ସକାଳ ସାତ ଟା । ହାୱଡ଼ା ପୁରୀ ସୁପର ଫାଷ୍ଟ ଏକ୍ସପ୍ରେସ ଭୁବନେଶ୍ୱର ଚାରି ନମ୍ବର ପ୍ଲାଟଫର୍ମ ରେ ଲାଗିଲା । ଟ୍ରେନ ପହଞ୍ଚିବାର ସମୟ ରୁ ଦୁଇ ଘଣ୍ଟା ଡେରି ଥିଲା । ଟ୍ରେନ ରେ ଆଜି ନାହିଁ ନଥିବା ଭିଡ । ଆଗକୁ ଚାରି ପାଞ୍ଚ ଦିନ ଛୁଟି ଥିବାରୁ ବଙ୍ଗାଳି ଯାତ୍ରୀ ପୁରା ଟ୍ରେନ ଉପରେ କବ୍ଜା କରିନେଇଛନ୍ତି । ଅଧିକାଂଶ ଯାତ୍ରୀଙ୍କ ଗନ୍ତବ୍ୟ ସ୍ଥାନ ପୁରୀ । ନିଜର ବ୍ୟାଗ କୁ ସିଟ ତଳୁ ବାହାରକରି ଟ୍ରେନ ବାହାରକୁ ଆସିଲା ସିଦ୍ଧାର୍ଥ । ଷ୍ଟେସନ ବାହାରେ ଦେଖିଲା ଝିପି ଝିପି ବର୍ଷା । ଟ୍ୟାକ୍ସି ଟେ ନେଇ ଘରକୁ ଯିବ ବୋଲି ଟ୍ୟାକ୍ସି ଷ୍ଟାଣ୍ଡ ଆଡକୁ ମୁହାଁଇଲା ସେ । କିଏ ଜଣେ ପଛରୁ ଡାକିଲା: ସାର, ଟ୍ୟାକ୍ସି ହବ? କାଇଁକି କେଜାଣି ସ୍ୱର ଟା ଭାରି ଚିହ୍ନା ଚିହ୍ନା ଲାଗିଲା ତାକୁ । ବୁଲି ପଡି ଦେଖିଲା ଚାଳିଶ ପଇଁଚାଳିଶ ବର୍ଷ ର ଲୋକ ଟିଏ । ମୁହଁ ରେ ଅନାବନା ପୁଳାଏ ଦାଢ଼ି ରଖିଛି । ତାକୁ ଦୋ ଦୋ ଚିହ୍ନ। ହବା ଆଗରୁ ସେ କହିପକାଇଲା : ଆରେ ସିଦ୍ଧ ଭାଇ , ନମସ୍କାର । ମତେ ଚିହ୍ନି ପାରୁଛ ? ଏଥର ଆଉ ଚିହ୍ନିବାକୁ ବାକି ନଥିଲା ସିଦ୍ଧାର୍ଥ ର ସେ ରାଜୁ ବୋଲି ।
କିରେ ରାଜୁ ?? ତମେ ଏଠି ?? ଟାକ୍ସି ଚଲାଉଚ ?? ଆଉ ଏତେ ବୁଢା କଣ ଦେଖା ଯାଉଛ , ମୋ ଠୁ ତମେ ତ ଢେର ସାନ ପିଲାଟା ? ଆଖିକୁ ବିଶ୍ୱାସ କରିପାରୁନଥିଲା ସିଦ୍ଧାର୍ଥ ରାଜୁ କୁ ଏମିତି ଅବସ୍ଥା ରେ ଦେଖିବ ବୋଲି । ତାର ଏତେ ଗୁଡ଼ାଏ ପ୍ରଶ୍ନ ରେ ଗମ୍ଭୀର ମୁହଁ ହେଇଗଲା ରାଜୁ ର । କହିଲା, ଭାଇ ତମେ ଘରକୁ ଯିବ ଟି ? ଗାଡି ରେ ବସ , ଚାଲ ରାସ୍ତା ରେ କଥା ହେଇକି ଯିବା । ହେଲେ ସିଦ୍ଧାର୍ଥ ର ମୁଣ୍ଡ ଭିତର ଟା ଖାଲି ଅଡୁଆ ସୁତା ଭଳି ଗୁଡେଇ ତୁଡେଇ ହେଇଯାଉଥିଲା ।
