ଅନୁବାଦ ସାହିତ୍ୟ

ଶବ

Ritika Pattnaik's odia translated story Shaba

ପାଞ୍ଚଟା କୋପେକ୍… ତାହେଲେ ମୁଁ ରାଜି”, ମଥା ରାମ୍ପି ରାମ୍ପି ଯୁବକ ଜଣକ କହିଲା । କିନ୍ତୁ କୁଆଡ଼େନ ଯିବା ପାଇଁ କୁହାଯାଇଛି…ଯଦି ସ୍ୟୋମା ଏଠି ରହିବାକୁ ରାଜି ହୁଏ, ମୁଁ ତୁମ ସହିତ ଆସିପାରେ । ସ୍ୟୋମା, ତୁମେ ଏକୁଟିଆ ରହିପାରିବ?

ଶବ

ମୂଳ ରୁଷୀୟ/ଇଂରାଜୀ – ଆଣ୍ଟନ୍ ଚେକଭ୍

ଅଗଷ୍ଟ ମାସର ଏକ ନାତିଗମ୍ଭୀର ଶୂନଶାନ୍ ଶୀତାର୍ତ୍ତ ରାତି । ବିସ୍ତୀର୍ଣ୍ଣ ପ୍ରାନ୍ତରରେ ଜମିଆସୁଛି କୁହୁଡ଼ିର ଧୁଆଁଳିଆ ଆସ୍ତରଣ ଓ ଧିରେ ଧିରେ ଖେଳାଇଯାଉଛି ସାରା ପରିବେଶରେ । ଯେତେ ଦୂର ଆଖି ପାଉଛି କିଛି ବି ଦୃଷ୍ଟିଗୋଚର ହେଉନାହିଁ । ବିଚ୍ଛୁରିତ ଜହ୍ନ ଆଲୁଅ କେତେବେଳେ ଦିଗନ୍ତ ବିସ୍ତାରି ଶାନ୍ତ ସମୁଦ୍ରର ଭ୍ରମ ରଚୁଛି ତ କେତେବେଳେ ବିଶାଳ ଧବଳ ପ୍ରାଚୀରର । ପବନରେ ଭରି ରହିଛି ଆନ୍ଦ୍ରତା ଓ କାଳୁଆ ଲାଗୁଛି । ଭୋର ହେବାକୁ ବିଳମ୍ବ ଅଛି । ଜଙ୍ଗଲିଆ ପାଦଚଲା ପଥର କିଛି ପାଦ ଦୂରରେ ଏକ ଛୋଟ ଧୁନି ଜଳୁଛି । ଓକ୍‌ଗଛ ତଳେ ମୁଣ୍ଡରୁ ପାଦଯାଏ ଧଳା ଚାଦରରେ ଆବୃତ ଏକ ଶବ ପଡ଼ିରହିଛି । ତା’ ଛାତି ଉପରେ ଦେଖାଯାଉଛି ପବିତ୍ର କାଷ୍ଠଚିତ୍ର । ଶବକୁ ଜଗି ବସିଛନ୍ତି ‘ପ୍ରହରୀ’; ଚାଷୀ ଶ୍ରେଣୀୟ ଦୁଇଟି ବ୍ୟକ୍ତି । ନିଜ ଜୀବିକା ଅର୍ନ୍ତଭୁକ୍ତ ସମସ୍ତ କାର୍ଯ୍ୟଠାରୁ ଏହି ପ୍ରହରା ଦେବା କାର୍ଯ୍ୟଟି ଅଧିକ କଦର୍ଯ୍ୟ ବୋଲି ସେମାନଙ୍କ ବିଚାର ।

