ପ୍ରବନ୍ଧ

ମୋ ପ୍ରତିବେଶୀବୃନ୍ଦ

Krushna Chandra Panigrahi's odia prose Mora Pratibesheebrunda

ମୋଟ ଉପରେ କୌଣସି ବିବାଦ ଥାନା ବା କଚେରୀ ପର୍ଯ୍ୟନ୍ତ ନ ଯାଇ ପଞ୍ଚାୟତ ଦ୍ୱାରା ହିଁ ମୀମାଂସିତ ହେଉଥିଲା

ମୋ ପ୍ରତିବେଶୀବୃନ୍ଦ

ପୂର୍ବରୁ

ମୋର ପ୍ରତିବେଶୀ ଆଦିବାସୀ ଭାଇମାନେ କୌଣସି ପ୍ରକାର ମକଦ୍ଦମା କରିବାକୁ କଦାପି ଅଗ୍ରସର ହୁଅନ୍ତି ନାହିଁ । କଳହ, ମାରପିଟ, ଜମିଜମା ଗଣ୍ଡଗୋଳ ଇତ୍ୟାଦି ଯେ ନ ହୁଏ, ତାହା ନୁହେଁ, କିନ୍ତୁ ସେସବୁର ସମାଧାନ ଗ୍ରାମ ଭିତରେ ହିଁ ଘଟିଥାଏ । ସମସ୍ତ ବଡ଼ ଧରଣର ବିବାଦ ଗ୍ରାମପଞ୍ଚାୟତ ଦ୍ୱାରା ହିଁ ମୀମାଂସିତ ହୋଇଥାଏ । ପଞ୍ଚାୟତ ନିର୍ଦ୍ଦିଷ୍ଟ ବା ନିର୍ବାଚିତ ସଭ୍ୟମାନଙ୍କ ଦ୍ୱାରା ଗଠିତ ହେଉ ନଥିଲା । ଯେ ପଞ୍ଚାୟତର ସାହାଯ୍ୟ ଲୋଡୁଥିଲା ସେ ଗ୍ରାମର ଯେ କୌଣସି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଡାକି ସେମାନଙ୍କଠାରୁ ନିଷ୍ପତ୍ତି ଚାହୁଁଥିଲା । ସେମାନେ ଯେଉଁ ନିଷ୍ପତ୍ତି କରୁଥିଲେ, ତାହା ଉଭୟ ପକ୍ଷ ମାନି ନେଉଥିଲେ । ଯଦି କୌଣସି ପକ୍ଷ ସେମାନଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହେଉଥିଲା, ତେବେ ସେହି ପକ୍ଷ ପୁଣି ଥରେ ତାହାର ଇଚ୍ଛା ଅନୁସାରେ ଅନ୍ୟ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଡାକି ପଞ୍ଚାୟତ ବସାଉଥିଲା । ମୋଟ ଉପରେ କୌଣସି ବିବାଦ ଥାନା ବା କଚେରୀ ପର୍ଯ୍ୟନ୍ତ ନ ଯାଇ ପଞ୍ଚାୟତ ଦ୍ୱାରା ହିଁ ମୀମାଂସିତ ହେଉଥିଲା । ମୋର ବାଲ୍ୟ ଓ ଯୌବନରେ ମୁଁ ଆମ ଗାଁରେ କୌଣସି ବଡ଼ ଧରଣର ମକଦ୍ଦମା ଦେଖି ନଥିଲି ବା ଶୁଣି ନଥିଲି ।

