ପରଜାପତିଟି ଆସି ନିତିନିତି
ଏ ଫୁଲେ ସେ ଫୁଲେ ବସି ।
ମନ ହରଷରେ ମନବୋଧ କରି
ମହୁ ନେଉଥାଏ ଶୋଷି ।।
ଫୁଲରାଣୀମାନେ ଉଲ୍ଲସିତ ମନ
କଅଁଳ ପାଖୁଡ଼ା ମେଲି ।
ପାତି ଦେଇ ଶେଯ କରନ୍ତି ସ୍ୱାଗତ
ବନ୍ଧୁ ଆସିଛନ୍ତି ବୋଲି ।।
କରି ମଧୁପାନ ହରଷିତ ମନେ
ପ୍ରଜାପତି ଯାଏ ଉଡ଼ି ।
ଫୁଲରାଣୀମାନେ କରନ୍ତି ଅପେକ୍ଷା
ଲୋତକ ଜଳରେ ବୁଡ଼ି ।।
ତ୍ର ଗହଳିରେ ଏଣ୍ଡୁଅ ଗୋଟିଏ
ଛକି ରହିଥାଏ ନିତି ।
ପରଜାପତିକୁ ଧରି ନେବା ପାଇଁ
ଦେଇଥାଏ ଜାଲ ପାତି ।।
ପାରେନି ସହି ସେ ପ୍ରଜାପତି ପାଇଁ
ଫୁଲର ଆଦର ସ୍ନେହ ।
କେମିତି ଧରିବ ମଜା ଚଖେଇବ
ଜଳି ଯାଉଥାଏ ଦେହ ।।
ଅକସ୍ମାତ୍ ଦିନେ ହରଷିତ ମନେ
କଲାବେଳେ ମଧୁପାନ ।
ଧରିନେଲା ତାକୁ ଏଣ୍ଡୁଅ ବାପୁଡ଼ା
ସହଜେ ସେ ବଳବାନ ।।
ହେଲା ଛାଟିପିଟି ପରଜାପତିଟି
ଏଣ୍ଡୁଅ ଛାଡ଼ିଲା ନାଇଁ ।
କେତେ କମକୁଟା ଡେଣା ଦୁଇ ତା’ର
ରହିଗଲା ସ୍ଥିର ହୋଇ ।।
କାନ୍ଦେ ଫୁଲରାଣୀ ତା’ର ଗୁଣ ଗୁଣି
ଝରାଉଛି ଲୁହଧାର ।
ଏଣ୍ଡୁଅ ବାପୁଡ଼ା କେବେ କି ପାରିବ
ହୃଦ ଜୟ କରି ତା’ର ?
ରବି ପଦ୍ମ ପାଇଁ ଜହ୍ନ ପାଇଁ କଇଁ
ଫୁଲ ପାଇଁ ପ୍ରଜାପତି ।
ଯେ ଯା’ର ସେ ତା’ର କେ କରିବ ପର
ଏତ ଦୁନିଆର ରୀତି ।।
ଆକୁଳ ନୟନେ ଚାହିଁଛି କୁସୁମ
ଲୋଚନୁ ଝରାଇ ଲୁହ ।
ପ୍ରଜାପତି ବିନା କିଏ ବା ପାରିବ
ବୁଝି ତା’ ଛାତିର କୋହ
