ଗଳ୍ପ

ଦ୍ୱିତୀୟା

Biraja Routray's odia short story Dwitiyaa

ଦେଖିଲୁ ତ ନୟନତାରା ! ମୁଁ କହିଥିଲି ମୋ ବେଳରେ ହିଁ ପକ୍କା ଘରଟିଏ କରାଇଦେବି । ତୋତେ କଥା ଦେଇଥିଲି ନା ନାହିଁ ! ଦେଖ୍, ଆଜି ଖୋଦ୍ ତୋ ଦୁଃଖ କଥା ବୁଝିବାକୁ କର୍ପୋରେସନ୍‌ର ମେୟରଙ୍କୁ ସାଙ୍ଗରେ ଧରି ଆସିଛି ! ଜାଣ୍, ଏଥର ତୋ ଦୁଃଖଗଲା !

ଯେତେବେଳେ ସ୍ୱପ୍ନ ସବୁ ଆଖିମିଟିକା ମାରିବା ଆରମ୍ଭ କରନ୍ତି, ଜହ୍ନର ମୁହଁଟା ଆହୁରି ବେଶୀ ବେଶୀ ତୋଫା ଦିଶେ ଆଖିକୁ । ଆଜି ସେମିତି ରାତି ଆକାଶରେ ବାରି ହୋଇ ପଡ଼ୁଥିଲା ଗୋଲ୍ ନିଟୋଳ ଜହ୍ନ । ଯେମିତି ଆଜି କେବଳ ତା’ରି ପାଇଁ ହିଁ ଆକାଶରେ ଉଇଁଥିଲା । ସେହି ଜହ୍ନ ପୁଣି ସୁନା ରଙ୍ଗ ଲେପି ଦେବା ପରି ଜଳୁଥିଲା ଦାଉ ଦାଉ ହୋଇ ।

ଏମିତି କ’ଣ କୁଆଁ ମେଲି ଦେଲା ଯେ ତା’ ଆଖି!

ମିଟି ମିଟିକା ଇଚ୍ଛାରେ କ’ଣ

ଏପରି ଜରି ଧଡିର ରଙ୍ଗ ଲାଗିଗଲା ଯେ, ତାହା ସ୍ୱପ୍ନ ସୁନ୍ଦରୀ ବେଶରେ ଉଭା ହୋଇଗଲା ନୟନତାରାର ଆଖିର ଅଗଣାରେ!

ଠିକ୍ ବେଳ ବୁଡି ଆସିଲା ବେଳକୁ ପ୍ରଥମେ କର୍ପୋରେଟର, ତା’ ପଛକୁ କର୍ପୋରେସନ୍‌ର ମେୟର ପହଞ୍ଚି ଯାଇଥିଲେ ତା’ ଫଟା ଟିଣ ଛାତ ଘରର ଦୁଆର ମୁହଁରେ । ସେତେବେଳକୁ ସେ ଲୁଗା ପାଲଟି ବାରଣ୍ଡା ପିଣ୍ଡାରେ ବସି ସନ୍ଧ୍ୟା ଦେବାକୁ ଜଙ୍ଘରେ ବଳିତା ବଳୁଥାଏ । ଏତେଗୁଡାଏ ଲୋକବାକର ଥାଟ ନେଇ ବଡ ବଡ ନେତାଙ୍କୁ ତା’ ଘର ଦୁଆରେ ଠିଆ ହେବା ଦେଖି ଅଧା ହୋସ୍ ଉଡି ଯାଇଥିଲା ଯେପରି ନୟନତାରାର ।

ସହସା ପିଣ୍ଡାରୁ ଓହ୍ଲାଇ ଅଧା ମୁଣ୍ଡ ଭାଙ୍ଗି ନମସ୍କାର କରୁ କରୁ ସେପଟୁ ଦୃପ୍ତ ସ୍ୱରରେ ଭରପୂର ଆଶ୍ୱାସନାର ରେକର୍ଡ ବାଜିବା ଆରମ୍ଭ ହୋଇଗଲା । ପ୍ରଥମେ କର୍ପୋରେଟର ଶିବୁ ମହାନ୍ତି ବଡ଼ ପାଟିରେ ଶୁଣାଇ କହିଲା, “ଦେଖିଲୁ ତ ନୟନତାରା ! ମୁଁ କହିଥିଲି ମୋ ବେଳରେ ହିଁ ପକ୍କା ଘରଟିଏ କରାଇଦେବି । ତୋତେ କଥା ଦେଇଥିଲି ନା ନାହିଁ ! ଦେଖ୍, ଆଜି ଖୋଦ୍ ତୋ ଦୁଃଖ କଥା ବୁଝିବାକୁ କର୍ପୋରେସନ୍‌ର ମେୟରଙ୍କୁ ସାଙ୍ଗରେ ଧରି ଆସିଛି ! ଜାଣ୍, ଏଥର ତୋ ଦୁଃଖଗଲା !”

କର୍ପୋରେଟରଙ୍କ ଏହି ଦୃଢ଼ ପ୍ରତିଶ୍ରୁତିକୁ ନିଜ ସମ୍ମତିର ବଳ ଦେବା ପରି ମୁଣ୍ଡ ହଲାଇ ଓଠରେ ହସର ଧାରେ ଚହଲା ଗାର ଖେଳାଇ ଛିଡା ହୋଇଥିଲେ ମେୟର ।

