ଝୁପୁରୁ ଝୁପୁରୁ ବରଷା ଝରେ
ବାଦଲ ଛାତି ଚିରି ।
ପୂବେଇ କୋଣୁ ଶୀତଳ ବାଆ
ବହୁଛି ଶିରି ଶିରି ।।
ଛିଟିକା ମାରି ପିଣ୍ଡାଟା ସାରା
ଗଲାଣି ଭିଜି ଭିଜି ।
ବାତ ଉହାଡ଼େ ଡିବିରି ଥାଇ
ଜଳୁଛି ମିଞ୍ଜି ମିଞ୍ଜି ମିଞ୍ଜି ।।
ଝପର ଫେଡ଼ି ବରଷା ଧାର
ପଡୁଛି ଟିପି ଟିପି ।
ଠେକି କାଞ୍ଚୁଲା ରଖୁଛି ଝିଅ
ପାଦକୁ ଚିପି ଚିପି ।।
ରୋଗରେ ପଡ଼ି ପିତେଇ ଆଈ
ହେଉଛି ଶୁକୁ ଶୁକୁ ।
ପୁରାଣ ପଢ଼େ ରତନା ଦାଦା
ଛାତିଟା ଦୁକୁ ଦୁକୁ ।।
ଭାରିଜା ତା’ର ମାଛି ଅନ୍ଧାରେ
ପରିବା କାଟିକୁଟି ।
ରଖିଲା ଯତ୍ନେ ସୋରିଷ ରାଗ
ବେଶର ବାଟିବୁଟି ।।
ଧରାଏ ନିଆଁ ତାରି ବୋହୂ
ଚୂଲିକି ଫୁଙ୍କି ଫୁଙ୍କି ।
ଚୂଲି ମୁଣ୍ଡରେ ବସିଛି ସନା
ଆଣ୍ଠୁ ଯାକି ଯୁକି ।।
ଚାଷ କ୍ଷେତରୁ ଆସିଲା ବନା
ଓଦାରେ ସରସର ।
ଉଛୁର ଲାଗି ହୋଇଲେ ଅଜା
ରାଗରେ ଗରଗର ।।
ଜାକିଲା କଫ କାଶିଲେ ଆଈ
ହୋଇଲେ ଧଇଁ ସଇଁ ।
ବରଷା ପଡ଼ି ଉଠିଲା ନାତି
କାନ୍ଦିଲା କଇଁ କଇଁ ।।
ବେଙ୍ଗ ଦି’ଟା ଘର ମଝିରେ
ଡେଇଁଲେ ଫୁକୁ ଫୁକୁ ।
ନ କାନ୍ଦି ନାତି ଧରିବ ତାକୁ
ଚାଲିଲା ଠୁକୁ ଠୁକୁ ।।
ଧୂଆଁ ନ ମାନି ଗୁଡ଼ାଏ ମଶା
ହୁଅନ୍ତି ଭଣ ଭଣ ।
ଅରାଇ କରେ ପକାଇ ଚଟ
ବସିଲେ ଜଣ ଜଣ ।।
ରସ ଥାଳିରେ ହୋଇଲା ଭାତ
ତିଅଣ ବଢ଼ା ବଢ଼ି ।
ଶୁଖୁଆ ପାଇଁ ଲାଗିଲା ଅଜା
ନାତିର ଛଡ଼ାଛଡ଼ି ।।
ଏତିକି ବେଳେ ଦେଖିଲି ବର୍ଷା
ଗଲାଣି ଛାଡ଼ି ଛୁଡ଼ି ।
ଉଠିଲି ମୁହିଁ ଯିବାକୁ ଅଖା
ଉପରୁ ଝାଡ଼ିଝୁଡ଼ି ।।
