ଆମ ଗାଁ ଦୀନା ଗୋସାଇଁ
ଏବେ ଆଉ ନଇଁ ନଇଁ କାଟୁ ନାହିଁ ଧାନ
ଦି’ଟଙ୍କିଆ ଚାଉଳ ମିଳିବା ଦିନୁ
ଛାଡ଼ି ଦେଲାଣି ଧାନଚାଷ ।
ଦୀନା ଦାଦିପୁଅ ରଘୁ
ଫେରି ଆସିଲାଣି ସୁରଟ୍ରୁ
ପଞ୍ଚାୟତ ଅଫିସରୁ ଜବ୍କାର୍ଡ ଧରି
ଦିନସାରା ବ୍ୟସ୍ତ ତାସ୍ ଖେଳରେ ।
ଖାଦ୍ୟ ପାଇଁ କାମ ଯୋଜନାରେ
ଯେଉଁ ଗଡ଼ିଆ ଖୋଳା ହେଲା
ପୋତା ହେଲା କିଛିଦିନ ପରେ
ମଦ ଓ ବ୍ରୟଲର ଖାଇ
ଜାଲି ଦସ୍ତଖତ ମାରିଲେ ଗାଁ ଲୋକ ।
ନୂଆ ନିଶ ଗଜୁରା ଟୋକାସବୁ
ଏବେ ଠିକାଦାର
ନଈବନ୍ଧରେ ବାଲି
ଗାଁ ଦାଣ୍ଡରେ ଧୂଳିଢ଼ାଳି
ସମସ୍ତେ ମାଲାମାଲ ।
ଗାଁ କେବିନ୍ରେ ଏକତ୍ର ମିଳୁଛି
ମଦ ଓ ମହାପ୍ରସାଦ
କଣ୍ଡୋମ ଓ କୋକାକୋଲା
ବ୍ଲୁ ସିଡ଼ି ଓ ବକ୍ଷୋଜ ବିକାଶ ତୈଳ
ଦିନରେ ଭାଙ୍ଗ
ରାତିରେ ରଙ୍ଗ
ଆନନ୍ଦେ ଏକବାର ହରିବୋଲ ।
ଆମ ସାଇ ସନ୍ତୋଷ
ବି.ପି.ଏଲ୍. ଜାତିରେ ଗଲାନି
ରମା ବୋଉ ପାଇଲାନି ଇନ୍ଦିରା ଆବାସ
ବାର୍ଦ୍ଧକ୍ୟ ଭତ୍ତା ରମା ମଉସାଙ୍କର
ଅଟକିଛି ଅଧାବାଟରେ
ଏମାନେ ନିରୀହ ନା
ବିରୋଧୀ ଦଳର ଲୋକ ।
ସ୍ୱାମୀ ନ ଥିବା ଘର ପିଣ୍ଡାରେ
କଳାଷଣ୍ଢର ଖୁରା
ଧଳାଚୂନ ଦିଆ କାନ୍ଥରେ
ରାତିରେ କିଏ ବୋଲି ଦିଏ ଆଲକାତରା ।
ଏଇ ମୋ ଗାଁ
ଭୂଗୋଳ, ପୋଥି, ପତରେ ତା’ର ନ ଥାଉ ନାଁ ।