ବସନ୍ତ ର ଆଗମନୀ ଗାଉଛନ୍ତି
ଗଛ ଝଡା ପତ୍ର ମାନେ,
ପଳାଶ ଫୁଲର ଲାଲିମା,
ଝଙ୍କୃତ ହେଉଛି ବସନ୍ତ ର ଗାଥା
ପତ୍ର ଝଡ଼ା ଝଙ୍କାଳିଆ ଡାଳ ଗହଳରେ,
ପ୍ରକୃତିର ଶିରା ପ୍ରଶିରା ରେ,
ଫଗୁଣର ଚୋରା ଚୈତାଳି ରେ,
ପକ୍ଷୀ ମାନଙ୍କ କୁହୁତାନରେ,
ଗଛ ଡ଼ାଳରେ ହଳଦୀ ବସନ୍ତର
ଲୁଚକାଳି ଖେଳରେ ।
ସଭିଁ ଙ୍କ ମନରେ ଏବେ ଲାଗିଲାଣି ଡେଣା
ଉଡିବାକୁ ସ୍ୱପ୍ନ ରାଇଜରେ,
ଡେଇଁ ଯିବାକୁ ଯୋଜନ ଯୋଜନ
ଭେଟିବାକୁ ପରୀମାନଙ୍କୁ
ସେମାନଙ୍କ ନିଜ ରାଇଜରେ,
ଦେଖିବାକୁ ପୁନେଇଁ ଜହ୍ନ କୁ
ଅତିଥି ରୂପେ ନିଜ ଅଗଣା ରେ,
ବିତାଇ ବାକୁ ଅଳସ ଗୋଧୂଳି
ବଉଳର ବିଭୋର ବାସ୍ନାରେ ।
ହଜି ଯାଉଥିବା ବୟସର ଅପରାହ୍ନରେ
ସଭିଙ୍କ ଇଚ୍ଛା ପୁଣି ଥରେ ମତୁଆଲା ହେବାକୁ
ଯୌବନର ଉଦ୍ଦାମତାରେ,
ଫେରାଇ ଆଣି ଓଲଟ ଯମୁନା
ଥାପି ଦେବାକୁ ପାହାଡ ଚୂଡାରେ,
ହରେଇ ଥିବା ପୁରୁଣା ବସନ୍ତ ସବୁକୁ
ସାଉଁଟି ଆଣି ସଜେଇ ଦେବାକୁ
ବୟସ୍କା ପ୍ରିୟାର ଧୂସର ଗଭା ରେ,
ଭୂଲି ଯିବାକୁ ଅତୀତ, ବୟସ,
ପ୍ରତାରଣା, ଅବଶୋଷ, ଅବସାଦ,
ସାମର୍ଥ୍ୟ, ଆଉ ହଜି ଯିବାକୁ
ବର୍ତମାନର ଚକାଭଉଁରୀରେ ।