-: ପୁର୍ବରୁ :-
ସମ୍ୱରଣ ଏଥର ଖୁବ୍ ଆନନ୍ଦ ମନରେ ତପତୀଙ୍କ ନିକଟରେ ବିବାହର ପ୍ରସ୍ତାବ ରଖିଲେ । କିନ୍ତୁ ପିତାଙ୍କର ଅଗୋଚରରେ ତପତୀ ବିବାହ କରିବାକୁ ଚାହିଁଲେ ନାହିଁ ।
ସେ ଖୁବ୍ ମଧୁର ଓ ସ୍ପଷ୍ଟ ଭାଷାରେ ରାଜାଙ୍କୁ ସମ୍ୱୋଧନ କରି କହିଲେ, “ମହାରାଜ ମୁଁ ଆପଣଙ୍କ ପ୍ରତି ଅନୁରକ୍ତା ହୋଇଛି । ମୋର ମନ ମୁଁ ଆପଣଙ୍କୁ ସମର୍ପଣ କରିସାରିଛି । କିନ୍ତୁ ମୋର ଏ ଦେହର ପ୍ରଭୁ ମୁଁ ନୁହେଁ । ମୁଁ କୁମାରୀ କନ୍ୟା । ସର୍ବୋଽତଭାବରେ ପିତାଙ୍କ ଦ୍ୱାରା ସୁରକ୍ଷିତା । ତାଙ୍କର ସମ୍ମତି ବିନା ମୁଁ ଆପଣଙ୍କୁ ବରଣ କରିପାରିବି ନାହିଁ । ପିତାଙ୍କର ମନରେ ଆଘାତ ଦେଇ ମୁଁ କୌଣସି ପ୍ରକାରେ ସୁଖୀ ହୋଇପାରିବି ନାହିଁ । ଆପଣ ଜାଣନ୍ତି ଏ ସସାଗରା ଧରା ପୃଥିବୀର ବୃକ୍ଷଲତା, ପ୍ରାଣୀ ସକଳଙ୍କର ଜୀବନଦାତା ଯେଉଁ ସୂର୍ଯ୍ୟ ସେ କ୍ରୋଧ ପ୍ରକାଶ କଲେ ପରିଣତି କ’ଣ ହେବ ? ମୁଁ ମୋର ଆନନ୍ଦ ପାଇଁ ପ୍ରାଣୀ ସକଳଙ୍କର କଷ୍ଟର କାରଣ ହୋଇପାରିବିନି ।”
ତପତୀଙ୍କର ସ୍ପଷ୍ଟ କଥାରେ ସମ୍ୱରଣ ଆଉ ଗାନ୍ଧର୍ବ ବିବାହର ପ୍ରସ୍ତାବ ଉଠାଇଲେ ନାହିଁ । କିନ୍ତୁ ଏପରି ପରିସ୍ଥିତିରେ ତାଙ୍କର କର୍ତ୍ତବ୍ୟ କ’ଣ ହେବା ଉଚିତ୍ ବୋଲି ସେ ତପତୀଙ୍କୁ ଖୁବ୍ ନିରୀହ ଭାବରେ ପ୍ରଶ୍ନ କଲେ ।
ରାଜାଙ୍କର ମନର ଅବସ୍ଥା ତପତୀ ଭଲ ଭାବରେ ବୁଝିପାରୁଥିଲେ । ସେ ଖୁବ୍ ଦୃଢ଼ ଭାବରେ କହିଲେ, “ହେ ରାଜନ୍, ଯଦି ଆମର ଦାମ୍ପତ୍ୟ ଜୀବନ ଆରମ୍ଭ ହେବାର ଥାଏ, ତେବେ ତାହା ଆରମ୍ଭ ହେବ ପିତାଙ୍କର କଲ୍ୟାଣରେ । ଆପଣ ଆଦିତ୍ୟଙ୍କ ଉପାସକ । ସେ ତାଙ୍କର ଉପାସକମାନଙ୍କ ପ୍ରତି ସଦୟ ରୁହନ୍ତି । ତେଣୁ ଆପଣ ତାଙ୍କୁ ପ୍ରଣିପାତ ପୂର୍ବକ ଆପଣଙ୍କ ଅଭିଳାଷ ଅବଗତ କରାନ୍ତୁ । ଯଦି ପିତା ସମ୍ମତ ହେବେ ତେବେ ମୁଁ ଚିରକାଳ ପାଇଁ ଆପଣଙ୍କର ବଶବର୍ତ୍ତିନୀ ହୋଇ ରହିବି ।”
ସମ୍ୱରଣ ବ୍ୟାକୁଳ ହୋଇ ପଚାରିଲେ, “ଯଦି ପ୍ରଭୁ ସମ୍ମତ ନ ହୁଅନ୍ତି ତେବେ. . . ?”
