ମହାନ୍ ହିମାଳୟର ଏକ ନଗଣ୍ୟ ଉପତ୍ୟକାରେ, ଛୋଟ ଏକ ସରୋବର ସମୀପବର୍ତ୍ତୀ ବୁଦା ଭିତରେ ବାସକରୁଥିଲା ଏକ କିଶୋର ବେଙ୍ଗ । ଯେତେବେଳେ ସେ ଥିଲା ଆପଣଙ୍କ କୁନି ପୁଷିର ନାକଠାରୁ ବି ଛୋଟ, ସେତେବେଳେ ତାକୁ ତା’ ବାପା କହିଥିଲେ କି, ନାଗାଧିରାଜ ହିମାଳୟ ସେମାନଙ୍କରହିଁ ବଂଶପରମ୍ପରାକ୍ରମିକ ସମ୍ପତ୍ତି ।
ଦିନେ ପିତୃ-ବେଙ୍ଗର ପରଲୋକ ହେଲା । ସେଯାଏ ନିଜକୁ ଯୁବରାଜ ମଣୁଥିବା ତରୁଣ ବେଙ୍ଗଟି ବୁଦା ସମ୍ମୁଖରେ ଥିବା ଗୋଟିଏ ଆଦର୍ଶ ସାରୁଗଛ-ମୂଳରେ ଉପନିବେଶନ କରି ନିଜକୁ ହିମାଳୟର ରାଜା ବୋଲି ଘୋଷଣା କଲା ।
ବେଙ୍ଗର ବୁଦା-ରୂପୀ ନଅରର ଆଖପାଖରେ ଥିଲେ ଆହୁରି ଅନେକଗୁଡ଼ିଏ ବୁଦା । ସେ ସବୁରେ ବସବାସ କରୁଥିଲେ କେତୋଟି ପ୍ରଜାପତି, ଝିଣ୍ଟିକା , ଗୁଣ୍ଡୁଚି ତଥା ଘରଚଟିଆ ।
ସେମାନେ ବେଙ୍ଗର ଘୋଷଣା ମନୋଯୋଗସହକାରେ ଶୁଣିଲେ । ସମବେତ ଭାବରେ ସାରୁବୁଦା ସାମନାକୁ ଆସି ସେମାନେ ଜିଜ୍ଞାସା କଲେ, “ଆପଣ ହିମାଳୟର ରାଜା- ଏହା କ’ଣ ସତ୍ୟ ?”
“କାହିଁକି ? ଏ ସରୋବରର ପାଣି କ’ଣ ଶୀତଳ ନୁହେଁ ?” –ବେଙ୍ଗ ଓଲଟା ପଚାରିଲା ।
“ଶୀତଳ ଆଜ୍ଞା!” ଘରଚଟିଆ ଆଖିପିଛୁଳାକେ ଉଡ଼ିଯାଇ ସରୋବର ପାଣିରେ ଥରେ ଥଣ୍ଟ ବୁଡ଼ାଇଦେଇ ଲେଉଟିଆସି ଉତ୍ତର ଦେଲା ।
“ହିମାଳୟର ଶୃଙ୍ଗମାନ ବେଜାୟ ଉଚ୍ଚ ନୁହଁନ୍ତି ?” –ବେଙ୍ଗ ପୁଣି ପଚାରିଲା ।
“ଉଚ୍ଚ…ବସ୍ତୁତଃ ମୋଠୁଁ ବହୁତ ଅଧିକ ଉଚ୍ଚ ।” -ନିଜ ଛାମୁଗୋଡ଼ ଦୁଇଟି ଟେକି ସେଥିଯୋଗେ ଅଦୂରବର୍ତ୍ତୀ ଶୃଙ୍ଗଟି ମାପିବାର ଉଦ୍ୟମ କରିସାରି ଗୁଣ୍ଡୁଚିଟିଏ ଏ ବିବୃତି ଦେଲା ।
“ମୁଁ କ’ଣ ମୋ ସ୍ୱର୍ଗୀୟ ପିତାଙ୍କର ଏକମାତ୍ର ପୁତ୍ର ନୁହେଁ ?” –ଏଥର ବେଙ୍ଗର କଣ୍ଠ ଅପେକ୍ଷାକୃତ ଅଧିକ ଗମ୍ଭୀର ଶୁଭିଲା ।
“ନିଶ୍ଚୟ, ନିଶ୍ଚୟ ।” –ସମସ୍ତେ ସମସ୍ୱରରେ ସ୍ୱୀକାରକଲେ । ସେମାନେ ବି ଗମ୍ଭୀର ଶୁଭିବା ଦିଗରେ ସଚେତନ ଥିଲେ ।
