ଅଣୁଗଳ୍ପ

ଅଫର୍ ଲେଟର୍

Biraja Routray's odia short story Offer Letter

ଖୋଲି ଦେଖେ ତ, ତାହା ଥିଲା ନିକଟରେ ଭୁବନେଶ୍ୱରରେ ଏକ କମ୍ପାନୀରେ ଇଣ୍ଟରଭ୍ୟୁ ଦେଇଥିବା ନିଯୁକ୍ତି ପାଇଁ ଅଫର୍ ଲେଟର୍ ।

ଏହି କିଛିଦିନ ହେବ ସବୁକିଛି ଅସ୍ୱାଭାବିକ ଜଣାପଡୁଥାଏ ତାକୁ । ବୋଧ ହେଉଥାଏ ସେ କେବେଠୁ ହରାଇ ସାରିଛି ତା’ର ସହଜ ସଳଖ ଗତିପଥ । ଆଉ ଆଗପରି ବିଛଣା ଧରୁ ଧରୁ ନିଦ୍ରାର କଅଁଳ ପରଶ ତା’ର ଅସ୍ଥିର ଚିତ୍ତକୁ ଆଚ୍ଛାଦିତ କରି ରଖିପାରୁନି ବରଂ ପ୍ରତିବଦଳରେ ଏକ ଅସ୍ଥିର ଉଦ୍‌ଗ୍ରୀବତାକୁ ସେ ସାମ୍ନା କରେ । ଅହରହ ଛାଟିପିଟି ହୁଏ ନିଜ ଭିତରେ ।

ଜୀବନ ଗୋଟିଏ ମଧୁର ସଙ୍ଗୀତ ନୁହେଁ ବରଂ ଏକ ତୀକ୍ଷ୍ଣ ଅସିଧାରର ପଥ, ଏହା ଚେତିବାକୁ ବାକିଥିଲା ତା’ ପାଇଁ । ଗୋଟିଏ ଝୁଙ୍କ୍‌ରେ ନିଜ ପସନ୍ଦର ଜୀବନ ବଞ୍ଚିବାକୁ ଚାହୁଁଥିଲା ବେଳେ ଏବେ ଭେଟୁଥିଲା ନିର୍ମମ ବାସ୍ତବତାକୁ ।

ପାର୍କର ସିମେଣ୍ଟ୍‌ ବେଞ୍ଚ୍‌ରେ ବସି ଅଖିଳେଶ ଅସ୍ତାୟମାନ ସୂର୍ଯ୍ୟ ଆଡ଼କୁ ଚାହିଁ ରହିଥାଏ ଏକ ଲୟରେ । ମନତଳର ଅଦୃଶ୍ୟ ସିଲଟରେ ଅହରହ ଗାର କାଟି ହେଲା ପରି ଅସମାହିତ ବିକ୍ଷିପ୍ତ ଭାବନା ସବୁ ମଥାକୋଡ଼ି ଚାଲିଥିଲେ ଗୋଟିକ ପରେ ଗୋଟିଏ । ସବୁ ମଣିଷଙ୍କ ଜୀବନରେ ଏହିପରି ସନ୍ଧିକ୍ଷଣ ଆସେ । ଯେତେବେଳେ ସେ ନିଜସହ ହାରିବା ଓ ଜିତିବାର ହିସାବ ନିକାସ କରିବାର ସାହସ ଜୁଟାଏ । ଅପ୍ରତିଭ ହେଉପଛେ ଭିତରୁ ନିଜକୁ ସାମ୍ନା କରିବାର ବଳ ଗୋଟାଏ ।

ସେ ଏବେ ଏକ ରକମ ବେକାର କହିଲେ ଚଳେ । ଖାଲି ଗୁଜୁରାଣ ମେଣ୍ଟାଇବାକୁ ଯାହା କୋଚିଂ ସେଣ୍ଟରରେ ଆଶ୍ରୟ ନେଇଛି । ସେଥିରୁ ଯାହା ମଳୁଛି ଘରଭଡ଼ା, ପେଟକୁ ଦାନା ଓ ମୋଟର ସାଇକେଲରେ ତେଲ ପୋଡ଼ିବାକୁ ନିଅଣ୍ଟ ।

