ସ୍ୱାସ୍ଥ୍ୟ

ଘାସ ବିଷ ପାରାକ୍ୱାଟ୍ ବିଷୟରେ ଜାଣନ୍ତୁ – ଏହା ସ୍ୱାସ୍ଥ୍ୟ ପ୍ରତି ଗମ୍ଭୀର ବିପଦର କାରଣ

Dr Nilamadhab Kar's odia health article Ghasa Bisha Paraquat Bisayare Janantu - Eha Swasthya prati Gambhira Bipadara Karana

ଅନେକ ବ୍ୟକ୍ତି ଏହାକୁ ଆତ୍ମହତ୍ୟା ପାଇଁ ଉପଯୋଗ କରୁଥିବାରୁ ଓ ଏହା ସହଜରେ ଉପଲବ୍ଧ ହେଉଥିବାରୁ, ଏହାର ନିଷେଧ ଅତ୍ୟନ୍ତ ଜରୁରୀ ।

ପାରାକ୍ୱାଟ୍ (ଡାଇମିଥାଇଲ୍ ବାଇପିରିଡିନିୟମ୍ ଡାଇକ୍ଲୋରାଇଡ୍) ଭାରତରେ ଏକ ବହୁଳ ଭାବରେ ବ୍ୟବହୃତ ତୃଣନାଶକ । ତୃଣନାଶକ ଅନାବଶ୍ୟକ ଗଛଗୁଡ଼ିକୁ ମାରିବା କିମ୍ବା ବୃଦ୍ଧିକୁ ବାଧା ଦେବା ପାଇଁ ବ୍ୟବହୃତ ହୁଏ । ଏହା ସାଧାରଣତଃ ଘାସ ନାଶକ (ଘାସ ବିଶ) ଭାବରେ ଜଣାଶୁଣା । ପାରାକ୍ୱାଟ୍ ଏକ ଅତ୍ୟନ୍ତ ବିଷାକ୍ତ ରାସାୟନିକ ପଦାର୍ଥ । ଏହା ଅନେକ ଆତ୍ମହତ୍ୟା, ଦୁର୍ଘଟଣାଜନିତ ମୃତ୍ୟୁ, ଏବଂ ଏପରିକି ହତ୍ୟା ସହିତ ଜଡ଼ିତ ।

ଭାରତ ସରକାର ସମ୍ପ୍ରତି ପାରାକ୍ୱାଟ୍ ଉପରେ ନିଷେଧାଦେଶ ଜାରି କରିଛନ୍ତି । ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା ଏବଂ କେରଳ ଭଳି ରାଜ୍ୟ ଏହାକୁ ପୂର୍ବରୁ ନିଷେଧ କରିଥିଲେ । ବିଶ୍ୱର ୭୦ରୁ ଅଧିକ ଦେଶ ଏହି ପଦାର୍ଥକୁ ନିଷେଧ କରିଛନ୍ତି ।

ତଥାପି, ଏହା ଏବେ ବି ଅନେକ ସ୍ଥାନରେ ବଜାରରେ ସହଜରେ ଉପଲବ୍ଧ ହେଉଛି । ଲୋକମାନେ ଏହା ବିଷୟରେ ସଚେତନ ହେବା ଉଚିତ । ଏହା ‘ଅଲ ଆଉଟ, ଏଗ୍ରୀକ୍ୱାଟ, ଏରୋକ୍ସା, ଗ୍ରାମେକ୍ସ, ଗ୍ରାମୋକ୍ସୋନ୍, ମିଲକ୍ୱାଟ, ପାରାକେମ, ପାରାଗ୍ଲେ, ପାରାଗନ, ପାରାଗୋଲ୍ଡ,, ପେରାକ-୨୪, ପାରାଭେକ୍ସ, ପାରାକ୍ସିନ୍, ପାରାମାକ୍ସ, ପାରାକ୍ସଜୋନ, ପାରାକାପ, ପେରାଟୋ, ରେମୋୱିନ, ଜିୟା‘ ଭଳି ବିଭିନ୍ନ ନାମରେ ଦୋକାନରେ ଉପଲବ୍ଧ, ଏବଂ ଅନ୍ୟାନ୍ୟ ନାମ ମଧ୍ୟ ଥାଇପାରେ । ଅନେକ ଲୋକ ଏବଂ ପାରାକ୍ୱାଟ୍ ବିକ୍ରେତାମାନେ ମଧ୍ୟ ଏହି ପଦାର୍ଥର ଗମ୍ଭୀରତା ବିଷୟରେ ଜାଣି ନଥିବା ସମ୍ଭବ ।