ମୋ ଅଞ୍ଚଳରେ କୌଣସି ବଡ଼ ଧରଣର ଚୋରି ଘଟଣା ମୁଁ ଜାଣେ ନାହିଁ । ଥରେ ତିରୋଟ ସମୟରେ ଆମ ଗାଁର କେତେଜଣ ଭୂମିଜ ଗଣ୍ଡସାହିରୁ ମକ୍କା ଚୋରି କରିଥିବା ଅପରାଧରେ ମାସେ ଲେଖାଏ, ଜେଲଦଣ୍ଡ ପାଇଥିବା ଏକମାତ୍ର ଚୋରି ଘଟନା ମୋର ମନେ ପଡୁଛି । ଆଦିବାସୀମାନେ ଭିକ୍ଷାବୃତ୍ତି ଜାଣନ୍ତି ନାହିଁ କିମ୍ୱା କରନ୍ତି ନାହିଁ । ମୋର ବାଲ୍ୟକାଳର ଏକମାତ୍ର ଆଦିବାସୀ ଭିକ୍ଷୁକ ମରାକୋହ୍ଲର କଥା ମୋର ମନେପଡୁଛି । କୋହ୍ଲମାନଙ୍କ ମଧ୍ୟରେ ଭିକ୍ଷାପ୍ରଥା ଆଦୌ ପ୍ରଚଳିତ ନାହିଁ । ମରା ଯେ କାହିଁକି ଭିକ୍ଷାବୃତ୍ତି କଲା, ତାହାର ଇତିହାସ ଆମ୍ଭମାନଙ୍କୁ ଜଣା ନ ଥିଲା, ମାତ୍ର ତାହାର ଗତିବିଧି ଏପରି ବିଚିତ୍ର ଥିଲା ଯେ ଆମ୍ଭମାନେ ତାକୁ ମରାବାୟା ବୋଲି ଡାକୁଥିଲୁ ।

ମରାବାୟାର ସମ୍ୱଳ ଥିଲା ଖଣ୍ଡିଏ କୌପୀନ ଓ ଏକମାତ୍ର ମାଟିର ରନ୍ଧନପାତ୍ର । ମାଟିହାଣ୍ଡିଟି ତାହାର ଭିକ୍ଷାପାତ୍ରର ମଧ୍ୟ କାର୍ଯ୍ୟ କରୁଥିଲା । ସେ ସମସ୍ତ ପିଣ୍ଡାରେ ବସୁଥିଲା, କିନ୍ତୁ ଭିକ୍ଷାଦିଅ ବୋଲି ଡାକୁ ନ ଥିଲା । ପେଟ ପୁରିବା ଭଳି ଚାଉଳ ମିଳିଯିବା ପରେ ସେ ଆମ ଗାଁର ନୂଆ ପୋଖରୀ ପାଖକୁ ଚାଲି ଯାଉଥିଲା । ଏ ପୋଖରୀର ପାଣି ସବୁଠାରୁ ବେଶି ଗୋଳିଆ, ତଥାପି ସେଠାରୁ ପାଣି ଆଣି ତା’ ପାଖରେ ଥିବା ଆମ୍ୱତୋଟାରେ ଭାତ ରାନ୍ଧୁଥିଲା । ଭାତ ରାନ୍ଧିସାରିବା ପରେ ଆଗେ ସେ ସେଥିରୁ ମୁଠିଏ କୁକୁରମାନଙ୍କୁ ଓ ମୁଠିଏ ଚଢ଼େଇମାନଙ୍କୁ ଦେଉଥିଲା । ତା’ପରେ ଯେଉଁ ଗଛମୂଳରେ ଭାତ ରାନ୍ଧୁଥିଲା, ତାହାରି ପାଖକୁ ଯାଇ ଓ ଭାତହାଣ୍ଡିଟିକୁ ଦେଖାଇ କହୁଥିଲା “ନେ ଖା, ଖାଇବୁ ନାହିଁ । ତେବେ ମୁଁ ଖାଇ ଦେଉଛି ।” ଏହା କହି ବିନା ଲୁଣ ଓ ତରକାରୀରେ ଭାତତକ ଖାଇ ଦେଉଥିଲା ଏବଂ ପୋଖରୀରୁ ପାଣି ପିଇ ପୁଣି ହାଣ୍ଡିଟିକୁ ମାଜି ରଖୁଥିଲା । ଏହା ହିଁ ଥିଲା ତାହାର ଦୈନନ୍ଦିନ କାର୍ଯ୍ୟ । ମୁଁ ଭୂ-ଭାରତର ବହୁସ୍ଥାନ ଭ୍ରମିଛି, କିନ୍ତୁ ମରା ପରି ଅନାସକ୍ତ ଅବଧୂତକୁ ଆଉ ଦେଖି ନାହିଁ ।

