-: ପୂର୍ବରୁ :-
ପରଲୋକଗତ ମହିଷାସୁରର ଜ୍ୟେଷ୍ଠପୁତ୍ର ତଥା ଯୁବରାଜ ସେତେବେଳକୁ ବୃଦ୍ଧପ୍ରାୟ- ନାମ ଛାଗଳାସୁର । ସେ ନିଜ ରାଜଧାନୀକୁ ଫେରିଯାଇଥାନ୍ତା, କିନ୍ତୁ ପ୍ରାସାଦର ଏକ କକ୍ଷରେ ଶୋଭିତ ରାଜକନ୍ୟାଙ୍କ ଚିତ୍ରପଟ ଉପରେ ତା’ର ଆଖି ପଡ଼ିଗଲା । ସେ ଆଉ ଗଲାନାହିଁ, ସେଇଠାରେ ନିଜର ଅଭିଷେକ କଲା ଓ ରହିଲା । ମଧ୍ୟେ ମଧ୍ୟେ ଇନ୍ଦ୍ରଧନୁ ପ୍ରତିଭାତ ହେଲେ ସେ ଯାଦୁପାହାଡ଼କୁ ଯିବାକୁ ଗୋଡ଼ କାଢ଼େ, କିନ୍ତୁ ନିବୃତ୍ତ ହୁଏ ।
ଛାଗଳାସୁରର ଥିଲା ଗୋଟାଏ ବିଶେଷତ୍ୱ । ସେ ଜଣେ ଋଷିଙ୍କୁ ବଡ଼ ଶ୍ରଦ୍ଧା କରୁଥିଲା । ଋଷିଙ୍କୁ ସେସବୁ କହନ୍ତେ, ଋଷି କହିଲେ, “ଦେଖ ବାପା, ଯାଦୁପାହାଡ଼ରେ ପହଞ୍ଚି ରାଜକନ୍ୟା ନିଦରେ ଶୋଇଯାଇଛି । ଯେ ଯାଏ ତା’ର ନିଦ୍ରାଭଙ୍ଗ ନ ହୋଇଛି, ସେ ଯାଏ ସେ ଯେମିତି ସୁନ୍ଦରୀକୁ ସେମିତି ସୁନ୍ଦରୀ ଓ ତରୁଣୀ ହୋଇ ରହିଥିବ । ଯେତେ ବର୍ଷ ବିତିଗଲେ ବି ତା’ ବୟସ ବଢ଼ିବ ନାହିଁ- ଅତଏବ ଚିନ୍ତା ନାହିଁ ।
ମହାଭାଗ, ଚିନ୍ତା ନାହିଁ ବୋଲି କହୁଛନ୍ତି କିପରି ? ମୋ ବୟସ ତ ବଢୁଥିବ । ମୁଁ ସେପାରିକୁ ଯିବି ।
ଉତ୍ତମ କଥା ବାପା, ଯଦି ଇନ୍ଦ୍ରଧନୁ ଚଢ଼ି ଯାଇପାରିବୁ. . . ।
ମହାଭାଗ, ସେଭଳି ଉଦ୍ୟମ କରି ତ ମଦୀୟ ପିତୃଦେବ ସିଧାସଳଖ ରସାତଳକୁ ଗଲେ । ମୁଁ କ’ଣ ଏଡ଼େ ବୋକା ! ଆପଣଙ୍କ ସହାୟତା ବିନା ଯିବା ଅସମ୍ଭବ ।
ବେଶ୍- କେମିତି ଯିବାକୁ ହେବ କହିଦେବି ।
ଆନନ୍ଦରେ ଛାଗଳାସୁରର ପ୍ରାୟ କୁଣ୍ଠରୁଦ୍ଧ ହେଲା । କହନ୍ତୁ ମହାଭାଗ, ବିଳମ୍ୱ କାହିଁକି ?
