କବିତା

ଆମ ଗାଁର ଚିତ୍ର

Dr Dilip Kumar Swain's odia poem Aama Gaanra Chitra

ଆମ ଗାଁ ଦୀନା ଗୋସାଇଁ
ଏବେ ଆଉ ନଇଁ ନଇଁ କାଟୁ ନାହିଁ ଧାନ
ଦି’ଟଙ୍କିଆ ଚାଉଳ ମିଳିବା ଦିନୁ
ଛାଡ଼ି ଦେଲାଣି ଧାନଚାଷ ।

ଆମ ଗାଁର ଚିତ୍ର
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆମ ଗାଁ ଦୀନା ଗୋସାଇଁ
ଏବେ ଆଉ ନଇଁ ନଇଁ କାଟୁ ନାହିଁ ଧାନ
ଦି’ଟଙ୍କିଆ ଚାଉଳ ମିଳିବା ଦିନୁ
ଛାଡ଼ି ଦେଲାଣି ଧାନଚାଷ ।

ଦୀନା ଦାଦିପୁଅ ରଘୁ
ଫେରି ଆସିଲାଣି ସୁରଟ୍‌ରୁ
ପଞ୍ଚାୟତ ଅଫିସରୁ ଜବ୍‌କାର୍ଡ ଧରି
ଦିନସାରା ବ୍ୟସ୍ତ ତାସ୍ ଖେଳରେ ।

ଖାଦ୍ୟ ପାଇଁ କାମ ଯୋଜନାରେ
ଯେଉଁ ଗଡ଼ିଆ ଖୋଳା ହେଲା
ପୋତା ହେଲା କିଛିଦିନ ପରେ
ମଦ ଓ ବ୍ରୟଲର ଖାଇ
ଜାଲି ଦସ୍ତଖତ ମାରିଲେ ଗାଁ ଲୋକ ।

ନୂଆ ନିଶ ଗଜୁରା ଟୋକାସବୁ
ଏବେ ଠିକାଦାର
ନଈବନ୍ଧରେ ବାଲି
ଗାଁ ଦାଣ୍ଡରେ ଧୂଳିଢ଼ାଳି
ସମସ୍ତେ ମାଲାମାଲ ।

ଗାଁ କେବିନ୍‌ରେ ଏକତ୍ର ମିଳୁଛି
ମଦ ଓ ମହାପ୍ରସାଦ
କଣ୍ଡୋମ ଓ କୋକାକୋଲା
ବ୍ଲୁ ସିଡ଼ି ଓ ବକ୍ଷୋଜ ବିକାଶ ତୈଳ
ଦିନରେ ଭାଙ୍ଗ
ରାତିରେ ରଙ୍ଗ
ଆନନ୍ଦେ ଏକବାର ହରିବୋଲ ।

ଆମ ସାଇ ସନ୍ତୋଷ
ବି.ପି.ଏଲ୍. ଜାତିରେ ଗଲାନି
ରମା ବୋଉ ପାଇଲାନି ଇନ୍ଦିରା ଆବାସ
ବାର୍ଦ୍ଧକ୍ୟ ଭତ୍ତା ରମା ମଉସାଙ୍କର
ଅଟକିଛି ଅଧାବାଟରେ
ଏମାନେ ନିରୀହ ନା
ବିରୋଧୀ ଦଳର ଲୋକ ।

ସ୍ୱାମୀ ନ ଥିବା ଘର ପିଣ୍ଡାରେ
କଳାଷଣ୍ଢର ଖୁରା
ଧଳାଚୂନ ଦିଆ କାନ୍ଥରେ
ରାତିରେ କିଏ ବୋଲି ଦିଏ ଆଲକାତରା ।

ଏଇ ମୋ ଗାଁ
ଭୂଗୋଳ, ପୋଥି, ପତରେ ତା’ର ନ ଥାଉ ନାଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top