ବୁଢ଼ା ଆତ୍ମକଥା ଲେଖୁଛି. . .
ଥରଥର ହାତରେ କଲମ ଦୋହଲୁଛି,
ସତେ କି, ବାର୍ଦ୍ଧକ୍ୟ ବାତ୍ୟାରେ ବରଡ଼ାପତ୍ର. . .
କିନ୍ତୁ ବୁଢ଼ା ଲେଖୁଛି,
ବାର୍ଦ୍ଧକ୍ୟର ଆତ୍ମ କଥା ! ! !
ଏକଲା ସେ, ଆଉ କାଗଜ, କଲମ
ହୃଦୟ ଭିତରେ ସମୁଦ୍ର ମନ୍ଥନ,
ଅମୃତ ସବୁ ଢାଳିଗଲା ତଳେ. . .
ଯମ ବିଷ ଧରି ଡାକୁଛି,
ବୁଢ଼ା ଲେଖୁଛି. . .
ବାତ୍ସଲ୍ୟ ତାମସା. . . ଯୌବନ ରଙ୍ଗ
ସାଙ୍ଗ, ସାଥୀ, ଭାଇ, ଭଗାରି ଛନ୍ଦ. . .
ମିଛ କ’ଣ ? ଆଉ ସତ ଯେ କେଉଁଠି,
ଭିତରେ ଦରାଣ୍ଡି ହେଉଛି,
ବୁଢ଼ା ଆତ୍ମକଥା ଲେଖୁଛି. . .
ଜୀବନ ଯାକର ରୂପା, ସୁନା, ଟଙ୍କା,
ଅଳିଆ ଗଦାରେ ମିଶିଛି,
ଗେଲ ବସରିଆ ପୁତ୍ରମଣି ମୁହଁ, ପିଶାଚ ଭଳିଆ ଦିଶୁଛି,
ସରଶଯ୍ୟା ଭଳି ଲାଗୁଛି. . . ବୁଢ଼ା ଲେଖୁଛି. . .
ମାୟା ସ୍ମୃତି ପଛେ. . . ଆଗରେ ମରଣ
ପ୍ରାଣ ଦୁକୁ ଦୁକୁ ହେଉଛି,
ତଥାପି ଅବୁଝା ବୁଢ଼ାର ମନଟା. . . ବଙ୍କୁଲି ବାଡ଼ି ଖୋଜୁଛି,
କାଳି ସରିଲାଣି. . . ଜାଣିପାରୁ ନାହିଁ,
କଲମ ରଗଡ଼ି ଚାଲିଛି ।
ବୁଢ଼ା ଲେଖୁଛି. . .
ଟାଙ୍ଗରା, ଗରମ ମଶାଣି ଭୂଇଁରେ. . .
ବୁଢ଼ା ଦେହ ଆଜି ଜଳୁଛି,
ଏତେ ବରଷର ସାଇତା ଦେହଟା,
ତରଳି ତରଳି କାନ୍ଦୁଛି. . .
ବୁଢ଼ାର ଆତମା. . . ମନ୍ଦ ମନ୍ଦ ହସି
ବୁଢ଼ା ଆତ୍ମକଥା ଗାଉଛି. . . !