ସବୁ ସପ୍ତାହ ଭଳି ଷ୍ଟେଶନ ପ୍ଲାଟ୍ଫର୍ମ ରେ ବ୍ୟାଗ୍ଟିକୁ ରଖି ଦେଇ ବସି ପଡିଲି । ଘଣ୍ଟାକୁ ଚାହିଁ ଦେଖିଲି ଟ୍ରେନ୍ ଆସିବାକୁ ଟିକେ ସମୟ ବାକି ଅଛି । କିଛି ଗୋଟେ ନ ଥିଲା ଭଳିଆ ଲାଗୁଥିଲା । କଣ ସେଇଟା ? ଯିବା ଆସିବା କରୁଥିବା ଗହଳି କୁ ଚାହିଁଲି, ଲୋକେ ଯାଉଥିଲେ, ଆସୁଥିଲେ; ହୋ-ହଲ୍ଲା, କୋଳାହଳ ଟ୍ରେନ୍ ଯିବା ଆସିବା ଆଉ ଡାକବାଜି ଯନ୍ତ୍ରର ନିୟମିତ ଡାକ ଥିଲା । ମନେ ପଡିଲା ଆରତୀ କଥା, ସେଇ ଝିଅଟି, ଯାହାକୁ ଲୋକେ ପାଗଳୀ ବୋଲି କହୁଥିଲେ, ତାକୁ ହିଁ ଏଇ କେତେଥର ହେବ ଦେଖିନି, ଯିବା ଆସିବା ବେଳେ । ଟ୍ରେନ୍ ଡେରିରେ ଆସିବ ବୋଲି ଘୋଷଣା ହୋଇଗଲା । କିଛି ନୂଆ କଥା ନୁହେଁ, ପ୍ରାୟତଃ ଏଇ ଟ୍ରେନ୍ ବିଳମ୍ବରେ ଆସେ, ମୁଁ ପ୍ଲାଟ୍ଫର୍ମରେ ଅପେକ୍ଷାରେ ବସେ, ଆଉ ଲୋକଙ୍କୁ ଦେଖେ । ପ୍ରାୟତଃ ଆରତୀ କଥା ଶୁଣେ, କେଉଁଠି ଥାଏ କେଜାଣି, ଠିକ୍ ସମୟରେ ପହଞ୍ଚି ଯାଏ ମୁଁ ଥିବା ପ୍ଲାଟଫର୍ମରେ । “ବିସ୍କୁଟ ଦେ” ହାତ ବଢାଇ ମାଗେ, ପ୍ରଥମେ ଥରେ-ଦୁଇଥର ଖାଲି ହାତ ପାତୁଥିଲା, ମୁଁ ପଇସା ଦେଇ ଦେଉଥିଲି । ଥରେ ବିସ୍କୁଟ ଦେଇଥିଲି, ପାଖରେ ଥିବା ବଳକା ପକେଟ ଟି, ତା ପରଠୁ ସେ ବିସ୍କୁଟ ମାଗେ । ମିଠା ବିସ୍କୁଟ ନୁହଁ, ଲୁଣୀ ଓ ମିଠା ବିସ୍କୁଟ ହିଁ ପସନ୍ଦ ତାର । ଥରେ ମିଠା ବିସ୍କୁଟ କେହି ଦେଇଥିଲେ, ଡଷ୍ଟବିନ୍ରେ ଫୋପାଡି ଦେଇଥିଲା । ତାର ଏଇ ଅଭ୍ଯାସ ଟିକୁ ମୁଁ ଲକ୍ଷ୍ୟ କରିଥିଲି । ତାକୁ ସମସ୍ତେ ବୋଧେ ତାର ବେଶ-ଭୁଷା ପାଇଁ ପାଗଳୀ କହନ୍ତି । ମାତ୍ର, ବିସ୍କୁଟ୍ ଜରି ରାସ୍ତାରେ ପକାଏ ନି ସେ, ତଥା କଥିତ ସାଧାରଣ ମଣିଷ କେତେ ଜଣଙ୍କ ମଧ୍ୟରେ ଏ ଅଭ୍ଯାସ ଅଛି କହିଲେ? ମୋ ପାଖରେ ସବୁ ବେଳେ ବିସ୍କୁଟ୍ ନଥାଏ, ବେଳେ ବେଳେ ପଇସା ଦେଇ କହେ, “ଯା, ଦୋକାନ ରୁ ନେଇ ଆ ତୋ ପସନ୍ଦର ବିସ୍କୁଟ୍” ଛୋଟ ପିଲାଙ୍କ ଭଳି । କଥା ମାନିଥାଏ ସେ ।