କର୍ମ କଷଣ ଦେହ ସହେ, ଅରଣ୍ୟେ ଅଜଗର ପ୍ରାୟେ ।

ମୋର ପ୍ରତିବେଶୀମାନେ ବଡ଼ ବଡ଼ ହିନ୍ଦୁ ପର୍ବପର୍ବାଣି ମାନୁଥିଲେ ହେ, ଏମାନଙ୍କ କେତୋଟି ସ୍ୱକୀୟ ବଡ଼ପର୍ବ ମଧ୍ୟ ଅଛି । ସେଥିମଧ୍ୟରୁ ମକର ସଂକ୍ରାନ୍ତି, ଚୈତ୍ରପର୍ବ ଓ ରଜସଂକ୍ରାନ୍ତି ସର୍ବପ୍ରଧାନ । ସବୁ ପର୍ବ ପାଇଁ ପୂର୍ବ-ପ୍ରସ୍ତୁତି ଚାଲୁଥିଲା, କିନ୍ତୁ ଚୈତ୍ରପର୍ବ ବେଳେ ଆମ ଗାଁର ଯେଉଁ ଛଉନାଚ ହେଉଥିଲା, ସେଥିପାଇଁ ପ୍ରାୟ ଦୁଇମାସ ଆଗରୁ ଆୟୋଜନ ଚାଲୁଥିଲା । ଆମ ଗାଁରେ ଛଉନାଚର ଗୋଟିଏ ଆଖଡ଼ା ଥିଲା ଏବଂ ଏହି ଆଖଡ଼ାର ଓସ୍ତାଦ୍ ଥିଲେ ବନମାଳୀ ନାୟକ । ଦୀର୍ଘ, ସ୍ଥୂଳ ଓ ବଳିଷ୍ଠ ବପୁ ଧରି ଓସ୍ତାଦ ମୁହେଁ ମୁହେଁ ରୋକଡ଼ (ବାଦ୍ୟନାଦ) ଡାକୁଥିଲେ ଓ ସେହି ଅନୁସାରେ ପାଦ ପକାଇ ପିଲାମାନେ ଛଉନାଚ ଅଭ୍ୟାସ କରୁଥିଲେ । ମଧ୍ୟେ ମଧ୍ୟେ ବାଜାଦାରମାନେ ଆସି ବାଜା ବଜାଉଥିଲେ ଓ ବାଜାର ତାଳ ଅନୁସାରେ ଏବଂ ଓସ୍ତାଦ୍‌ର ରୋକଡ଼ ଅନୁସାରେ ପିଲାମାନଙ୍କୁ ନୃତ୍ୟ ଭଙ୍ଗୀ ଓ ପଦଚାଳନା କରିବାକୁ ପଡୁଥିଲା । କେହି ଭୁଲ୍ କଲେ ଓସ୍ତାଦ୍ ହାତରେ ଧରିଥିବା ଛାଟଟିରେ ତାକୁ ପାହାରଟିଏ ଦେଉଥିଲେ । ମୁଁ ଏହି ଆଖଡ଼ାରେ ଯୋଗ ଦେଇଥିଲି, ମାତ୍ର ନୃତ୍ୟ ଶିକ୍ଷାରେ ବେଶିଦୂର ଅଗ୍ରସର ହୋଇପାରି ନଥିଲି ।