ସେମାନଙ୍କ ମୁହଁର ଏହି ଅଭୟଦାୟୀ କଥା ଓ ଚାହାଣି ନୟନତାରା ପାଇଁ ଥିଲା ଯେପରି ଦୁଇ ବଢନ୍ତା ପାପୁଲି ମଝିରେ ଚାନ୍ଦ ଖସିଯିବା ପରି ଘଟଣା ! ଯେତେବେଳେ ତା’ ଦୁଆର ମୁହଁରେ ଖୋଦ୍ ନେତା ପହଞ୍ଚି ଘୋଷଣା କରୁଛନ୍ତି, ପରତେ ଯିବନି ବା କାହିଁକି ? ଆଗରୁ ଗଲା ଚାରିବର୍ଷ ଧରି ଅନେକ ଥର ଧାଇଁଛି ଏଇ କର୍ପୋରେଟର ବାବୁଙ୍କ ଘରକୁ । କେତେ ନେହୁରା ନିମତ ହୋଇଛି ତା’ର ଇୟତା ନାହିଁ । ଯେତେଥର ଯାଇଛି ସବୁଥର ବେଳ ଗଡ଼ାଇବା ପରି ଆଶ୍ୱାସନା ଦେଇ କହନ୍ତି, “ତୋ ନାଁରେ ତ ଘରର କାଗଜପତ୍ର କିଛି ନାହିଁ ! ଟିକେ ଥୟ ଧରି ରହିଯା ! ତୋ ଭଳି କିଛି ନିଆରା କେସ୍‌ର ବିଚାର ଖୁବ୍ ଶୀଘ୍ର ସରକାର ଉପରୁ କରିବେ । ତାହା ହୋଇଗଲେ ଅଗିଲା ଛେକରେ ସେହି ତାଲିକାରେ ତୋ ନାଁ ରହିଥିବ ।” ଶିବୁ ମହାନ୍ତିର ସେଇ ଦୋହରା କଥାଟା ଆଉଥରେ ଚେଇଁ ଉଠିଲା ତା’ ମନ ଭିତରେ । ଭାବିଲା, ବୋଧେ ତା’ ଭାଗର ଚିଠା ଆସିଯାଇଛି । ସରକାର ମହାପ୍ରୁ’ ଶୁଣିଛନ୍ତି ତା’ ପରି ନିରାଶ୍ରୟମାନଙ୍କ ହାରିଗୁହାରି । ଆଉ ସେଇୟାକୁ ଘୋଷଣା କରିବାକୁ କର୍ପୋରେଟର ବାବୁଙ୍କ ସହ ମେୟର ସ୍ୱୟଂ ତା’ କୁଡ଼ିଆ ଆଗରେ ପଦାର୍ପଣ କରିଛନ୍ତି !

ଏକ ଈପ୍ସିତ ମହାର୍ଘ ସମ୍ୱାଦ ପ୍ରାପ୍ତିର ପୁଲକରେ ତା’ ଦୁଇ ଆଖି ତୋବା ତୋବା ହୋଇ ଉଠୁଥାଏ । ଏଇ ଭଙ୍ଗା ଘରଟାକୁ ଧରି ତା’ ନିଉଚ୍ଛୁଣା ଜୀବନର ଅେଙ୍ଗନିଭା ଅକୁହା ସଂଘର୍ଷର କାହାଣୀ କେବଳ ସେ ନିଜେ ହିଁ ଜାଣେ । ବାକି ଯେଉଁମାନେ ଜାଣନ୍ତି ତାହା କେବଳ ବାହାରୁ । ଆହା…ଚୁ…ଚୁ… ହେବାପରି କଥା । ଉପରେ ଉପରେ ଖାଲି ବହିର ମଲାଟ ଦେଖିଥିବା ପରି କଥା । ଭିତରେ ଯେଉଁ ପୃଷ୍ଠା ପରେ ପୃଷ୍ଠାର କୋହ ଓ ଦୀର୍ଘଶ୍ୱାସର କାହାଣୀ ଛପି ରହିଛି ତାକୁ ଅବା କେଇ ଜଣ ପଢ଼ିଛନ୍ତି ?

ବେଳେ ବେଳେ ଭାବେ ସିଏ ଯଦି ବିଷ୍ଣୁପଦର ହାତ ଧରି ନ ଥାନ୍ତା, ତା’ ହେଲେ ହୁଏତ ତା’ ଭାଗ୍ୟରେ ଆଉ କିଛି ଲେଖା ହୋଇଥାନ୍ତା ! ଆଜି ତାକୁ କଲିକତା ମହାନଗର ଛାଡି କଟକ ସହରର ପଟାପୋଲର ଅଣଓସାରିଆ ଗଳି ଭିତରେ ଆଶ୍ରା ଖୋଜିବାକୁ ପଡି ନ ଥାଆନ୍ତା ! ଅଧା ଫଟାଜୋଟା ଟିଣ ଚାଦର ଉପରେ ପଲଥିନ୍ ଢାଙ୍କି ଏପରି ଅସହାୟ ଅବସ୍ଥାରେ ମୁଣ୍ଡ ଗୁଞ୍ଜି ରହିବାକୁ ହୋଇ ନ ଥାନ୍ତା! ହେଲେ, ସେତେବେଳେ ତା’ର ଏହି ଅଥୟ ମନଟା ଉପରେ କୋଉ ନିୟନ୍ତ୍ରଣ ଥିଲା ଯେ ଆକଟ କରି ପାରିଥାନ୍ତା ନିଜକୁ !

କିଛି ଦୂର ଚାଲି ଆସିବା ପରେ ଛକରୁ ମୁହଁ ବୁଲାଇ ଫେରି ଚାହିଁବା ପରି ଆଖି ଛୁଇଁ ପାରୁଥିବା ଅତୀତର ଚିତ୍ର ସବୁର ତିକ୍ତ ମଧୁର ସ୍କୃତି ଚେଇଁ ଉଠୁଥାଏ ନୟନତାରର ଦୃଷ୍ଟିପଟ୍ଟଳରେ । କଲିକତା ବଡ଼ ବଜାରର ଗୋଟିଏ ଡ୍ୟାନ୍ସ ବାର୍‌ରେ କାମ କରୁଥିଲା ସେ । ପୂର୍ବ ଦୁଇ ତିନୋଟି ବାର୍ ବଦଳାଇବା ପରେ ଏହି ଠିକଣାରେ ତା’ର ସାତ ବର୍ଷ ପୁରୁଣା ହୋଇ ଆସୁଥାଏ । ବୟସରେ ବି ସମୟର କଳଙ୍କି ଧରି ଆସୁଥାଏ । ସେଇ ସେତିକି ବର୍ଷର ବନ୍ଧୁତା ଜମି ଯାଇଥିଲା ବିଷ୍ଣୁପଦ ସହ । ଦୁହେଁ ଥିଲେ ଗୋଟିଏ ବାର୍ର କର୍ମଚାରୀ । ବିଷ୍ଣୁପଦର କାମ ଥିଲା ପେଗ୍ ପ୍ରସ୍ତୁତ କରି ଗ୍ରାହକମାନଙ୍କୁ ପରଷି ଦେବା ଆଉ ସିଏ ଗ୍ରାହକଙ୍କ ଫରମାଇସ୍ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରି ଆସୁଥିଲା ।

