ଧାନ
ଧାର ଆଣିବେନି ବାପା ।
ଆଖି ପାଉ ନଥିବା ଧାନପାଟ
ପର୍ବତ ପ୍ରମାଣେ ଧାନଗଦା
ଆଉ କ’ଣ ଅଛି ବାପା ?
ଧାନତଳିଟିଏ ରୋଇ ଆସିଲନି ଯେ
ନିଜକୁ ପୋତିଦେଲ ପଙ୍କରେ ।
କଳ, କେନାଲ, ଆକାଶକୁ ଭରସା କ’ଣ ?
ଏବେ ପାଣି କହିଲେ
ତୁମ ଆଖିର ଲୁହକୁ ବୁଝାଏ ।
ଆଉ ଗୀତ ଗାଇବନି ଧାନବିଲ ବାପା
ଫୁର୍କିନା ଉଡ଼ିଯାଇଚି ବଣି
ଧାନଟିଏ ପୋତିଲନି ଯେ
ନିଜକୁ ପୋତିଦେଲ ପଙ୍କରେ ।
ଗଲାସନ କଥା କହୁନ
ଧାନକଟାଳୀ ମିଳିଲେନି ବୋଲି
ଅଦିନିଆ ବର୍ଷାରେ ଓଦା ହୋଇଗଲା ତୁମ ମୁହଁ
ପହଁରା ଶିଖି ନ ଥିବା ବାଡୁଅ ଝିଅ ପରି
ବୁଡ଼ି ମରିଲା ଧାନବିଲ ।
ଧାନ କାଟୁ କାଟୁ ହାତ କାଟିଦେବ ବାପା
ରକ୍ତବର୍ଣ୍ଣ ହୋଇଯିବ ମାଟି
ତମ ସହିବାର ସୀମା ଟପି ଡେଇଁ ପଡ଼ିବେ ଦୁଃଖ
କହି ନଥିଲି,
ଧାନ ନୁହେଁ ନିଜକୁ ପୋତିଲ ପଙ୍କରେ ।
ତମେ ସେଇଠି ବସିଥାଅ
ଆକାଶରୁ ଲୁହ ଝରିପାରେ ।