ବଇଶାଖର ଦି’ପ୍ରହର
ଖରା ନୁହେଁ ସେ ସତେ ଜହର ।।
ମୁଣ୍ଡ ଉପରେ ବାନ୍ଧିଛି ଠେକା
କରଇ ହଳ ମନୁଆ ଲେଙ୍କା ।।
ଶ୍ରାବଣ-ଧାରା ବରଷେ ଧରା
କୋହଲା ପାଗ କଲିଜା ଥରା ।।
ଗରଜି ବଜ୍ର ପଡ଼ଇ ଖସି
ଚାଷ କ୍ଷେତକୁ ପଶଇ ଧସି ।।
ପଖାଳ ନେଇ ଘରଣୀ ଯାଏ
ପାଣି କାଦୁଅ ହିଡ଼ରେ ଖାଏ ।।
ପଉଷ ଶୀତେ ନାହିଁ ତା’ ଡର
ପୁହା ପହରୁ ସେ ଉଜାଗର ।।
ବାଉଁଶୀ ଦା’ ହାତରେ ଧରି
ହିଡ଼ରେ ଯାଏ ଜାଡ଼ରେ ଥରି ।।
ଧାନ କଟାରେ ଉଠିଲେ ମାତି
ଦେହରୁ ତା’ର ବହଇ ତାତି ।।
ପେଟକୁ ମାରି ଚାଷକୁ ଜଗେ
ଖଟଇ ପିଲା କବିଲା ସଙ୍ଗେ ।।
ଆସିଲେ ବା’ ମରୁଡ଼ି ବଢ଼ି
ଅକାଳେ ଯାଏ ଫସଲ ଝଡ଼ି ।।
ଦୁଃଖରେ ଭରା ଜୀବନ ତା’ର
ଖଟିବା ଯାହା ହୁଅଇ ସାର ।।