ତାଙ୍କ କଥା ନ ସରିବା ପୂର୍ବରୁ ତପତୀ ସେହିପରି ଶାନ୍ତ ଭାବରେ କହିଲେ, “ତେବେ ମୋର ଆପଣଙ୍କ ସହିତ ଆଜି ଶେଷ ସାକ୍ଷାତ୍ ।”
ଏତିକି କହି ତପତୀ ଶୂନ୍ୟମଣ୍ଡଳରେ ଉଭେଇଗଲେ ।
ରାଜା ସମ୍ୱରଣଙ୍କ ପାଇଁ ଏ ଘଟଣା ସମ୍ପୂର୍ଣ୍ଣ ଭାବରେ ଅପ୍ରତ୍ୟାଶିତ ଥିଲା । ତାଙ୍କର ଅଭିଳଷିତ କନ୍ୟାର ପରିଚୟ ଯେପରି ତାଙ୍କୁ ହତଚକିତ କରିଥିଲା ସେହିପରି ତାଙ୍କର ହଠାତ୍ ଅନ୍ତର୍ଦ୍ଧାନ ହୋଇଯିବା ମଧ୍ୟ ତାଙ୍କୁ ସବୁକିଛି ହରାଇ ଦେବାର ଦୁଃଖରେ ଦ୍ରବୀଭୂତ କରିଦେଲା । ଏ ଘଟଣାରେ ମ୍ରିୟମାଣ ହୋଇପଡ଼ିଥିବା ରାଜା ଆଉ ରାଜପୁରୀକୁ ପ୍ରତ୍ୟାବର୍ତ୍ତନ କଲେ ନାହିଁ, ସେହି ସ୍ଥାନରେ ଜଡ଼ବତ୍ ବସି ରହିଲେ ।
ସେ ରାତିଟି ସେହିଠାରେ ତାଙ୍କର ସମ୍ପୂର୍ଣ୍ଣ ଅନିଦ୍ରାରେ କଟିଲା । ଆସନ୍ତା ପ୍ରାତଃ କାଳରେ ସେ କିପରି ଭାବରେ ସମ୍ମୁଖୀନ ହେବେ ତାଙ୍କର ଆରାଧ୍ୟ ଦେବତାଙ୍କର । ତାଙ୍କର ଇଚ୍ଛା ବିଷ୍ୟରେ ଭଗବାନ ଆଦିତ୍ୟ ନିଶ୍ଚୟ ଅବଗତ ହୋଇସାରିଥିବେ । ସମ୍ୱରଣଙ୍କର ଆସ୍ପର୍ଦ୍ଧା ନିଶ୍ଚୟ ତାଙ୍କର କ୍ରୋଧର କାରଣ ହୋଇଥିବ । ମର୍ତ୍ତ୍ୟର ମାନବ ହୋଇ ସୂର୍ଯ୍ୟକନ୍ୟାଙ୍କୁ ସେ ବାଞ୍ଛା କଲେ କିପରି ? କିନ୍ତୁ ବାଞ୍ଛା କରିବାବେଳେ ସେ ତ ସେହି ଅନୁପମା କନ୍ୟାଙ୍କ ବିଷୟରେ କିଛି ଜାଣିନଥିଲେ । ତେବେ ତାଙ୍କ ସମ୍ପର୍କରେ ଜାଣିବା ପରେ ବି ସେ କ’ଣ ତାଙ୍କ ନିକଟରୁ ନିଜର ସମର୍ପିତ ମନ ପ୍ରାଣକୁ ଫେରେଇ ନେଇପାରିବେ । ତାହା ତ ଆଉ ସମ୍ଭବ ନୁହେଁ ।
ସମ୍ୱରଣ ନିଜର ଅସ୍ଥିର ଚିତ୍ତବୃତ୍ତିକୁ ଶାନ୍ତ ରଖିବାର ପ୍ରୟାସ କଲେ । ସେ ନିଜକୁ ଆଶ୍ୱସ୍ତ କଲେ ଯେ ସୂର୍ଯ୍ୟକନ୍ୟାଙ୍କ ପ୍ରତି ତାଙ୍କର ଅଭିଳାଷ ତ କିଛି ଦୋଷଦୁଷ୍ଟ ନୁହେଁ । ସେ ତାଙ୍କୁ ରାଜକୀୟ ମର୍ଯ୍ୟାଦା ସହକାରେ ନିଜର ଧର୍ମପତ୍ନୀ ରୂପେ ଗ୍ରହଣ କରିବାକୁ ଚାହିଁଛନ୍ତି ।
ରାତି କେତେବେଳେ ଶେଷ ହୋଇ ଆସିଥିଲା । ଏ ପର୍ଯ୍ୟନ୍ତ ଉଷାର ପ୍ରକାଶ ଘଟିନାହିଁ, କିନ୍ତୁ ଚନ୍ଦ୍ରାଲୋକରେ ଆଲୋକିତ ବନଭୂମି, ଗଙ୍ଗାର ଜଳଧାରାରେ ଠାଏ ଠାଏ ଉଜ୍ଜ୍ୱଳ ରଜତର ଧାର ପରିବେଶକୁ ଅଦ୍ଭୁତ ଭାବରେ ମାୟାଚ୍ଛନ୍ନ କରି ରଖିଛି । ସମ୍ୱରଣ ତାଙ୍କର ନିର୍ଦ୍ଦିଷ୍ଟ ପ୍ରସ୍ତର ଚଟାଣରେ ପଦ୍ମାସନରେ ଉପବେଶନ କଲେ । ଆଦିତ୍ୟ ମନ୍ତ୍ର ପାଠ କରୁ କରୁ କେତେବେଳେ ସେ ଗଭୀର ଧ୍ୟାନରେ ନିମଗ୍ନ ହୋଇଗଲେ । ତାଙ୍କର ଚେତନା ତାଙ୍କର ଆରାଧ୍ୟ ଦେବତାଙ୍କ ସହ ସଂଯୁକ୍ତ ହୋଇଯାଇଥିଲା । ଗତ ରାତିର ଉଦ୍ବେଗ, ଭୟ, ଆଶଙ୍କା ତାଙ୍କ ଚିତ୍ତରୁ ଅପସରି ଯାଇଥିଲା । ଅନ୍ତଃସତ୍ତାରେ ଶୁଦ୍ଧତା ଓ ସ୍ୱଚ୍ଛତାର ପ୍ରତିଷ୍ଠା ହୋଇ ସାରିଥିଲା ।
