲା, “ନରିଆଇ, ମୋ ବା’ ମୋ ପାଇଁ ବା’ଘର ଠିକ୍ କରି ସାରିଛି । ତମେ ବି ଆଉ କଉଠି ବା’ ହେଇଯାଅ । ଦରିଆ ତ ଫି’ ବର୍ଷ ଗାଁ ଆଡ଼କୁ ମାଡ଼ି ଆସୁଛି । ମୁଁ ଆଉ ତମ ସାଙ୍ଗରେ ଦରିଆ କୂଳରେ ପଡ଼ି ହନ୍ତସନ୍ତ ହେଇ ପାରିବି ନାହିଁ ।”

ଗୋଟିଏ ନିଶ୍ୱାସରେ ସୁଲି ନରିଆକୁ ଏକଥା କହି ତାଙ୍କ ଘରକୁ ପଳେଇଲା । ସେଇ ଯେ ପଳେଇଲା ଆଉ ତା’ ଜୀବନକୁ ଫେରିଲା ନାହିଁ ।

ଆଉ ୟା’ ପରେ ନରିଆ ଏକ ପ୍ରକାର ଆଡ଼ବାୟା ପାଲଟିଗଲା । ଠିକ୍‌ଠାକ୍ ଖା’ ପିଅ କଲା ନାହିଁ । ଗୁମ୍‌ସୁମ୍ ରହିଲା ଖାଲି । କା’ ସହ କଥା ଭାଷା ବେଶି କଲା ନାହିଁ । ବେଶି ବି କାହା ସହ ମିଶିଲା ନାହିଁ । ତା’ ମନ ମିଞ୍ଜାସ ଠିକ୍ ରହିଲା ନାହିଁ । ଯଉଦିନ ସୁଲିର ବର ଗାଁ ଭିତରକୁ ପଶିଲା, ସେ ଗାଁ ଛାଡ଼ି ସେଦିନ କୁଆଡ଼େ ପଳେଇଲା ଯେ ତା’ର ଲାପତ୍ତା ମିଳିଲା ନାହିଁ ।

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top