ପ୍ରିୟା ତୋ ପଣତ ତଳେ
ମୋ ରାତି ପାହେ ପୁଣି ସଞ୍ଜ ଢଳେ ।
ତୋ ଆଖିରୁ କଜଳ ନେଇ
ଆଙ୍କି ବସେ ଯେବେ ଚିତ୍ର ତୋର
ଫଗୁଣ ରଙ୍ଗ ଦିଏ
ତୋ ଛବି ଥାଏ ମୋ ମନ ତଳେ ।
ତୋ ତନୁର ଶୁଭ୍ରରଙ୍ଗ
ଲାଗେ ସକାଳର ରଙ୍ଗ ପରି
ତୋ ଗୋଲାପି ଓଠର ରଙ୍ଗରେ
ମୋ କବିତାର ଦେହ ଭିଜେ ।
ତୋ ଅଧରରୁ ଝରିଯାଏ
ଯେବେ ହସର ଜୁଆର
ମୋ ଦୁନିଆଟା ମୋତେ ସତେ
କେତେ ରଙ୍ଗିନ୍ ଲାଗେ ।
ପ୍ରିୟା ତୋ ମହକ ନେଇ
ମୋ ପ୍ରତିକ୍ଷଣ ମହକୁଛି
ତୋ ଗଭୀର ଆଖିରେ ମୁଁ ବୁଡ଼ି ଯାଏ ଅହରହ
ତୋ ନିଃଶ୍ୱାସରେ ମୋତେ
ମହାମନ୍ତ୍ର ଶୁଭୁ ଅଛି ।
ପ୍ରିୟା,
ସତେ ତୁ ଶ୍ରାବଣରେ ବରଷାର ଧାରା ପରି
ଅବା ବଗିଚାରେ ପ୍ରଜାପତି,
ମୋ ପାଇଁ ତୁ ଖାଲି ଜହ୍ନ ରାତି
ପୁଣି ମୋ ପ୍ରେମର ବୈଜୟନ୍ତୀ !