ବିଷ୍ଣୁପଦ କଟକରୁ ଆସି କେବେଠୁ ଏଇ ମହାନଗରରେ ଦାନାପାଣି ପାଇଁ ପଡି ରହିଛି କିମ୍ବା ତା’ ପୃଷ୍ଠପଟ୍ଟରେ କ’ଣ କାହାଣୀ ରହିଛି କେବେ ଜାଣିବାକୁ ଚାହିଁ ନ ଥିଲା । ବାର୍ ଗାର୍ଲର ଭାଗ୍ୟରେ ସବୁରାତି ମିଛି ମିଛିକା ପ୍ରେମର ଅଜସ୍ର ଦଂଶନରେ ଭରି ହୋଇଯାଏ । ସବୁଜ ପତ୍ର ଉପରେ ମୋତିପରି ଝଟକୁଥିବା କାକରର ସ୍ୱପ୍ନକୁ ଯେପରି ଖରାର ତେଜ ଶୋଷିନିଏ, ସେହିପରି ତା’ ପାଇଁ ସବୁ ରାତି ଥିଲା କେଇ ମୁହୂର୍ତ୍ତ ମାତ୍ରର ଝିଲିମିଲ୍ ରାତି । ଉତ୍ତେଜନାଭରା ମତୁଆଲା ଗୀତ ସହ ଅଙ୍ଗ ପ୍ରଦର୍ଶନ କରି ଗ୍ରାହକମାନଙ୍କୁ କ୍ଷଣିକ ଉନ୍ମାଦିତ କରି ଭରା ମନୋରଞ୍ଜନ ଦେବା ଥିଲା ତା’ର କାମ । କେବେ କେବେ ନିଶାଗ୍ରସ୍ତ ଗ୍ରାହକ ସୀମାର ଗାର ଲଂଘିବାକୁ ସୁଦ୍ଧା ପଛାଏ ନାହିଁ । ସେତିକିବେଳେ ଏଇ ବିଷ୍ଣୁପଦ ହିଁ ଢାଲ ପରି ଆସି ସୁରକ୍ଷା ଦିଏ । କୌଶଳ କରି ଭାଙ୍ଗିଦିଏ ସେଇ ଲୋଲୁପଗ୍ରସ୍ତ ଗ୍ରାହକର ଧ୍ୟାନକୁ । ଏହିପରି ଅଜାଣତରେ କେତେବେଳେ ବିଷ୍ଣୁପଦ ତା’ ମନ ରାଇଜରେ ଅପତ୍ୟ ଆସନ ଦଖଲ କରି ନେଇଥିଲା ।

ବାର୍ ଗାର୍ଲର ଜୀବନରେ ପୁଣି ପ୍ରେମ?

କେବେ କେବେ ନିଜ ଭିତରର ସେଇ ଦୁର୍ବଳତାକୁ ପ୍ରଶ୍ନ କରେ ନୟନତାରା ? ଘରର ଦୁଇ ଦୁରାରୋଗ୍ୟ ପୀଡିତ ପିତାମାତାଙ୍କ ଭରଣ ପୋଷଣର ବୋଝ ସମ୍ଭାଳିବା ପାଇଁ ସୁଦୂର ବାଙ୍କୁରାରୁ କେବେଠୁଁ ଚାଲି ଆସି ଆଶ୍ରା ନେଇଛି ଏଇ ମହାନଗରୀରେ । କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ । ନୟନତାରା ଚାଟାର୍ଜୀରୁ ତା’ର ପରିଚୟ ଏବେ ଖାଲି ନୟନତାରା । ବୟସ ସମୟ ଶିଢିର ବାଡ଼ା ଉପରେ ପାଦରଖି ଚଢିବା ପରି ଆଗକୁ ବଢୁଥାଏ । ଘର ଛାଡିବା ବେଳର ଷୋଳ ବର୍ଷ ବୟସରୁ ଦେଖୁ ଦେଖୁ ତିରିଶର ଗାର ଡେଇଁ ସାରିଥିଲା । ହେଲେ ଯାହା ହେଲେ ଝିଅ ତ ! ମନର ପୁରୁଷ ପାଇଁ ସ୍ୱପ୍ନ କଅଁଳିବାରେ ତା’ର ଅପରାଧ କ’ଣ? ଦୁହିଁଙ୍କ ସମ୍ପର୍କ ବର୍ଷା ଋତୁର ନଈ ପରି ଫୁଲି ଚାଲିଥିବାବେଳେ ସେଥିରେ ଶକ୍ତ ଧକ୍କା ପରି ବଡ ଘାଈଟିଏ ସୃଷ୍ଟି ହୋଇଗଲା । ପୂର୍ବପରି ବାର୍‌ର ଗହଳି ଓ କାରବାର ଠିକ୍ ଚାଲୁ ନ ଥାଏ । ତା’ର ଉତ୍ତୀର୍ଣ୍ଣ ଯୌବନ ଗ୍ରାହକକୁ ଆକର୍ଷିବା ପରି ସବୁ ମାଦକତା ହରାଇଥିବାରୁ ବାର୍ର ମାଲିକ ଦିନେ କାମ ଛାଡିଦେବା ପାଇଁ ଚରମବାଣୀ ଶୁଣାଇ ଦେଲା । ସେଇ ରାତି ହିଁ ଥିଲା ତା’ର ମହାନଗରୀର ଶେଷ ରାତି । ବିଷ୍ଣୁପଦର ବି ।

