ମଧୁବନ ମଧୁ ଚନ୍ଦ୍ରିକାରେ ତୁମେ
ମଧୁ ମାଳତୀର ବାସ
ମୁଁ ଯେ ବଇଶାଖି ବାଧାରେ ବ୍ୟଥିତ
ବାଟଚଲା ଦୁବ ଘାସ
ନୀଳ ନୀରାଜନେ ନୀରଧି ନନ୍ଦିନୀ
ନିଳୋତ୍ପଳ ରାଜକନ୍ୟା
ମୁଁ ଯେ ଅସଙ୍ଖଳା ଅସଜ ହୃଦୟେ
ଅସରନ୍ତି ଅଶ୍ରୁ ବନ୍ୟା
କଅଁଳ କାକରେ କୁଆଁରୀ କଇଁର
କାଉଁରୀ କଳିକା ମନ
ଉଆଁସରେ ଉଇଁ ଉଙ୍କି ମାରୁଥିବା
ମୁଁ ଉଦାସ ଉପଳ ଜହ୍ନ
ତୁମେ ସପ୍ତରଙ୍ଗେ ସଜିତ ସପଳା
ସଙ୍ଗୀତର ସାତ ସ୍ୱର
ମୁଁ ଯେ ବାଟଭୁଲା ବାଟୋଇ ଅନ୍ତରେ
ବୁକୁ ଫଟା ଲହୁ ଧାର ।
