ନିତି ତାର ବାୟବୀୟ ଇନ୍ଦ୍ରିୟ ମାନେ –
ଶକ୍ତ ପନ୍ଝା ରେ ଛଟପଟ ହେଇ ହେଇ ,
ମାନସିକ କ୍ଳାନ୍ତି ରେ କେବେ ପୁଣି ସ୍ଵପ୍ନ ଅବା –
ଅନ୍ୟ କିଛି ହରାଇବା ବୋଧର ଗ୍ଳାନିରେ ,
ଶୋଇଯାଆନ୍ତି ନିଃଶବ୍ଦ ରେ ତାରତମ୍ୟ ନମାନି –
ଭିନ୍ନ ଏକ ଅତିଭୌତିକ ଜଗତରେ !
ଦେହ ବିନା ତା’ର କ’ଣ ବା ଆଉ ଥାଏ ?
ରଙ୍ଗମଖା ବାଲିଘର ପରି ଅବାନ୍ତର ଭାବେ ,
କେହି କେବେ ତାକୁ ଖୋଜନ୍ତିନି ,
କେହି ଯଦି ଖୋଜିବୁଲେ ତା’ର ପରିଚୟ –
ଖାଲି କିଛି ଦେହ ଭୋଗ ପାଇଁ !
ସୁଉଚ୍ଚ ଅଟ୍ଟାଳିକା ମାନଙ୍କରେ ରକ୍ତ ବଳି ଦେବାକୁ ,
ତା ରକ୍ତରେ କାଳେ ସମ୍ମୋହନ ଥାଏ ।
ଈଶ୍ଵର ବି ଖୋଜନ୍ତି ତା ଲୁହ ,
ତା ଲହୁରେ ଅଗଣିତ ସ୍ୱପ୍ନ ସବୁ ଖୋଜିବାକୁ !
ଅଶ୍ରାବ୍ୟ , ଅକ୍ଷତ ଛାତିରେ ମିଥ୍ୟା ନାଁ ନେଇ ,
ଆତ୍ମ କୁ ପତିତପାବନ ବୋଲାଇ ସେ ବି ବନନ୍ତି ଈଶ୍ଵର !
ସେ ମିଥ୍ୟା ପ୍ରତିଜ୍ଞା ରେ ଉଡାନ୍ତି ଧ୍ଵଜା ,
ତା ନାଁ ରେ ଦରିଆ ପାରିରେ ସ୍ଵପ୍ନ ନିଲାମ ହୁଏ ।
ବିକାକିଣା ସଂସାରରେ କେହିଜଣେ ତା ସ୍ଵପ୍ନକୁ ବି କିଣେ ,
ତା ଘର କଣେ ମଣିମୁକ୍ତା ଅମୂଲ୍ୟ ରତ୍ନ ଯଦି ଥାଏ –
ବଣିକ ତାକୁ ମଧ୍ୟ ଖୋଜିବାକୁ ଚାହେଁ ,
ତା ଫେରାଦି କାନକୁ ଶୁଭେନି !
ଆଖି , କାନ , ପାଟି ତାଜୁବ ହେଲାପରେ –
ଶବ୍ଦ ମାନେ କେଉଁଠି ଥାଆନ୍ତି କେଜାଣି ?
ବୋଧେ ତା ପାଇଁ ଶବ୍ଦ ମଧ୍ୟ ନିରୁଦ୍ଦିଷ୍ଟ ହୁଏ !