ଏବେ କାହିଁକି
ଦଳ ଦଳ ପକ୍ଷୀମାନଙ୍କୁ ଦେଖିଲେ
ମୋର ଗୀତ ଗାଇବାକୁ ମନ ହୁଏ ।
ମନେପଡ଼େ ବୋଉ !
ରା’ ଧରି କାନ୍ଦୁଥିବା ପୁଅ
ତୁନି ହୋଇଯାଏ ଗୋଟିଏ ଗୀତରେ
ଗୀତ ମନେପଡ଼େ
ବୋଉ ଫେରେନା
ପକ୍ଷୀମାନେ ଫେରନ୍ତି ନାହିଁ
ଲୁହ ଫେରେନା ।
ଭାବିଲି ପକ୍ଷୀ ପରି ଉଡ଼ିଯିବି ଆକାଶକୁ
ପ୍ରେମର ଶାଗୁଆ ଗଛରେ ବସି
ଖାଇଲି ଖଟାମିଠା ଫଳ
ଦିନେ ଉପୁଡ଼ି ପଡ଼ିଲା ଗଛ
ଉଡ଼ିଗଲେ ସବୁ ପକ୍ଷୀ
ଅଧା ରହିଗଲା ସେହି ସବୁଜ ଗୀତ
ପକ୍ଷୀଟିଏ ହେବା ବଡ଼ କଷ୍ଟ ।
ମୁଁ ଆଉ ଗୀତ ଗାଇ ପାରେନା
ଶାଗୁଆ ଗଛ ଓ ପକ୍ଷୀ ସ୍ୱପ୍ନଙ୍କୁ ପାଶୋରେ ।
ପାହାଡ଼ କୋଳରେ ଓହଳି ପଡ଼ିଥିବା ମେଘ
ଅଧାଚାନ୍ଦର ଅଧର
ପାଚିଲା ଧାନକ୍ଷେତ
ବାଙ୍କବୁଲା ନଈର ଲାବଣ୍ୟ
ମୋତେ ପକ୍ଷୀ ମନସ୍କ କରେ ।
ଅନ୍ଧାରରେ ଗୀତଖାତା ଖୋଜେ
ସେତେବେଳକୁ ପକ୍ଷୀମାନେ
ମିଶି ସାରିଥାଆନ୍ତି ଦିଗ୍ବଳୟରେ ।