ଯଦି ସବୁକିଛି ଠିକ୍‌ଠାକ୍ ଥାନ୍ତା ତା’ହେଲେ ଆଜି ସେ ଏଠି ପାର୍କରେ ଏକୁଟିଆ ବସି ନିଜର ନିଃସଙ୍ଗତା ସହ ଲଢୁ ନଥାନ୍ତା । ନିଜର ଅର୍ଖିତ ଭାଗ୍ୟକୁ ଅଭିସମ୍ପାତ ଦେଉ ନଥାନ୍ତା । ସେ ନିଶ୍ଚୟ ଆଜି ଗାଁରେ ଥାନ୍ତା । ନିଜ ପରିବାର ସହିତ ବିତାଉଥାନ୍ତା ଏହି ସ୍ମରଣୀୟ ଦିବସଟିକୁ ।

ଆଜି ତା’ ଝିଅ ପୁଚୁର ଜନ୍ମଦିନ । ପ୍ରବଳ ଇଚ୍ଛା ଥାଇ ବି ଯିବାକୁ ଏକରକମ୍ ଅସମର୍ଥ । ପାଦତଳୁ ଯେପରି କିଏ ଅଦୃଶ୍ୟ ବେଡ଼ିରେ ତାକୁ ବାନ୍ଧିଦେଇଛି । ଗଲେ ସାମ୍ନା କରିବାକୁ ପଡ଼ିବ ସୁମିତାକୁ । ଶାଣିତ ତୀର ପରି ତା’ ଅସଂଖ୍ୟ ପ୍ରଶ୍ନର ଧାରକୁ ।

ଗତକାଲି ରାତିରେ ତା’ ସହିତ ଖୁବ୍ କଥା କଟାକଟି ହୋଇଥିଲା । ଅଭିଯୋଗର ଲମ୍ବା ଚିଠା ବାଢ଼ି ସେ ରୋକଠୋକ୍ ଶୁଣାଇ ଦେଇଥିଲା – “ଦେଖ… କହି ଦେଉଛି ଆସନ୍ତାକାଲି ପୁଚୁକୁ ପାଞ୍ଚବର୍ଷ ହେବ । ଆଉ ତାକୁ ମୁଁ ଏଠି ଗାଁରେ ରଖି ଅଙ୍ଗନବାଡ଼ିରେ ଛାଡ଼ିପାରିବି ନାହିଁ କି ସରକାରୀ ସ୍କୁଲ୍‌କୁ ଆଦୌ ପଠାଇବି ନାହିଁ । ମୋ ବାପଘର ଗାଁରେ ଭଲ ସ୍କୁଲ୍ ଅଛି । ସେଠି ନେଇ ନାଁ ଲେଖାଇବି । ତମ ଚାକିରି ଖୋଜା ଭରସାରେ ଦୁଇବର୍ଷ କାଳ ମୁଁ ଏଠି ଗାଁରେ ପଡ଼ି ପଡ଼ି ଅଣନିଶ୍ୱାସୀ ହୋଇଗଲିଣି । ଆଉ ନୁହେଁ… ।” ସୁମିତା ତା’ ଅଶାନ୍ତ ମନର କ୍ଷୋଭକୁ ଆହୁରି ଲମ୍ବାଇବାକୁ ଚାହୁଁଥିଲା । ଅସରା ଗାଢ୍ ରାତିର ଅନ୍ଧକାର ପରି ଅଖିଳେଶ ଜାଣିଥିଲା ତା’ ସହିତ କଥା ବଢ଼ାଇଲେ କଥା ଲମ୍ବିବ ସିନା କିନ୍ତୁ ଛିଣ୍ଡିବ ନାହିଁ ।

ବିରକ୍ତିରେ ସେ ନିଜ ଆଡୁ ଫୋନ୍ କାଟିଲା ପରେ ବି ଆଉ ଥରେ ସେପଟୁ କଲ୍ କରିଥିଲା ସୁମିତା ।

– “ମୁଁ ଜାଣିଥିଲି ତମେ ମଝିରୁ ଫୋନ୍ କାଟିବ ! ମୋ କଥା ଶୁଣିବାକୁ ସାହସ ତମର ନାହିଁ । ନିଜ ଅପାରଗତାକୁ କେମିତି ଅବା ସାମ୍ନା କରିପାରିବ ? କେବେଠୁଁ କହୁଛି, ଚାଲ ପୁଣିଥରେ ହାଇଦ୍ରାବାଦ ଚାଲିଯିବା । କମ୍ପାନୀ ବି ଦୁଇଥର ଡାକି ସାରିଲାଣି ଏହା ଭିତରେ । ହେଲେ, ତମେ ତ ବୋଉଙ୍କ ଆଜ୍ଞାବହ ପୁତ୍ର । ଏଠିକା ମାଟିକୁ ଜାବୁଡ଼ି ଧରି ରହିବ । ସେଥିରେ ପରିବାର ପୋଷି ହେଲେ କେତେ ନ ହେଲେ କେତେ, ତମର କ’ଣ ଯାଏ… । ଖାଲି ସେଥିରେ ବଳି ପଡ଼ିବାକୁ ଅଛୁ ଆମେ ମା’ ଝିଅ… ।”

ଏଥର ଆଉ ଫୋନ୍ କାଟି ନଥିଲା ଅଖିଳେଶ । ନିଜକୁ ଦୋଷୀ ମନେକଲା ପରି ନିଃଶବ୍ଦ… ନିଥର ପାଲଟି ଯାଇଥିଲା ଯେପରି । କୌଣସି ପ୍ରତିକ୍ରିୟାର ସ୍ଫୁରଣ ନଥିଲା ତା’ ଭିତରେ ।

– “ହାଲୋ… ମୋ କଥା ସରିନାହିଁ… । ଫୋନ୍ କାଟନି… ଜାଣିଛି ତମ କାନକୁ ଖୁବ୍ କଟୁ ଲାଗୁଥିବ ମୋ କଥାଗୁଡ଼ାକ… ଆଉ ତମେ ଶେଷକୁ ଉପାୟ ନ ପାଇ କଥା ନ ସରୁଣୁ ହିଁ କଲ୍ କାଟିବ । ତା’ ଆଗରୁ କହିଦେଉଛି, ଆସନ୍ତାକାଲି ସନ୍ଧ୍ୟାରେ ଝିଅର ଜନ୍ମଦିନ ପାଇଁ ସାହିର ପିଲାଙ୍କୁ ଡାକିଛି । ପୁଚୁ କେକ୍ କାଟିଲା ପରେ ତମେ ଯେମିତି ତା’ ସହିତ ଦି’ପଦ କଥା ହେବାକୁ ଭୁଲି ନଯାଅ… । ମୋ ଆଡୁ କଲ୍ ଗଲେ ନ କାଟି ରିସିଭ୍ କରିବ ।” ଏକରକମ୍ ନିର୍ଦ୍ଧେଶ ଦେବା ପରି ସୁମିତା ଅଧା ଅଟକି ଥିବା କଥାକୁ ସାରିଥିଲା ।

ସାରାରାତି ଶୋଇପାରି ନଥିଲା ଅଖିଳେଶ । ଏକ ଉଜାଗରୀ ଦଂଶନର ଜ୍ୱାଳା ଅସ୍ଥିର ଓ ବ୍ୟତିବ୍ୟସ୍ତ କରି ପକାଇଥିଲା ତା’ର ଅସହାୟ ସତ୍ତାକୁ । ସେ ଧିକ୍କାରିବାକୁ ଚାହୁଁଥିଲା ତା’ର ଅସୁରକ୍ଷିତ ବର୍ତ୍ତମାନକୁ । ଖୋଜିବାକୁ ଚାହୁଁଥିଲା ଘନ କୁହୁଡ଼ିଭରା ଆସ୍ତରଣ ଭିତରେ ତା’ ନିଖୋଜ ଭବିଷ୍ୟତର ଠିକଣାକୁ । ଏତିକିବେଳେ ଦଲ୍‌କାଏ ବିଜୁଳି ନାଚିଗଲା ପରି ବୋଉର କଥା ଦୋହରି ଉଠିଲା, “ଧନରେ… ଈଶ୍ୱରଙ୍କ କୃପାରୁ ତୁ ଏ ମହାମାରୀରେ ବର୍ତ୍ତିକି ଆସିଛୁ । ସେତିକି ମୋ ପାଇଁ ତ୍ରିପୁର ପାଇବା ଭଳି । ମୋର ତ ଏବେ ଝଡ଼ିବା ବୟସ ଆସିଲାଣି । ଆଉ ରୋଜଗାର ଆଶାରେ ଦୂରକୁ ନ ଯାଇ ମୋ ପାଖାପାଖି ଥା । ଅନ୍ତତଃ ଶେଷବେଳକୁ ତୋ ମୁହଁ ଟିକେ ଚାହିଁପାରିବି ।”