“ତେବେ ମୁଁ ଯେ ରାଜା, ସେଥିରେ ସନ୍ଦେହର ଅବକାଶ କାହିଁ ?” –ବେଙ୍ଗ ତା’ର ଦୁଇ ଆଖି ଯୋଗେ ଚାରିଥର ମିଟିକା ମାରିବାର ଚେଷ୍ଟାକରି ପଚାରିଲା ।
ପ୍ରଜାପତି, ଝିଣ୍ଟିକା, ଗୁଣ୍ଡୁଚି ଏବଂ ଘରଚଟିଆଗଣଙ୍କୁ ଏ ଯୁକ୍ତି ଏଡ଼େ ବଳିଷ୍ଠ ମନେହେଲା ଯେ, ବେଙ୍ଗ ହିମାଳୟର ଅଧିପତି ହୋଇଥିବା ବିଷୟରେ ସନ୍ଦେହ ପୋଷଣ କରିଥିବାଯୋଗୁଁ ସେମାନେ ସନ୍ତପ୍ତ ହେଲେ ।
ଦିନ ଗଡ଼ିଚାଲେ । ପ୍ରତ୍ୟହ ସକାଳେ ବେଙ୍ଗ ତା’ ବୁଦା ଭିତରୁ ବାହାରିଆସି ଦିଗ୍ଦିଗନ୍ତବ୍ୟାପୀ ଉତ୍ତ୍ୱୁଙ୍ଗ ଶୃଙ୍ଗରାଜି ଆଡ଼େ ଥରେ ଆଖି ବୁଲାଇନିଏ । ଗୋଟାଏ ବି ଶୃଙ୍ଗ କେହି ଚୋରିକରି ନେଇଯିବାକୁ ସାହାସ କରିନାହିଁ, ଏହା ଲକ୍ଷ୍ୟକରି ନିଜ ପ୍ରତିପତ୍ତି ସର୍ମ୍ପକରେ ତା’ର ପ୍ରତ୍ୟୟ ଦୃଢ଼ୀଭୂତ ହୁଏ । ତୁଷାରାବୃତ ଶିଖରମାନଙ୍କ ଉପରେ ଉଦୟ ସୂର୍ଯ୍ୟର ସୁବର୍ଣ୍ଣ ଦ୍ୟୁତି ପ୍ରତିଫଳିତ ହେବାର ଦେଖି ସେ ଥରେ ପୁଷ୍ଠପୋଷକ ଶୈଳୀରେ ସୂର୍ଯ୍ୟଙ୍କୁ ଉତ୍ସାହିତ କରିବା ନିମନ୍ତେ ମୁଣ୍ଡ ହଲାଇଦିଏ ।
x x x
ଜ୍ୟୋସ୍ନା-ପ୍ଲାବିତ ରଜନୀମାନଙ୍କରେ ସାଧାରଣତଃ ବଡ଼ ଚପଳ ହୋଇଉଠୁଥିବା ପରୀଟିଏ ଥରେ ପୂର୍ଣ୍ଣିମା ରାତିରେ ଇତସ୍ତତଃ ଉଡ଼ିବୁଲି ସେହି ଅଖ୍ୟାତ ଉପତ୍ୟକାରେ ଅବତରଣ କରି ଏକ ଶିଳାଖଣ୍ଡ ଉପରେ ବିଶ୍ରାମ କରୁଥାଏ ।
ବେଙ୍ଗ ରଜା ତାକୁ ଦେଖିପକାଇବାମାତ୍ରେ ବିମୁଗ୍ଧ ହେଲା ।
“ମୁଁ ହିମାଳୟର ରାଜା” –ସେ ନିଜ ସାଧ୍ୟାନୁସାରେ କଣ୍ଠ ଓ ଶିର ଉଚ୍ଚକରି କହିଲା-“ତମେ କିଏ, ସେକଥା ଜାଣିବାରେ ମୋର ବିଶେଷ ଆଗ୍ରହ ନାହିଁ । କିନ୍ତୁ ତୁମକୁ ମୁଁ କ’ଣ ବନାଇବାକୁ ଯାଉଛି, ସେକଥା ଜାଣିବାପାଇଁ ତମେ ଆଗ୍ରହୀ ହେବ ନିଶ୍ଚୟ!” –ସେ ପୁଣି କହିଲା ।
“କ’ଣ ?” -ଆମୋଦ ଅନୁଭବକରି ପ୍ରଶ୍ନକଲା ପରୀ ।
“ମୋର ରାଣୀ !”
“ବାଃ” –କହି ପରୀ ଆକାଶବ୍ୟାପୀ ଜହ୍ନ ଆଲୁଅ ଓ ସୁନେଲି କୁହୁଡ଼ି ଭିତରକୁ ଉଡ଼ି ଚାଲିଗଲା, ଆଉ ପରୀଜାତିର ସ୍ୱଭାବ-ସୁଲଭ ରୀତିରେ ଉପର ସ୍ତରକୁ ଚାଲିଯିବାମାତ୍ରେ ତଳ ସ୍ତରର ସବୁ ଅଭିଜ୍ଞତା ବିସ୍ମୃତ ହେଲା ।
ବେଙ୍ଗରଜା ସ୍ତବ୍ଧ ହୋଇ ସେଇଠି ବସିରହିଲା –କ୍ଲାନ୍ତ ଜହ୍ନ ପର୍ବତଶ୍ରେଣୀ ସେପାରିରେ ଅଦୃଶ୍ୟ ହୋଇଯିବା ପର୍ଯ୍ୟନ୍ତ ।
“ଯୋଗ୍ୟ ରାଣୀ ବିନା ରାଜା ବୋଲାଇବାର କିଛି ମାନେ ହୁଏ ?” ସେ ବିରକ୍ତ ଭାବରେ ଆକାଶ ଓ ପୃଥିବୀକୁ ପ୍ରଶ୍ନକଲା ଏବଂ ହିମାଳୟ ପରିତ୍ୟାଗ କରି ଚାଲିଯିବାକୁ ମନସ୍ଥକଲା ।
ତାକୁ ରଜା ଭାବରେ ଦେଖୁଥିବା ଆଖପାଖର ପ୍ରାଣୀବର୍ଗଙ୍କୁ ସେ ଏକତ୍ର କରି କହିଲା, “ମୋ ହିମାଳୟକୁ ମୁଁ ବିକ୍ରି କରି ଦେବି – କେହି କିଣିବ ?”
ଶ୍ରୋତାମାନେ ପରସ୍ପରକୁ ଅନାଇଲେ ।
“ଦାମ୍ ?” –ଗୁଣ୍ଡୁଚିଟିଏ ଆଗଭର ହୋଇ ପଚାରିଲା ।
“ଶହେଟି ନକ୍ଷତ୍ର !” –ଜଣାଇଲା ବେଙ୍ଗ ରଜା ।
ସମ୍ଭାବ୍ୟ କ୍ରେତାମାନେ ପୁଣି ପରସ୍ପରକୁ ଅନାଇଲେ । “ଆମକୁ ସମୟ ଦେଲେ ଆମେ ମୂଲ୍ୟ ଯୋଗାଡ଼ କରିବାକୁ ଚେଷ୍ଟା କରନ୍ତୁ ।” –ସେମାନେ କହିଲେ ।
“ସପ୍ତାହେ…” ସଂକ୍ଷେପରେ କହିଲା ବେଙ୍ଗରଜା ଓ ତା’ପରେ ବିମର୍ଷରେ କାଳ କଟାଇବା ନିମନ୍ତେ ନିଜ ବୁଦା ଭିତରକୁ ଚାଲିଗଲା ।
ଗୁଣ୍ଡୁଚି, ପ୍ରଜାପତି, ଝିଣ୍ଟିକା ଓ ଘରଚଟିଆଙ୍କର ସେ କ୍ଷୁଦ୍ର ସମାବେଶ ଆକାଶକୁ ଅନେଇ ରହିଲେ । ଘରଚଟିଆମାନେ ତା’ପରେ ଏକତ୍ର ଊଦ୍ଧ୍ୱର୍କୁ ଉଠିଲେ । କିନ୍ତୁ ଏକଘଣ୍ଟା ପରେ ଫେରିଆସି କହିଲେ , “ଯାହା ଜଣାଗଲା, ନକ୍ଷତ୍ରମାନେ ବି ଉଡ଼ି ଉଡ଼ି ଉପରକୁ ଉଠିଯାଇପାରନ୍ତି; ନହେଲେ ଆମେମାନେ ଏତେ ଉପରକୁ ଉଠିବା ସତ୍ତ୍ୱେ ସେମାନଙ୍କୁ ଖୁମ୍ପିନପାରିବାର କୌଣସି କାରଣ ନାହିଁ ।”
ଉଲ୍କାପାତ ଭଳି ବ୍ୟାପାର ଦେଖିଥିବା ଗୁଣ୍ଡୁଚି କହିଲା ଯେ, ନକ୍ଷତ୍ରମାନେ ଯେତେବେଳେ ତଳକୁ ଖସିବାର ଉଦାହରଣ ଅଛି, ସେତେବେଳେ ଘରଚଟିଆମାନଙ୍କ ଆକ୍ରମଣରୁ ବର୍ତ୍ତିରହିବା ନିମନ୍ତେ ଉପରକୁ ଉଠିଯିବାରେ ବା ଆଶ୍ଚର୍ଯ୍ୟ କ’ଣ ?
