ଗଳ୍ପ

ସମ୍ପର୍କର ଯୋଗସୁତ୍ର

Aravind Das's odia Story Samparkara Jogasutra

ବାଲ୍‌କୋନୀରେ ବସି, ମାଉସୀ ସେମିତି ଗପୁଥିଲେ, ନିର୍ବିକାର ଭାବେ । ନିଜ ଭାବନା ରାଜ୍ୟରେ ସେ ମଗ୍ନ ଥିଲେ । ବର୍ଷାର ବେଗ ବଢିଚାଲିଥିଲା ।

ସମ୍ପର୍କର ଯୋଗସୁତ୍ର
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମୁଁ ବ୍ୟାଚେଲର୍‌ ବୋଲି ଜାଣିସୁଦ୍ଧା, ଭଡାଟିଆ ଭାବେ ମୋତେ ରଖି ଥିବାରୁ ଘର ମାଲିକ ଗୌରାଙ୍ଗ ବାବୁ ଓ ମାଲିକାଣୀ ସ୍ନେହ ମ୍ୟାଡାମଙ୍କ ପ୍ରତି ମୋର ଶ୍ରଦ୍ଧା ଓ କୃତଜ୍ଞତା ବଢିଯାଇଥିଲା ।

“ଆମକୁ ସାର୍, ମ୍ୟାଡାମ୍ ବଦଳରେ ଏଣିକି ମଉସା, ମାଉସୀ ବୋଲି ଡାକିବ । ବାହାର ଜାଗାରେ ଏଇ ଡକାହକା ସମ୍ପର୍କକୁ ନେଇ ଆମେ ବଞ୍ଚିଛେ । ତମେ ଆମ ସାନପୁଅ ଠାରୁ ବୟସରେ ଟିକେ ସାନ ହେବ । ଭଲ ଝିଅଟେ ଦେଖି ଜଲଦି ବାହା ହେଇପଡ । ମୋତେ ଗପିବାକୁ ମଣିଷଟେ ମିଳିଯିବ ।”

ସ୍ନେହ ମାଉସୀଙ୍କ ଅମୃତବୋଳା କଥା ପଦକ ଶୁଣି ମୁଁ ଯେତିକି କିଣି ହୋଇଯାଇଥିଲି । ‘ଟୁ-ଲେଟ୍’ ବୋର୍ଡ ଦେଖି ଘରେ ପହଞ୍ଚିଲା ପରେ ମାଉସୀଙ୍କ ସହିତ ହିଁ ସବୁ କଥାବାର୍ତ୍ତା କରିଥିଲି । ମୋ ଚାକିରୀ, ଘର ପରିବାର କଥା ଜାଣି ମାଉସୀ ହିଁ ମୋତେ ଜବାବ୍ ଦେଇଥିଲେ ।

ଉପର ମହଲାରେ ମଉସା, ମାଉସୀ ଦୁହେଁ ରହନ୍ତି । ଦୁଇ ପୁଅ ଚାକିରୀ କରି ବାହାରେ ରହନ୍ତି ବୋଲି ମାଉସୀଙ୍କ ଠାରୁ ଶୁଣିଥିଲି । ମଉସା, ମାଉସୀ ଦୁହେଁ ବହୁଳ ସାଧାସିଧା ଓ ସରଳିଆ ମଣିଷ ଭଳି ମୋତେ ଲାଗିଥିଲେ, ପ୍ରଥମ ଦେଖାରେ ।

ମୁଁ ସକାଳ ୭ଟା ବେଳେ, ଅଫିସ ବାହାରିଯାଏ ବୋଲି, ମାଉସୀ ତାଙ୍କ ଘରେ କାମ କରୁଥିବା କାମବାଲୀ ଦ୍ୱାରା ମୁଁ ରହୁଥିବା ତଳ ମହଲା ଘରଟା ଝାଡୁ, ପୋଛା କରାଇ ଦିଅନ୍ତି । ମୋ ଲୁଗାପଟା ବି ତା’ଦ୍ୱାରା ସଫା କରାଇ, ବାହାରୁ ଆଇରନ୍ କରି ନେଇ ଆସନ୍ତି । ନିଜ ଘରେ ରହିଲା ପରି ଲାଗୁଥାଏ ମୋତେ । ଗୋଟାଏ ଜିନିଷ ମୁଁ ଲକ୍ଷ୍ୟ କରି ଆଶ୍ଚର୍ଯ୍ୟ ହୋଇଥିଲି; କଡଲେସ୍ ଫୋନଟା ଧରି ବାଲ୍‌କୋନୀରେ ବସି ଘଣ୍ଟା ଘଣ୍ଟା ଗପନ୍ତି ମାଉସୀ ।

“ମାଉସୀ ବୋଧେ ବହୁତ ଗପୁଡି । ଖାଲି ପୁଅ ବୋହୁ ନାତି, ନାତୁଣୀଙ୍କ ସହ ଗପନ୍ତି ନା ଅନ୍ୟମାନଙ୍କ ସହ ଗପନ୍ତି ?”