ସେହି ଦିନଠୁଁ ବୋଉକୁ କଥା ଦେଇଛି ଯେ ଦେଇଛି, ଯାହାକୁ ଭାଙ୍ଗିବାର ଯୁ’ ତା’ର ନାହିଁ । ସୁମିତାର ଶତ ପ୍ରତିବାଦ ସତ୍ତ୍ୱେ ହାଇଦ୍ରାବାଦ ଫେରିଯିବାର ନାଁ ଧରିନାହିଁ । ଗଲା ଦୁଇବର୍ଷ ଧରି ଭୁବନେଶ୍ୱରରେ ରହି ଚାକିରି ପାଇଁ ଅନ୍ୱେଷଣ ଜାରି ରଖିଛି ତାହା ସହିତ ପେଟପାଟଣା ପାଇଁ ଘୂରିଘୂରି କୋଚିଂ ସେଣ୍ଟରରେ ଟ୍ୟୁସନ୍ ପଢ଼ାଉଛି । ତା’ର ଏହି ନିଅଣ୍ଟିଆ ସଂଘର୍ଷଭରା ଜୀବନ ଚୁର୍‌ମାର୍ କରିଦେଇଛି ସୁମିତାର ସୁଖଦ ସଂସାରର ସ୍ୱପ୍ନକୁ, ଯାହା ତା’ ହାତମୁଠାରେ ଥିଲା କିଛିବର୍ଷ ପୂର୍ବରୁ । ନା ରାହୁ ପରି ତା’ ଦୁର୍ବାର ଝାମ୍ପରେ କରୋନା ଗ୍ରାସ କରିଥାନ୍ତା ମାନବ ଅସ୍ତିତ୍ୱକୁ ନା ଜୀବନ ଜୀବିକାକୁ ମୁହଁ ବୁଲାଇ ସେ ଗାଁ ମୁହାଁ ହୋଇଥାନ୍ତା ! ସୁମିତା ଓ ଝିଅକୁ ନେଇ ତା’ ପ୍ରବାସୀ ଜୀବନ ବେଶ୍ ସୁରୁଖୁରୁରେ ଚାଲିଥିଲା । ଯେଉଁ ବର୍ଷ ପୁଚୁର ନାମ ପ୍ଲେ’ ସ୍କୁଲ୍‌ରେ ଲେଖା ହୋଇଥିଲା, ସେହି ବର୍ଷ କମ୍ପାନୀ ତାକୁ ସିନିୟର ସେଲ୍ସ ଏକ୍‌ଜିକ୍ୟୁଟିଭ୍‌କୁ ପଦୋନ୍ନତି ଦେଇଥିଲା । ହେଲେ, ନିମିଷକେ ମାତ୍ର ଖୁସି ପରି ମିଳାଇ ଯାଇଥିଲା ମହାମାରୀର ଉଜାଣି ସ୍ରୋତରେ । ମାସାଧିକ କାଳର ଚିକିତ୍ସା ପରେ ସେ ଜୀବନ ବଞ୍ଚାଇ ଫେରିଥିଲା ଏକ କୋଭିଡ଼ ହସ୍ପିଟାଲରୁ । ସମୟ ପାଲଟି ଯାଇଥିଲା ଆତଙ୍କ ଓ ପ୍ରମାଦର ଏକ ଅନିଶ୍ଚିତଭରା ଚଲାପଥ । ଅନ୍ୟମାନଙ୍କ ପରି ସେ ବି ଲେଉଟି ଆସିଥିଲା ଛତ୍ରଭଙ୍ଗ ଦେଇ ।