ରେଳଷ୍ଟେସନରୁ ଖୋଲା ରିକ୍ସାରେ ଉଠି ବିଷ୍ଣୁପଦ ସହ କଟକ ଗଳି ରାସ୍ତାର ରହସ୍ୟଭେଦି ଅଗ୍ରସର ହେଲା ବେଳକୁ ଭୋର ଆକାଶର ଜହ୍ନଟା ତଥାପି ଦାଉ ଦାଉ ଲାଗୁଥାଏ ନୟନତାରାକୁ । ସୁନା ରଙ୍ଗର ଜହ୍ନକୁ ତା’ ନୂଆ ଜୀବନ ଅଧ୍ୟାୟର ଶୁଭ ସେଙ୍କତ ବୋଲି ମନେ ମନେ ଗଣି ନେଇଥିଲା ସେ । ବିଷ୍ଣୁପଦଠୁଁ ଶୁଣିଥିଲା, ଯେମିତି କୋଲକାତାରେ ଦୁର୍ଗା ମାତାଙ୍କର ସାର୍ବଜନୀନ ପୂଜା ହୁଏ, ତା’ କଟକ ସହରରେ ବି ସେମିତି ମା’ ପୂଜା ପାଆନ୍ତି । ସେଇ ଭୋର ଆକାଶର ଜହ୍ନ ମା’ଙ୍କ ମଥାର ଗୋଲ ଟୋପାଏ ସିନ୍ଦୂର ଭାବି ସେଇଠି ଶାଢୀକାନିକୁ କାନ୍ଧରେ ଘୂରାଇ ଆଣି ହାତରେ ମୁଣ୍ଡିଆଟିଏ ପକାଇଲା ।

କଟକ ସହର ମଇଳା ଚାଦରର ରଙ୍ଗ ପରି ଧୀରେ ଧୀରେ ରାତିର ତନ୍ଦ୍ରାଭେଦି ଆଖି ଖୋଲୁଥାଏ । ହଠାତ୍ ଥିଲା ଥିଲା ଏକ ଅପ୍ରଶସ୍ତ ଗଳିରେ ରିକ୍ସାକୁ ପୂରେଇବାକୁ କହି ଶେଷ ମୁଣ୍ଡ ଆଡକୁ ଗୋଟିଏ ନୁଆଁଣିଆ ଟିଣ ଚାଦର ଘର ପାଖରେ ଅଟକି ଗଲା । ରିକ୍ସାରୁ ଓହ୍ଲାଇ ପକେଟରୁ ଚାବିଟିଏ କାଢି ସେହି ଅପ୍ରଶସ୍ତ ପିଣ୍ଡାକୁ ଲାଗି ଝୁଲୁଥିବା ଟିଣ କବାଟର ତାଲାକୁ ଖୋଲିଲା । ବହୁତ ଦିନରୁ ଫିଟି ନ ଥିବା କବାଟ୍‌ଟା ଗୋଟେ ଉତ୍କଟ ଚିତ୍କାର କଲା ପରି ଲମ୍ୱା କେଁ…ର ସ୍ୱର ଲହରାଇ ଖୋଲି ଆସିଲା ବାହାର ପଟକୁ । ଆଲୁଅ ଅନ୍ଧାର ମିଶା ଏକ କୋଠରୀ ଆଡକୁ ଆଙ୍ଗୁଠି ବଢାଇ କହିଲା, “ଆଜିଠାରୁ ଏଇ ଘର ତୋର ନୂଆ ଠିକଣା । ତୁ ଏଇଠି ରହିବୁ । ମୁଁ ନିୟମିତ ଆସି ଭଲ ମନ୍ଦ ବୁଝି ଯାଉଥିବି ।”

ଟିଣ କବାଟ୍‌ଟିର ଚିତ୍କାରଭରା ଖୋଲିବା ଶବ୍ଦରେ ଘରକୁ ଲାଗି ରହିଥିବା ପାଖ ଘରର କବାଟଟି କେତେବେଳରୁ ଖୋଲି ଯାଇଥିଲା ଆପଣା ଛାଏଁ । ଜଣେ ବୟସ୍କା ବୃଦ୍ଧ ମହିଳା କୌତୁହଳମିଶ୍ରିତ ଆଖିରେ ଚାହିଁ ରହିଥିଲେ ଦୁହିଁଙ୍କ ଆଡ଼କୁ । ବିଷ୍ଣୁପଦର ନଜର ତାଙ୍କ ଉପରେ ପଡିଯିବାରୁ କହି ଉଠିଲା, “ମାଉସୀ, ମନେ ମନେ ତତେ ତ ଖୋଜୁଥିଲି ! ଏଇନେ ଯିବା ଆଗରୁ ତୋତେ ଡାକିଥାନ୍ତି ! ଆଜିଠାରୁ ଏଇ ଝିଅ ଏ ଘରେ ରହିବ । ତା’ର ସୁବିଧା ଅସୁବିଧା ଟିକେ ଦେଖୁଥିବୁ ।” ଏହାପରେ ରିକ୍ସାବାଲାକୁ ରିକ୍ସା ଘୁରାଇବାକୁ କହି ପୁଣିଥରେ ଯାଇ ବସି ପଡିଲା ସିଟ୍‌ରେ । ତଟସ୍ଥ ପ୍ରାୟ ପାଲଟି ଯାଇଥିବା ନୟନତାରାର ସ୍ୱପ୍ନିଳ ଆଖିରେ ଧୂସର ପରଦାର ଗୋଟେ ଆସ୍ତରଣ ଘୋଟି ଆସିଲା ଯେପରି । ସେହି ଆସ୍ତରଣର ରଙ୍ଗ ଆହୁରି ଗାଢ ଧରିଲା, ଯେତେବେଳେ ମାଉସୀ ମୁହଁରୁ ଶୁଣିବାକୁ ପାଇଲା ବିଷ୍ଣୁପଦର ମୁଖା ପଛର ଅସଲ ଚେହେରା ସମ୍ପର୍କରେ । ଚାଉଳିଆଗଞ୍ଜରେ ତା’ ନିଜ ଘର । ସ୍ତ୍ରୀ ଅଛି । ଗୋଟିଏ ଛୋଟ ଝିଅ ଅଛି । ତଥାପି ତା’ର ପରକୀୟା ଦୋଷ ରହିଛି । ହଠାତ୍ ଥିବ ଥିବ ଝଡ ପରି ତିନି ଚାରି ମାସରେ କୋଲକାତାରୁ ଫେରିବା ବେଳକୁ ସାଙ୍ଗରେ କାହାକୁ ନା କାହାକୁ ଧରି ଚାଲି ଆସିଥିବ । ଏଇଠି କିଛିଦିନ ଆଣି ରଖେ । ଗଲାବେଳେ ପୁଣି ସାଙ୍ଗରେ ଧରି ଫେରିଯାଏ । ଏଇ ଘରଟାକୁ ତିନି ବର୍ଷ ତଳୁ ଗୋଟିଏ ତେଲେଙ୍ଗା ବୁଲା ବେପାରୀଠାରୁ କିଣିଥିଲା । ତା’ ପରଠୁଁ ଘରଟା ଏହିପରି ମଝିରେ ମଝିରେ କିଛିଦିନ ଚଳଚଞ୍ଚଳ ରହେ । ବାକି ଦିନ ଏହାର ଜଞ୍ଜିର ଲଗା ଟିଣ କବାଟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଝୁଲି ରହିଥାଏ ତାଲା ।