ପତଳା ନିଶ ଓ ମୋଟା କଳା ଭୃଲତା ଥିବା ଡେଙ୍ଗା ନବଯୁବକଟିଏ ବେକ ଝୁଙ୍କେଇ, ଓଦାଳିଆ ଘାସରେ ଗୋଡ଼ ଲମ୍ବେଇ ବସିରହିଛି; ଘନ ଘନ ନିଶ୍ୱାସ ନେଇ, ସେ କାଠରୁ ଡଙ୍ଗି ତିଆରିରେ ବ୍ୟସ୍ତ ରହିିବାକୁ ଚେଷ୍ଟା ଚଳେଇଛି । ତା’ ଶରୀରକୁ ବେଢେ଼ଇଛି ମେଣ୍ଢାଚର୍ମର ଫଟା ଆବରଣଟିଏ ଓ ପାଦରେ ପିନ୍ଧିଛି ଗଛର ବକ୍କଳ । ଦ୍ୱିତୀୟ ବ୍ୟକ୍ତିଟି ଅପେକ୍ଷାକୃତ ବୟସ୍କ, ବସନ୍ତମୁହାଁ, ଅପରିଚ୍ଛନ୍ନ,ଛୋଟ ନିଶ ଓ ଚିବୁକରେ ସରୁ ଦାଢ଼ି । ଅପଳକ ଅଗ୍ନିକୁ ଅନେଇ ସେ ଆଣ୍ଠୁ ଜାକି ବସିରହିଛି, ହାତଦ୍ୱୟ ଆଣ୍ଠୁରେ ଭରାଦେଇ ଓହଳିଛି । ସେହି ଛୋଟ ଧୁନିଟି ଜଳି ଜଳି ନିଃଶେଷ ହେବାକୁ ବସିଲାଣି । ତା ଧାସରେ ଦୁହିଁଙ୍କ ମୁହଁ ତମ୍ବାଳିଆ ଦେଖାଯାଉଛି । ଚତୁଃପାଶ୍ୱର୍ର ସ୍ଥିର ନୀରବତାକୁ ମଝିରେ ମଝିରେ ଭଙ୍ଗ କରୁଛି ଛୁରୀରେ କାଠ ଚାଞ୍ଛିବାର ଓ ପୋଡ଼ିଯାଉଥିବା ଓଦା କାଠର କଡ଼କଡ଼ ଶବ୍ଦ ।

“ତୁମ ଶୋଇପଡ଼ନି ସ୍ୟୋମା”, ଯୁବକ କହିଲା ।

“ମୁଁ …ମୁଁ…ଶୋଇନି…”, ଥଙ୍ଗେଇ ଥଙ୍ଗେଇ କହିଲା, ଦାଢ଼ିଆ ଲୋକଟି ।

“ଠିକ୍ ଅଛି…,ଏଠି ଏକୁଟିଆ ବସିରହିବା ବଡ଼ ଭୟଙ୍କର । ଭୟ ତ ଲାଗିବ ନିଶ୍ଚୟ । କିଛି କଥା କୁହ ସ୍ୟୋମା । କିନ୍ତୁ ତମେ ବଡ଼ ଅଜବ ସ୍ୟୋମାମୁସ୍କା । ଆଉ କିଏ ହୋଇଥିଲେ ଗୀତ ବୋଲନ୍ତା, ଗପ କୁହନ୍ତା, କିନ୍ତୁ ତମେ ଗୋଟେ ପାଳଭୂତ ଭଳି ନିଆଁକୁ ଅନାଇ ବସିରହିଛ । ଠିକ୍‌ରେ କଥା ବି କହିପାରୁନ । ଡରି ଡରି କହୁଛ । ତମକୁ ନିଶ୍ଚୟ ପଚାଶ ହେଲାଣି, କିନ୍ତୁ ଏକ ଛୋଟ ଛୁଆର ବୁଦ୍ଧି ବି ତମର ନାହିଁ । ତମେ ବୋକା ବୋଲି ଦୁଃଖ ଲାଗୁନି?”