ରାଜା ସମ୍ୱରଣ ପୂର୍ବଦିନ ରାତ୍ରିରେ ରାଜପ୍ରାସାଦକୁ ଫେରିନଥିବା କଥା ରାଜ୍ୟରେ ବିଦ୍ୟୁତ୍ ବେଗରେ ବ୍ୟାପିଗଲା । ନାନାପ୍ରକାର ଆଶଙ୍କା, ଉତ୍କଣ୍ଠାରେ ପୁରବାସୀ ବିବ୍ରତ ହୋଇ ପଡ଼ିଲେ । ପ୍ରଜ୍ଞାନରେ, ବୟସରେ ଓ ନୀତିଶାସ୍ତ୍ରରେ ପ୍ରବୀଣ ମୁଖ୍ୟ ଅମାତ୍ୟଙ୍କ ନିକଟରେ ରାଜା ବିଗତ କିଛିଦିନ ଧରି ପ୍ରତ୍ୟହ ଘନ ଅରଣ୍ୟ ମଧ୍ୟରେ ପ୍ରବେଶ କରି ଲକ୍ଷ୍ୟହୀନ ଭାବରେ ଘୂରି ବୁଲୁଥିବାର ସମ୍ୱାଦ ଥିଲା । ତାହାର କାରଣ ସେ ନିର୍ଣ୍ଣୟ କରିପାରୁ ନ ଥିଲେ ସତ କିନ୍ତୁ ତା’ ପଛରେ ଯେ ନିଶ୍ଚୟ କିଛି ରହସ୍ୟ ରହିଛି ସେ କଥା ସେ ଭଲଭାବରେ ଅନୁମାନ କରିପାରିଥିଲେ ।
କିନ୍ତୁ କ’ଣ ସେ ରହସ୍ୟ ? ତରୁଣ ରାଜା ସମ୍ୱରଣ ରାଜ୍ୟଶାସନ ବ୍ୟତିରେକେ ବିବିଧ ବିଷୟରେ ଅମାତ୍ୟଙ୍କ ସହିତ ଆଲୋଚନା କରନ୍ତି, ତାଙ୍କର ପରାମର୍ଶକୁ ଗୁରୁତ୍ୱ ଦେଇଥାନ୍ତି । ଅଥଚ ବିଗତ କେତେଦିନ ଧରି ରାଜା କୌଣସି କାରଣରୁ ଉଦ୍ବିଗ୍ନ ରହୁଛନ୍ତି, ମାନସିକ ସ୍ଥିରତା ହରାଇଛନ୍ତି ଅଥଚ ତାଙ୍କ ସହିତ ଦୀର୍ଘ କଥାବାର୍ତ୍ତା ସମୟରେ ବି ତା’ର ସୂଚନାମାତ୍ର ଦେଉନାହାନ୍ତି । ଅମାତ୍ୟ କାରଣ ସମ୍ପର୍କରେ ସବୁଦିଗରୁ ବିଚାର କରି ମଧ୍ୟ ବିଫଳ ହେଉଥିଲେ ।
ଗତରାତିରୁ ରାଜା ପ୍ରାସାଦକୁ ନ ଫେରିବା ଘଟଣା ତାଙ୍କୁ ବିଚଳିତ କରିଦେଲା । ସେ କାଳବିଳମ୍ୱ ନ କରି ରାଜାଙ୍କର କେତେଜଣ ବିଶ୍ୱସ୍ତ ପାରିଷଦ ଓ ଦକ୍ଷ ସେନାମାନଙ୍କୁ ନେଇ ଅରଣ୍ୟ ଦିଗରେ ଯାତ୍ରା କଲେ । ରାଜାଙ୍କର ନିର୍ଦ୍ଦିଷ୍ଟ ଉପାସନାସ୍ଥଳୀରେ ସେମାନେ ତ୍ୱରିତ ବେରେ ପହଞ୍ଚିଗଲେ ।
ପ୍ରବୀଣ ଅମାତ୍ୟ ଅଦୂରରୁ ଲକ୍ଷ୍ୟ କରିପାରିଲେ ପଦ୍ମାସନରେ ଉପବିଷ୍ଟ ରାଜା ପୂର୍ବଦିଗକୁ ଚାହିଁ ସ୍ଥିର ହୋଇ ବସିଛନ୍ତି । ସେତେବେଳକୁ ସୂର୍ଯ୍ୟଦେବ ଉଦିତ ହୋଇ ସାରିଥିଲେ । ଚତୁର୍ଦ୍ଦିଗରେ ପ୍ରସରି ଯାଇଥିଲା ଅରୁଣାଭା । ରାଜାଙ୍କର ଅବିଚଳ ନିବିଷ୍ଟ ସ୍ଥିତିରୁ ଅମାତ୍ୟ ଅନୁମାନ କରିପାରିଲେ ରାଜା ସମ୍ୱରଣ ନିଶ୍ଚୟ କିଛି ଅଭୀଷ୍ଟ ପୂରଣ ପାଇଁ ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରୁଛନ୍ତି ।
କିନ୍ତୁ କ’ଣ ତାଙ୍କର ଅଭୀଷ୍ଟ ? ଅମିତ ପରାକ୍ରମଶାଳୀ ରାଜାଙ୍କର ଅପ୍ରାପ୍ୟ ବା କ’ଣ ଅଛି ?