ନୟନତାରାକୁ ଲାଗୁଥାଏ, ସେ ଯେଉଁ ତାରାଖଚିତ ମନୋରମ ରାତିର ସ୍ୱପ୍ନ ଦେଖି ଆସୁଥିଲା ତା’ର ଏଇ ନୂଆ ଜୀବନର ଏରୁଣ୍ଡି ସେପଟେ, ସେଇଟା ଥିଲା ମିଛ । ଏବେ ସେଠି ଦେଖାଯାଉଥିଲା ଗୋଟେ କିଟ୍‌ମିଟ୍ ଅମା ଅନ୍ଧାରଭରା ରାତି । ଭାବିଥିଲା, ସେପରି ଏକ ଉତ୍ସବମୟ ପରିବେଶରେ ତା’ର ସ୍ୱପ୍ନର ମଣିଷ ସହ ବିବାହ ବନ୍ଧନର ସୌଭାଗ୍ୟ ନ ହେଲା ନାହିଁ, ସାଙ୍ଗରେ ଚାଲିବା ପାଇଁ ଜଣେ କିଏ ନିଜର ବିଶ୍ୱସ୍ତ ଅନ୍ତରଙ୍ଗ ହାତ ତା’ ଆଡ଼କୁ ବଢେଇ ତ ଦେଇଛି ! ସେତିକି ତା’ ଅବଶିଷ୍ଟ ଆୟୁଷ ପାଇଁ ଯଥେଷ୍ଟ ! ହେଲେ, ଯୋଉ ଲୋକଟା ଉପରେ ଶତକଡା ଶହେରୁ ଅଧିକ ଭରସି ଯାଇଥିଲା, ସେ ମଧ୍ୟ ଅନ୍ୟ ଲୋଲୁପି ମଣିଷଙ୍କ ପରି ଗୋଟେ ମାଂସକୀଟ ଛଡା ଆଉ କିଛି ନ ଥିଲା । ତା’ର ଅସହାୟତା ଓ ଦୁର୍ବଳତା ବିନିମୟରେ ଛଳନାର ସଂପର୍କ ସଉଦା କରି ବସିଲା । ଆହାଃ… ଧିକ୍… କାହିଁ ତା’ ଭରସାରେ ସବୁ କିଛିକୁ ପଛକରି ଧାଇଁ ଆସିଥିଲି ଏତେ ବାଟ ? ଏହିପରି ଆହତ ପ୍ରଶ୍ନ ସବୁ ନାଲି ଆଖି ଦେଖାଇ ତାକୁ ବ୍ୟତିବ୍ୟସ୍ତ କରି ପକାଉଥିଲେ । ପର ମୁହୂର୍ତ୍ତରେ ସେହି ପ୍ରଶ୍ନର ପାହାଡ଼ ଗଦାରୁ ସେ ବି ନିଜେ ଖୋଜି ପାଉଥିଲା ଧାପେ ସାନ୍ତ୍ୱନାର ଉତ୍ତର । ଏଇ ଉତ୍ତୀର୍ଣ୍ଣ ଯୌବନର ବୟସରେ ଆଉ କ’ଣ ବା ନୂଆ ବାଟ ବାଛି ପାରିଥାନ୍ତା ? ପନ୍ଦର ବର୍ଷରୁ ଅଧିକ କାଳ ଗୀତର ତାଳେ ତାଳେ ନାଚିବା ଛଡା ତାକୁ ବା କ’ଣ ଅଧିକ କଳା ଜଣାଥିଲା ? ନା’ ପାଠରେ… ନା’ ଶାଠରେ… ନା’ ଅଭୟ ଆସ୍ଥା ଦେବାପରି ପଛରେ ପରିବାରଟିଏ ତା’ର ଥିଲା ?

ବେଳେବେଳ ସିଏ ମହାନଗରୀର ନିର୍ଜନ ରାତିର ଉଜାଗରୀ ତାରାମାନଙ୍କୁ ଦେଖି ମନେ ମନେ ପ୍ରଶ୍ନ ପଚାରି ବସେ, “ମୁଁ ତ ବିଚାରୀ ବାର୍ ଡ୍ୟାନ୍ସର! ଶେଷ ଆଲୁଅ ବନ୍ଦ ହେବା ଯାଏଁ… ପିଆଲାରୁ ଠନ୍ ଠନ୍ ଶବ୍ଦ ନିରବ ହେବା ଯାଏଁ… ମୋତେ ପାଦରେ ଗୋଟେଇ ରଖିବାକୁ ପଡେ଼ ବଳ । ନିଶାଚରମାନଙ୍କ ମନ ପ୍ରଶମିତ କରିବାକୁ ଯାଇ ନାଚିବାକୁ ପଡେ଼ । ହେଲେ, ଏ ନିରୀହ ତାରାମାନେ… କାହିଁକି… କାହାପାଇଁ… କାହା ବାଧ୍ୟବାଧକତାରେ ନିଜକୁ ଏମିତି ଅତନ୍ଦ୍ର କରି ଜାଳି ଚାଲିଛନ୍ତି ?” ମନ ଭିତରେ ସେତେବେଳେ ଆହୁରି ଗମ୍ଭୀର ହେବା ପରି ନାନାଦି ଭାବନା ସବୁ ଦାନାବାନ୍ଧି ଆସେ । ମୁହଁରୁ ସ୍ୱତଃ ବାହାରି ପଡେ, “ବାଃ’ରେ ମହାନଗରୀ ! ବାଃ ! ତୋ ଦ୍ୱିଖଣ୍ଡିତ ଚେହେରା ! ଯୋଉ ମାଟିରେ ତୁ ମୂର୍ତ୍ତି ଗଢି ଦେବୀ ଆରାଧନା କରୁ, ସେଠି ରାତି ନିସ୍ତବ୍ଧ ହେଲେ ସେହି ନାରୀର ଖୋଲା ଦେହକୁ ଛାଡି ଦେବୀ ଅନ୍ତର୍ଦ୍ଧାନ ହୋଇ ଯାଆନ୍ତି ! ”