ମୋ ପ୍ରଶ୍ନ ଶୁଣି ଅଳ୍ପ ହସି ଗୌରାଙ୍ଗ ମଉସା କହିଲେ, କିଏ ତାକୁ ବୁଝାଇବ ? ଘର କାମଦାମ ତ ନାହିଁ । ତେଣୁ ଫୋନଟା ଧରି ବସିପଡୁଛି । ଯେତେଥର କହିଲେ ବି ଘର ଭିତରେ ଫୋନରେ କଥା ନହୋଇ ଏଇ ବାଲ୍‌କୋନୀରେ ବସି ଗପିବ । ହେଲେ ଏ ବିଷୟରେ ତାକୁ ଜମା ଏ ପ୍ରଶ୍ନ ପଚାରିବ ନାହିଁ । ରାଗିଯାଇ ସିଧା ତମକୁ ଘରୁ ବାହାର କରିଦେବ ।

ଚୁପଚୁପ ମଉସାଙ୍କୁ ପଚାରିଲି, “ଆମେରିକା ଓ ଲଣ୍ଡନରେ ରହୁଥିବା ଦୁଇ ପୁଅଙ୍କ ପାଖକୁ ଏତେ ସମୟ ଆଇ.ଏସ୍.ଡି. କଲ୍ କଲେ ବହୁତ ବିଲ୍ ତ ହେଉଥିବ । ଏହା ଅପେକ୍ଷା ଇଣ୍ଟର୍‌ନେଟ୍‌ରେ କଥା ହେଲେ ବହୁତ କମ୍ ପଇସା ପଡନ୍ତା । ତାଛଡା କାନ ଉପରେ ପ୍ରେସର୍ ବି ପଡୁଥିବ ।”

ଶୁଖିଲା ହସଟେ ମୁଁହରେ ଖେଳାଇ ମଉସା କହିଲେ, “ତମ ମାଉସୀ ଯାହା ବୁଝିଥିବ ସେଇଆ । ଗୋଟାଏ ମା’ ପାଖରେ ତା ପିଲାମାନେ ସବୁବେଳେ ଆଗ ।”

ଦିନେ ସକାଳୁ ପ୍ରବଳ ବର୍ଷା ଆରମ୍ଭ ହୋଇଗଲା । ମୋ ମୋବାଇଲରେ ନେଟ୍ୱାର୍କ ନଥିବାରୁ, ଅଫିସକୁ ଫୋନ୍‌କରି କହିବା ପାଇଁ ଉପର ମହଲାକୁ ଚାଲିଆସିଲି । ମଉସାଙ୍କ ପାଖରେ ସୋଫାରେ ବସି କହିଲି, “ଆପଣଙ୍କ ଲ୍ୟାଣ୍ଡଲାଇନରୁ ଟିକେ ଅଫିସକୁ ଫୋନ୍ କରିଥାନ୍ତି ।”

ହଡବଡେଇ ଗଲା ପରି ମଉସା କହିଲେ, ଫୋନଟା ଡେଡ୍ ଅଛି ପୁଅ ।

ତଳକୁ ଫେରି ଆସିଲାବେଳେ ଦେଖିଲି ରାସ୍ତା ଆଡକୁ ଅନାଇ କଡ୍‌ଲେସ୍ ଫୋନରେ ମାଉସୀ ଗପୁଛନ୍ତି । ବିରକ୍ତ ଲାଗିଲା ମଉସାଙ୍କ ଉପରେ ।

ଘୁରିପଡି ମଉସାଙ୍କୁ ଅନାଇଲି । ମୋ ଆଖିର ଭାଷା ବୋଧେ ପଢିପାରିଲେ ମଉସା । ମୋ କାନ୍ଧରେ ହାତ ରଖି କହିଲେ, “ତମେ ଭାବୁଥିବ, ମୁଁ ମିଛ କାହିଁକି କହିଲି ବୋଲି । ତମ ମାଉସୀ ଯେଉଁଠିକି କଥା ହେଉଛି, ସେଥିପାଇଁ ଟେଲିଫୋନ୍ ଲାଇନ୍ ଦରକାର ନାହିଁ ।”

“ମାନେ ?” ଆଶ୍ଚର୍ଯ୍ୟ ହୋଇଗଲି ମୁଁ ।

ଡ୍ରଇଂ ରୁମରେ ଲ୍ୟାଣ୍ଡଲାଇନ୍ ଫୋନ୍‌ର କଟା ଲାଇନ୍‌ଟା ଦେଖାଇ ମଉସା କହିଲେ, “ଦଶବର୍ଷ ହେଲାଣି ଆମ ଘରେ ଲ୍ୟାଣ୍ଡଲାଇନ୍ କନେକ୍ସନ୍ ନାହିଁ ।”

ଆଶ୍ଚର୍ଯ୍ୟ ହୋଇ ପଚାରିଲି, “ତାହାହେଲେ ମାଉସୀ କାହା ସହ କଥା ହେଉଛନ୍ତି ? କେମିତି କଥା ହେଉଛନ୍ତି ?”