ସେନା ଓ ଅନ୍ୟମାନେ ରାଜାଙ୍କୁ ପ୍ରତ୍ୟକ୍ଷ କରିବା ପରେ ସମ୍ପୂର୍ଣ୍ଣ ଆଶ୍ୱସ୍ତ ହୋଇସାରିଥିଲେ ରାଜାଙ୍କର ନିରାପତ୍ତା ନେଇ ସେମାନଙ୍କର ଉତ୍କଣ୍ଠା ଶେଷ ହୋଇଯାଇଥିଲା ।
ସମ୍ୱରଣଙ୍କ ଧ୍ୟାନ ଗମ୍ଭୀର ମୂର୍ତ୍ତି ନିକଟରେ କିଛି ସମୟ ନିରବରେ ଅପେକ୍ଷା କରିବା ପରେ ଅମାତ୍ୟ ତାଙ୍କର ଉପସ୍ଥିତି ଜଣାଇବା ପାଇଁ ଖୁବ୍ ବିନୀତ ଭାବରେ କହିଲେ, “ମହାରାଜ ! ଆପଣଙ୍କର ସର୍ବକୁଶଳତ ?”
ସମ୍ୱରଣଙ୍କର ଧ୍ୟାନ ଭାଙ୍ଗିଗଲା । ସେ ଦେଖିଲେ ତାଙ୍କ ନିକଟରେ ଠିଆ ହୋଇଛନ୍ତି ତାଙ୍କର ପ୍ରବୀଣ ବୟୋବୃଦ୍ଧ ଅମାତ୍ୟ । ସେ କିଛି ସମୟ ଶୂନ୍ୟ ଦୃଷ୍ଟିରେ ତାଙ୍କୁ ଚାହିଁ ରହିଲେ । ଅମାତ୍ୟ ବୁଝିପାରିଲେ କୌଣସି ଏକ ବିଶେଷ କାରଣରୁ ସମ୍ୱରଣ ଚିନ୍ତାକୁଳ ଅଛନ୍ତି । ସେ ସେନା ଓ ଅନ୍ୟମାନଙ୍କୁ ନଗରକୁ ଫେରିଯିବାକୁ ନିର୍ଦ୍ଦେଶ ଦେଲେ । ପ୍ରାସାଦରୁ ସାଙ୍ଗରେ ଆଣିଥିବା ପଦ୍ମସୁଗନ୍ଧି ସୁଶୀତଳ ଜଳ ରାଜାଙ୍କୁ ପାନ କରିବାକୁ ଦେଲେ ।
ତାଙ୍କୁ ଆଶ୍ୱସ୍ତ କରି ଅମାତ୍ୟ କହିଲେ, “ମହାରାଜ, ଆପଣ କେଉଁ କାରଣରୁ ଏପରି ଚିନ୍ତାଗ୍ରସ୍ତ ଅଛନ୍ତି ? ଏହାପୂର୍ବରୁ ରାଜ୍ୟରେ ଯେକୌଣସି ସଙ୍କଟ ସୃଷ୍ଟି ହୋଇଛି ସେସବୁର ସମାଧାନ ପାଇଁ ଆପଣ ମୋ ସହିତ ଆଲୋଚନା କରି ବିହିତ ପଦକ୍ଷେପ ନେଇଛନ୍ତି । ମୋ ଜାଣିବାରେ ଏବେ ରାଜ୍ୟରେ କୌଣସି ସମସ୍ୟା ନାହିଁ । ଆପଣଙ୍କ ନୀତିନିଷ୍ଠ ସୁଶାସନରେ ରାଜ୍ୟର ପ୍ରଜାମାନେ ଖୁବ୍ ଆନନ୍ଦ ଓ ଶାନ୍ତିରେ ଅଛନ୍ତି । କୌଣସି ପ୍ରତିବେଶୀ ରାଜ୍ୟ ସହିତ ଆମର ଶତ୍ରୁତା ନାହିଁ । କୌଣସି ଦିଗରୁ ମଧ୍ୟ ରାଜ୍ୟ ଉପରେ ବିପଦର ଆଶଙ୍କା ନାହିଁ । ତେଣୁ ଆପଣ ଏଇ କିଛିଦିନ ହେଲାଣି ଏପରି ଚିନ୍ତାମଗ୍ନ ରହିବାର କାରଣ କ’ଣ ହୋଇପାରେ ? ଆପଣଙ୍କର ନିରବତା ମତେ ବ୍ୟଥିତ କରୁଛି । ମହାରାଜ ଆପଣ କ’ଣ କୌଣସି ଗୋପନ କଥା କହିବା ପାଇଁ ମୋ ଉପରୁ ବିଶ୍ୱାସ ହରାଇଛନ୍ତି କି ?”
