ସରଗେ ଉଇଁଛି ମନୋରମ କଅଁଳ ଶଶୀ,
ବାଦଲ ଫାଙ୍କରୁ ଉଙ୍କିମାରି ଦଉଛି ହସି ।
କହ ଶଶୀ ଅଛି ତୋର କେତେ ରୂପ କେତେ ସ୍ଥାନ,
ବଦଳୁଛୁ ଆକାର ତୁ ନିରାକାର ଗଗନେ ପ୍ରତିଦିନ ।
କେବେ ଅଧା , କେବେ ପୁରା, କେବେ କାଣିଚାଏ,
କେବେ ସରୁ, କେବେ ମୋଟା, କେବେ ପୂର୍ଣ୍ଣ ଚକ୍ର ଟିଏ ।
ଚନ୍ଦ୍ର, ଚନ୍ଦ୍ରମା, ଇନ୍ଦୁ, ଶୀତକର, ଶଶୀ ତୁହି,
ରଜନୀର ଶ୍ୟାମଳ ଓଢଣାରେ ଶୀତଳ ହସ ତୁହି ।
ଶଶୀ ତୋର ଅସ୍ତିତ୍ବ ରେ ‘ଶ’ ର ଅବଦାନ ବେଶି,
ଶିଖିବି ଆଜି ମୁଁ ତାଲବ୍ୟ ‘ଶ’ ମା’ ପାଖରେ ବସି ।
ଏହି ଶ ଟି ଗୋଟିଏ ଅବର୍ଗ୍ୟ ବ୍ୟଞ୍ଜନ ବର୍ଣ୍ଣ ,
ଲେଖିବା ପାଇଁ ଲୋଡା ଅର୍ଦ୍ଧ ଚନ୍ଦ୍ର ପୁଣି ପୁର୍ଣ୍ଣ ।
ସିଲଟରେ ଗୋଲ ପୁର୍ଣ୍ଣ ଚନ୍ଦ୍ର ଟିଏ ଆଙ୍କି ଦେବା,
ଗୋଲର ବାମ କଡ଼କୁ ଲଗାଇ ଉପରକୁ ଗାର ଉଠାଇବା ।
ଅଧା ଅଧା ଚାନ୍ଦ ଟିଏ ସଳଖି ଠିଆ କରିଦବା ,
ସେ ଅଧାର ଶେଷ ମୁଣ୍ଡକୁ ଆଗକୁ ବଢ଼ାଇବା ।
ଉପରୁ ତଳକୁ ରାଗି ରୁଷି ପେଟେଇଲା ଭଳି,
କରିଦବା କଅଁଳିଆ ଶିଶୁ ଜହ୍ନ, ଶୋଇଥିବ ଢଳି ।
ବ୍ୟଥିତ ମନା ଶିଶୁଟିକୁ ଦବା ଟିକେ ହସାଇ,
ଜେଜେଙ୍କ ସିଧା ବାଡିକୁ ଦବା ହାତେ ଧରାଇ ।
ଦେଖ ଜହ୍ନମାମୁଁ ହସୁଅଛି ‘ଶ’ ର କଣେ କଣେ ,
ବାଣ୍ଟୁଅଛି ଜ୍ଞାନର ଆଲୋକ ନିତି ଅନ୍ଧାରୁଆ ବଣେ ।