“ଦୁଃଖ ତ ଲାଗେ…”, ଦାଢ଼ିଆ ବ୍ୟକ୍ତିଟି କହିଲା ।

“ତୁମର ଓଲାପଣିଆ ଦେଖି ସତରେ ଦୁଃଖ ଲାଗୁଛି । ତମେ ବହୁତ ଭଲ, କିନ୍ତୁ ତୁମର ବୁଦ୍ଧି ନାହିଁ । ବୁଦ୍ଧି ଅର୍ଜନ ପାଇଁ ନିଜେ କିଛି ଚେଷ୍ଟା ତ କର…ଭଗବାନ ତମକୁ କିଛି ବୁଦ୍ଧିଶୁଦ୍ଧି ଦେଇ ନାହାଁନ୍ତି ବୋଲି କ’ଣ ନିଲଠୁଆ ବସିରହିବ? ଅନ୍ୟ ଲୋକେ କଥାବାର୍ତ୍ତା ହେଲାବେଳେ ତୁମେ ମନଧ୍ୟାନ ଦେଇ ଶୁଣିବା ଦରକାର । ଯଦି କୌଣସି ଶବ୍ଦ ବୁଝିବାରେ ଅସୁବିଧା ହେଉଛି, ଚିନ୍ତାକରି କେଉଁ ଅର୍ଥରେ ଶବ୍ଦର ବ୍ୟବହାର ହୋଇଛି ଜାଣିବାକୁ ଚେଷ୍ଟା କର ନହେଲେ ମଲାଯାଏ ଓଲା ହିଁ ରହିବ ।”

ଏହି ସମୟରେ ଜଙ୍ଗଲ ଭିତରୁ ଶୁଣାଗଲା ଏକ ଦୀର୍ଘ ଗଁ ଗଁ ଆବାଜ । ଶୁଖିଲା ପତ୍ର ଉପରେ ଖସ୍‌ଖାସ୍ ହେଲା; ଗଛ ତଳକୁ କିଛି ଖସିପଡ଼ିଲା ବୋଧହୁଏ । ଏହି ଶବ୍ଦର ବି ଶୁଭିଲା ଧୀର ପ୍ରତିଧ୍ୱନି । ଯୁବକ ଜଣକ ଚମକିପଡ଼ି ପ୍ରଶ୍ନିଳ ଦୃଷ୍ଟିରେ ତା’ର ସାଥିକୁ ଦେଖିଲା ।

“ପେଚାଟିଏ ଟିକି ଚଢେ଼ଇଙ୍କ ପଛରେ ପଡ଼ିଛି”, ସ୍ୟୋମା କହିଲା, ଉଦାସୀନ ସ୍ୱରରେ ।

“କିନ୍ତୁ ସ୍ୟୋମା, ଏବେ ତ ସେମାନଙ୍କ ଉଷୁମ ପ୍ରଦେଶକୁ ଉଡ଼ିଯିବା ଋତୁ ।”

“ହଁ ଘଡ଼ି ତ ହେଇଗଲାଣି ।”

“ଭୋରବେଳକୁ ଖୁବ୍ ଶୀତ ଲାଗୁୁଛି । ବହୁତ ଥ…ଣ୍ଡା । ବଗ ପକ୍ଷୀ ତ ଏମିତି ଥଣ୍ଡାରେ ମରିଯିବେ । ମୁଁ ବଗ ନୁହେଁ କିନ୍ତୁ ଥଣ୍ଡାରେ ଜଡ଼ ପାଲଟିଗଲିଣି…ଆଉ କିଛି କାଠ ନିଆଁରେ ପକାଅ ତ ।”