ସମ୍ୱରଣ ନିଜ ଆସନ ଛାଡ଼ି ଉଠିଆସିଲେ । ବୃଦ୍ଧ ଅମାତ୍ୟଙ୍କର ହାତଧରି ସେପରି କଥା ନ କହିବା ପାଇଁ ଅନୁରୋଧ କଲେ । ଅମାତ୍ୟଙ୍କର ପିତୃତୁଲ୍ୟ ଶ୍ରଦ୍ଧାରେ ସମ୍ୱରଣଙ୍କର ହୃଦୟ ଦ୍ରବୀଭୂତ ହୋଇଗଲା । ସେ ଆଉ କୌଣସି କଥା ଗୋପନ ନ ରଖି ଅମାତ୍ୟଙ୍କ ନିକଟରେ ନିଜର ମନ କଥା ପ୍ରକାଶ କରିଦେଲେ ।
ଅମାତ୍ୟ ବୁଝିପାରିଲେ ଯେ କୌଣସି ରାଜକନ୍ୟା ବା ଅନ୍ୟ କେହି ସୁନ୍ଦରୀ ରମଣୀଙ୍କ ପ୍ରତି ରାଜା ଆକର୍ଷଣ ଅନୁଭବ କରିଥିଲେ ତାଙ୍କୁ ପତ୍ନୀରୂପେ ପାଇବା ଆଦୌ ଦୁରୂହ ବ୍ୟାପାର ହୋଇନଥାନ୍ତା । କନ୍ୟାର ପିତା କେହି ରାଜରାଜେଶ୍ୱର ହେଲେ ବି ସମ୍ୱରଣଙ୍କର ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିନଥାନ୍ତେ ବରଂ ଆନନ୍ଦିତ ହୋଇଥାନ୍ତେ । କିନ୍ତୁ ରାଜାଙ୍କର ଅଭିଳଷିତା କନ୍ୟାଙ୍କର ପିତା ଯେ ସ୍ୱୟଂ ସର୍ବଲୋକ ପ୍ରକାଶକ ମରୀଚିମାଳି ସୂର୍ଯ୍ୟଦେବ, ସେ ପୁଣି ରାଜାଙ୍କର ଆରାଧ୍ୟ ଦେବତା । ତାଙ୍କ ପାଖରେ ଏ ପ୍ରସ୍ତାବ କିପରି ବା ଦିଆଯାଇପାରିବ ! କାହାର ସେ ସାମର୍ଥ୍ୟ ଅଛି ?
ଅମାତ୍ୟ ଗଭୀର ଭାବରେ ଚିନ୍ତା କଲେ । ସେ ଅନୁଭବ କଲେ ଆଦିତ୍ୟଙ୍କ ନିକଟରେ ଏ ପ୍ରସ୍ତାବ ଉତ୍ଥାପନ କରିବାକୁ ସାମର୍ଥ୍ୟ ରହିଛି କେବଳ ଋଷିସତ୍ତମ ବଶିଷ୍ଠଙ୍କର ଏବଂ ସେ ସମ୍ୱରଣଙ୍କର କୁଳଗୁରୁ ହୋଇଥିବାରୁ ତାଙ୍କର ଶରଣାପନ ହେବା ବିଧେୟ ।
ସମ୍ୱରଣ, ଅମାତ୍ୟଙ୍କ ପରାମର୍ଶ ଗ୍ରହଣ କଲେ । ଦିବାରାତ୍ରି ଗୋଟିଏ ସ୍ଥାନରେ ବସି ରହି ଏକାଗ୍ର ଚିତ୍ତରେ ବଶିଷ୍ଠଙ୍କୁ ସ୍ମରଣ କଲେ । ଏହିପରି ବିତିଗଲା ଦ୍ୱାଦଶ ଦିବସ । ରାଜାଙ୍କର ସମ୍ମୁଖରେ ଉପସ୍ଥିତ ହେଲେ ଋଷି ବଶିଷ୍ଠ । ରାଜାଙ୍କ ମୁଖରୁ ତାଙ୍କୁ ଆବାହନ କରିବାର କାରଣ ଶୁଣିବା ପୂର୍ବରୁ ସେ ସମସ୍ତ କଥା ଜାଣିସାରିଥିଲେ ଯେ ରାଜା ସମ୍ୱରଣ ଅନ୍ୟ ଉପାୟ ନ ପାଇ ତାଙ୍କର ସହାୟତା ଲୋଡ଼ିଛନ୍ତି । ତାହା ମଧ୍ୟ ଯଥାର୍ଥ । ପୃଥିବୀରେ ଯେତେ ଶକ୍ତିଶାଳୀ ଅମିତ ପରାକ୍ରମୀ ଉତ୍ତମ ରାଜା ହେଲେ ବି ସେହିପରି ଅଧ୍ୟାତ୍ମ ସାଧନା ଓ ଶକ୍ତି ନ ଥିଲେ ଦେବତାଙ୍କ ନିକଟରେ ଉପନୀତ ହୋଇପାରିବ ନାହିଁ । ଏ କ୍ଷେତ୍ରରେ ତ ପରିସ୍ଥିତି ଏପରି ଯେ ଏହାର କୌଣସି ସମାଧାନ ମଣିଷ ପକ୍ଷରେ ସମ୍ଭବ ନୁହେଁ ।
