କବିତା

ତୁଚ୍ଛ ମଣିଷ

Susanta Kumar Dalei's odia poem Tuchha Manisha

ଦିଶେ ନାହିଁ ତୁମ ଖୋଲା ପିଠି
ଓଠ ତଳେ ଛୋଟ କଳାଯାଇ
ଶୁଭେନାହିଁ ପାଉଁଜିର ଶବ୍ଦ
ଆଉ ତୁମ ଖିଲି ଖିଲି ହସ
ପାଏ ନାହିଁ ପ୍ରେମ କି ପରଷ ।।

ସବୁଠାରୁ ଦୁରେଇ ଗଲି ମୁଁ
ତୁମେ ଗଲା ପରେ…
ଘର, ସଂସାର, ସମାଜ, ସରକାର
ହସ, କାନ୍ଦ, କାମ, ମୋକ୍ଷ ଓ
ବସ୍ତ୍ର ବାସଗୃହ ପରି ଯେତେ ସବୁ
ମଣିଷର ଆଦିମ ଆଗ୍ରହ ।।

ଦିଶେ ନାହିଁ ତୁମ ଖୋଲା ପିଠି
ଓଠ ତଳେ ଛୋଟ କଳାଯାଇ
ଶୁଭେନାହିଁ ପାଉଁଜିର ଶବ୍ଦ
ଆଉ ତୁମ ଖିଲି ଖିଲି ହସ
ପାଏ ନାହିଁ ପ୍ରେମ କି ପରଷ ।।

ନାହିଁ ଏଠି ପ୍ରଶସ୍ତ ପ୍ରଣୟ
ଯାହା ପ୍ରେମ ନିବେଦିତ
ଚୁପଚାପ ଚୁପ ହୋଇ ଯାଆନ୍ତି
ଜହ୍ନ ଗୋଲାପ ଭଳି
ଯାହା ଥିଲା ପ୍ରେମର ସଂକେତ
ଅକ୍ଷୟ ମହାନ୍ତି ଗାଏ ନାହିଁ
ପ୍ରେମ କିମ୍ବା ବିରହ କବିତା
କବରୀରେ ବନ୍ଧା ହେଉକି ନ ହେଉ ରିବନର ଫିତା
ସବୁ ଏକା କଥା ।।

ଯଦି କେବେ ଭୂମିକମ୍ପ ହୁଏ,
ବୋମାଟିଏ ଫୁଟିଯାଏ ଦେଶର ଛାତିରେ
କିମ୍ବା ଝଡ଼ଟିଏ ବଢୁଥାଏ ଉପକୂଳ ଆଡେ
ଧୀର ତାର ପାଦ ଶବଦରେ
ହୁଏତ ତୁମେ ଦେଇପାର ସେତେବେଳେ
ଗୋଲାପଟେ ହାତରେ ମୋହର
ନଜାଣି ନଶୁଣି କିବାପ୍ରୟୋଜନ ତାର
ନିଶ୍ଚିନ୍ତେ ଫେରାଇ ଦେବି
ମୁଁ କି ହୋଇପାରିବି
ଯୋଗ୍ୟ ପ୍ରେମିକ ତୁମର ।।

ତୁମେ ପାଖେ ଥିଲେ ବା ନଥିଲେ
କଣ ବା ଯାଏ ଆସେ ମୋର
ଜହ୍ନ କଣ ଉଠେ ନାହିଁ
ନଧରି ସାଙ୍ଗରେ କେଉଁ ନକ୍ଷତ୍ରମଣ୍ଡଳ ।।

ଥୋକାଏ କହିଲେଣି ମୋତେ
ମୁଁ ଏକ ପୂଜାରୀ
ଦୂର କେଉଁ ପାହାଡର ପାଦଦେଶେ
ତୋଳିଅଛି ମନ୍ଦିର ତୁମର
କିନ୍ତୁ ହାୟ !
ମୁଁ ଜାଣେ ମୁଁ ଏକ
ତୁଚ୍ଛ ମଣିଷଟେ ଛାର
ଯିଏ ଗଛ ଆଉ ପତ୍ର ଫାଙ୍କୁ
ଦେଖୁଦେଖୁ ନେତଟି ତୁମର
ଟେକିଦିଏ ଦୁଇ ବାହା ତାର…

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top