ସ୍ୟୋମା ଉଠିପଡ଼ି ନିଘଞ୍ଚ ଅନ୍ଧାରିଆ ବୁଦା ଭିତରକୁ ଚାଲିଯାଇ କାଠକୁଟା ସଂଗ୍ରହ କରିବାକୁ ଲାଗିଲା । ଏହି ସମୟରେ ତା’ ସାଥୀ କିନ୍ତୁ ଆଖିକୁ ହାତରେ ଘୋଡ଼ାଇ ବସି ରହିଥିଲା । ପ୍ରତି ଶବ୍ଦରେ ଚମକି ଉଠୁଥିଲା । ସ୍ୟୋମା ଗୁଡ଼ିଏ କାଠକୁଟା ଆଣି ନିଆଁରେ ପକାଇଲା । ଅଗ୍ନିର ଅର୍ବାଚୀନ ଜିଭାସବୁ, କାଠିକୁଟାକୁ ଧିରେ ଧିରେ ସ୍ପର୍ଶ କରିଗଲେ । ସବୁ କାଠଗୁଡ଼ିକରେ ନିଆଁ ଧରିିଗଲା ପରେ ନାରଙ୍ଗୀ ରଶ୍ମୀର ଆଭାରେ ଉଜ୍ଜଳି ଉଠିଲା ଲୋକଗୁଡ଼ିକଙ୍କ ମୁହଁ ଓ ପଥ; ଉକୁଟି ଉଠିଲା ମଧ୍ୟ ଶବ ଉପରେ ଘୋଡ଼ାହୋଇଥିବା ଧଳା ଚାଦର ଓ ତା’ ଉପରେ ଥିବା ପବିତ୍ର କାଷ୍ଠଖୋଦିତ ଚିତ୍ର ।

ଯୁବକ ଜଣକ ମୁଣ୍ଡ ନୁଆଁଇ କାମ କରିଚାଲିଥିଲା, ଏକ ଭୟ ମିଶ୍ରିତ କ୍ଷୀବ୍ରତାରେ । ଦାଢ଼ିବାଲା ବ୍ୟକ୍ତି ଜଣକ ପୂର୍ବପରି ସେମିତି ଚୁପ୍ଚାପ୍ ବସିରହିଥିଲା, ନିର୍ନିିମେଷ, ନିଆଁ ଉପରେ ଦୃଷ୍ଟି ନିବିଷ୍ଟ କରି…. ।

ଏହି ସମୟରେ କାହାର ପଦଶବ୍ଦ ଶୁଣାଗଲା, ଆଉ ମଧ୍ୟ ଶୁଣାଗଲା କିଏ ଜଣେ ଇଶ୍ୱରଙ୍କୁ ଉତ୍ସର୍ଗୀକୃତ ଗୀତ ଗାଇ ଗାଇ ଧୀର ପଦରେ ଚାଲିଚାଲି ଆସୁଛି । କିଛି ସମୟ ଉତ୍ତାରୁ ଏକ ମଣିଷାକୃତି ଦୃଷ୍ଟିଗୋଚର ହେଲା । ପାଦ୍ରୀଙ୍କ ଭଳି ଲମ୍ବା ପରିଚ୍ଛଦ (କାସକ୍) ଓ ଏକ ବଡ଼ ଟୋପି ପିନ୍ଧିଥିଲା ପଥଚାରୀଟି । କାନ୍ଧରେ ଥିଲା ଝୁଲା ବ୍ୟାଗ । ଧିରେ ଧିରେ ସେ ରାସ୍ତା ଉପରକୁ ଆସିବାରୁ ନିଆଁର ଆଲୋକରେ ତା’ ଅବୟବ ସ୍ପଷ୍ଟ ଦୃଶ୍ୟ ହେଲା ।