ସମ୍ୱରଣ କିଛି ଅନୁରୋଧ କରିବା ପୂର୍ବରୁ ଋଷି ବଶିଷ୍ଠ ତାଙ୍କୁ କଲ୍ୟାଣ କରି କହିଲେ, “ମୁଁ ତୁମର ସବୁ କଥା ଜାଣିସାରିଛି । ମୁଁ ଏ ଦିଗରେ ନିଶ୍ଚୟ ପ୍ରୟାସ କରିବି । ଏବେ ମତେ ବିଦାୟ ଦିଅ ।”
ଋଷି ବଶିଷ୍ଠ ଯୋଗମାର୍ଗରେ ଆଦିତ୍ୟଲୋକକୁ ଗମନ କଲେ ଓ ସହସ୍ରାଂଶୁଙ୍କ ନିକଟରେ ପ୍ରବେଶ କରି କୁତାଞ୍ଜଳିପୁଟରେ କହିଲେ, “ହେ ବିବସ୍ୱାନ, ଆମ୍ଭେ ଋଷି ବଶିଷ୍ଠ ଏକ ବିଶେଷ ପ୍ରାର୍ଥନା ନେଇ ଆପଣଙ୍କ ନିକଟକୁ ଆଗମନ କରିଛୁ ।”
ସୂର୍ଯ୍ୟଦେବ ମହାତପସ୍ୱୀ ଋଷି ବଶିଷ୍ଠଙ୍କ ଆଗମନକୁ ସ୍ୱାଗତ କରି କହିଲେ “ଯାହା ଆପଣଙ୍କର ଇପ୍ସିତ ତାହା କୁହନ୍ତୁ । ଆପଣ ଆମ୍ଭଠାରୁ ଯାହା ଇଚ୍ଛା କରନ୍ତି ତାହା ସୁଦୁଷ୍କର ହେଲେ ହେଁ ଆମ୍ଭେ ତାହା ନିଶ୍ଚୟ ପ୍ରଦାନ କରିବୁ ।”
ବଶିଷ୍ଠ ଆଶ୍ୱସ୍ତ ହୋଇ କହିଲେ, “ହେ ଦେବଶ୍ରେଷ୍ଠ, ଆପଣଙ୍କର କନିଷ୍ଠା କନ୍ୟା ତପତୀଙ୍କୁ ଆମ୍ଭେ ନରୋତ୍ତମ ରାଜା ସମ୍ୱରଣଙ୍କର ପତ୍ନୀ ଭାବରେ ବରଣ କରିବାକୁ ଚାହୁଁଛୁ ।”
ସତେ ଯେପରି ସୂର୍ଯ୍ୟଦେବ ଆଶ୍ୱସ୍ତ ହେଲେ । କାରଣ ତାଙ୍କ କନିଷ୍ଠା କନ୍ୟା ତପତୀ ଥିଲେ ଅତ୍ୟନ୍ତ ରୂପବତୀ ଏବଂ ତାଙ୍କର ତପସ୍ୟା ପ୍ରଭାବରୁ ତପତୀ ତିନିଲୋକରେ ବିଖ୍ୟାତ ଥଲେ । ତାଙ୍କର ଅପୂର୍ବ ସୌନ୍ଦର୍ଯ୍ୟ ଓ ସାଧନା ଏତେ ଉଚ୍ଚମାନର ଥିଲା ଯେ ତାଙ୍କର ସମଯୋଗ୍ୟତା ସମ୍ପନ୍ନ ବରପାତ୍ର ତିନିଲୋକରେ ମିଳିବା କଷ୍ଟକର ଥିଲା । ସୂର୍ଯ୍ୟଦେବ ମନେ ମନେ ତପତୀଙ୍କ ପାଇଁ ଯୋଗ୍ୟ ପାତ୍ରର ସନ୍ଧାନ କରୁଥିଲେ ।
ବଶିଷ୍ଠଙ୍କ ଅନୁରୋଧ ଶୁଣିବା ପରେ ସୂର୍ଯ୍ୟଦେବ ମନେ କଲେ ସତେ ଯେପରି ତାଙ୍କର ମନସ୍କାମନା ପୂରଣ କରିବା ପାଇଁ ଋଷିଙ୍କର ଆଗମନ ହୋଇଛି । ସେ ପ୍ରସନ୍ନ ଚିତ୍ତରେ କହିଲେ “ହେ ଋଷିବର, ସମ୍ୱରଣ ମୋର ଉପାସକ । ପ୍ରତ୍ୟହ ସେ ଅତି ନିଷ୍ଠାପର ଭାବରେ ମତେ ଅର୍ଘ୍ୟ, ମାଲ୍ୟ ଓ ସୁଗନ୍ଧିତ ଦ୍ରବ୍ୟମାନ ନିବେଦନ କରି ମୋର ପ୍ରୀତି ବର୍ଦ୍ଧନ କରି ଆସିଛି । ସେ ଧର୍ମଜ୍ଞ, କୃତଜ୍ଞ, ଅନିନ୍ଦ୍ୟ ରୂପସୌନ୍ଦର୍ଯ୍ୟର ଅଧିକାରୀ ଓ ଅମିତ ଶକ୍ତିଶାଳୀ । ପ୍ରଜାପାଳନରେ ସେ ଅଦ୍ୱିତୀୟ । ତେଣୁ ହେ ମୁନେ ! ଆପଣ ଋଷିମାନଙ୍କ ମଧ୍ୟରେ ଶ୍ରେଷ୍ଠ, ସମ୍ୱରଣ ରାଜାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଏବଂ ମୋର ଏ କନ୍ୟା ରୂପ ଗୁଣରେ ଅତୁଳନୀୟା । ମୁଁ ଆପଣଙ୍କର ପ୍ରାର୍ଥନା ପୂରଣ କରୁଛି ଓ ମୋର କନ୍ୟା ତପତୀକୁ ମୁଁ ରାଜା ସମ୍ୱରଣଙ୍କ ନିମନ୍ତେ ଆପଣଙ୍କୁ ପ୍ରଦାନ କରୁଛି ।”
ବଶିଷ୍ଠ ଆନନ୍ଦ ମନରେ ଦେବ ଆଦିତ୍ୟଙ୍କୁ ପ୍ରଣିପାତ କରି ତପତୀଙ୍କ ସହିତ ପୃଥିବୀ ଉପରକୁ ଅବତରଣ କଲେ । ତାଙ୍କର ପ୍ରତ୍ୟାଗମନକୁ ଉତ୍କଣ୍ଠା ଓ ଆବେଗର ସହ ଅପେକ୍ଷା କରିଥିବା ରାଜା ସମ୍ୱରଣଙ୍କ ନିକଟରେ ଋଷି ବଶିଷ୍ଠ ଉପସ୍ଥିତ ହୋଇ ସ୍ମିତହାସ୍ୟରେ ଆକାଶ ଦିଗରେ ଦୃଷ୍ଟିଦେବା ପାଇଁ ରାଜାଙ୍କୁ ଇଙ୍ଗିତ କଲେ ।
ରାଜା ଆବେଗ କମ୍ପିତ ହୃଦୟରେ ଆକାଶ ଦିଗରେ ଚାହିଁ ଦେଖିଲେ ସୌଦାମିନୀ ଯେପରି ଆକାଶରୁ ବିଭ୍ରଷ୍ଟ ହୋଇ ଆସିବା ବେଳେ ତା’ର ଚତୁଃପାର୍ଶ୍ଵକୁ ଆଲୋକିତ କରିଥାଏ ସେପରି ସୂର୍ଯ୍ୟକନ୍ୟା ତପତୀ ଆକାଶରୁ ଅବତରଣ କରି ଆସୁଥିବାବେଳେ ତାଙ୍କର ଜ୍ୟୋତିର୍ମୟୀ କାନ୍ତି ତାଙ୍କର ଗତିପଥକୁ ଉଦ୍ଭାସିତ କରୁଥିଲା ।
ସମ୍ୱରଣ ବିଶୁଦ୍ଧାନ୍ତରକଣରେ ସୂର୍ଯ୍ୟଦେବଙ୍କୁ ତପସ୍ୟା କରିବା ଦ୍ୱାରା ଓ ଋଷି ଶ୍ରେଷ୍ଠ ବଶିଷ୍ଠଙ୍କର କଲ୍ୟାଣକର ମଧ୍ୟସ୍ଥତାରେ ତପତୀଙ୍କୁ ଲାଭ କଲେ । ଦେବଗନ୍ଧର୍ବ ସେବିତ ସେହି ଆରଣ୍ୟକ ପରିବେଶରେ ସମ୍ୱରଣ ବିଧିପୂର୍ବକ ତପତୀଙ୍କର ପାଣିଗ୍ରହଣ କଲେ ।
ପୂର୍ବାଶା ସିନ୍ଦୂରିତ ହୋଇ ଉଠିଥିଲା । ସୂର୍ଯ୍ୟଙ୍କର ପ୍ରଭାମଣ୍ଡଳ ବିଶାଳରୁ ବିଶାଳତର ହେଉଥିଲା ।
ସମ୍ୱରଣଙ୍କ ହୃଦୟରେ ସ୍ୱତଃ ଉଚ୍ଚାରିତ ହେଉଥିଲା ଆଦିତ୍ୟ ମନ୍ତ୍ର । ତାଙ୍କର ନବବିବାହିତା ପତ୍ନୀ ତପତୀ ମଧ୍ୟ ଯୋଡ଼ହସ୍ତରେ ପୂର୍ବ ଦିଗରେ ଦୃଷ୍ଟି ସ୍ଥିର ରଖି ଠିଆ ହୋଇଥିଲେ । ସୂର୍ଯ୍ୟକନ୍ୟା ତପତୀଙ୍କର ସାନ୍ନିଧ୍ୟରେ ରାଜା ସମ୍ୱରଣ ତାଙ୍କର ଆରାଧ୍ୟ ଦେବତାଙ୍କ ନିକଟରେ ବିନମ୍ର କୃତଜ୍ଞତା ଜଣାଉଥିଲେ ।
