କବିତା

ବାପା ହେବା ଭାରି ସହଜ ମ !

Dr. Jyoti Prakash Mohapatra's odia poem Baapaa Hebaa Bhari Sahaja Ma

ପୁଅର ଗାଡ଼ି ପାଇଁ ପେଟ୍ରୋଲ ପଇସା ରଖିଦେଇ
ସାଇକେଲରେ ଫାଙ୍କା ପବନରେ

ବୋଉ ଉପରେ ସଂସାର ଛାଡ଼ିଦେଇ
ଖରା, ବର୍ଷାରେ ସେ ସଂସାର ପାଇଁ
ତିଆରୁ ଥିବ ଛାତ,
ପୁଅ ଝିଅ ଶୋଇଗଲେ
ଅନ୍ଧାରରେ ଲୁଚି
ତାଙ୍କ କପାଳରେ
ଛୁଉଁଥିବ ଆଶୀର୍ବାଦର ଅଭୟ ହାତ

ଭଲ ଜାମା, ଗେଂଜି କେବେ କିଣିବ ହିଁ ନାହିଁ
ସଭିଙ୍କୁ ଶାଢ଼ୀ କି ଜାମା କିଣିଦେଇ
ନିଜର ଦି’ ଖଣ୍ଡ ଲୁଙ୍ଗିକୁ
ଧୋଇ ଶୁଖେଇ
ପିନ୍ଧିବାରେ କି କଷ୍ଟ ଯେ !

ପୁଅର ଗାଡ଼ି ପାଇଁ ପେଟ୍ରୋଲ ପଇସା ରଖିଦେଇ
ସାଇକେଲରେ ଫାଙ୍କା ପବନରେ
ହାଟ, ବନ୍ଧୁ, ଝିଅ ଝିଆଣି ଘରେ ବୁଲିବା
ଓ ଆଠ ଦଶୁଟା ବେଗ ଦେଇ ଆସିବାରେ
କି କଳା କୌଶଳ ଦରକାର କୁହ ତ !

ଛକ ଚାହା ଦୋକାନକୁ ଯିବାକୁ
ତମେ ଭାବୁଥିବ ପଚାଶ ଥର
ଚାହା ଦୋକାନରେ ପଚାଶ କି ଶଏ
କେବେ ହୋଇଗଲେ
ଝିଅ ପରୀକ୍ଷା ନ ଦେଇ ପରିବାର ଡର

ବାପା !
ତମେ ଭାରି ଡରୁଆ

ଅପା ଶାଶୁଘରକୁ ଗଲା ବେଳେ
କୁଆଡ଼େ ସେ ବିଲ ହିଡରେ ବୁଲୁଥାଅ ତମେ
ବାବନା ପାଗଳା ହୋଇ
ଗାଁ ଡ୍ରାମା, ପାଲା ବେଳେ
ତମେ ତ ଖସିଯାଅ
କେଇ ମାସର ଦରମା କେବଳ
ଅମି କକା ହାତରେ ଦେଇ

ନା ଘରେ ରୁହ
ନା ପିଲାଙ୍କୁ ପଢେଇଚ କେବେ ତମେ
ଆ ତା ବାହାଘର, ପଚାଶ ବାଜେ ଧନ୍ଦାରେ
ମୁଣ୍ଡ ପୁରେଇ
ଘରକୁ ଫେର ତ
ଆରାମରେ ଅଗଣା ଖଟରେ
ଯାଅ ନିସ୍ତେଜ ଅବସ୍ଥାରେ ଶୋଇ

ତମ ବେଗ ମୁଁ ଦେଖିଚି ବା
ରଖିଚ କଣ ଯେ ଲେଖିବି
ବୋଉ ଓ ତମର କଳା ଧଳା ମଳିଚିଆ ଫଟୋ
ଜେଜେବାପାଙ୍କ ହାତ ଲେଖା ଚିଠି
ବ୍ୟାଙ୍କ ଋଣ କାଗଜ ଆଉ
ଅପା, ଦାଦା, ଦେଈ, ଭାଇ ଓ ମୋର ଫଟା ଜାତକ,
ଏତକ କୁହ ତ କି ସମ୍ପତ୍ତି ?

ଆଉଥରେ କହୁଛି
ବାପା ହେବା ସହଜ ବା ଭାରି
ପୁଅ, ଝିଅ ଉଡ଼ିଗଲା ପରେ
ଏକା ରହିବ, ଚୁପଚାପ କଥା ନ କହିବ
ଦୂରରେ ବି ଥାଇ
ଦୁନିଆ ଗୋଟାଏ ବଞ୍ଚେଇବାକୁ
ନିଇତି ଆସ୍ତେ ଆସ୍ତେ
ଅଳପ ଅଳପ ମରୁଥିବ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top