“ହେ ଇଶ୍ୱର, ହେ ମଦର…”ଆଗନ୍ତୁକଟି କହିଲା, ସ୍ୱରରେ ଥିଲା ଏକ ଓଜନିଆ ଅସ୍ୱାଭାବିକ କୁତ୍ରିମତା । “ଅନ୍ଧାର ଭିତରେ ଚାଲି ଆସୁ ଆସୁ ନିଆଁଶିଖା ଦେଖିଲି ଓ ଖୁସିରେ ଅଧୀର ହେଲି । ପ୍ରଥମେ ଭାବିଲି ଲୋକେ ଘୋଡ଼ା ଚରାଉଛନ୍ତି । ପରେ ଭାବିଲି ନା…କୌଣସି ଘୋଡ଼ା ତ ଦେଖାଯାଉନାହାଁନ୍ତି । ସେମାନେ ଚୋର ନୁହଁନ୍ତି ତ? ମୁଁ ଠଉରାଇବାକୁ ଚେଷ୍ଟା କଲି । କୌଣସି ଧନଶାଳୀକୁ ଲୁଟ କରିବାକୁ ଛକିଥିବା ଡକାୟତ ନୁହଁନ୍ତି ତ? ନା, ସେମାନେ ବୋଧେ ଯାଯାବର, ନିଜ ଇଷ୍ଟଙ୍କ ଉଦ୍ଧେଶ୍ୟରେ ବଳି ଦେଉଛନ୍ତି । ତଥାପି ମନ ଖୁସିରେ ନାଚି ଉଠିଲା ।” ମୁଁ ନିଜକୁ ନିଜେ କହିଲି, ‘ଯାଅ ଇଶ୍ୱରଙ୍କ ସେବକ ଫିଓଡ଼ସି’…‘ଯାହା ହେବ ଦେଖାଯିବ…ହେଲେ ହେଇଯିବ ଶହୀଦ ।’ ଆଉ ମୁଁ ପତଙ୍ଗ ଭଳି ନିଆଁକୁ ଆକର୍ଷି ଆସିଲି । ଏବେ ମୁଁ ତମ ସମ୍ମୁଖରେ ଦଣ୍ଡାୟମାନ ଆଉ ତମର ବେଶପୋଷାକ, ହାବଭାବରୁ ଯାହା ଅନୁମାନ କରୁଛି, ତୁମେ ଚୋର ତସ୍କର ନୁହଁ,ଭଗବାନ ତୁମକୁ ସଦ୍ବୁଦ୍ଧି ଦିଅନ୍ତୁ ।”

“ଶୁଭ ସନ୍ଧ୍ୟା ।”

“ଆଚ୍ଛା ଭାଇମାନେ, କହିପାରିବ କି ମାକୁହିନ୍‌ସ୍କିି ବି୍ରିକ୍ୟାର୍ଡସ୍ କେମିତି ପହଞ୍ଚି ହେବ ?

“ଖୁବ୍ ନିକଟରେ । ସିଧା ରାସ୍ତାରେ ଯିବ…ଦେଢ଼ ମାଇଲ ଗଲା ପରେ ଆନାନୋଭା ପଡ଼ିବ, ସେହି ଆମ ଗାଁ । ଫାଦର, ଗାଁରୁ ତୁମେ ନଦୀ ତୀରେ ଯାଇ ଡାହାଣକୁ ମୋଡ଼ିଯିବ, ବ୍ରିକ୍‌ୟାର୍ଡସ୍ ପହଞ୍ଚି ଯିବ । ଆନାନୋଭାରୁ ଦୁଇ ମାଇଲ ହେବ ।

“ଭଗବାନ ତୁମକୁ ଭଲରେ ରଖନ୍ତୁ । କିନ୍ତୁ ଏଠାରେ କାହିଁକି ବସିରହିଛ?”

“ଆମେ ଏଠି ଜଗିଛୁ । ଦେଖ, ସେଠି ଏକ ମୃତ ଦେହ ପଡ଼ିଛି ।”

“କ’ଣ? କି ଦେହ…ହେ ମଦର!”