ଜାଣିଛୁ ତ, ଇନ୍ଦ୍ରଧନୁର ସାତରଙ୍ଗ । ତୋତେ ହୁଏତ ମରୀଚି, ଅତ୍ରି, ପୁଲହ, ପୁଲସ୍ତ୍ୟ, କ୍ରତୁ, ଅଙ୍ଗିରା ଓ ବଶିଷ୍ଠ- ଏହି ସପ୍ତର୍ଷିଙ୍କୁ ତପସ୍ୟା ଦ୍ୱାରା ସନ୍ତୁଷ୍ଟ କରିବାକୁ ପଡ଼ିବ, ନଚେତ୍ କାଳୀ, କରାଳୀ, ମନୋଜବା, ସୁଲୋହିତା, ସୁଧୂମ୍ରବର୍ଣ୍ଣା, ସ୍ଫୁଲିଂଗିନୀ ଓ ବିଶ୍ୱନିରୂପିଣୀ ନାମ୍ନୀ ଅଗ୍ନିର ସପ୍ତଜିହ୍ୱାକୁ ଆୟତ୍ତ କରିବାକୁ ହେବ । ନହେଲେ ଭୂଃ, ଭୁବଃ, ସ୍ୱଃ, ମହଃ, ଜନଃ, ତପଃ ଓ ସତ୍ୟ ଏହି ସପ୍ତଲୋକ ସମାଧିସ୍ଥ ଅବସ୍ଥାରେ ପ୍ରଦକ୍ଷିଣ କରି ଆସିବାକୁ ପଡ଼ିବ । ଏତକ କରିପାରିଲେ ଇନ୍ଦ୍ରଧନୁର ସପ୍ତରଙ୍ଗ ଉପରେ କର୍ତ୍ତୃତ୍ୱ ଆସିଯିବ । ତେଣିକି ତୁ ତା’ ଉପର ଦେଇ ଯଥେଚ୍ଛା ଚାଲବୁଲ କରିପାରିବୁ, ଏପରିକି ଘୋଡ଼ା ବି ଛୁଟାଇପାରିବୁ । ଇନ୍ଦ୍ରଧନୁ ତୋ ପାଇଁ ପ୍ରଶସ୍ତ ରାଜପଥ ଭଳି କାମ ଦେବ ।
ମହାରାଜା ଛାଗଳାସୁରର ମୁହଁ ଶୁଖିଗଲା । “ମହାଭାଗ ! ମୁଁ ଖୁବ୍ ଶୀଘ୍ର ଦୌଡ଼ି ଚାଲିଯିବି- ଟିକିଏ ସହଜ ପନ୍ଥା ବତାଇ ଦିଅନ୍ତୁ ।” ସେ ବ୍ୟାକୁଳ କଣ୍ଠରେ କହିଲା ।
ଗୋଟିଏ କାମ କର । ଷଡ଼ରିପୁ ଉପରେ ଜୟଲାଭ କର । ତା’ହେଲେ ଛଅ ରଙ୍ଗ ଉପରେ ଅଧିକାର ଆସିଯିବ । କନ୍ୟାପ୍ରତି ମନରେ ପବିତ୍ର ଭାବର ପ୍ରତିଷ୍ଠା କରିବୁ, ଯେପରି କି ସେ ଦେବୀ । ତା’ହେଲେ ସପ୍ତମରଙ୍ଗ ଉପରେ କର୍ତ୍ତୃତ୍ୱ ଆସିଯିବ ।
ଛାଗଳାସୁରର ମୁହଁ ଅଧିକ ମାତ୍ରାରେ ଶୁଖିଗଲା । ତେବେ ସେ କନ୍ୟାରେ ମୋର ପ୍ରୟୋଜନ କ’ଣ ? ମୋ ସାମ୍ରାଜ୍ୟରେ ଦେବଦେବୀଙ୍କ ଅଭାବ ନାହିଁ । – ସେ କ୍ଷୁବ୍ଦ କଣ୍ଠରେ ପ୍ରଶ୍ନ କଲା ।
ବେଶ୍- ତୁ ବେଶ୍ ବାସ୍ତବବାଦୀ ! ଉତ୍ତରରେ ଋଷି କହିଲେ ।
ଅନ୍ୟ କିଛି ଉପାୟ ନାହିଁ, ମହାଭାଗ ! ଛାଗଳାସୁର ଥରେ ଶେଷ ଚେଷ୍ଟା କଲାଭଳି ପ୍ରଶ୍ନଟି ପଚାରିଲା ।
ଥାଇପାରେ. . . କିନ୍ତୁ ସେଭଳି ଉପାୟରେ ଅବସ୍ଥା ବିଷମ ହେବ ।