ଯାହାକୁ ଏଇ ଭିଡ଼ ଭିତରେ ଅଲଗା ଭାବିଥିଲା, ଅନ୍ୟମାନଙ୍କ ପରି ତା’ ଆଖିରେ ଖାଲି ମାଂସାଶୀ ପ୍ରାଣୀର ଗନ୍ଧ ବାରି ପାରି ନ ଥିଲା । ଆଜି ଯେପରି ତିକ୍ତ ବିରୋଧାଭାସର ଶିକାର ହୋଇ ଯାଇଥିଲା ସେ ନିଜେ । ହେଲେ, ସମୟର ଏପରି ଏକ ଦୋ’ଛକିରେ ଛିଡା ହୋଇଯାଇଥିଲା ଯେ ଚାହିଁବି ନା ପାଦ ପଛକୁ ଫେରାଇ ପାରୁଥିଲା ନା ଆଗକୁ । ଯୋଉ ପାଦ ସହ ପାଦ ମିଳାଇ ଚାଲିବାକୁ ଦୁଃସାହସ କରି ବାହାରି ଆସି ପହଞ୍ଚି ଯାଇଥିଲା ଏଇ ଛକରେ । ଏବେ ଲାଗୁଥିଲା ତା’ର ଦୁଇ ପାଦ ସେହିପରି ଅଟକିଯାଇଛି ପାଷାଣି ପାଲଟି ସେଇ ଛକରେ । ପଟାପୋଲର ଏହି ସଂକୀର୍ଣ୍ଣ ଗଳି ଭିତରର ଟିଣ ଚାଦରର ଘର ଖଣ୍ଡେ ଶେଷକୁ ପାଲଟି ଯାଇଥିଲା ନୟନତାରାର ବାକି ଜୀବନର ଠିକଣା । ତା’ର ନୂଆ ପରିଚୟ ହେଲା ସାମାଜିକ ସ୍ୱୀକୃତିହୀନ ବିଷ୍ଣୁପଦର ଦ୍ୱିତୀୟା ।

କିଛି ଦିନ କଟିଗଲା । କେବେ ଦ୍ୱିପହର ତ କେବେ ଅସ୍ଥାୟୀ ରାତିର ଅତିଥି ପାଲଟି ଝଡପରି ପଶିଆସେ ବିଷ୍ଣୁପଦ । ମାଂସକୀଟ ପରି ତା’ର ଅଭିଳାଷ ପୂରଣ କରି ଚାଲିଯାଏ । ପ୍ରତି ବଦଳରେ ଯାହା ଯାହା ଆବଶ୍ୟକ ଯୋଗେଇଦିଏ । କେବେ କେବେ ଗଲାବେଳେ ଭଲ ମନ୍ଦ ଖର୍ଚ୍ଚ ପାଇଁ ଛୋଟ ବିଡାଏ ଟଙ୍କା ଗୁଞ୍ଜି ଦେଇଯାଏ ହାତରେ ।

ଯାହା ଯେମିତି ସେମିତି ଦିନ ପରେ ରାତି ପୁଣି ରାତି ପରେ ଦିନ କଟି ଚାଲିଥାଏ । ହଠାତ୍ ଦିନେ ସକାଳୁ ଚଡକ ପଡିଲା ପରି ନୟନତାରାର ଅଧା ମଉଳା ଜୀବନର ଗଛଟିକୁ ପୋଡି ପକାଇଲା ଆଉ ଏକ ଚଡଚଡ଼ି । ସକାଳୁ ସ୍ତ୍ରୀ ସହ ଝିଅକୁ ନେଇ ସ୍କୁଲ୍ ଛାଡିବାକୁ ଯାଉଥିବାବେଳେ ବିଷ୍ଣୁପଦର ସ୍କୁଟିକୁ ପଛକୁ ଧକ୍କା ଦେଇଥିଲା ଗୋଟେ ଦ୍ରୁତଗାମୀ ଟ୍ରକ୍ । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବାର ହୃଦୟ ବିଦାରକ ଦାରୁଣ ଖବର ଆସି ପହଞ୍ଚିଥିଲା ତା’ ପାଖରେ । ସେତେବେଳକୁ ସେ ଗଳି ମୁଣ୍ଡ ଟ୍ୟୁବ୍ୱେଲ ଚଉତରା ଉପରେ ବସି ବାଲଟିରୁ ପାଣି ମଗେ ଢାଳି ସାରିଥାଏ ଦେହରେ । ତାକୁ ଲାଗିଲା, ଯେମିତି ପାଣି ନୁହେଁ ତତଲା ଦୁର୍ଭାଗ୍ୟର ଗରଳ ଢାଳି ହୋଇଯାଇଛି ତା’ ଦେହରେ । ଦେହର ଚର୍ମ ଆଉ ମାଂସଭେଦୀ କୋରଡ଼ ଭିତରେ ସାଇତା ତା’ ଢୋକେ ପିଇ ଦଣ୍ଡେ ଜିଇଁ ରହିବାର ସ୍ୱପ୍ନ ଦେଖୁଥିବା କଲିଜାକୁ ପୋଡି ପକାଉଛି । ସେଇଠି ବୁକୁଫଟା ଚିତ୍କାର କରି ନିଜର ସବୁତକ ଆର୍ତ୍ତିକୁ ବାହାର କରି ଦେବାକୁ ଚାହୁଁଥିଲା । ପର ମୁହୂର୍ତ୍ତରେ ସତର୍କ ହୋଇ ସେହି ଅଧା ଓଦା ଲୁଗାରେ ଚଉତରାରୁ ଉଠି ଆସିଲା ତା’ର ବଖୁରିଆ ଘରର ଚାରିକାନ୍ଥ ଭିତରକୁ । ଗୋଟାଏ ରାତି ନୁହେଁ ରାତି ପରେ ରାତି ଲୁହକୁ ନିଗାଡି ଚାଲିଲା ଆଖି ଭିତରୁ । ଶେଷକୁ ଥରକୁ ଥର ପଡୋଶୀ ଘରର ମାଉସୀ ଆସି ବୋଧ ଦେବାପରେ ସେ ସ୍ୱାଭାବିକ ହେବାକୁ ଆରମ୍ଭ କରିଥିଲା । ଯାହା ବି ହେଲେ ବଞ୍ଚିବାକୁ ତ ପଡିବ । ପ୍ରଥମେ ମାଉସୀ ଦି’ ବାବୁଘର ପାଇଁ ପାଇଟି କାମ ବୁଝିଦେଲା । ଆସ୍ତେ ଆସ୍ତେ ଦୁଇରୁ ତିନି ଘରର କାମ ଧରିଲା । ସେଥିରେ କଷ୍ଟେ ମଷ୍ଟେ ନିଜ ଗୁଜୁରାଣର ଚାହିଦାକୁ ସମ୍ଭାଳି ନେଲା ।