ଚୈତ୍ର ପର୍ବରେ ତିନିଦିନ ଧରି ରାତିରେ ଆମ ଗାଁର ଠାକୁରାଣୀଙ୍କ ନିକଟରେ ଛଉନାଚ ହେଉଥିଲା । ଏଥିରେ ଆମ ଗାଁର ଭୂୟାଁମାନେ ଓ ପାଶ୍ୱବର୍ତ୍ତୀ ଜାମଦାପାଳ ଗାଁର କୋହ୍ଲମାନେ ଯୋଗ ଦେଉଥିଲେ ଏବଂ ଆମ ଗାଁର ପାଣମାନେ ଢୋଲ ମହୁରୀ ବଜାଉଥିଲେ । ପୂର୍ବକାଳରୁ ଯେଉଁସବୁ ଛଉ ବା ମୁଖା ଆମ ଗାଁରେ ଥିଲା, ସେଗୁଡ଼ିକ ଜାମଦାପାଳର ମାଣିକୋହ୍ଲ ଘରେ ବାଉଁଶପେଡ଼ିରେ ସଯତ୍ନରେ ସଜାଡ଼ି ରଖାଯାଉଥିଲା ଏବଂ ସେଥିସଙ୍ଗକୁ ପ୍ରତିବର୍ଷ କେତେକ ନୂଆ ଛଉକୁ ମଧ୍ୟ ଯୋଦ କରାଯାଉଥିଲା । ଛଉ ବା ମୁଖା ପିନ୍ଧି ନୃତ୍ୟ କରିବା ହିଁ ଛଉନାଚର ପାରମ୍ପରିକ ବିଧି । ବିନା ଛଉରେ ଆଜିକାଲି ଯେଉଁ ଛଉନୃତ୍ୟ ହେଉଛି, ତାହା ଏହି ନୃତ୍ୟର ଆଧୁନିକୀକରଣ ମାତ୍ର । ଆମ ଗାଁରେ ପାରମ୍ପରିକ ରୀତିରେ ହିଁ ଛଉନାଚ ହେଉଥିଲା । ଏଥିରେ ଶିବ, ଦୁର୍ଗା, ଅର୍ଦ୍ଧନାରୀଶ୍ୱର, ହରପାର୍ବତୀ, କାଳୀ, କାର୍ତ୍ତିକେୟ, ବାଈ (ସୁନ୍ଦରୀ ସ୍ତ୍ରୀ), ବାଘ, ଭାଲୁ ଇତ୍ୟାଦିର ମୁଖା ପିନ୍ଧି ନୃତ୍ୟକାରୀମାନେ ନୃତ୍ୟ କରୁଥିଲେ । ପ୍ରତ୍ୟେକ ଛଉ ବା ମୁଖାର ଦୁଇ ଆଖିରେ ଦୁଇଟି ରନ୍ଧ୍ର ରହୁଥିଲା, ଅତଏବ ଯେଉଁମାନେ ମୁଖା ପିନ୍ଧି ନାଚୁଥିଲେ, ସେମାନେ ସମ୍ପୂର୍ଣ୍ଣ ଅନ୍ଧ ହୋଇ ନାଚୁ ନଥିଲେ ।