ଆରତୀର ବୟସ ତିରିଶ ଭିତରେ ହେବ- କେବେ ପଚାରିବାରୁ ତା ନାମ ସେ ସେଇଆ କହିଥିଲା । ଦେହରେ ସାତ ଛିଡା ମଇଳା ଡ୍ରେସ, କେବେ ଶାଢୀ ଥାଏ । ବାଳ ଝାମ୍ପୁରୂ, ଦେଖିବା ପାଇଁ ଗୋରୀ; ବହୁତ ସୁନ୍ଦରୀ ନ ହେଲେ ନିହାତି ଅସୁନ୍ଦର ନୁହେଁ । ବାକି, ନିଜକୁ ସଜାଇ ହେଲେ ତ ସମସ୍ତେ ସୁନ୍ଦରୀ । ଥରେ ଦୁଇ ଥର ତାକୁ କିଛି ପୁରୁଣା ଶାଢୀ ଓ ଡ୍ରେସ ଦେବା ବିଷୟରେ ଭାବିଛି, କିନ୍ତୁ ବ୍ୟସ୍ତତା ଭିତରେ ଭୁଲିଯାଏ । ତାକୁ ପ୍ଲାଟଫର୍ମ୍ରେ ଦେଖିଲେ ପୁଣି ମନେପଡେ । ପ୍ରାୟ ବର୍ଷେ ଧରି କାମରେ ବାହାରକୁ ଯାଇଥିଲି, ଏବେ ଫେରୁଛି । ଆରତୀ କଥା ଏଇ ପ୍ଲାଟ୍ଫର୍ମରେ ମନେ ପଡିଗଲା । ତାର ଦେଖା ବି ନାହିଁ, କାହାକୁ ପଚାରିବି ତା’ କଥା?
ଡାକବାଜି ଜନ୍ତ୍ରରେ ପୁଣି ଘୋଷଣା, ବାଟରେ କେଉଁଠି ଟ୍ରେନ ଅଟକିଛି, ଆହୁରି ବିଳମ୍ବ ହେବ । ଦୁର୍ଘଟଣା ହୋଇଛି ପ୍ଲାଟଫର୍ମ ରେ ଲୋକେ କହୁଛନ୍ତି, କଥା ଟା କଣ ଜାଣିବା ପାଇଁ ଷ୍ଟେସନ୍ ମାଷ୍ଟରଙ୍କ ରୁମ କୁ ଗଲି, ଟ୍ରେନ୍ ଆହୁରି ବିଳମ୍ବରେ ଆସିବ ବୋଲି ସେ ଜଣାଇଲେ ।
“ଏଇ ଆରତୀର ଦେଖା ମିଳୁନି” ଟିକେ ଅନିଚ୍ଛା ସହ କହିଲି ।
“କିଏ?”
“ସେ ପାଗଳୀ ଟା, ଏଇ ଫ୍ଲାଟଫର୍ମ ରେ ଥାଏ ନା,” ତରବରରେ କହି ପକାଇଲି ।
ମୋଟା ଚଷମା ଫାଙ୍କରୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ସ୍ଟେଶନ ମାଷ୍ଟର । ମୁଁ କାହିଁକି ସେ ପାଗଳୀ କୁ ଖୋଜୁଛି ବୋଧେ ସେଇଆ ଭାବିଥିବେ ।
“ତାକୁ ଏଇ ଗୋଟେ ଏନଜିଓ ମାଧ୍ୟମରେ ନେଇ ଗୋଟେ ଆଶ୍ରମ ରେ ରଖିବା କଥା ଭାବୁଥିଲି ତ,” କହି ପକାଇଲି ତରତରରେ । ସତରେ କିନ୍ତୁ ମୁଁ ତା ବିଷୟରେ ଜାଣିବାକୁ ଚାହୁଁଥିଲି, ମଣିଷ ମନ ସବୁ ଏମିତି, କାହା ସାଙ୍ଗରେ ଯୋଡି ହୋଇଯାଏ କେତେ ବେଳେ !