ରାଜୁର ଟାକ୍ସି ମାଷ୍ଟର କ୍ୟାଣ୍ଟିନ, ପିଏମଜି ରାସ୍ତା ହେଇ ଆଗେଇଚାଲିଲା ସଚିବାଳୟ ମାର୍ଗ ରୁ ଆଚାର୍ଯ୍ୟ ବିହାର ରାସ୍ତା ରେ । ବାଟ ରେ ଆସିଲା ରିଜିଓନାଲ କଲେଜ । ଏଥର ଆଉ ସମ୍ଭାଳିପାରିଲାନି ସିଦ୍ଧାର୍ଥ, ରାଜୁ ମନରେ ହାବୁକା ମାରୁଥିବା କଥା ଗୁଡାକୁ ବାହାର କରିବାକୁ । ଏଇ ତ ସେ ଜାଗା, ଯୋଉଠୁ ସେ ରାଜୁକୁ ଚିହ୍ନିଥିଲା । କୋଡିଏ ବର୍ଷ ତଳେ ଭୁବନେଶ୍ୱର ସହର ଆଜି ଭଳି ନଥିଲା । ଏଇ ରିଜିଓନାଲ କଲେଜ କ୍ୟାମ୍ପସ ଥିଲା ତାଙ୍କର ଚରା ଭୂଇଁ । ଚାରିଟା ବାଜିଲା ମାତ୍ରେ ସିଦ୍ଧାର୍ଥ , ରାଜୁ ଆଉ ଦଶ -ବାର ଜଣ ପିଲା ଏକାଠି ହେଇଯାଉଥିଲେ କ୍ରିକେଟ ଖେଳିବା ଲାଗି ଏଇ କ୍ୟାମ୍ପସ ରେ । କଣ ଖେଳୁଥିଲା ରାଜୁ !! ପ୍ରତି ବଲ ରେ ଛକା ମାରିବା ତାର ଚାଲେଞ୍ଜ ମାନେ ଶପଥ ଥିଲା । ବୋଲର ମାନଙ୍କୁ ଏମିତି ନିର୍ଦୟ ଭଳି ପ୍ରହାର କରୁଥିଲା ଯେ ବିଚରା କେହି ବୋଲର ତା ଆଗରେ ତିଷ୍ଠି ପାରୁନଥିଲେ । କେତେ ଥର ଯେ ବଲ କଲେଜ ର ଉଚ୍ଚ ପାଚିରୀ ଡେଇଁ ବାହାର ରାସ୍ତା କୁ ଯାଇଛି ତାର ହିସାବ ନଥିଲା । ଲେଡ଼ିଜ ହଷ୍ଟେଲ ଝରକା କାଚ ଭାଙ୍ଗିବା ତା ପାଇଁ ଗୋଟେ ବଡ ସଫଳତା ଥିଲା । ତା ଟିମ ରେ ଥିବା ସବୁ ପିଲା ଏଥିରେ ଖୁସି ରେ କୁରୁଳି ଉଠୁଥିଲେ କାଇଁକିନା ସେଇ ବାହାନା ରେ କିଛି ମିଛିମିଛିକା ରାଗ ଦେଖେଇ କନକନିଆ ହେଇ ଏପଟ ସେପଟ ହଉଥିବା ସୁନ୍ଦର ଚେହେରା ସବୁ ସେ ଭଙ୍ଗା ଝରକା ଭିତରୁ ଉଙ୍କି ମାରୁଥିଲେ । କାଚ ଭାଙ୍ଗିବା ଶବ୍ଦ ଶୁଣି ହଷ୍ଟେଲ ସିକ୍ୟୁରିଟି ଗାର୍ଡ ଦଉଡିଆସୁଥିଲା ଆକଟ କରିବା ଲାଗି, କିନ୍ତୁ ତା ଆକଟ ଭିତରୁ ବି ଗୋଟେ ରୋମାଞ୍ଚକର ହସ ଛପି ଛପି