ଧଳା ଚାଦର, ତା ଉପରେ ଥିବା ପବିତ୍ର ଚିହ୍ନକୁ ଦେଖି ଯାତ୍ରୀଟି ଜୋର୍‌ରେ ଚମକିପଡ଼ି ପଛକୁ ଘୁଞ୍ଚିଗଲେ । ଏଭଳି ଅପ୍ରତ୍ୟାଶିତ ଦୃଶ୍ୟ ତାଙ୍କ ଉପରେ ଅନେକ ପ୍ରଭାବ ପକାଇଲା । ଆଁ’ଟା କରି, ବଡ଼ ବଡ଼ ଆଖିରେ ଜଡ଼ ପରି ଠିଆହେଇ ରହିଲେ; ନିଜ ଆଖିକୁ ବିଶ୍ୱାସ କରିପାରୁନାହାଁନ୍ତି ଭଳି ଭାବଭଙ୍ଗୀ କରି । ତିନି ମିିନିଟ୍‌ ପର୍ଯ୍ୟନ୍ତ ମୁହଁରୁ ଭାଷା ସ୍ଫୁରିଲା ନାହିଁ । ତା’ପରେ ଗୁଣୁଗୁଣୁ ହୋଇ କହିଲେ, “ହେ ଭଗବାନ! ଓଃ ମଦର! ମୁଁ ଚୁପ୍‌ଚାପ୍ ମୋ ବାଟରେ ଯାଉଥିଲି । କାହା ସହିତ ମୋ କଳିତକରାଳ କି କାହା ମାମଲାର ହସ୍ତକ୍ଷେପ ନାହିଁ । ତଥାପି କି ଦୃଶ୍ୟ ମୋତେ ଦେଖିବାକୁ ନ ପଡ଼ିଲା!”

“ତୁମ ପରିଚୟ …?” ଯୁବକ ପଚାରିଲା । “ତୁମେ କ’ଣ ପାଦ୍ରୀ?”

“ନା…ନା….ମୁଁ ଗୋଟିଏ ମଠରୁ ଆଉ ଗୋଟିଏ ମଠକୁ ଯିବା ଆସିବା କରେ । ତୁମେ ମି…ମିଖାଇଲ ପୋଲିକାରପିଚ୍‌ଙ୍କୁ ଚିହ୍ନିଛ? ସେ ବ୍ରିକ୍‌ୟାର୍ଡରେ ପ୍ରଧାନ କାରିଗରର କାମ କରନ୍ତି? ମୁଁ ତାଙ୍କ ଭଣଜା…କିନ୍ତୁ ହେ ଭଗବାନ…ତୁମେ ଏଠି କ’ଣ ପାଇଁ?”

“ଆମେ ଜଗିଛୁ …ଆମକୁ କୁହାଯାଇଛି ଜଗିବା ପାଇଁ ।”

“ଆଚ୍ଛା ଆଚ୍ଛା …”, ଗୁଣୁଗୁଣେଇଲେ କାସକ୍ ପରିହିତ ଆଗନ୍ତୁକ, ନିଜ ହାତକୁ ଆଖି ଉପରେ ବୁଲାଇ ଆଣି କହିଲେ, “ଏହି ମୃତ ବ୍ୟକ୍ତିଟି ଆସିଲା କେଉଁଠୁ?”

“ସେ ଏକ ଅପରିଚିତ ଲୋକ… ।”

“ଏହି ତ ଜୀବନ…ହଉ ଭାଇମାନେ ମୁଁ ଚାଲିଲି…. ଅନ୍ୟ କିଛି ଅପେକ୍ଷା ମୃତ ବ୍ୟକ୍ତିମାନଙ୍କୁ ମୋର ବଡ଼ ଭୟ । ଥରେ ଭାବ ତ ଏହି ଲୋକ ବଞ୍ଚିଥିଲାବେଳେ ଆମେ ତାକୁ କୌଣସି ନଜର ଦେଇନଥିଲୁ କିନ୍ତୁ ମୃତ୍ୟୁ ପରେ ଆମେ ତାକୁ ଦେଖି ଏଭଳି ଥରୁଛେ, ଯେମିତି କୌଣସି ଜେନେରାଲ ବା ବିଶେଷଜ୍ଞଙ୍କ ସମ୍ମୁଖରେ ଆମ ଅବସ୍ଥା ହୁଏ । ଏହାହିଁ ଜୀବନ । ତାଙ୍କର ହତ୍ୟା କରାଯାଇଛି ନା ଅନ୍ୟ କିଛି?”