ଛାଗଳାସୁର ଏହାପରେ ପ୍ରାୟ ଦୁଇ ଦଶନ୍ଧି ରାଜୁତି କରିଥିଲା । ଗୋପନରେ ଏକାଧିକ ଥର ଇନ୍ଦ୍ରଧନୁ ଉପରେ ଗୋଟାଏ ଗୋଡ଼ ରଖି, ତାହା ତା’ ଓଜନ ସମ୍ଭାଳୁଛି କି ନାହିଁ ପରୀକ୍ଷା କଲା- ହତାଶ ହୋଇ ସେ ପ୍ରୟାସରୁ ନିରସ୍ତ ହେଲା ।
ତା’ ପରବର୍ତ୍ତୀ ତିନିପୁରୁଷର ରାଜା ଋଷିଙ୍କ ସର୍ତ୍ତ ସ୍ମରଣ କରି ଯାଦୁପାହାଡ଼କୁ ଯିବା କଥା ମନକୁ ଆଣିଲେ ନାହିଁ । କିନ୍ତୁ ଚତୁର୍ଥ ପୁରୁଷର ମହାରାଜା ମାନବାସୁର ଥିଲା ଅତ୍ୟନ୍ତ ଉଚ୍ଚାଭିଳାଷୀ । ପାହାଡ଼ପୁରୀର ପ୍ରାସାଦରେ ଝୁଲୁଥିବା ରାଜକନ୍ୟାଙ୍କ ପ୍ରତିକୃତିଟି ସେଯାଏଁ ଅମଳିନ ରହିଥାଏ । ସେ ନିଜକୁ କେତେ ବା ସମ୍ଭାଳିବ । ଚିରଯୁବତୀ ନିଦ୍ରାବତୀ ରାଜକନ୍ୟାଙ୍କ ନିଦ୍ରାଭଙ୍ଗ କରିବା ସକାଶେ ସେ ହେଲା ବଦ୍ଧ ପରିକର ।
ସେ ଜଣେ ପ୍ରଚଣ୍ଡ ବାମମାର୍ଗୀ ତାନ୍ତ୍ରିକଙ୍କୁ ଠାବ କଲା । ଏକଶତ ଏକ ଗୋଟି ବିଲୁଆ, ଏକାବନ ଚିଲ, ଏକତ୍ରିଂଶ ଚେମଣିଆ, ଏକୋଇଶ ପେଚା ଏବଂ ଚାରି ଜାତିର ଚାରି ମଣିଷ ସଂଗ୍ରହ କରି ବଳିଦାନ ପରେ ସେ ସବୁର ପ୍ରତୀକମାନ ଏକତ୍ର ଗୋଟିଏ ପାତ୍ରରେ ଜମାକରି ତାନ୍ତ୍ରିକ ସେ ବସ୍ତୁକୁ ଚାରୋଟି ଡାମରା କାଉଙ୍କୁ ମନ୍ତ୍ରପାଠ ସମାହାରେ ଖୁଆଇଲା । ଗଧିଆ ଛାଲର ଖଣ୍ଡିଏ ପ୍ରଶସ୍ତ ଆସନ ଉପରେ ମାନବାସୁର ବସିଲା । ନିଶାର୍ଦ୍ଧରେ ଚାରି ଡାମରାକାଉ ତା’ର ଚାରି କୋଣକୁ ଥଣ୍ଟରେ ଭିଡ଼ିଲେ ଓ ମାନବାସୁରକୁ ଯାଦୁପାହାଡ଼ ଉପରେ ପହଞ୍ଚାଇ ଦେଲେ ।
ସାଇଁ ସାଇଁ ପବନ ବହୁଥାଏ । ସଦ୍ୟ ଦେଖା ଦେଇଥାଏ ଜହ୍ନ । ଯାଦୁପାହାଡ଼ ଉପରେ ଗୋଟିଏ ବୋଲି କୁଟୀର । ଦ୍ୱାର ଓ ବାତାୟନ ଥାଏ ଉନ୍ମୁକ୍ତ । ଭିତରେ ଶାୟିତା ରାଜକନ୍ୟା ।
ବିମୁଗ୍ଧ ନୟନରେ ଘଣ୍ଟାଏକାଳ ଅନାଇ ରହିଲା ମାନବାସୁର । ତା’ପରେ ସେ ରାଜକନ୍ୟାଙ୍କୁ ଡାକିଦେଲା ।
ସାମୟିକ ପତଳା ନିଦରୁ ଉଠିବା ଭଳି ଭଙ୍ଗୀରେ ଉଠିବସିଲେ ରାଜକନ୍ୟା ।