ଏହାଛଡ଼ା ଛଉନାଚର କେତେକ ଭୂମିକାରେ ବିନା ଛଉରେ ନୃତ୍ୟ କରିବାର ପ୍ରଥା ଥିଲା । ଏହି ଭୂମିକାଗୁଡ଼ିକ ହେଉଛି- ଡାମୁଡ଼ାଳିଆ ଓ ବାଟୁଆ ବାଟୁଆଣୀ । ଜାମୁଡ଼ାଳିଆର ନାମକରଣରୁ ଜଣାଯାଏ ଯେ ପୂର୍ବେ ନୃତ୍ୟକାରୀମାନେ ହାତରେ ଜାମୁଡ଼ାଳ ଧରି ଏହି ନୃତ୍ୟ ପ୍ରଦର୍ଶନ କରୁଥିଲେ, ମାତ୍ର ମୁଁ ଯେଉଁ ସମୟର କଥା ଲେଖୁଛି, ସେ ସମୟରେ ଏହାର ବ୍ୟତିକ୍ରମ ଘଟିଯାଇଥିଲା । ଆମ ଗାଁର ଜାମୁଡ଼ାଳିଆମାନେ ଚକଚକିଆ ଲାଲ୍ ଓ ନୀଳରଙ୍ଗର ପୋଷାକ ପିନ୍ଧି ଏବଂ ଲାଲ୍ ଓ ନୀଳ କାଗଜର ଝାଲର ଲଗା ଧନୁରାକୃତି ବାଂଶଦଣ୍ଡମାନ ଧରି ଏହି ନୃତ୍ୟ ପ୍ରଦର୍ଶନ କରୁଥିଲେ । ବାଦ୍ୟର ତାଳ ଅନୁସାରେ ରଙ୍ଗଦଣ୍ଡମାନଙ୍କ ସହିତ ରଙ୍ଗ ପୋଷାକ ପରିହିତ ଯୁବକମାନଙ୍କର ଏକକାଳୀନ ପଦଚାଳନ ଓ ଲମ୍ଫପ୍ରଦାନ ଅତ୍ୟନ୍ତ ଚିତ୍ତାକର୍ଷକ ହେଉଥିଲା । ବାଟୁଆ ବାଟୁଆଣୀ (ପଥିକ ଓ ତାହାର ସହଧର୍ମିଣୀ) ନୃତ୍ୟରେ ବାଟୁଆ ଛଉ ପିନ୍ଧି ବାହାରୁଥିଲା, ମାତ୍ର ବାଟୁଆଣୀ ଅଣ୍ଟାରେ ପତ୍ର ପିନ୍ଧି ବିନା ଛଉରେ ତାହା ସହିତ ନାଚୁଥିଲା । ଏହା ଏକ ହସ୍ୟୋଦ୍ଦୀପକ ଦ୍ୱୈତନୃତ୍ୟ । ସ୍ୱୟଂ ସ୍ଥୂଳକାୟ ଓସ୍ତାଦ୍ ବନମାଳୀ ବାଟୁଆ ଭୂମିକାରେ ଓ ତାଙ୍କ ସହିତ କ୍ଷୀଣକାୟ ଆଜନ୍ମ ଖଞ୍ଜ ସୁରୁକୁନୂ ଛାଟିଆ ବାଟୁଆଣୀ ଭୂମିକାରେ ଅଙ୍ଗଭଙ୍ଗୀ କରି ଯେତେବେଳେ ଏହି ନୃତ୍ୟ ଦେଖାଉଥିଲେ, ସେତେବେଳେ ଦର୍ଶକମାନଙ୍କ ମଧ୍ୟରେ ହାସ୍ୟର କଲ୍ଲୋଳ ଖେଳିଯାଉଥିଲା । ନୃତ୍ୟସ୍ଥଳରେ ଯେଉଁ ଆଲୋକ ବ୍ୟବହୃତ ହେଉଥିଲା, ତାହା ଆଦିମକାଳର । ଖଣ୍ଡିଏ ବାଉଁଶର ଗୋଟିଏ ପାଖ ଚିରି ସେଥିରେ ନିଆଁ ଲଗାଇଦେବା ପରେ ସେଥିରୁ ଯେଉଁ ଆଲୋକ ବାହାରୁଥିଲା, ସେହି ହୁଳା ଆଲୋକ ହିଁ ନୃତ୍ୟସ୍ଥଳକୁ ଆଲୋକିତ କରୁଥିଲା, କିନ୍ତୁ ଅଳ୍ପଦିନ ତଳେ ଗାଁକୁ ଯାଇ ଦେଖିଲି ଯେ ଭୂୟାଁସାହିର ପିଲାମାନେ ଖିଚିଙ୍ଗରେ ସମସ୍ତ ଆଧୁନିକ ବାଦ୍ୟଯନ୍ତ୍ର, ପୋଷାକ ଓ ପମ୍ପଲାଇଟ୍ ସହିତ ଅପେରା କରୁଛନ୍ତି । ମୁଁ ଭାବିଲି, ପଚାଶବର୍ଷ ମଧ୍ୟରେ ବାଉଁଶହୁଳାର ସ୍ଥାନ ପମ୍ପଲାଇଟ୍ ମାଡ଼ିବସିଲାଣି, ଏଣୁ ଆଉ କିଛିଦିନ ପରେ ଇଲେକ୍ଟ୍ରିକ୍ ଲାଇଟ୍ ନିଶ୍ଚୟ ପମ୍ପଲାଇଟ୍‌ର ସ୍ଥାନ ଅଧିକାର କରିବ । ପ୍ରକୃତରେ ଖିଚିଙ୍ଗକୁ ଅଳ୍ପଦିନ ହେଲା ଇଲେକ୍ଟ୍ରିକ୍ ଲାଇନ୍ ଆସିଗଲାଣି ।

ଚୈତ୍ର ପର୍ବରେ ଭୂୟାଁମାନଙ୍କ ମଧ୍ୟରୁ ଅନେକେ ମାସକ ଆଗରୁ ଅଧବେଳା ଓପାସ କରୁଥିଲେ ଏବଂ ବୈଶାଖ ସଂକ୍ରାନ୍ତି ଦିନ କେବଳ ପାଳୁଅରୁ ତିଆରି ଝିଲି ସହିତ ପଣା ପିଇ ପୂର୍ଣ୍ଣ ଉପବାସ କରୁଥିଲେ । ଏମାନଙ୍କୁ ଭଗତା କୁହାଯାଉଥିଲା । ଭଗତା ଶବ୍ଦ ନିଶ୍ଚୟ ଭକ୍ତ ଶବ୍ଦରୁ ଉତ୍ପନ୍ନ ହୋଇଥିଲା । ଭଗତା ହେବା ଗୋଟିଏ କଷ୍ଟସାଧ୍ୟ ବ୍ୟାପାର, ଏଣୁ କେହି କେହି ଏମାନଙ୍କୁ ଥଟ୍ଟା କରି କହୁଥିଲେ-