ଏପର୍ଯ୍ୟନ୍ତ ସୂର୍ଯ୍ୟଦେବ ରାଜା ସମ୍ୱରଣଙ୍କର କେବଳ ଆରାଧ୍ୟ ଥିଲେ, ଉପାସ୍ୟ ଥିଲେ । ସମ୍ୱରଣ ତାଙ୍କୁ ଭକ୍ତି କରୁଥିଲେ, ତାଙ୍କର କରୁଣା ଭିକ୍ଷା କରୁଥିଲେ । ସେ ଥିଲେ ତାଙ୍କ ପାଇଁ ବହୁ ଦୂରରେ ଅବସ୍ଥିତ ମହିମାମୟ ଏକ ଦିବ୍ୟ ସତ୍ତା । ମଣିଷ ଓ ଦେବତା ଭିତରେ ଏକ ସୀମାହୀନ ବ୍ୟବଧାନ ସମ୍ପର୍କରେ ସେ ସଚେତନ ଥିଲେ । କିନ୍ତୁ ଆଜି ତାଙ୍କର ଅନୁଭବ ହେଉଛି ତାଙ୍କ ଆରାଧ୍ୟ ଦେବତାଙ୍କର ସେ କେତେ ନିକଟତର । ଦେବତା ଓ ମଣିଷ ଭିତରେ ପ୍ରଭୁ ଓ ଦାସ ସମ୍ପର୍କ ଶେଷ କଥା ନୁହେଁ । ଏକ ବିଶେଷ ସ୍ଥିତିରେ ମଣିଷ ଆସ୍ପୃହା ବଳରେ ଦେବତାର ଆତ୍ମୀୟ ହୋଇପାରେ । ଦେବତା ଓ ମଣିଷ ଭିତରେ ଥିବା ଭେଦରେଖାକୁ ଅତିକ୍ରମୀ ଯାଇପାରେ । ମଣିଷ ତା’ର ସାଧନା ବଳରେ ଦେବତ୍ୱ ଲାଭ କରିବା ପରି ଦେବତା ମଧ୍ୟ ମଣିଷର ସଖ୍ୟ ପାଇଁ ସ୍ୱର୍ଗରୁ ଅବତରି ଆସେ । ଏ ଘଟଣା ବିରଳ ହେଲେ ମଧ୍ୟ ଏ ମାଟି ଉପରେ ସମ୍ଭବ ହୋଇଛି ।
ରାଜା ସମ୍ୱରଣ ପତ୍ନୀ ତପତୀଙ୍କ ସହିତ ରାଜଧାନୀକୁ ଫେରିବାର ଉପକ୍ରମ କରିବା ପୂର୍ବରୁ ଅମାତ୍ୟଙ୍କ ସହ ସମଗ୍ର ରାଜ୍ୟ ଯେପରି ଅରଣ୍ୟ ଦିଗରେ ନବଦମ୍ପତିଙ୍କୁ ସ୍ୱାଗତ କରିବା ପାଇଁ ଜୟଧ୍ୱନି କରି ଆଗେଇ ଆସୁଥିଲା ।
ରାଜା ପୁଣି ଥରେ ଆଦିତ୍ୟଦେବଙ୍କୁ ପ୍ରଣାମ ଜଣାଇଲେ । ତାଙ୍କର ଅନୁଭବ ହେଲା ପୂର୍ବାଶାର ପ୍ରଭାମଣ୍ଡଳ ତାଙ୍କର ଖୁବ୍ ନିକଟତର ହୋଇ ତାଙ୍କୁ ଘେରି ରହିଛି । ସେଥିରେ କେବଳ ଦୀପ୍ତି ନାହିଁ, ଅଛି ସ୍ନିଗ୍ଧତା ଓ ମଧୁରତାର କମନୀୟ ସ୍ପର୍ଶ ।
ରାଜା ସମ୍ୱରଣ ତପତୀଙ୍କର ହାତ ଧରି ତାଙ୍କୁ ଦର୍ଶନ କରିବା ପାଇଁ ଉତ୍ସୁକତାର ସହ ସମ୍ମିଳିତ ପ୍ରଜାଗଣଙ୍କ ଦିଗରେ ଗମନ କରିବାବେଳେ ତାଙ୍କ ସହିତ ଥିବା ଋଷି ବଶିଷ୍ଠଙ୍କର ମୁହୂର୍ତ୍ତକ ପାଇଁ ମନେହେଲା ସ୍ୱର୍ଗ ମର୍ତ୍ତ୍ୟର ହସ୍ତ ଧାରଣ କରିଛି ନା ମର୍ତ୍ତ୍ୟର ହସ୍ତ ସ୍ୱର୍ଗକୁ ଧାରଣ କରିଛି । ହୁଏତ କେହି କାହାକୁ ଧାରଣ କରିନାହାନ୍ତି ବା ଧାରିତ ହୋଇନାହାନ୍ତି ଗୋଟିଏ ଭୂମିରେ ସମ୍ମିଳିତ ହୋଇ ଏକ ହୋଇଯାଇଛନ୍ତି ।
ତାଙ୍କର ଶେଷ ଅନୁଭବଟି ହେଲା ମର୍ତ୍ତ୍ୟ ମାନବର ଆସ୍ପୃହା ଓ ଦେବତାର କରୁଣା ମଧ୍ୟରେ ଏକ ତପଃସିଦ୍ଧ ଋଷିଚିତ୍ତ ହିଁ ସେତୁ ପାଲଟି ଯାଇଛି । ଫଳରେ ସମ୍ଭବ ହୋଇଛି ଏହି ସ୍ୱର୍ଗ ଓ ମର୍ତ୍ତ୍ୟର ମଧୁର ମିଳନ ।
ଅଦୂରରୁ ଭାସି ଆସୁଥିଲା ସମ୍ମିଳିତ ହର୍ଷୋଲ୍ଲାସର ଧ୍ୱନି ।
