ଏଇ, ହସନା ଏମିତି ହସ,
ଲାଖି ଯା’, ଆଖିରେ ମୋର
ଜାଣୁ ତୁ ତ, ତୋ ବିନା ମୋ ଦୁନିଆ ଅନ୍ଧାର ।
ତୁହି ପରା ମୋ ମନର ପ୍ରବେଶ ଦ୍ଵାର
କେତେ ଘଟଣା ଓ ଚରିତ୍ର ଯିବା ଆସିବାର-
ଖାଲି କଣ ଅକ୍ଷର ?
ସାକ୍ଷୀ ତୁ ଚାଲିଥିବା, ଝୁଣ୍ଟୁ ଥିବା-
ଆଉ ଅଜସ୍ର ସ୍ମୃତି ସାଉଣ୍ଟିବାର
ତୁହି ତ ଏକ ମାତ୍ର ସ୍ଵାକ୍ଷର,
କେବେ ଲାଗେ ତୋ ଦେହରେ ଦାଗ ସମ୍ଭ୍ରାନ୍ତ ହେବାର
ପ୍ରତିଜ୍ଞା ଆଜୀବନ ସାଥି ହୋଇ ରହିବାର ।
ତୁହି ତ ରହିବୁ କିଛି କାଳ
ଉଡିଗଲା ପରେ ନଶ୍ଵର ଶରୀର
ତତେ ନେଇ ଚାଲିବ
କେତେ କଳ୍ପନା ଜଳ୍ପନା
କେତେ ପ୍ରଶ୍ନ, କେତେ ସମୀକରଣ !
ନୀରବରେ ଦେଖୁଥିବୁ ଆଉ ସାକ୍ଷୀ ହୋଇ ରହିଥିବୁ
ଆଉ କେହି ବୁଝୁ କି ନ ବୁଝୁ,
ତୋ ଆଉ ମୋ ଯୋଡି କେଇ ଯୁଗର ।