“ଦଶବର୍ଷ ତଳେ ଗୋଟାଏ ଆକ୍ସିଡେଣ୍ଟ୍‌ରେ ଦୁଇପୁଅ ଆମର ଆର ପାରିକୁ ଚାଲିଯାଇଛନ୍ତି । ପୁଅଙ୍କୁ ହରାଇ ମାଉସୀ ଡିପ୍ରେସନ୍‌କୁ ଚାଲିଯାଇଥିଲା । ହୁଏତ ଏମିତି ଗପୁଛି ବୋଲି ତମ ମାଉସୀ ବୋଧେ ବଞ୍ଚିଛି । କିନ୍ତୁ ବିଶ୍ୱାସ କର, ସେ ପାଗଳୀ ନୁହେଁ ।”

ମଉସାଙ୍କ କଥା ଶୁଣି ଲଥ୍ କରି ସୋଫାରେ ବସିପଡିଲି । ମଉସାଙ୍କ ଦୁଇ ହାତକୁ ଭାବ ପ୍ରବଣତାରେ ଧରି ପକାଇ କହିଲି, “ଏମିତି ନିଆରା ମଣିଷମାନେ ପାଗଳୀ କାହିଁକି ହେବେ? ଗୋଟେ ମାଆ କଣ କେବେ ପାଗଳୀ ହୋଇପାରେ ।”

ମୋର ଏବଂ ମଉସାଙ୍କ ଆଖି ଛଳଛଳ ହୋଇଯାଉଥିଲା ।

ମଉସାଙ୍କ କାନ୍ଧରେ ହାତ ରଖି କହିଲି, “ନିଜ ମୃତ ପିଲାଙ୍କ ସହ, ଯୋଗାଯୋଗ ଗୋଟେ ମା’ ହିଁ କରିପାରେ । ଟେଲିଫୋନ୍‌ଟା କେବଳ ଏକ, ବାହାନା ମାତ୍ର ।”

ବାଲ୍‌କୋନୀରେ ବସି, ମାଉସୀ ସେମିତି ଗପୁଥିଲେ, ନିର୍ବିକାର ଭାବେ । ନିଜ ଭାବନା ରାଜ୍ୟରେ ସେ ମଗ୍ନ ଥିଲେ । ବର୍ଷାର ବେଗ ବଢିଚାଲିଥିଲା ।

9 Comments

9 Comments

  1. Abinash puhan

    August 6, 2016 at 6:50 pm

    Maa pakhare setiki bhala paaiba ra sakti achi.aara paari heu ki a paari heu se ta pila sahita sabu bele samparka ra jogosutra rakhi paare. Maa omh ru bhi bada .

    • ଶ୍ରୀ ଅରବିନ୍ଦ ଦାସ

      ARAVINDA DAS

      August 9, 2016 at 4:56 pm

      So nice of u Abinash….

  2. ଶ୍ରୀ ବାଲ୍ମୀକି ନାୟକ

    Balmiki Nayak

    July 28, 2016 at 5:44 am

    Aravinda babu,chamatkar upasthapana.Mana chhuan galptie.

    • ଶ୍ରୀ ଅରବିନ୍ଦ ଦାସ

      ARAVINDA DAS

      August 9, 2016 at 4:55 pm

      Thanks Balmiki Babu for these positive feedback.

  3. pratyasini Satapathy

    July 11, 2016 at 3:12 pm

    khub bhala lagila apanankara khudra galpa ti,mana chhuni hrudaya ku sparsa karigal, mane hela charitra gudika khub jibanta.emiti lekhi chalithantu amana,aneka subha kamana.

  4. Binay Mohapatra

    June 29, 2016 at 1:19 pm

    Arabinda Babu, Apananku nuhe, apananka lekhani ku O’ apanank kalpana sakti, katha kahiba ra saili ku bahut bahuta Dhanyabad. Bahuta hrudaya sparshi galpatie.

    • ଶ୍ରୀ ଅରବିନ୍ଦ ଦାସ

      ARAVINDA DAS

      July 1, 2016 at 4:33 pm

      Binaya Babu. apananku anek anek dhanyabad.

  5. ଶ୍ରୀ ଅରବିନ୍ଦ ଦାସ

    aravinda das

    June 23, 2016 at 11:13 am

    apananka suchitintita matamata paine anek anek dhanyabad.regds.(ARAVINDA)

  6. ଶ୍ରୀ ରମାକାନ୍ତ ଦାଶ

    Ramakanta Dash

    June 18, 2016 at 12:19 pm

    Sadharanare jane epari manishaku aame pageli vabi paru, kintu bastabare se taha nuhe. Gapati vala lagila.

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top