ପ୍ରତି ରାତିରେ ସେ ମୁଲକର ସରୋବର ଭିତରକୁ ଶତାଧିକ ନକ୍ଷତ୍ର ଖସିପଡ଼ିବାର ଓ ପ୍ରଭାତ ପର୍ଯ୍ୟନ୍ତ ଭାସମାନ ରହି ତା’ ପରେ କ୍ରମେ ଦ୍ରବୀଭୂତହୋଇ ଲୁପ୍ତ ହେବାର ସେମାନେ ଜାଣିଥିଲେ ।
ଅତଏବ ସରୋବର ଭିତରୁହିଁ ଆବଶ୍ୟକୀୟ ସଂଖ୍ୟକ ନକ୍ଷତ୍ର ଗୋଟାଇ ଆଣିବା ନିମନ୍ତେ ସେମାନେ ଚେଷ୍ଟାକଲେ; କିନ୍ତୁ ସଫଳ ହେଲେନାହିଁ ।
“ନକ୍ଷତ୍ରମାନେ କେଡ଼େ ଭଙ୍ଗୁର ! ଆମ ସ୍ପର୍ଶ ସହିବାକୁ ଅକ୍ଷମ ।” -ନିଜ ନିଜ ବାହୁର ପେଶୀମାନ ଥରେ ଚିପିପକାଇ କହିଲା ଗୋଟିଏ ଝିଣ୍ଟିକା, ଅନ୍ୟମାନେ ତା’ ସହ ଏକମତ ହେଲେ ।
ସପ୍ତମ ଦିନ ସେମାନେ ଯାଇ ବେଙ୍ଗରଜାକୁ ଭେଟିଲେ ।
“ଛାମୁ, ଆମେ ନକ୍ଷତ୍ର ସଂଗ୍ରହ କରିପାରିଲୁ ନାହିଁ ।”- ସେମାନେ ଦୁଃଖ ପ୍ରକାଶ କରି କହିଲେ ।
ମୁହୂର୍ତ୍ତକ ପାଇଁ ଗମ୍ଭୀର ରହି ବେଙ୍ଗରଜା କହିଲା, “ତା’ହେଲେ ମୁଁ ଏ ସ୍ଥାନ ଛାଡ଼ି ଗଲାବେଳେ ମୋ ହିମାଳୟକୁ ମୋ ସାଙ୍ଗରେ ଓଟାରି ନେଇଯିବି ।” ନିଜ ମୁଣ୍ଡରେ ଥରେ ହାତ ବୁଲାଇଆଣି ସେ ପୁଣିକହିଲା, “ମନହେଲେ ମୋ ହିମାଳୟକୁ ମୁଁ ଧ୍ୱଂସ ବି କରିଦେଇପାରେଁ ।”
ଏଭଳି ସଂକଟ ଉପୁଜିବ- ଏକଥା କେହି କଦାଚ କଳନା କରିନଥିଲେ । ନିର୍ବାକ୍ ନିସ୍ପନ୍ଦ ଭାବରେ ଠିଆହୋଇ ରହିଲେ ସେ ଶ୍ରୋତୃମଣ୍ଡଳୀ । ବେଙ୍ଗରଜା ହିମାଳୟ ନେଇ ଚାଲିଗଲେ ସେମାନେ କେଉଁଠାରେ ଆଶ୍ରୟନେବେ- ଏହାହିଁ ହେଲା ସମସ୍ୟା ।
“ଆମକୁ ଦୁଇ ତିନି ହପ୍ତା ସମୟ ଦିଅନ୍ତୁ, ମଣିମା, ଆମେ ମୁଣ୍ଡ ଗୁଞ୍ଜିବା ପାଇଁ ଟିକିଏ ଥାନ ଖୋଜିନୋଉଁ ।” –ସେମାନେ କହିଲେ ।
“ଦେଲି ।” –କୋହ ଜାପି କହିଲା ବେଙ୍ଗରଜା ।