କିନ୍ତୁ ଥରେ ତାକୁ ଏବିଷୟରେ କହିଲାରୁ “ଯିବିନି,” କହି ପଳାଇ ଥିଲା କିଛି ନ ଶୁଣି । ମୋତେ ଲାଗେ ତାର ମାନସିକ ଅସୁସ୍ଥତା ସେତେ ବେଶୀ କିଛି ନାହିଁ, ଖାଲି ଭଲ ପାଇବା ଓ ଯତ୍ନ ନେଲେ ଶୀଘ୍ର ଠିକ୍ ହୋଇ ପାରନ୍ତା ।
“ତାର ପାଗଳାମି ଆହୁରି ବଢି ଯାଇଥିଲା; ଷ୍ଟେସନ ରେ ସବୁ ପିଲାଙ୍କୁ ଟାଣି ପକାଉ ଥିଲା, ଆବର୍ଜନା ଘାଣ୍ଟି ପ୍ଲାଟଫର୍ମ ଅସନା କରୁଥିଲା । ଥରେ କେଉଁ ପିଲାକୁ ନେଇ ଦଉଡି ପଲାଉଥିଲା ।”
ମୁଁ ଟିକେ ଆଶ୍ଚର୍ଯ୍ୟ ହେଉଥିଲି । ମୋ ଭାବନା କୁ ଠିକ ବୁଝି ପାରୁଥିଲେ ମହାଶୟ ଜଣକ ।
“ମାଡାମ୍, ସେ ଗର୍ଭବତୀ ହୋଇ ଯାଇଥିଲା । ମ୍ୟୁନିସିପାଲିଟି ହସ୍ପିଟାଲ୍ରେ ପୁଅ ଟିଏ ଜନ୍ମ ଦେଇଥିଲା । ତାପରେ ଏଇ ପ୍ଲାଟ୍ଫର୍ମ ରେ ରହୁଥିଲା । ଦିନେ ରାତି ଅଧରେ ମୋ ଛୁଆ କୁ ଦିଅ କହି ପ୍ଲାଟ୍ଫର୍ମର ଏ ମୁଣ୍ଡରୁ ସେ ମୁଣ୍ଡକୁ ଦଉଡିବାରୁ ଆମେ ସମସ୍ତେ ବହୁତ ଖୋଜିଲୁ, କିଛି ମିଳିଲା ନାହିଁ । କିଏ ବୋଧେ ତା ଛୁଆ କୁ ଚୋରାଇ ନେଇ ଥିଲା । ଆଉ ତା ପର ଠାରୁ ସବୁ ଦିନ ପିଲାଙ୍କୁ ଟାଣିବା, ଆବର୍ଜନାରେ, ଡଷ୍ଟବିନରେ କିଛି ଖୋଜିବା, କେବେ ପାଟି କରି କନ୍ଦିବା, ଗାଳି ଦେବା- ଏମିତି କରୁଥିଲା । କିଛି ଦିନ ତଳେ କଲିକତାର ଏନଜିଓ ସଂସ୍ଥା ତାକୁ ନେଇ ଗଲେ, ଏକ ମାନସିକ ହସ୍ପିଟାଲ ଭର୍ତି କରି ଦେଇଛନ୍ତି । ଏତେ ବର୍ଷ ଧରି ଏଇ ପ୍ଲାଟ୍ଫର୍ମ ରେ ବୁଲୁଥିଲା ।”
ପାଟି କରି କାନ୍ଦି ବାକୁ ମନ ହେଉଥିଲା ମୋର ।
ଏକ ଆହତ ମନ ନେଇ ମୁଁ ଟ୍ରେନ୍ ଆସିବା ପରେ ଚଢି ଯାଇଥିଲି ସତ, ମନ ମୋର କିନ୍ତୁ ଆରତୀ ର ଅବସ୍ଥା କୁ ବିଶ୍ଳେଷଣ କରୁଥିଲା । କିଏ ତାକୁ ଗର୍ଭବତୀ କଲା ଓ କିଏ ପିଲା ଚୋରୀ କଲା ? ତାର ମାତୃ ହୁର୍ଦୟର କରୁଣ ରାଗ ମୋତେ ବହୁତ ବ୍ୟଥିତ କରୁଥିଲା । ମନେ ପଡିଲା, ପିଲାବେଳେ ଆମ ପାଖ ଗାଁ ବୟାଣୀ କଥା ।