ବାହାରିପଡ଼ୁଥିଲା । ସବୁ ପିଲା ପ୍ରଶଂସା କରୁଥିଲେ, ବାଃ ବାଃ ରେ ରାଜୁ, ତୁ ନିଶ୍ଚୟ ତେନ୍ଦୁଲକର ଠୁ ଆଗକୁ ଯିବୁ…. ବିଚରା ଧଡ଼ୁ କିନ୍ତୁ ହାଲିଆ ହେଇ ଯାଉଥିଲା ତାକୁ ବୋଲିଂ କରି କରି । ସବୁଠୁ ଅଧିକ ପ୍ରହାର ତାହାରି ବୋଲିଂ ହିଁ ଖାଉଥିଲା ଆଉ ସବୁ ଦିନ ଗଡ଼ ଜିଣି ସଗର୍ବରେ ଘରକୁ ଫେରୁଥିଲା ରାଜୁ ଅଜସ୍ର ପ୍ରଶଂସା ଶୁଣି ଶୁଣି ।
ଗାଡିର ହର୍ନ ରେ ପ୍ରକୃତିସ୍ଥ ହେଲା ସିଦ୍ଧାର୍ଥ । ରାଜୁ କୁ ପଚାରିଲା ଆରେ ରାଜୁ, କଣ ହେଲା ତମର ?? ତମର ତ ରଣଜୀ ରେ ସିଲେକ୍ସନ ହବାର ଥିଲା !! ତମକୁ ନେଇ ମୁଁ ସେତେବେଳେ କେତେ ସ୍ୱପ୍ନ ଦେଖିଚି! ନ୍ୟାସନାଲ ଲେବଲ ରେ ଖେଳିବ , ନାଁ କମେଇବ ବୋଲି … ମୁଣ୍ଡରୁ ବୋହିଯାଉଥିବା ଝାଳ କୁ ପୋଛି ଗୋଟେ ଲମ୍ବା ନିଶ୍ୱାସ ନେଲା ରାଜୁ । କହିଲା ଭାଇ, ସବୁ ସେଇ ଭାଗ୍ୟ । ଯୋଉ ଦିନ ସିଲେକ୍ସନ ଥିଲା, ସେଦିନ ସକାଳୁ ହଠାତ ବାପାଙ୍କୁ ହାର୍ଟ ଷ୍ଟ୍ରୋକ ଦେଲା । ସବୁ ସ୍ୱପ୍ନ ମୋର ସେଇଠି ଭାଙ୍ଗି ଚୁନା ହେଇଗଲା । ଏପଟେ ବାପାଙ୍କୁ ହରାଇଲି ଆଉ ସେପଟେ ମୋ ଜୀବନ ର ସବୁଠାରୁ ସୁଖର ଦିନ ଆସିବା ଆଗରୁ ବାଟ ଭାଙ୍ଗି ଚାଲିଗଲା । କୋଉ ଭଲ ପାଠ ପଢ଼ୁଥିଲି ଯେ ଚାକିରୀ ଖଣ୍ଡେ ମିଳିଥାନ୍ତା ? ଯଦି ସିଲେକ୍ସନ ହେଇଯାଇଥାନ୍ତା ତାହେଲେ ହୁଏତ ସରକାରୀ ଚାକିରୀ ପାଇଥାନ୍ତି । ବାପା ଗଲା ପରେ କ୍ଵାଟର ବି ଛାଡିବାକୁ ପଡିଲା, ମତେ ସବୁ ଆଡେ ଅନ୍ଧାର ଦେଖାଗଲା । ଉପାୟ ନପାଇ ବୋଉ କୁ ନେଇ ଗାଁ କୁ ଚାଲି ଗଲି । ହେଲେ ଗାଁ ରେ ସେଇ ସମାନ ଅବସ୍ଥା । ପିଲା ଦିନ ରୁ ତ କେବେ ଗାଁ ରେ ରହିନି, ସେଠି ବି ଚଳି ହେଲାନି । ଯୋଗକୁ ଆମ କ୍ରିକେଟ ସାଙ୍ଗ ବାବୁଲି ଭାଇ ଦେଖାହେଇଗଲେ , ସେ ମତେ ଡ୍ରାଇଭିଂ ଶିଖି ଗାଡି ଚଳେଇବାରେ ସାହାଯ୍ୟ କଲେ । ଆଗରୁ ତାଙ୍କ ଟ୍ରାଭେଲସ ଗାଡି ଚଳାଉଥିଲି, ଏବେ ନିଜେ ଗୋଟେ ସେକେଣ୍ଡ ହାଣ୍ଡ ଗାଡି କିଣି ଚଲଉଛି । ବୋଉର ଆଉ ଦେହ ଭଲ ରହୁନି ବୋଲି ଏମିତି ଲୋକାଲ ଡ୍ୟୁଟି କରୁଛି । ଏକାବେଳକେ ଏତେ କଥା କହି ଗୋଟେ ଲମ୍ବା ନିଶ୍ୱାସ ନେଲା ରାଜୁ । ସିଦ୍ଧାର୍ଥ ର ପୁଣି ପ୍ରଶ୍ନ : ଆଉ ତମ ରୁନି କୁଆଡେ ଗଲା? ତାକୁ ବାହା ହେଇଚ ନା ଆଉ କାହାକୁ? ଏଥର ରାଜୁ ଆଖି ଛଳ ଛଳ ହେଇଗଲା । କହିଲା ଆଉ ବାହା ହେଲି କେତେ ବେଳେ? ଆଉ ସେ ମତେ ବାହା ହେଇଥାନ୍ତା ବା କାହିଁକି ? ଯଦି କ୍ରିକେଟ ଖେଳି ପଇସା କମେଇଥାନ୍ତି ତାହେଲେ ସିନା ସେ ମୋର ହେଇଥାନ୍ତା, ହେଲେ ଏଇ ବେକାରିଆ ଅନାଥ ର ହାତ ସେ କାଇଁକି ଧରିବ ? ଏବେ ଆଉ କାହା ଘର ର ଶୋଭା ବଢା଼ଉଚି ସିଏ ।
ରାଜୁର ପିଠିକି ସସ୍ନେହରେ ଥାପୁଡ଼େଇ ଦେଲା ସିଦ୍ଧାର୍ଥ । ତା ମନ ହାଲକା କରିବା ପାଇଁ ପ୍ରସଙ୍ଗ ବଦଳାଇ କହିଲା ଆରେ ଏଇତ, ଆମ ଲେନ ଆସିଗଲା । ଟ୍ୟାକ୍ସି ଆସି ସିଦ୍ଧାର୍ଥ ଘର ଗେଟ ପାଖରେ ଠିଆ ହେଲା । ରାଜୁର ମନା କରିବା ସତ୍ୱେ ଜବରଦସ୍ତି ତା ପାଉଣା ଦେଇ ଗୋଟେ ଭାରି ମନ ନେଇ ଗେଟ ଖୋଲିଲା ସେ । ସତରେ………ବଣମଲ୍ଲୀ ବଣରେ ଫୁଟି ଝରିଯାଏ । ତା ଭାଗ୍ୟ ତାକୁ ସୁଯୋଗ ଦିଏନି ତା ବାସ୍ନାରେ କେହି ଆତ୍ମହରା ହେଉ ବୋଲି । ସେ ଧଡ଼ୁ ର କି ଭାଗ୍ୟ !! ରାଜୁ କୁ କ୍ରିକେଟ ରେ ସାମ୍ନା କରିନପାରୁଥିବା ଧଡ଼ୁ ପୁଣି ନାସନାଲ ଲେବଲ ରେ ସିଲେକ୍ସନ ହେଇଗଲା, ସରକାର ତାକୁ ପ୍ରାଚୁର୍ଯ୍ୟ ରେ ପୋତି ପକାଇଲେ… ଆଉ ବିଚରା ରାଜୁ….. ନିଜ ପେଟ ପୋଷିବା ପାଇଁ ଏଇ ମହାନଗରୀ ରେ ଟାକ୍ସି ଚଳାଉଛି ….. ହାୟରେ ଜୀବନ !!!!!