ଏହା ଭିତରେ କେତେବେଳେ ଉତ୍ତୀର୍ଣ୍ଣ ସନ୍ଧ୍ୟା ତା’ର ଶୁଭ୍ର ଆଲୁଅର ସଳିତା ଜାଳି ଓହ୍ଲାଇ ଆସିଥିଲା ପାର୍କକୁ । ନିଜ ଅଶାନ୍ତ ମନର ଉଦ୍‌ବେଳନକୁ ଭେଦି ଅଖିଳେଶ ଖୋଜି ହେଉଥିଲା ମୁକ୍ତିର ମାର୍ଗ । ଗୋଟିଏ ପଟେ ପ୍ରବାସର ଡାକ । ଆରପଟେ ବୋଉର ଆତୁର ଉପଦେଶ । ଗୋଟିଏ ପଟେ ସୁମିତା ଓ ପୁଚୁର ମୁହଁରେ ହସ ଫେରାଇବା ଲାଗି କଟି ଯାଇଥିବା ଗୁଡ଼ିର ସୂତାକୁ ଆଉଥରେ ହାତ ବଢ଼ାଇ ଧରିବା ପାଇଁ ଧାଇଁବା । ଆରପଟେ ତା’ର ହତାଶା ଓ ବିଫଳତାରେ ଆଉଟା ବର୍ତ୍ତମାନ । ଜୁଆରି ସମୁଦ୍ର ପରି କ୍ରମଶଃ ଆହୁରି ବିକ୍ଷୁବ୍ଧ ହୋଇ ଉଠୁଥାଏ ତା’ର ଅସ୍ଥିର ଚିତ୍ତ । ଛାଟିପିଟି ହେବା ପରି ସେ ସହସା ପାର୍କରୁ ଫେରିଯିବାକୁ ଚାହିଁଲା ।

ଏତିକିବେଳେ ସୁମିତାର କଲ୍ ଆସିଲା । ସେ ଅନୁମାନ କଲା ନିଶ୍ଚୟ ସେପଟେ ପୁଚୁର ଜନ୍ମଦିନ ପାଳନ ଚାଲିଥିବ । ଅନ୍ତତଃ, ସୁମିତା ପାଇଁ ନ ହେଲା ନାହିଁ, ପୁଚୁକୁ ଉଇସ୍ କରିବା ପାଇଁ ସେ କଲ୍ଟିକୁ ରିସିଭ୍ କଲା ।

– “ବାପା, ସବୁଥର ବାର୍ଥଡେ଼’ରେ ତୁମେ ମୋ ପାଖରେ ଥାଅ । ଏଥର ଜାଣିକି ଆସିଲନି ନା ! ମୁଁ ବି ଜାଣେ ତମେ କାହିଁକି ଆସିନ ? ମତେ ଭଲ ଗିଫ୍ଟ ଦେଇ ପାରିବନି ବୋଲି ତ ! ଆଜି ସକାଳୁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରିଛି, ତମର ସବୁ ଉଇସ୍ ପୂରଣ କରନ୍ତୁ ।” ପୁଚୁ ରାଇମ୍ ଗାଇଲା ପରି ଡଗଡଗ ହୋଇ ଏକାଥରେ କହିପକାଇଲା ।

ଅଖିଳେଶର କଣ୍ଠ ବାଷ୍ପରୁଦ୍ଧ ହୋଇ ଉଠୁଥାଏ । ସେ ଶତଚେଷ୍ଟା କରି ଝିଅକୁ ‘ହାପି ବାର୍ଥଡେ଼’ ସୁଦ୍ଧା କରିବାକୁ ସକ୍ଷମ ହେଲା ନାହିଁ । ଛାତି ତଳର କୋହକୁ ଚିରି ଆଖିରୁ ଧାରଧାର ହୋଇ ବହିଆସୁଥାଏ ଲୁହ । ବାକ୍‌ଶୂନ୍ୟ ହୋଇ କଲ୍‌ଟିକୁ କାଟି ପକାଇଲା ଆଉ ଏକମୁହାଁ ହୋଇ ମୋଟର ସାଇକେଲକୁ ଷ୍ଟାର୍ଟ କରି ରୁମ୍‌ରେ ପହଞ୍ଚିଗଲା ।

କେଇ ମୁହୂର୍ତ୍ତର ନିରବତା ପରେ ଅନୁଶୋଚନାରେ ଚାହିଁଲା କଲ୍ କରି ପୁଚୁ ସହ କଥା ହେବ । ତାକୁ ଉଇସ୍ କରିବ… ତା’ ସହ ମନଭରି ଗପିବ.. । ସେ ପକେଟରୁ ମୋବାଇଲ କାଢ଼ିଲା । ଦେଖିଲା, ଗୋଟିଏ ମେଲ୍ ରିସିଭ୍ ହୋଇଛି । ଖୋଲି ଦେଖେ ତ, ତାହା ଥିଲା ନିକଟରେ ଭୁବନେଶ୍ୱରରେ ଏକ କମ୍ପାନୀରେ ଇଣ୍ଟରଭ୍ୟୁ ଦେଇଥିବା ନିଯୁକ୍ତି ପାଇଁ ଅଫର୍ ଲେଟର୍ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top