ଦିନେ ବାଟରେ ଯାଉଥିବା ଏକ ଅଠର-ଉଣେଇଶ ବର୍ଷ ପିଲା କୁ ଦେଖାଇ ଜେଜେମା ଓ କହୁଥିଲେ “ଜାଣିଛୁ, ଏ ବାୟାଣୀ ର ପୁଅ, ପାଖ କଲେଜ ରେ ପଢୁଛି ।”
“ଆଉ ବାୟାଣୀ?” ପିଲା ବେଳେ ଭିକ ମାଗି ବାକୁ ଆସୁଥିବା ସ୍ତ୍ରୀ ଲୋକଟି ମନରେ ଥିଲା ମୋର ।
“କେତେ ବର୍ଷ ହେବ ମଲାଣି । ବିଚାରୀ, ମୁକ ବଧିର ହେଲେ ବି ଭିକ ମାଗି ତା ପୁଅ କୁ ବଡ କରିଛି । ବାଡିପଶା ମାନେ ତା ଭିନ୍ନ କ୍ଷମତା ର ସୁଯୋଗ ନେଇ ତାକୁ ବଳାତ୍କାର କଲେ, କାହାକୁ କହିଲେ ଜୀବନରୁ ମାରି ଦେବେ ବୋଲି ଧମକ ଦେଇଥିଲେ । ବିଚାରୀ କେତେ କାନ୍ଦି କାନ୍ଦି ଆମ ମାନଙ୍କ ଆଗରେ ବଳାତ୍କାର ବିଷୟରେ ଠାରରେ କହିଥିଲା ।”
“ତୁମେ ମାନେ କିଛି କରି ପାରିଲନି? ଜେଜେ କି କାକା ଙ୍କୁ କହିଥାନ୍ତ,” ବୋଲି ଥିଲା ମୋର ଯୁକ୍ତି ।
“କିଏ ଏତେ କାମ କରିଥାନ୍ତା ନିଜ କାମଦାମ ଛାଡି? ତା’ ଛଡା, ବିପଦ ବି ଥିଲା, ସେ ଦୋଷୀର ନାମ କେବେ କହି ନଥାନ୍ତା । ଆଉ ପୁଅ ସହ ସେ ଭଲରେ ବି ଥିଲା,” ଜେଜେମା କହିଥିଲେ ।
କଣ ଭଲ? ସେ କଥାଟି ମୁଁ ଏ ଯାଏ ବୁଝି ପାରି ନି! ଅନ୍ୟାୟ କୁ ଚାପି ଦେବାର କ୍ଷ୍ୟମତା ଆମ ସମାଜର ବେଶ ଭଲ ଅଛି । ସେ ବାୟାଣୀ ହେଉ କି ଆରତୀ, ଦୀର୍ଘ ଦଶନ୍ଧି ପରେ ବି ଭିନ୍ନକ୍ଷମ ମାନଙ୍କୁ ମଣିଷ ନ ଭାବିବା କି ନ୍ୟାୟ ପାଇବାର ହକଦାର ନ ମଣିବା ଆମ ସମାଜ ପାଇଁ ଏକ ସ୍ଵାଭାବିକ କଥା । ଆମ ଭିତରେ ଯେମିତି ବିବେକର ସତ୍ତା ହଜି ଯାଇଛି ।
ଟ୍ରେନ୍ରେ ବସି ମନଟା ମୋର ବିଷର୍ଣ୍ଣ ହୋଇ ଉଠୁଥିଲା…… ।