“କିଏ ଜାଣେ…ହେଇପାରେ ହତ୍ୟା, ହେଇପାରେ ଆତ୍ମହତ୍ୟା ।”

“ହଁ …ହଁ …ଭାଇମାନେ କିଏ ଜାଣେ ! ବୋଧହୁଏ ଏବେ ତାଙ୍କ ଆତ୍ମା ସ୍ୱର୍ଗସୁଖ ଭୋଗ କରୁଛି ।”

“ତା’ ଆତ୍ମା ଏଇଠି ଘୁରି ବୁଲୁଛି…ନିଜ ଶରୀର ନିକଟରେ”, ଯୁବକ ଜଣକ କହିଲା । “ତିନି ଦିନଯାଏଁ ଏହା ଦେହ ପାଖରେ ଘୁରି ବୁଲିିବ ।”

“ଓଃ…ଆଚ୍ଛା ! କେତେ ଥଣ୍ଡା ପଡ଼ିଲାଣି । ଦାନ୍ତ ଥରିଯାଉଛି, ମୁଁ ତାହେଲେ ଚାଲିଲ, ସିଧା ଯିବି ତ?”

“ସିଧା ଯିବେ ଆମ ଗାଁଯାଏ । ସେଇଠୁ ନଦୀ କୂଳେ ପହଞ୍ଚି ଡାହାଣକୁ … ।”

“ହୁଁ…ନଦୀ କୂଳେ …କିନ୍ତୁ ମୁଁ ତଥାପି କାହିଁକି ଏଠି ଛିଡ଼ା ହୋଇରହିଛି? ମୋର ତ ଯିବା କଥା । ଆଚ୍ଛା ଭାଇମାନେ, ବିଦାୟ ।”

କାସକ୍ ପରିହିତ ବ୍ୟକ୍ତି ଜଣକ ରାସ୍ତାରେ ପାଦେ ଆଗକୁ ଯାଇ ଅଟକିଗଲେ ।

“ଶବ ସତ୍କାର ପାଇଁ ମୁଁ କୋପେକ୍‌ଟିଏ ଛାଡ଼ିଯିବାକୁ ଭୁଲିଯାଇଛି । ମୁଁ କିଛି ଅର୍ଥ ଦେଇପାରେକି ଭାଇମାନେ?”

“ଏସବୁ ବିଷୟରେ ତୁମେ ଅଧିକ ଜାଣ, ମଠକୁ ଯାଉଛ…ଯଦି ପ୍ରାକୃତିକ ମୃତ୍ୟୁ ହୋଇଥାଏ ତାହେଲେ ଏହି ଦାନ ତା’ ଆତ୍ମାର ସଦ୍‌ଗତି ପାଇଁ ଖର୍ଚ୍ଚ ହେବ, ଯଦି ଆତ୍ମହତ୍ୟା ତାହାହେଲେ ଏହା ପାପ ।

“ସତରେ ତ…ବୋଧହୁଏ ଏହା ଆତ୍ମହତ୍ୟା, ନା ମୋ ଅର୍ଥ ମୋ ନିକଟରେ ଥାଉ । ତୁମେ ମତେ ଏକ ହଜାର ରୁବଲ ଦେଲେ ବି ମୁଁ ଏଠି ବସି ରହିପାରିବି ନାହିଁ । ବିଦାୟ ଭାଇମାନେ ।”