“ଭଗତା ମାତିଲାରେ ଝିଡ଼ିପଣା ଖାଇଣ ।
ଆଜି ଖାଇଥା ଝିଲିପଣା,
କାଲି ହୋଇବ ପିଠିରେ କଣା,
ଗୋଡ଼େଇ ଥିବେ ଢଣ-ଢ଼ଣା ।”

ଆମ ଗାଁର ଭଗତାମାନେ ବୈଶାଖ ସଂକ୍ରାନ୍ତି ଦିନ ବେକରେ ପାଟଳିଫୁଲର ମାଳ ପିନ୍ଧି, ହାତରେ ଖଣ୍ଡିଏ ଖଣ୍ଡିଏ ବାଡ଼ି ଧରି, ବଡ଼ପାଟିରେ ଶିବ ଶଙ୍କର ମହାଦେବ ଉଚ୍ଚାରଣ କରୁ କରୁ ଆମ ଗାଁର ଦୁଇମାଇଲ ଦୂରରେ ଥିବା ରରୁଁଆରେ ନାଚି ନାଚି ଯାଇ ପହଞ୍ଚୁଥିଲେ । ଏହିଦିନ ଏଠାରେ ଗୋଟିଏ ବଡ଼ ମେଳା ହେଉଥିଲା । ବିଭିନ୍ନ ସ୍ଥାନର ଭଗତାମାନେ ଏଠାରେ ଉପସ୍ଥିତ ହୋଇ ଓ ବାସୁଳେଇ ଠାକୁରାଣୀ ସମ୍ମୁଖରେ ନିଜ ନିଜ ଦେହରେ ନାନାପ୍ରକାର ଆଘାତ କରି ବ୍ରତ ଉଦ୍‌ଯାପନ କରୁଥିଲେ । ଭଗତାମାନଙ୍କ ମଧ୍ୟରୁ କେତେଜଣ ଯେତେବେଳେ କାଠଦଣ୍ଡାରେ ବନ୍ଧା ହୋଇ ଉଡୁଥିଲେ, ସେତେବେଳେ ଦର୍ଶକମାନେ ଚମତ୍କୃତ ହୋଇଯାଉଥିଲେ । ଗୋଟିଏ ବଡ଼ ଶାଳସ୍ତମ୍ଭ ଉପରେ ଘୂରିବା ଭଳି ଆଉ ଖଣ୍ଡେ କାଠକୁ ଲଗାଇ ଦିଆଯାଉଥିଲା ଏବଂ ସେହି କାଠ ସହିତ ଆଉ ଖଣ୍ଡେ ଦଣ୍ଡକୁ ବାନ୍ଧି ଦିଆଯାଉଥିଲା । ଭଗତାକୁ ଏହି ଦଣ୍ଡରେ ଲୁଗା ଦ୍ୱାରା ବାନ୍ଧିଦେବା ପରେ ସେ ସ୍ତମ୍ଭର ଚତୁର୍ଦ୍ଦିଗରେ ଚକ୍ରାକାରରେ ଘୂରି ଆସୁଥିଲା । ସେ ଘୂରିବାବେଳେ ଆକାଶରେ ଉଡ଼ିବା ପରି ଦେଖାଯାଉଥିଲା । ଏଣୁ ଏ ପର୍ବକୁ ଆମ ଅଞ୍ଚଳରେ “ଉଡ଼ାପର୍ବ” କହୁଥିଲେ ।

ଏହି ଉଡ଼ାପର୍ବ ରରୁଆଁର ଭଞ୍ଜବଂଶୀୟ ବାବୁମାନଙ୍କ ପୃଷ୍ଠପୋଷକତାରେ ସେମାନଙ୍କ ଆରାଧ୍ୟାଦେବୀ ବାସୁଳେଇ ଠାକୁରାଣୀଙ୍କ ସମ୍ମୁଖରେ ଅନୁଷ୍ଠିତ ହେଉଥିଲା । ଉଡ଼ାପର୍ବ ଓ ଛଉନାଚ ପରସ୍ପର ସହିତ ସଂଶ୍ଳିଷ୍ଟ । ଉଭୟ ଶିବ ଓ ଦୁର୍ଗାଙ୍କ ଆରାଧନା ପାଇଁ ହିଁ ଅନୁଷ୍ଠିତ ହେଉଥିଲା । ଶୈବଧର୍ମ ଓ ଶାକ୍ତଧର୍ମ ପରସ୍ପର ସହିତ ଏପରି ଭାବରେ ଜଡ଼ିତ ଯେ ଗୋଟିକୁ ବାଦ୍ ଦେଇ ଅନ୍ୟଟିକୁ କଳ୍ପନା କରାଯାଇପାରେ ନାହିଁ । ମନେହୁଏ ଯେ ଆଦିବାସୀମାନେ, ବିଶେଷତଃ ଭୂୟାଁମାନେ, ବହୁ ଶତବର୍ଷ ପୂର୍ବେ ଏହି ହିନ୍ଦୁ ଦେବତା ଦୁଇଟିକୁ ନିଜର ଆରାଧ୍ୟଦେବତା ବୋଲି ମାନି ନେଇଥିଲେ ।