ପାରାକ୍ୱାଟ୍ ମାଟି ଏବଂ ପାଣିକୁ ଦୂଷିତ କରେ ଏବଂ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରିପାରେ । ଏହାର ମାଟି ଓ ପାଣିରେ ଅନେକ ବର୍ଷ ପର୍ଯ୍ୟନ୍ତ ରହିପାରେ । ଏହାର ଅର୍ଥ ହେଉଛି ଏହା ବ୍ୟବହାର ପରେ ଏହା ପ୍ରକୃତିରେ ବର୍ଷ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଏହା ମଣିଷ ଏବଂ ପଶୁମାନଙ୍କ ସହିତ ସଂସ୍ପର୍ଶରେ ଆସିବାର ବିପଦ ବୃଦ୍ଧି କରେ । କୃଷି କ୍ଷେତ୍ରରେ ହୋଇଥିବା ଅଧ୍ୟୟନରୁ ଗହମ ଶସ୍ୟରେ ପାରାକ୍ୱାଟ୍ ର ଉଚ୍ଚ ସ୍ତର ମିଳିଛି ।

ଏହାକୁ ପିଇବା ବା ନିଶ୍ୱାସ ଦ୍ଵାରା ଶରୀର ଭିତରକୁ ଗଲେ ଏହା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ, ଏବଂ ମୃତ୍ୟୁ ମଧ୍ୟ ହୋଇପାରେ । ଏହା ଚର୍ମ ମାଧ୍ୟମରେ ମଧ୍ୟ ଶରୀର ଭିତରକୁ ଶୋଷିତ ହୋଇପାରେ । ପାରାକ୍ୱାଟ୍ ବିଷକ୍ରିୟାର ଚିକିତ୍ସା ପାଇଁ କୌଣସି ପ୍ରଭାବଶାଳୀ ପ୍ରତିଷେଧକ ବା ଔଷଧ ନାହିଁ । ବିଷକ୍ରିୟା ପ୍ରାୟତଃ ଘାତକ । ଏହା ଯକୃତ (ଲିଭର୍) ଏବଂ ବୃକକ୍ (କିଡନୀ) ଆଦି ଶରୀରର ଅଙ୍ଗ ସବୁର କାମରେ ବାଧା ଆଣିଥାଏ । ଏହା ପଦାର୍ଥ ଫୁସଫୁସରେ ଜମା ହୁଏ ଏବଂ ଫୁସଫୁସକୁ ନଷ୍ଟ କରିଦିଏ । ଏହା ଫୁସଫୁସରେ ଫାଇବ୍ରୋସିସ୍ ଅବସ୍ଥାର କାରଣ ହୁଏ । ଯେତେବେଳେ ଫୁସଫୁସ ପ୍ରଭାବିତ ହୁଏ, ରକ୍ତରେ ଅମ୍ଳଜାନର ହାର ବା ସଂତୃପ୍ତି ହ୍ରାସ ପାଏ । ଦୁର୍ଭାଗ୍ୟବଶତଃ, ବାହ୍ୟ ଅମ୍ଳଜାନ ପାରାକ୍ୱାଟ୍ ଜନିତ ଫୁସଫୁସର ଆଘାତକୁ ଆହୁରି ଖରାପ କରିଥାଏ, ଯେପରି ‘ନିଆଁରେ ଇନ୍ଧନ’ ପରି, ଯାହା ଫୁସଫୁସର ଅବସ୍ଥାକୁ ଆହୁରି ଖରାପ କରିଥାଏ । ଯଦିଓ ବିଷକ୍ରିୟାର ତୀବ୍ର ପ୍ରଭାବକୁ କିଛି ଅଂଶରେ ଚିକିତ୍ସା ଦ୍ଵାରା ଅଟକେଇ ଦିଆଯାଇପାରେ, ତଥାପି ଫୁସଫୁସ ଧୀରେ ଧୀରେ ଫାଇବ୍ରୋସିସ୍ ଦ୍ୱାରା ପ୍ରଭାବିତ ହୁଏ ଏବଂ ଶ୍ୱାସକ୍ରିୟା ବିଫଳତା ଯୋଗୁଁ କିଛି ଦିନରେ ବ୍ୟକ୍ତିଟିର ମୃତ୍ୟୁ ଘଟେ । ପାରାକ୍ୱାଟ୍ ବିଷର ପ୍ରଭାବକୁ ପ୍ରତିହତ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ । ତେଣୁ ଏହା ସ୍ପଷ୍ଟ ଯେ ପାରାକ୍ୱାଟ୍ ବିଷକ୍ରିୟାର ଚିକିତ୍ସା ଅତ୍ୟନ୍ତ କଷ୍ଟ ସାଧ୍ୟ ।