ବ୍ୟକ୍ତିଜଣକ ଧିରେ ଚାଲିଲେ ପୁଣି ଅଟକିଗଲେ ।

“କ’ଣ କରିବି ମନ ସ୍ଥିର କରିପାରୁନି । ଏଠି ଧୁନି ପାଖେ ଅଟକି ରହିବ କି, ଭୋର ପର୍ଯ୍ୟନ୍ତ ଅପେକ୍ଷା କରି…ମୋତେ ବହୁତ ଭୟ ଲାଗୁଛି । ଯିବା ବି ନିରାପଦ ନୁହେଁ । ଏହି ମୃତ ବ୍ୟକ୍ତିଟି ଅନ୍ଧାରରେ ରାସ୍ତାସାରା ମୋ ପିଛା କରିବ…ଭଗବାନ ନିଶ୍ଚୟ ମୋତେ ଶାସ୍ତି ଦେଉଛନ୍ତି । ୩୦୦ ମାଇଲ ଚାଲି ଚାଲି ଆସିଲି କିଛି ହେଲାନି… ଆଉ ଏବେ ଘର ପାଖେଇ ଆସିବାରୁ କେତେ ବାଧା ହେଉଛି । ମୁଁ ଆଗେଇ ପାରୁନି ।”

“ସତରେ ବଡ଼ ଭୟଙ୍କର …”

“ଭାଲୁ, ଚୋର, ଅନ୍ଧାର କିଛି ବି ଭୟ ଲାଗେନି…କିନ୍ତୁ ମୃତକଙ୍କୁ ମୋର ବହୁତ ଡର । ମୁଁ ତୁମକୁ ଅନୁରୋଧ କରୁଛି…ମୋ ସହ ଆସ ଟିକେ ଗାଁ ପର୍ଯ୍ୟନ୍ତ ।”

“ଆମକୁ କୁହାଯାଇଛି ଶବକୁ ଛାଡ଼ି କୁଆଡ଼େଯିବନି ।”

“କେହି ଜାଣିବେନି ଭାଇ …ଭଗବାନ ତୁମକୁ ବହୁତ ଆଶୀର୍ବାଦ ଦେବେ । ହେ ବୃଦ୍ଧ ତୁମେ ଆସିବ କି? କିନ୍ତୁ ତୁମେ ନୀରବ କାହିଁକି?”

“ସେ ଟିକେ ଓଲା”, ଯୁବକ ଜଣକ କହିଲା ।

“ତାହେଲେ, ତୁମେ ଆସ,ମୁଁ ତୁମକୁ ପାଞ୍ଚଟା କୋପେକ୍ ଦେବି ।”

“ପାଞ୍ଚଟା କୋପେକ୍… ତାହେଲେ ମୁଁ ରାଜି”, ମଥା ରାମ୍ପି ରାମ୍ପି ଯୁବକ ଜଣକ କହିଲା । କିନ୍ତୁ କୁଆଡ଼େନ ଯିବା ପାଇଁ କୁହାଯାଇଛି…ଯଦି ସ୍ୟୋମା ଏଠି ରହିବାକୁ ରାଜି ହୁଏ, ମୁଁ ତୁମ ସହିତ ଆସିପାରେ । ସ୍ୟୋମା, ତୁମେ ଏକୁଟିଆ ରହିପାରିବ?”

“ହଁ …ରହିପାରିବି”, କହିଲା ଓଲା ସ୍ୟୋମା ।

“ଠିକ୍ ଅଛି…ଆସ, ଆମେ ଯିବା… ।”

ଯୁବକ ଜଣକ ଠିଆ ହେଲା ଓ କାଶକ୍ ପରିହିତ ବ୍ୟକ୍ତିଙ୍କ ସହିତ ଚାଲିିଲା । କିଛି ସମୟ ପରେ ସେମାନେ କଥାବାର୍ତ୍ତା ଓ ପଦଶବ୍ଦ ମିଳାଇ ଗଲା । ସ୍ୟୋମା ଆଖି ବନ୍ଦକରି ଢୁଳାଇବାକୁ ଲାଗିଲା । ନିଆଁର ତେଜ କମି ଆସୁଥିଲା ଓ ଶବ ଉପରେ ଛାଇଗଲା ଘନ ଅନ୍ଧାର ।

ଲୋକପ୍ରିୟ ଲେଖା

To Top