ଆସ, ଆସ ରାଜକନ୍ୟା- ବିଳମ୍ୱ କରନାହିଁ । ଏହା କହି ମାନବାସୁର ରାଜକନ୍ୟାଙ୍କୁ ସେ ଆସନ ଉପରକୁ ଧରି ଧରି ନେଇଗଲା । ଉଭୟେ ବସିବା ଉତ୍ତାରୁ କାକମାନେ ଉଡ଼ିବାକୁ ଆରମ୍ଭ କଲେ ।
ଅତଳ ସ୍ରୋତ ଉପରେ ଦେଇ ଉଡ଼ିଗଲାବେଳେ ହଠାତ୍ ମହାରାଜା ମାନବାସୁରର ପ୍ରବଳ ଇଚ୍ଛା ହେଲା ରାଜକନ୍ୟାଙ୍କୁ ଭିଡ଼ି ଧରିବ । ସେ ତାହା ହିଁ କଲା ।
ରକ୍ତ ହିମ କରିଦେଲା ଭଳି ଆର୍ତ୍ତନାଦଟିଏ ଶୁଭିଲା. . . ସତେ ଅବା ସେ ଧ୍ୱନି ଯୁଗରୁ ଯୁଗାନ୍ତରକୁ ବିସ୍ତୃତ ହୋଇଥିଲା । ମେଘ ଭିତରେ ଲୁଚିଯାଇଥିବା ଜହ୍ନଟି ପୁଣି ବାହାରିପଡ଼ିଲା । ମାନବାସୁର ଦେଖିଲା, ରାଜକନ୍ୟାଙ୍କ ତନୁଲତାରେ ସ୍ଥଗିତ ବୟସ ପ୍ରବଳ ଗତିରେ ସ୍ଫୁରିତ ହେଉଛି । ମୁହୂର୍ତ୍ତକ ଭିତରେ ମାନବାସୁରର ବାହୁପାଶରେ ସେ ଏକଶତବିଂଶବର୍ଷୀୟା ପ୍ରବୀଣାରେ ପରିଣତ ହେଲେ । ଚିତ୍କାର କରି ତାଙ୍କୁ ଛାଡ଼ି ଦେଇ ଅଜାଣତରେ ଲମ୍ଫ ଦେଲା ମାନବାସୁର । ପ୍ରଖର ସ୍ରୋତଗର୍ଭରେ ସେ ତା’ର ବିଖ୍ୟାତ ପୂର୍ବପୁରୁଷଟି ଭଳି ଲୀନ ହେଲା ।
କିମ୍ୱଦନ୍ତୀ କହେ, ରାଜକନ୍ୟା ବିହଙ୍ଗ ବନି ଉଡ଼ିଚାଲିଗଲେ ।
କାଳକ୍ରମେ ପାହାଡ଼ପୁରୀର ଜନବସତି ଲୁପ୍ତ ହେଲା । ସ୍ରୋତଧାର ଶୁଷ୍କ ହେଲା ।
ଗୁରୁଦେବ ! ଥରେ ସେ ପାହାଡ଼ ଉପରୁ ବୁଲିଆସିଲେ ହୁଅନ୍ତା ନାହିଁ । ଅବୋଲକରା ଅଥୟ ହୋଇ ପଚାରିଲା ।
ଚାଲ. . . ।
ଦୁହେଁ ପାହାଡ଼ ଚଢ଼ିଲେ । ରାଜପ୍ରାସାଦର କ୍ଷୀଣସତ୍ତା ପାଖ ଦେଇ ଗଲାବେଳେ ସେମାନେ ଦେଖିଲେ କମନୀୟ ଇନ୍ଦ୍ରଧନୁଟିଏ ଫୁଟିଉଠିଛି ।
ହେ ଟୋକା ! କରୁଛୁ କ’ଣ ରେ ? – ଗୁରୁ ଅବୋଲକରାର ବାହୁ ଝିଙ୍କି ଆଣିଲେ ।
ଅବୋଲକରା ମନ୍ତ୍ରମୁଗ୍ଧ ଭଳି ଇନ୍ଦ୍ରଧନୁ ଉପରେ ଗୋଡ଼ ଦବାକୁ ଯାଉଥିଲା, ଲାଜରେ ସେ ଜିଭ କାମୁଡ଼ିଲା । ପାହାଡ଼ପୁରୀରୁ ଅବତରଣ ଶେଷ ହେବାଯାଏଁ ସେ ସେମିତି ଜିଭ କାମୁଡ଼ି ରହିଥିଲା ।