ଚୈତ୍ରପର୍ବ ପରେ ଯେଉଁ ରଜସଂକ୍ରାନ୍ତି ହୁଏ, ସେଥିପାଇଁ ମଧ୍ୟ ବହୁ ଆଗରୁ ଆୟୋଜନ ଚାଲେ । ରଜସଂକ୍ରାନ୍ତିର ଦଶପନ୍ଦର ଦିନ ପୂର୍ବରୁ ଆମ ଗାଁର ବହୁ ସ୍ଥାନରେ ଦୋଳି ବସୁଥିଲା । ଗାଁର ଆମ୍ୱତୋଟାମାନଙ୍କରେ, ଛକଜାଗାରେ ଏବଂ ଅଧିକାଂଶ ଘରର ଅଗଣା ବା ବାଡ଼ିମାନଙ୍କରେ ଛୋଟବଡ଼ ଖାଇଦୋଳି ଓ ପଟାଦୋଳିମାନ ଦେଖାଯାଉଥିଲା । ଖାଇଦୋଳିରେ ଚାରୋଟି ପଟା ଲାଗିଥାଏ ଏବଂ ଏହା ତଳ ଉପର ହୋଇ ଘୂରେ, ମାତ୍ର ପଟାଦୋଳି କେବଳ ଦୁଇଟି ଦିଗକୁ ଗତିକରି ଚାଲେ । ପ୍ରତ୍ୟେକ ଦୋଳିରେ ସ୍ତ୍ରୀ ପୁରୁଷ ଓ ବାଳକବାଳିକାମାନଙ୍କ ଭିଡ଼ ଲାଗିଥାଏ । ଏ ପର୍ବରେ ବୃଦ୍ଧବୃଦ୍ଧାମାନେ ମଧ୍ୟ ଦୋଳିଖେଳର ପ୍ରଲୋଭନ ଛାଡ଼ିପାରନ୍ତି ନାହିଁ । ସମସ୍ତ ଦୋଳିଗୀତ ଆଦିରସାତ୍ମକ, ବେଳେ ବେଳେ ଅଶ୍ଳୀଳ ମଧ୍ୟ ହୋଇଥାଏ । ସ୍ତ୍ରୀ-ପୁରୁଷ ପାଖ ପାଖ ଦୋଳିରେ ଭିନ୍ନଭାବରେ ବସି ଅଧରାତି ପର୍ଯ୍ୟନ୍ତ ଦୋଳିଗୀତରେ ପ୍ରତିଯୋଗିତା ମଧ୍ୟ ଚଲାନ୍ତି । ପୂର୍ବ ରଚିତ ଦୋଳିଗୀତଗୁଡ଼ିକ ଗାଁରେ ପ୍ରଚଳିତ ଥାଏ । ତା ଛଡ଼ା ଅନେକ ଦୋଳିରେ ବସି ସଙ୍ଗେ ସଙ୍ଗେ ଗୀତ ରଚନା କରିପକାନ୍ତି, ଯଥା- ଜଣେ ଛତାଧରି ଚାଲୁଥିବାର ଦେଖିଲେ ସଙ୍ଗେ ସଙ୍ଗେ ଗାଇ ଉଠନ୍ତି-

“ଛତାକୁ ଛତା ପଇତା, ଛତାଧରା ଭାଇରେ ଦଣ୍ଡେ ରହି ଥା’,
ଦଣ୍ଡେ ରହିଥା’ରେ, ଛତାରେ ଦେବି ବାରତା ।”

-ତା’ପରେ-

ଲୋକପ୍ରିୟ ଲେଖା

To Top