ସେମାନେ ବାହାରିଲେ ନୂତନ ଆଶ୍ରୟର ସନ୍ଧାନରେ; କିନ୍ତୁ ଯେତେ ବାଟ ଗଲେ ବି ଖାଲି ହିମାଳୟ ଓ ହିମାଳୟ; ଆକାଶବ୍ୟାପୀ ଏକ ହିଁ ଶୃଙ୍ଗରାଜି । ବେଙ୍ଗରଜା ଏ ସାରା ମୁଲକ ନେଇ ଚାଲିଯିବ- ଏକଥା ଯେତେଥର ମନେପକାଇଲେ, ସେତେଥର ଅଶ୍ରୁମୋଚନ କଲେ । ଦିନକର ସନ୍ଧ୍ୟାରେ ସେ କ୍ଲାନ୍ତ ସନ୍ଧାନୀଦଳ ଏକ ତୁଷାରସ୍ନାତ ଶିଖରତଳେ ବିଶ୍ରାମ କରୁଥାନ୍ତି । ପୂର୍ଣ୍ଣିମାର ପ୍ରତ୍ୟାବର୍ତ୍ତନ ଘଟୁଥାଏ । ଚହଟ ଚମ୍ପା ଭଳି ଦିଶିବାକୁ ଆରମ୍ଭ କରିଥାଏ ସେ ଅଞ୍ଚଳ ।
ହଠାତ୍ ଘରଚଟିଆ ଚିହ୍ନିଦେଲା – ଅଦୂରର ଶିଳାଖଣ୍ଡ ଉପରେ ବସିଛି ଜ୍ୟୋସ୍ନାସ୍ନାନରତା ସେ ପରୀ ।
ସେମାନେ ଯାଇ ପରୀକୁ ଅଭିବାଦନ କଲେ ଓ କୋହ ସମାହାରରେ ଅନର୍ଗଳ ସବୁ ଗପିଗଲେ – ପରୀ ସହ ବେଙ୍ଗରଜାର ସାକ୍ଷାତ୍ର ପରବର୍ତ୍ତୀ ସମସ୍ତ ବୃତ୍ତାନ୍ତ । ସେ କ୍ଷୁଦ୍ରକାୟ ଜୀବଗଣ ଏଡ଼େ ଯାତନା ଭୋଗିିଲେଣି ଜାଣିଦୁଃଖିତ ହେଲା ପରୀ ।
“ବେଙ୍ଗରଜାକୁ ତେବେ କହିଦିଅ – ସେଇଆ ହେଲା ।” ଏତକ କହି ପରୀ ଆକାଶବ୍ୟାପୀ ଜ୍ୟୋସ୍ନା ଓ ସୁନେଲି କୁହୁଡ଼ି ଭିତରକୁ ଉଡ଼ି ଚାଲିଗଲା ଓ ସ୍ୱଭାବତଃ ବାତାବରଣର ନିମ୍ନତମ ପର୍ଯ୍ୟାୟର ସେ ବ୍ୟାପାର ଅଚିରେ ବିସ୍ମୃତ ହେଲା ।
ବିଜୟ ଆନନ୍ଦରେ ନାଚି ନାଚି ସେ ସନ୍ଧାନୀ ଦଳ ବେଙ୍ଗରଜା ପାଖକୁ ପ୍ରତ୍ୟାବର୍ତ୍ତନ କଲେ ଓ କହିଲେ – ପରୀକହିଚି ସେଇଆ ହେଲା – ଅର୍ଥାତ୍ ସେ ବେଙ୍ଗରଜାର ରାଣୀ ।
ଆନନ୍ଦାତିଶଯ୍ୟରେ ବେଙ୍ଗରଜା ଚନ୍ଦ୍ର ଅଦୃଶ୍ୟ ହେବା ଯାଏ ନୀରବ ରହି ତା’ପରେ ନିଜେ ଗୋଟିଏ ‘ଧୋ ରେ ବାୟା ଧୋ’ ଗୀତବୋଲି ନିଜକୁ ଶୁଆଇପକାଇଲା ।
ସେଇ ଦିନରୁ ସାନନ୍ଦେ ବେଙ୍ଗ ସାରୁଗଛମୂଳେ ରଜା ବୋଲାଉଛି । ସଂକଟ ଅଳ୍ପରେ ଅତିକ୍ରାନ୍ତ ହୋଇଗଲା ବୋଲି, ଅର୍ଥାତ୍ ବେଙ୍ଗରଜା ତା’ ହିମାଳୟକୁ ନେଇଗଲା ନାହିଁ କି ଧ୍ୱଂସ କରିଦେଲା ନାହିଁ ବୋଲି ପ୍ରଜାପତି ଗୁଣ୍ଡୁଚି ପ୍ରମୁଖ ଖୁସିରେ ଏବଂ ନିଶ୍ଚିନ୍ତରେ ମହାକାଳ ଅତିବାହିତ କରୁଛନ୍ତି ।