ସବୁ ଦେଖୁଥିବା ବଳବାନ୍ ସମୟ ଏହା ଭିତରେ ଆଉ ଦୁଇ ଖୋଜ ବାଟ ଅତିକ୍ରମ କରି ସାରିଥାଏ । କଟକ ସହର ବି ନୂଆ ରୂପରଙ୍ଗରେ ଉଭା ହେଉଥାଏ । ଏହା ମଧ୍ୟରେ ନୟନତାରାର ବଖୁରିକିଆ ଟିଣ ଘରକୁ ଛାଡି ସେହି ଗଳିର ପ୍ରାୟ ସବୁ ଘରଗୁଡିକ ଆବାସ ଯୋଜନାର ଆଶୀର୍ବାଦ ପାଇ ଛୋଟ ଛୋଟ ଛାତ ଘରକୁ ରୂପାନ୍ତରିତ ହୋଇ ସାରି ଥାଆନ୍ତି । କେବଳ ଏକମାତ୍ର ସାବତ ମା’ର ପୁଅ ପରି ସେହି ସୌଭାଗ୍ୟରୁ ବଞ୍ଚିତ ରହି ଯାଇଥାଏ ତା’ରି ଘର ଖଣ୍ଡିକ । ମହାନଗର ନିଗମର ମାପକାଠିରେ ତା’ କାଗଜପତ୍ରର ଗଣିତ ଛିଣ୍ଡୁ ନ ଥିଲା । କାରଣ, ସିଏ ଥିଲା ଦ୍ୱିତୀୟା । ନା’ ତା’ ପାଖରେ ବିଷ୍ଣୁପଦକୁ ବାହା ହୋଇ ଥିବାର ପ୍ରମାଣପତ୍ର ଥିଲା, ନା ଆଉ କିଛି ସନ୍ତକ । ଯଦିଓ ସେ କେଇଦିନ ବିଷ୍ଣୁପଦ ନାଁରେ ମଥାରେ ସିନ୍ଦୂର ଆଉ ବେକରେ ମଙ୍ଗଳସୂତ୍ରଟିଏ ପିନ୍ଧିଥିଲା । କହିବାକୁ ଗଲେ, ତା’ ହାତରେ ଥାଏ କେବଳ ବିଷ୍ଣୁପଦର ନାଁରେ ଗଡୁଥିବା ଏଇ ଛୋଟ ଘର ଖଣ୍ଡିକର ରେଜେଷ୍ଟ୍ରି କବଲା । ଉତ୍ତରାଧିକାରୀ ସାବ୍ୟସ୍ତ ପାଇଁ କେତୋଟି ସ୍ମୃତିଜଡିତ ଫଟୋ ଛଡା ଆଉ କୌଣସି ଠୋସ୍ ପ୍ରମାଣ ନ ଥିଲା ତା’ ପାଖରେ । ଅରକ୍ଷିତ ଭାଗ୍ୟ ପରି ମହାନଗର ନିଗମ ଫାଇଲ୍ ନଥିର ପୃଷ୍ଠାରେ ତା’ ଘରର ଭାଗ୍ୟ ବି ଅଟକି ରହି ଯାଇଥିଲା । ସେଥିପାଇଁ କେତେ କାହା ପାଖକୁ ନ ଦୌଡିଛି । ମହାନଗର ନିଗମର ଅଫିସ୍ ଠାରୁ କର୍ପୋରେଟରଙ୍କ ଘର, ସବୁଠି କେତେ କେତେ ଥର, ହିସାବ ବି ମନେ ନାହିଁ ଆଉ ।