ଯଦି ଗର୍ଭବତୀ ମହିଳାମାନେ ପାରାକ୍ୱାଟ୍ ସଂସ୍ପର୍ଶରେ ଆସନ୍ତି, ତେବେ ଏହା ଗର୍ଭରେ ଥିବା ଭ୍ରୁଣ ପାଇଁ ବିପଦ ଏବଂ ମୃତ୍ୟୁ କାରଣ ମଧ୍ୟ ହୋଇପାରେ । ପାରାକ୍ୱାଟ୍ ସହିତ ସଂସ୍ପର୍ଶରେ ଆସିବା ପାର୍କିନ୍ସନ୍ ରୋଗ ହୋଇପାରେ ।

ବଜାରରେ ପାରାକ୍ୱାଟ୍ କେଉଁ ନାମରେ ଉପଲବ୍ଧ ସେ ବିଷୟରେ ଜାଣିବା ଏବଂ ଏହାର ସଂସ୍ପର୍ଶକୁ ଏଡାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିଜର, ପରିବାରର ଓ ନିଜ ଗୋଷ୍ଠୀର ସ୍ଵାସ୍ଥ୍ୟ ସମ୍ପର୍କରେ ସଜାଗ ହେବା ଉଚିତ । ଅନେକ ବ୍ୟକ୍ତି ଏହାକୁ ଆତ୍ମହତ୍ୟା ପାଇଁ ଉପଯୋଗ କରୁଥିବାରୁ ଓ ଏହା ସହଜରେ ଉପଲବ୍ଧ ହେଉଥିବାରୁ, ଏହାର ନିଷେଧ ଅତ୍ୟନ୍ତ ଜରୁରୀ । ମାନସିକ ଚାପ ବା ଅସୁବିଧା ପାଇଁ ପରିବାର, ନିଜ ଲୋକ, ସାଙ୍ଗସାଥି, ବା ମନସ୍ତତ୍ଵବିତମାନଙ୍କ ସାହାଯ୍ୟ ନେବା ଦରକାର । ମନ କଥା ଅନ୍ୟମାନଙ୍କୁ କହିପକେଇବା ଦରକାର । ସମାଜରେ ଅନେକ ମାନସିକ ଚାପ ବା ଅସୁବିଧାର ସମାଧାନ ପାଇଁ ଅନେକ ଉପାୟ ଅଛି ।

ପାରାକ୍ୱାଟ୍ ନିଷେଧ ହେଲେ ଏହା ଅନେକ ସ୍ୱାସ୍ଥ୍ୟଗତ ଜଟିଳତା ଏବଂ ମୃତ୍ୟୁକୁ ରୋକିବାରେ ସାହାଯ୍ୟ କରିବ । ପାରାକ୍ୱାଟ୍ ଉପରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ କରିବା ଏବଂ ଏହାକୁ ସାଧାରଣ ଲୋକଙ୍କ ପାଇଁ ଅନୁପଲବ୍ଧ କରିବା ଜରୁରୀ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top