ଗୋଟିଏ ହଁ’ରେ ବଦଳିଗଲା
ପରିଚୟର ସବୁ ପରିଭାଷା ।
ତମେ ନଥିଲ କା’ର ମୁଁ ବି ନଥିଲି କା’ର
ବିଧିବଦ୍ଧ ସର୍ମ୍ପକକୁ ଗୋଟେ ପଟେ ରଖି
ଛୋଟ ହଁ’ଟିଏ ଆମକୁ କଢେଇ ନେଲା ବାଟ
ଅନ୍ଧମୁହାଁଣ ଆଡେ
ସ୍ୱର୍ଗ କି ନର୍କ ବୁଝିବା ଆଗରୁ
ନିଜ ହାତରେ ଉଝେଇ ଦେଲେ
ଅନଭିଜ୍ଞ ସମୟକୁ ନିରୀହ ନିଜତ୍ୱ ।
ନାହିଁର ଆଢୁଆଳରେ
ଖୋଜାଲୋଡା ପଡୁଥିବା
ଗୋପନ ମନର ଭୋକ ଶୋଷକୁ
ଚନ୍ଦ୍ର ସୂର୍ଯ୍ୟ ଅଲକ୍ଷ୍ୟରେ ଏମିତି ବି ରଖାଯାଇପାରେ
ଖୋଲମ୍ ଖୋଲା ଏକାନ୍ତ ପଣରେ
କେବେନା କେବେ ଉଇଁ ପୁଣି ଛପୁଥିବା
ସଂଗୁପ୍ତ ଇଚ୍ଛାକୁ
ନଗ୍ନତାର ସବୁସୀମା ଡେଇଁ ଲୋଟେଇ
ଦେବାକୁ ପଡେ ।
ଅକୁହା ଯନ୍ତ୍ରଣା
ଯାହା ଶର ପରି ଛାତିକୁ ବିଦାରୁଥିଲା
ଆମେ ତା’କୁ ଫୁଲ କରି ବିଛେଇ ଦେଲେ
ନା’ ନିଜ ଚାରି ପାଖେ ଛିଡା କରିଦେଲେ
ତୀକ୍ତ ମଧୁର ଅସଂଖ୍ୟ ପ୍ରଶ୍ନବାଚୀ
ନା’ ନିଜକୁ ହଟେଇନେଲେ କୋଳାହଳଠୁଁ
ବହୁଦୂର ନିଜ ଛଡା କେହି ନଥିବା କେଉଁ
ଅଜଣା ଜାଗାକୁ ?
ଜଣା ତ ନଥିଲା ଏମିତି ଘଟିବ ବୋଲି
ହୁଏତ ଏମିତି ଘଟେ ଘଟିବାର ବହୁ ପୂର୍ବରୁ
ଇଚ୍ଛାରେ ବା ଅନିଚ୍ଛାରେ ବ୍ୟବଧାନଟିଏ
କେହି ଯଦି ସୃଷ୍ଟିକରେ
ପୂରଣ କରିବାକୁ ତାକୁ ଆଉ କେହି
ଚାହିଁ ବି ବସିଥାଏ ।