ଉପର ଟିଣ ଚାଦର ଅଧା କଳଙ୍କି ଖାଇ ଠା’ ଠା’ ହୋଇ ଯାଇଥିଲା କଣା । ନୟନତାରା ପାଇଁ ମୁଣ୍ଡ ଗୁଞ୍ଜିବାର ନିରାପଦ ଛାତଟିଏ ନିହାତି ଲୋଡ଼ା । ଏହା ମଧ୍ୟରେ ଆଷାଢ଼ ତା’ର ପ୍ରଥମ ଦଫାର ବର୍ଷା କେତେଥର ଛିଞ୍ଚି ସାରିଥିଲା ଉପରୁ । ଦିନେ ଏମିତି ଏକ ଲଗାଣ ବର୍ଷାର ଅପରାହ୍ନରେ ଟିଣ ଛାତର ଫୁଟା ଦେଇ ଝରି ଆସୁଥିବା ପାଣିରୁ ବର୍ତ୍ତିବା ପାଇଁ ସେ ତଳ ଚଟାଣ ସାରା ବାଲ୍ଟି, ଡେକ୍ଚି ଆଉ ଯାହା ସବୁ ପାତ୍ର ଥାଏ ଖେଳାଇ ଧରି ବସିଥାଏ । ଯୋଉ ପାତ୍ର ଆଗେ ପୂରି ଆସୁଥାଏ, ତାକୁ ନେଇ ବାହାର ପିଣ୍ଡା ତଳେ ଢ଼ାଳୁଥାଏ । ତା’ର ଏଇ ଦୁର୍ଦ୍ଧଶାର ଚିତ୍ରକୁ ସାହିର ପିଲା କେହି ମୋବାଇଲରେ ଭିଡ଼ିଓ କରି ସୋସିଆଲ୍ ମିଡ଼ିଆରେ ଛାଡି ଦେଇଥିଲା । ବାସ୍, ତା’ ପରଠାରୁ ନାୟନତାରାର ଅଧାଭଙ୍ଗା ନିସ୍ତବ୍ଧ ଘର ମୁହଁଟା ଚଳଚଞ୍ଚଳ ହୋଇ ଉଠିଥିଲା । ପଛକୁ ପଛ ଟିଭିବାଲା ଆଉ ଖବରକାଗଜ ଲୋକ ସଭିଏଁ ତା’ ଦୁଆର ମୁହଁରେ ଦଣ୍ଡେ ଲେଖାଏଁ ଛିଡା ହୋଇ ଥରୁଟେ ଘରର ମଥାଠୁଁ ପାଦ ଯାଏଁ ଚାହିଁ ଫେରି ଯାଇସାରିଥିଲେ । ସମସ୍ତଙ୍କ ଫେରନ୍ତା ପାଦଚିହ୍ନରେ ସେ ଯଦିଓ ସକାଳର ଉଇଁଲା ସୁରୁଜର କିରଣ ପରି ପ୍ରତିଶ୍ରୁତିର ଛିଟାକୁ ଦେଖି ପାରୁଥିଲା, କିନ୍ତୁ ତା’ ମଝିରେ ସହସା ଆସି ବାଟ ଓଗାଳୁଥାଏ ସେହି ଦ୍ୱିତୀୟାର ପ୍ରଶ୍ନ?

ଆଜି ପୁଣି ବେଳ ବୁଡିବା ଆଗରୁ ଖୋଦ୍ କର୍ପୋରେଟର ଆଉ ମେୟର ତା’ ଜୀର୍ଣ୍ଣଶୀର୍ଣ୍ଣ ଘର ସାମ୍ନାରେ ଠିଆ ହୋଇ ସେହି ମିଞ୍ଜି ମିଞ୍ଜି ପ୍ରତିଶ୍ରୁତିର ଶିଖାକୁ ତେଜିଦେଇ ଗଲେ ।

ପଟାପୋଲ ଗଳି ମୁହଁରେ ସହଳ ଓହ୍ଲାଇ ସାରିଥାଏ କଟକି ସନ୍ଧ୍ୟା । ଦୂର ଠାକୁରାଣୀ ମନ୍ଦିରରୁ ଘଣ୍ଟ ଆଳତିର ମାଦଳ ଶବ୍ଦର ନାଦ ଶୂନ୍ୟ ଢେଉର ତରଙ୍ଗ ସହ ପହଁରି ଆସୁଥାଏ ଏଯାଏଁ । ନୟନତାରା ତରବର ହୋଇ ସନ୍ଧ୍ୟା ବଳିତାକୁ ଘିଅ ଦୀପରେ ଗେଞ୍ଜି ନିଆଁ ଧରାଇ ଗୋଟେ ହାତରେ ଘଣ୍ଟି ଧରି ଘୁରାଇ ଆଣିଲା ପୂର୍ବମୁହାଁ କାନ୍ଥରେ ଝୁଲୁଥିବା ଖୁନ୍ଦା ଖୁନ୍ଦି ଛୋଟ ବଡ଼ ଫଟୋ ଆଡେ଼ । ଜଣା ପଡୁଥାଏ ଖୁବ୍ ପ୍ରସନ୍ନ । ହେବନି ବା କାହିଁକି? ପୁରୁଣା ଅଛିଣ୍ଡା ମନସ୍କାମନା ପୂରଣ ହେବାକୁ ଯାଉଛି ଯେତେବେଳେ! ଖୁସି ମନରେ ଦୀପର ଶିଖାକୁ ଟେକି ଚାହିଁ ବସିଲା ତା’ ଟିଣଛାତ ଆଡେ଼ । ଚେଷ୍ଟା କଲା, ସେହି ଟିଣର ଫୁଟା ଦେଇ ବାହାର ଆକାଶର ଜହ୍ନର ଅକ୍ଷୁର୍ଣ୍ଣ ଗୋଲ୍ ରୂପଟାକୁ ଦେଖିବାକୁ । ଏହିପରି ଗୋଟିଏ କଣା ଛାଡି ଆଉ ଗୋଟିଏ ବାଟ ଦେଇ ଦେଖିବାକୁ ଚାହିଁଲା ପୂର୍ଣ୍ଣମୀ ଜହ୍ନକୁ । ତାକୁ ଲାଗୁଥିଲା ସେଇ ବାଟେ ହିଁ ଆସି ଉଜ୍ଜ୍ୱଳ କରିବ ତା’ ଅନ୍ଧାରୀ ଆକାଶର ଭାଗ୍ୟକୁ । ହେଲେ, ହାୟଃ… ଯେତେ ଚେଷ୍ଟା କଲେ ବି, ଯେତେଥର ସେହି ବାଟ ଦେଇ ଦେଖିଲେ ବି ପୂରା ଜହ୍ନଟା ଦ୍ୱିତୀୟା ପରି ଲାଗୁଥାଏ ଆଖିକୁ ।

ତା’ ଦୁଇ ଆଖି ଆଉ ଟିଣ ଛାତର ଭିତରେ କେତେବେଳେ ଭରା ଜୋଛନାରୁ କିଛି ପଶିଆସି ଆଶା ଓ ଆଶଙ୍କାର ପତଳା ଆସ୍ତରଣ ପାଲଟି ଝୁଲି ପଡିଥିଲା ମଝିରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top