ଧନ୍ୟ ମାଟି ମାଆ ଆମର,
ଜୀବନ ଅକଳନ
କରଇ ପୋଷଣ,
ଚରଣେ ତା’ କୋଟି ଜୁହାର ।
ବୁକୁ ତା’ ବିଦାରି
ଚାଷୀ ଚାଷ କରି
ଉପୁଜାଏ ଆମ ଆହାର,
ଧରି ସେ ରଖିଛି
ଦେଖୁଁ ଯାହା କିଛି,
ଧରଣୀ ଜନନୀ ଆମର ।
ଖରାର ତାତିରେ,
ବରଷା, ଶୀତରେ
ଥରି ଉଠେ ଛାତି ତାହାର,
ସବୁ ସହିନିଏ,
ଲୁହ ନ ଗଡ଼ାଏ,
ସର୍ବସହା ନାଆଁ ତାହାର ।
ସୁନା, ରୂପା, ହୀରା,
ତେଲ, କି କୋଇଲା,
ଅକଳନ ଧନ ମାଆର,
ତା’ ଗରଭୁ ନେଇ
ମଣିଷ କହଇ-
ବସୁମତୀ ମାତା ଆମର ।
ସବୁ ମଣିଷର
ମାଆ ସେ ନିଜର
ସବୁରି ସୁଖର ଆଧାର,
ଦୁଃଖ କି କଷଣ
ମଣିଷ ଭିଆଣ,
ଦୋଷ ଲେଶ ନାହିଁ ମାଆର ।
ବସୁଧାଟି ସାରା
ପରିବାର ପରା
ଋଷିମୁନିଙ୍କର ବିଚାର,
ଲଢ଼େଇ କିପାଇଁ
ଭାଇ ସାଥେ ଭାଇ
ସବୁ ପୁଅ ଏକ ମାଆର ।
ମିଳିମିଶି ଚଳ,
ଏକତା ହିଁ ବଳ,
ଉପକାର କର ପରର,
ନିଜେ ଦୁଃଖ ସହ,
ଅନ୍ୟକୁ ସୁଖ ଦିଅ-
କହେ ମାଟି ମାଆ ଆମର ।
