ଆଗୋ ମୋ ରାଣୀ
କଥା ଦେଇଥିଲ ଯେଉଁଠି
ଗୋଲାପ ଫୁଲର ଉତ୍ସବ ଥିବ
ସେଇଠି ଚୁମ୍ୱନ ଦେବ ବୋଲି ।
କହିଥିଲ —–
ଯେବେ ସଂଧ୍ୟା ଢଳି ଢଳି ଯାଉଥିବ
ସେତେବେଳେ ତୁମେ ତୁମ ଗଣ୍ତଦେଶ
ମୋ ଅଧରେ ସମର୍ପି ଦେବ ।
ଆଗୋ ମୋ ରାଣୀ
କେଉଁଠି ରହିଛ
କେଉଁ ଉହାଡ଼ରେ
ସଂଧ୍ୟା କେବେ ଠୁଁ ଗଲାଣି ଢଳି ।
X X X X X X X X X X X
ବୀଣା ଜିଣା ସ୍ୱରେ
କହିଲ କି ତମେ
ଗୋଲାପ ଉଦ୍ୟାନେ
ତମ ପାଇଁ ମୋର ଏ ପ୍ରତୀକ୍ଷା
ମୋ ପ୍ରେମର ଇସ୍ତାହାର
କହିଲ କି ତମେ
ବ୍ୟର୍ଥ ହେବ ନାହିଁ
ସାଧନା ମୋର – ଅପେକ୍ଷା କର ।
କହିଲ କି ତମେ
ଅନାଗତ ଏକ ସ୍ତିମିତ ବେଳାରେ
ତମ ତନୁଫୁଲେ ମୋ ବାସନା ପଲଙ୍କ
ସଜାଇ ଦେବ
ସେତେବେଳେ ତମ ଉଷ୍ମ ଚୁମ୍ୱନେ
ମୋ ଜ୍ୱଳନ ଲିଭାଇ ଦେବ ।
