ଦୁଷ୍ଟ ବାଦଲଟା, ପ୍ରେମର ସଂଜ୍ଞା ଭୁଲି,
ହୁଏତ ରାଗରୋଷ କରିଛି,
ପ୍ରେମିକା ବର୍ଷାର ମନୋଭାବ ଅଣାୟତ୍ତ ,
ହୃଦୟେ କ୍ରିୟାଶୀଳ ଅସୁମାରୀ କୋଳାହଳ,
ଅନ୍ତଃ ଫଟେଇ ଗର୍ଜନ କରୁଛି,
ରହି ରହି କୋହ ତାର ଫୁଲି ଉଠୁଛି,
ଅମାନିଆ ମୋତି ଗୁଡିକ,
ତୁହାକୁ ତୁହା ଝରି ପଡୁଛି।
କେତେ ବା ଆଉ ସହିବ ,
ଚଗଲା ବଉଦର ଚୋରା ପିରତି ?
ମେଘ ମଳୟର ଲୁଚକାଳି ରିତି,
ସବୁ ତ ତାକୁ ଜଳାଉଛି, କନ୍ଦାଉଛି,
ଚିତ୍କାର ତାର ବ୍ରହ୍ମାଣ୍ଡ ଚିରି,
ଧରା ଚମକାଉଛି, ଭୟାତୁର କରାଉଛି ।
ଅସମ୍ଭାଳ ଏବେ ଅଭିମାନିନୀ ବର୍ଷା,
ଗଗନ ରାଇଜରୁ ବସା ଭାଙ୍ଗି,
ଫେରି ଆସିଛି ପୁଣି ସେଇ ମାତୃକୋଳକୁ,
ଅନ୍ତରର ଭାବନାକୁ ପରିପ୍ରକାଶ କରିବାକୁ,
ପରିପ୍ରକାଶର ବାଟ ତାର କିନ୍ତୁ ଖୁବ୍ ନିଆରା,
କେବେ ସୁଷ୍କ ମାଟିକୁ ଜୀବନ୍ତ କରୁଛି,
କେବେ ପୁଣି ଉଗ୍ର ରୂପ ଧରି ନଦୀ ନାଳ ଡେଉଁଛି।
ଏସବୁ ତାଳ ବେତାଳ ପଛର ରହସ୍ୟ,
କିନ୍ତୁ କେବଳ ଗୋଟିଏ,
ବର୍ଷାର ଅସ୍ତିତ୍ବ ଯେ ଅସମ୍ପୂର୍ଣ୍ଣ ,
ସଖା ବାଦଲ ବିନା,
ରାଗ ରୋଷ ମାନ ଅଭିମାନର ଅନ୍ତେ,
ସିଏ ପୁଣି ଫେରି ଯିବାକୁ ଚାହୁଁଛି,
ସେହି ତାରକା ମେଳକୁ,
ମନ ଭରି ଉଡ଼ିବାକୁ ଚାହୁଁଛି ଜୋଛନା ବନେ,
ଅପେକ୍ଷା ରହିଛି ଖାଲି,
ପ୍ରିୟତମର ଶିଶିର ଭିଜା ,
ନୀଳ ଉଆସର ଡାକରାକୁ।
